ଦିତୀୟ ବିବରଣ 9 : 1 (ORV)
ହେ ଇସ୍ରାଏଲ, ଶୁଣ; ତୁମ୍ଭେ ଆପଣାଠାରୁ ଅଧିକ ପ୍ରବଳ ଓ ବଳବାନ ଗୋଷ୍ଠୀୟ ଲୋକମାନଙ୍କୁ, ଆଉ ବୃହତ ଓ ଗଗନସ୍ପର୍ଶୀ-ପ୍ରାଚୀର ବେଷ୍ଟିତ ନଗରମାନଙ୍କୁ ଅଧିକାର କରିବା ପାଇଁ ଆଜି ଯର୍ଦ୍ଦନ ପାର ହୋଇ ଯାଉଅଛ;
ଦିତୀୟ ବିବରଣ 9 : 2 (ORV)
ସେହି ଲୋକମାନେ ଅନାକୀୟମାନଙ୍କ ସନ୍ତାନ, ବଳବାନ ଓ ଦୀର୍ଘକାୟ, ତୁମ୍ଭେ ସେମାନଙ୍କୁ ଜାଣୁଅଛ, ପୁଣି ସେମାନଙ୍କ ବିଷୟରେ ଏହା କୁହାଯିବାର ତୁମ୍ଭେ ଶୁଣିଅଛ ଯେ, ଅନାକର ସନ୍ତାନମାନଙ୍କ ସମ୍ମୁଖରେ କିଏ ଛିଡ଼ା ହୋଇପାରେ?
ଦିତୀୟ ବିବରଣ 9 : 3 (ORV)
ଏଣୁ ଆଜି ଜ୍ଞାତ ହୁଅ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ଵର ସ୍ଵୟଂ ଗ୍ରାସକାରୀ ଅଗ୍ନି ସ୍ଵରୂପ ହୋଇ ତୁମ୍ଭ ଆଗେ ଆଗେ ଗମନ କରୁଅଛନ୍ତି; ସେ ସେମାନଙ୍କୁ ସଂହାର କରିବେ ଓ ସେମାନଙ୍କୁ ତୁମ୍ଭ ସମ୍ମୁଖରେ ନତ କରିବେ; ତହିଁରେ ତୁମ୍ଭ ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭେ ସେମାନଙ୍କୁ ତଡ଼ି ଦେବ ଓ ସେମାନଙ୍କୁ ଶୀଘ୍ର ବିନାଶ କରିବ ।
ଦିତୀୟ ବିବରଣ 9 : 4 (ORV)
ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେଲା ଉତ୍ତାରେ ତୁମ୍ଭେ ଆପଣା ମନେ ମନେ କହିବ ନାହିଁ ଯେ, ଆମ୍ଭ ଧାର୍ମିକତା ସକାଶୁ ସଦାପ୍ରଭୁ ଆମ୍ଭକୁ ଏହି ଦେଶ ଅଧିକାର କରଣାର୍ଥେ ଆଣିଅଛନ୍ତି; ଯେହେତୁ ସେହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ସକାଶୁ ସଦାପ୍ରଭୁ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ ।
ଦିତୀୟ ବିବରଣ 9 : 5 (ORV)
ତୁମ୍ଭେ ଆପଣା ଧାର୍ମିକତା ଅବା ହୃଦୟର ସରଳତା ହେତୁରୁ ସେମାନଙ୍କ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନୁହେଁ; ମାତ୍ର ସେହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ସକାଶୁ, ଆଉ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କୁ, ଇସ୍‍ହାକଙ୍କୁ ଓ ଯାକୁବଙ୍କୁ ଶପଥପୂର୍ବକ ଯେଉଁ ବାକ୍ୟ କହିଥିଲେ, ତାହା ସଫଳ କରିବା ପାଇଁ, ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ ।
ଦିତୀୟ ବିବରଣ 9 : 6 (ORV)
ଏନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭ ଧାର୍ମିକତା ହେତୁରୁ ତୁମ୍ଭକୁ ଏହି ଉତ୍ତମ ଦେଶ ଅଧିକାର କରିବାକୁ ଦେଉ ନାହାନ୍ତି, ଏହା ଜ୍ଞାତ ହୁଅ; ଯେହେତୁ ତୁମ୍ଭେ ଶକ୍ତଗ୍ରୀବ ଲୋକ ।
ଦିତୀୟ ବିବରଣ 9 : 7 (ORV)
ତୁମ୍ଭେ ଏହି ପ୍ରାନ୍ତର ମଧ୍ୟରେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କୁ କିପରି କ୍ରୁଦ୍ଧ କରାଇଅଛ, ତାହା ସ୍ମରଣ କର, ତୁମ୍ଭେ ତାହା ପାସୋର ନାହିଁ; ତୁମ୍ଭେ ମିସର ଦେଶରୁ ବାହାର ହେବା ଦିନଠାରୁ ଏହି ସ୍ଥାନକୁ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହୋଇଅଛ।
ଦିତୀୟ ବିବରଣ 9 : 8 (ORV)
ମଧ୍ୟ ତୁମ୍ଭେମାନେ ହୋରେବରେ ସଦାପ୍ରଭୁଙ୍କୁ କ୍ରୁଦ୍ଧ କରାଇଲ, ତହିଁରେ ସଦାପ୍ରଭୁ କ୍ରୋଧ କରି ତୁମ୍ଭମାନଙ୍କୁ ବିନାଶ କରିବାକୁ ଉଦ୍ୟତ ହେଲେ ।
ଦିତୀୟ ବିବରଣ 9 : 9 (ORV)
ଯେତେବେଳେ ମୁଁ ପ୍ରସ୍ତରଦ୍ଵୟ, ଅର୍ଥାତ୍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ କୃତ ନିୟମର ଦୁଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକୁ ଗଲି, ସେତେବେଳେ ମୁଁ ପର୍ବତରେ ଚାଳିଶ ଦିନ ଓ ଚାଳିଶ ରାତ୍ରି ଅବସ୍ଥିତି କଲି; ମୁଁ ଅନ୍ନଭୋଜନ କିଅବା ଜଳପାନ କଲି ନାହିଁ,
ଦିତୀୟ ବିବରଣ 9 : 10 (ORV)
ସେସମୟରେ ସଦାପ୍ରଭୁ ମୋତେ ପରମେଶ୍ଵରଙ୍କ ଅଙ୍ଗୁଳି ଲିଖିତ ସେହି ଦୁଇ ପ୍ରସ୍ତର ଫଳକ ଦେଲେ; ପୁଣି ପର୍ବତରେ ସମାଜ-ଦିନରେ ଅଗ୍ନି ମଧ୍ୟରୁ ସଦାପ୍ରଭୁ ତୁମ୍ଭ-ମାନଙ୍କୁ ଯାହା ଯାହା କହିଥିଲେ, ସେହି ସକଳ ବାକ୍ୟପ୍ରମାଣେ ତହିଁରେ ଲେଖା ଯାଇଥିଲା ।
ଦିତୀୟ ବିବରଣ 9 : 11 (ORV)
ଆଉ ଚାଳିଶ ଦିନ ଓ ଚାଳିଶ ରାତ୍ରିର ଶେଷରେ ସଦାପ୍ରଭୁ ସେହି ଦୁଇ ପ୍ରସ୍ତର ଫଳକ, ଅର୍ଥାତ୍, ନିୟମର ଫଳକ ମୋତେ ଦେଲେ ।
ଦିତୀୟ ବିବରଣ 9 : 12 (ORV)
ପୁଣି ସଦାପ୍ରଭୁ ମୋତେ କହିଲେ, ଉଠ, ଏ ସ୍ଥାନରୁ ଶୀଘ୍ର ଓହ୍ଲାଇ ଯାଅ; କାରଣ ତୁମ୍ଭେ ଯେଉଁମାନଙ୍କୁ ମିସରରୁ ବାହାର କରି ଆଣିଅଛ, ତୁମ୍ଭର ସେହି ଲୋକମାନେ ଆପଣାମାନଙ୍କୁ ଭ୍ରଷ୍ଟ କରିଅଛନ୍ତି; ଆମ୍ଭେ ସେମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଲୁ, ତହିଁରୁ ସେମାନେ ଶୀଘ୍ର ବିମୁଖ ହୋଇଅଛନ୍ତି; ସେମାନେ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଏକ ପ୍ରତିମା ନିର୍ମାଣ କରିଅଛନ୍ତି ।
ଦିତୀୟ ବିବରଣ 9 : 13 (ORV)
ଆହୁରି ସଦାପ୍ରଭୁ ମୋତେ କହିଲେ, ଆମ୍ଭେ ଏହି ଲୋକମାନଙ୍କୁ ଦେଖିଲୁ, ଆଉ ଦେଖ, ଏମାନେ ଶକ୍ତଗ୍ରୀବ ଲୋକ ।
ଦିତୀୟ ବିବରଣ 9 : 14 (ORV)
ଆମ୍ଭଙ୍କୁ ଛାଡ଼ି ଦିଅ, ତହିଁରେ ଆମ୍ଭେ ସେମାନଙ୍କୁ ବିନାଶ କରିବା ଓ ଆକାଶମଣ୍ତଳ ତଳୁ ସେମାନଙ୍କ ନାମ ଲୋପ କରିବା; ମାତ୍ର ଆମ୍ଭେ ତୁମ୍ଭଠାରୁ ସେମାନଙ୍କ ଅପେକ୍ଷା ଅଧିକ ବଳବତୀ ଓ ମହତୀ ଏକ ଗୋଷ୍ଠୀ ଉତ୍ପନ୍ନ କରିବା ।
ଦିତୀୟ ବିବରଣ 9 : 15 (ORV)
ତହିଁରେ ମୁଁ ଫେରି ପର୍ବତ ତଳକୁ ଆସିଲି, ଆଉ ପର୍ବତ ଅଗ୍ନିରେ ଜ୍ଵଳୁଥିଲା; ଆଉ ନିୟମର ସେହି ଦୁଇ ପ୍ରସ୍ତର ଫଳକ ମୋହର ଦୁଇ ହସ୍ତରେ ଥିଲା ।
ଦିତୀୟ ବିବରଣ 9 : 16 (ORV)
ତହୁଁ ମୁଁ ଅନାଇଲି, ଆଉ ଦେଖ, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ପ୍ରତିକୂଳରେ ପାପ କରିଅଛ; ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଏକ ବାଛୁରି ନିର୍ମାଣ କରିଅଛ, ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଇଥିଲେ, ତୁମ୍ଭେମାନେ ଶୀଘ୍ର ତହିଁରୁ ବିମୁଖ ହୋଇଅଛ ।
ଦିତୀୟ ବିବରଣ 9 : 17 (ORV)
ଏଥିରେ ମୁଁ ସେହି ଦୁଇ ପ୍ରସ୍ତର ଫଳକ ଧରି ଆପଣା ଦୁଇ ହସ୍ତରୁ ପକାଇ ଦେଲି ଓ ତୁମ୍ଭମାନଙ୍କ ସାକ୍ଷାତରେ ତାହା ଭାଙ୍ଗିଲି ।
ଦିତୀୟ ବିବରଣ 9 : 18 (ORV)
ପୁଣି ତୁମ୍ଭେମାନେ ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ଦୃଷ୍ଟିରେ ଦୁଷ୍କର୍ମ କରି ଯେଉଁ ପାପ କରିଥିଲ, ତୁମ୍ଭମାନଙ୍କର ସେହି ସମସ୍ତ ପାପ ସକାଶୁ ମୁଁ ପୂର୍ବଥର ପରି ଚାଳିଶ ଦିନ ଓ ଚାଳିଶ ରାତ୍ରି ସଦାପ୍ରଭୁଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ି ରହିଲି; ମୁଁ ଅନ୍ନଭୋଜନ କି ଜଳପାନ କଲି ନାହିଁ ।
ଦିତୀୟ ବିବରଣ 9 : 19 (ORV)
କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ କ୍ରୋଧ କଲେ, ସେହି କୋପ ଓ ପ୍ରଚଣ୍ତତା ଆଗରେ ମୁଁ ଭୀତ ହେଲି । ମାତ୍ର ସଦାପ୍ରଭୁ ସେଥର ମଧ୍ୟ ମୋʼ ପ୍ରତି କର୍ଣ୍ଣପାତ କଲେ ।
ଦିତୀୟ ବିବରଣ 9 : 20 (ORV)
ଆଉ ସଦାପ୍ରଭୁ ହାରୋଣଙ୍କୁ ବିନାଶ କରିବା ପାଇଁ ଅତିଶୟ କୋପ କଲେ; ମୁଁ ସେସମୟରେ ମଧ୍ୟ ହାରୋଣଙ୍କ ପାଇଁ ପ୍ରାର୍ଥନା କଲି ।
ଦିତୀୟ ବିବରଣ 9 : 21 (ORV)
ପୁଣି ମୁଁ ତୁମ୍ଭମାନଙ୍କ ପାପ ସ୍ଵରୂପ, ଅର୍ଥାତ୍, ସେହି ଯେ ବାଛୁରି ତୁମ୍ଭେମାନେ ନିର୍ମାଣ କରିଥିଲ, ତାହା ନେଇ ଅଗ୍ନିରେ ଦଗ୍ଧ କଲି ଓ ତାହା ଧୂଳିବତ୍ ସୂକ୍ଷ୍ମ ହେବା ପର୍ଯ୍ୟନ୍ତ ପେଷି ଚୂର୍ଣ୍ଣ କଲି; ତହୁଁ ମୁଁ ତହିଁର ଧୂଳି ପର୍ବତନିର୍ଗତ ଜଳସ୍ରୋତରେ ନିକ୍ଷେପ କଲି ।
ଦିତୀୟ ବିବରଣ 9 : 22 (ORV)
ପୁଣି ତୁମ୍ଭେମାନେ ତବିୟେରାରେ ଓ ମଃସାରେ ଓ କିବ୍ରୋତ୍-ହତ୍ତାବାରେ ସଦାପ୍ରଭୁଙ୍କୁ କ୍ରୁଦ୍ଧ କରାଇଲ ।
ଦିତୀୟ ବିବରଣ 9 : 23 (ORV)
ତହିଁ ଉତ୍ତାରେ ସଦାପ୍ରଭୁ ଯେସମୟରେ କାଦେଶ-ବର୍ଣ୍ଣେୟଠାରୁ ତୁମ୍ଭମାନଙ୍କୁ ପଠାଇ କହିଲେ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତୁମ୍ଭେମାନେ ଉଠି ଯାଇ ତାହା ଅଧିକାର କର; ସେସମୟରେ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ଆଜ୍ଞାର ବିଦ୍ରୋହାଚାରୀ ହେଲ ଓ ତୁମ୍ଭେମାନେ ତାହାଙ୍କୁ ବିଶ୍ଵାସ କଲ ନାହିଁ, କିଅବା ତାହାଙ୍କ ରବ ଶୁଣିଲ ନାହିଁ ।
ଦିତୀୟ ବିବରଣ 9 : 24 (ORV)
ମୁଁ ତୁମ୍ଭମାନଙ୍କୁ ଜାଣିବା ଦିନଠାରୁ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହୋଇ ଆସିଅଛ ।
ଦିତୀୟ ବିବରଣ 9 : 25 (ORV)
ଏହିରୂପେ ମୋହର ମୁହଁ ମାଡ଼ି ପଡ଼ିବାର ଚାଳିଶ ଦିନ ଓ ଚାଳିଶ ରାତ୍ରି ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ି ରହିଲି; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବାକୁ କହିଥିଲେ ।
ଦିତୀୟ ବିବରଣ 9 : 26 (ORV)
ପୁଣି ମୁଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲି, ହେ ପ୍ରଭୋ, ସଦାପ୍ରଭୋ, ତୁମ୍ଭେ ଆପଣା ଲୋକଙ୍କୁ ଓ ଆପଣା ଅଧିକାରକୁ ବିନାଶ କର ନାହିଁ, ତୁମ୍ଭେ ଆପଣା ମହିମାରେ ସେମାନଙ୍କୁ ମୁକ୍ତ କରିଅଛ, ତୁମ୍ଭେ ସେମାନଙ୍କୁ ବଳବାନ ହସ୍ତ ଦ୍ଵାରା ମିସରରୁ ବାହାର କରି ଆଣିଅଛ ।
ଦିତୀୟ ବିବରଣ 9 : 27 (ORV)
ଅବ୍ରହାମ, ଇସ୍‍ହାକ ଓ ଯାକୁବ, ତୁମ୍ଭର ଏହି ଦାସମାନଙ୍କୁ ସ୍ମରଣ କର; ଏହି ଲୋକମାନଙ୍କ ଅବାଧ୍ୟତା ପ୍ରତି, କି ସେମାନଙ୍କ ଦୁଷ୍ଟତା ପ୍ରତି, କିଅବା ସେମାନଙ୍କ ପାପ ପ୍ରତି ଦୃଷ୍ଟି କର ନାହିଁ ।
ଦିତୀୟ ବିବରଣ 9 : 28 (ORV)
କେଜାଣି, ତୁମ୍ଭେ ଆମ୍ଭମାନଙ୍କୁ ଯେଉଁଠାରୁ ବାହାର କରି ଆଣିଅଛ, ସେ ଦେଶ ଲୋକେ କହିବେ, ସଦାପ୍ରଭୁ ଏମାନଙ୍କୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ, ସେଠାକୁ ସେମାନଙ୍କୁ ନେଇ ଯାଇ ନ ପାରିବାରୁ ଓ ସେମାନଙ୍କୁ ଘୃଣା କରିବାରୁ ଏହି ପ୍ରାନ୍ତରରେ ବଧ କରିବା ପାଇଁ ବାହାର କରି ଆଣିଅଛନ୍ତି ।
ଦିତୀୟ ବିବରଣ 9 : 29 (ORV)
ତଥାପି ସେମାନେ ତ ତୁମ୍ଭର ଲୋକ ଓ ତୁମ୍ଭର ଅଧିକାର, ତୁମ୍ଭେ ସେମାନଙ୍କୁ ଆପଣା ମହାଶକ୍ତି ଓ ବିସ୍ତାରିତ ବାହୁ ଦ୍ଵାରା ବାହାର କରି ଆଣିଅଛ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29

BG:

Opacity:

Color:


Size:


Font: