ଦିତୀୟ ବିବରଣ 24 : 1 (ORV)
କୌଣସି ପୁରୁଷ କୌଣସି ସ୍ତ୍ରୀକି ବିବାହ କରି ଗ୍ରହଣ କଲା ଉତ୍ତାରେ ଯେବେ ସେ ତାହାଠାରେ କୌଣସି ଲଜ୍ଜାକର ବିଷୟ ପାଇବାରୁ ସେହି ସ୍ତ୍ରୀ ତାହା ଦୃଷ୍ଟିରେ ଅନୁଗ୍ରହ ନ ପାଏ, ତେବେ ସେ ପୁରୁଷ ତାହା ନିମନ୍ତେ ଏକ ଛାଡ଼ପତ୍ର ଲେଖି ତାହା ହସ୍ତରେ ଦେଇ ଆପଣା ଗୃହରୁ ତାହାକୁ ବିଦାୟ କରିବ ।
ଦିତୀୟ ବିବରଣ 24 : 2 (ORV)
ପୁଣି ସେ ସ୍ତ୍ରୀ ତାହାର ଗୃହରୁ ବାହାରି ଗଲା ଉତ୍ତାରେ, ସେ ଯାଇ ଅନ୍ୟ ପୁରୁଷର ଭାର୍ଯ୍ୟା ହୋଇ ପାରିବ ।
ଦିତୀୟ ବିବରଣ 24 : 3 (ORV)
ମାତ୍ର ସେହି ଶେଷ ସ୍ଵାମୀ ଯେବେ ତାହାକୁ ଘୃଣା କରେ ଓ ଏକ ଛାଡ଼ପତ୍ର ଲେଖି ତାହାର ହସ୍ତରେ ଦେଇ ତାହାକୁ ଆପଣା ଗୃହରୁ ବିଦାୟ କରିଦିଏ; ଅବା ଯେ ତାହାକୁ ଭାର୍ଯ୍ୟା ରୂପେ ଗ୍ରହଣ କରିଥିଲା, ସେହି ଶେଷ ସ୍ଵାମୀ ଯେବେ ମରେ;
ଦିତୀୟ ବିବରଣ 24 : 4 (ORV)
ତେବେ ସେ କଳଙ୍କିତା ହେଲା ଉତ୍ତାରେ ତାହାର ପ୍ରଥମ ସ୍ଵାମୀ, ଯେ ତାହାକୁ ବିଦାୟ ଦେଇଥିଲା, ତାହାକୁ ପୁନର୍ବାର ବିବାହ କରି ପାରିବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ସମ୍ମୁଖରେ ଘୃଣାଯୋଗ୍ୟ; ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଅଧିକାରାର୍ଥେ ଯେଉଁ ଦେଶ ତୁମ୍ଭକୁ ଦିଅନ୍ତି, ତୁମ୍ଭେ ତାହା ପାପରେ ଲିପ୍ତ କରିବ ନାହିଁ ।
ଦିତୀୟ ବିବରଣ 24 : 5 (ORV)
କୌଣସି ବ୍ୟକ୍ତି ନୂତନ ଭାର୍ଯ୍ୟା ଗ୍ରହଣ କଲେ, ସେ ସୈନ୍ୟ ସଙ୍ଗେ ବାହାରେ ଯିବ ନାହିଁ, କିଅବା ତାହାକୁ କୌଣସି କର୍ମର ଭାର ଦିଆଯିବ ନାହିଁ; ସେ ଏକ ବର୍ଷ ପର୍ଯ୍ୟନ୍ତ ଆପଣା ଗୃହରେ ନିଷ୍କର୍ମରେ ରହି ଆପଣା ଗୃହୀତା ଭାର୍ଯ୍ୟାର ମନୋରଞ୍ଜନ କରିବ ।
ଦିତୀୟ ବିବରଣ 24 : 6 (ORV)
କେହି ଚକି ବା ଚକିର ଉପର ପଟ ବନ୍ଧକ ରଖିବ ନାହିଁ; ତାହା କଲେ, ମନୁଷ୍ୟର ପ୍ରାଣ ବନ୍ଧକ ରଖିବାର ହୁଏ ।
ଦିତୀୟ ବିବରଣ 24 : 7 (ORV)
କୌଣସି ମନୁଷ୍ୟ ଯେବେ ଆପଣା ଭାଇ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ କୌଣସି ପ୍ରାଣୀକି ଚୋରି କରିବାର ଧରା ପଡ଼େ, ପୁଣି ସେ ତାହାକୁ ଦାସ ପରି ବ୍ୟବହାର କରେ, ବା ତାହାକୁ ବିକି ଦିଏ; ତେବେ ସେହି ଚୋର ହତ ହେବ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ ।
ଦିତୀୟ ବିବରଣ 24 : 8 (ORV)
କୁଷ୍ଠ ରୋଗର ଘାʼ ବିଷୟରେ ସାବଧାନ ହୁଅ, ଲେବୀୟ ଯାଜକମାନେ ତୁମ୍ଭକୁ ଯେସକଳ ଶିକ୍ଷା ଦିଅନ୍ତି, ତଦନୁସାରେ କରିବା ପାଇଁ ଯନିପୂର୍ବକ ମନୋଯୋଗ କର । ଆମ୍ଭେ ସେମାନଙ୍କୁ ଯେରୂପ ଆଜ୍ଞା ଦେଇଅଛୁ, ସେରୂପ କରିବାକୁ ତୁମ୍ଭେମାନେ ମନୋଯୋଗ କରିବ ।
ଦିତୀୟ ବିବରଣ 24 : 9 (ORV)
ତୁମ୍ଭେମାନେ ମିସରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ମରୀୟମ ପ୍ରତି ଯାହା କରିଥିଲେ, ତାହା ସ୍ମରଣ କର ।
ଦିତୀୟ ବିବରଣ 24 : 10 (ORV)
ତୁମ୍ଭେ ଆପଣା ପ୍ରତିବାସୀକି କୌଣସି ପ୍ରକାର ଋଣ ଦେଲେ, ତାହାର ବନ୍ଧକି ଦ୍ରବ୍ୟ ଆଣିବା ପାଇଁ ତୁମ୍ଭେ ତାହା ଘର ଭିତରକୁ ଯିବ ନାହିଁ ।
ଦିତୀୟ ବିବରଣ 24 : 11 (ORV)
ତୁମ୍ଭେ ବାହାରେ ଛିଡ଼ା ହୋଇ ରହିବ, ଆଉ ତୁମ୍ଭେ ଯାହାକୁ ଋଣ ଦେଇଅଛ, ସେ ବ୍ୟକ୍ତି ଆପଣା ବନ୍ଧକିଦ୍ରବ୍ୟ ବାହାର କରି ତୁମ୍ଭ ନିକଟକୁ ଆଣିବ ।
ଦିତୀୟ ବିବରଣ 24 : 12 (ORV)
ପୁଣି ସେ ଯେବେ ଦୁଃଖୀ ଲୋକ ଥାଏ, ତେବେ ତୁମ୍ଭେ ତାହାର ବନ୍ଧକିଦ୍ରବ୍ୟ ଘେନି ନିଦ୍ରା ଯିବ ନାହିଁ ।
ଦିତୀୟ ବିବରଣ 24 : 13 (ORV)
ସେ ଯେପରି ଆପଣା ବସ୍ତ୍ର ଘେନି ଶୟନ କରି ତୁମ୍ଭକୁ ଆଶୀର୍ବାଦ କରିବ, ଏଥିପାଇଁ ସୂର୍ଯ୍ୟାସ୍ତ ସମୟରେ ତାହାର ବନ୍ଧକିଦ୍ରବ୍ୟ ତାହାକୁ ଅବଶ୍ୟ ଫେରାଇ ଦେବ; ତହିଁରେ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ସାକ୍ଷାତରେ ତୁମ୍ଭ ପ୍ରତି ଧାର୍ମିକତା ହେବ ।
ଦିତୀୟ ବିବରଣ 24 : 14 (ORV)
ତୁମ୍ଭ ଭାଇମାନଙ୍କ ମଧ୍ୟରୁ କେହି ହେଉ, କିଅବା ତୁମ୍ଭ ଦେଶସ୍ଥିତ ନଗରଦ୍ଵାରବର୍ତ୍ତୀ ତୁମ୍ଭ ବିଦେଶୀ ମଧ୍ୟରୁ କେହି ହେଉ, ଦୁଃଖୀ, ଦରିଦ୍ର ବର୍ତ୍ତନଜୀବୀ ପ୍ରତି ତୁମ୍ଭେ ଉପଦ୍ରବ କରିବ ନାହିଁ ।
ଦିତୀୟ ବିବରଣ 24 : 15 (ORV)
ତାହାରି ଦିନରେ ତାହାକୁ ତାହାର ବର୍ତ୍ତନ ଦେବ; ସୂର୍ଯ୍ୟାସ୍ତ ଯାଏ ତାହା ରଖିବ ନାହିଁ; କାରଣ ସେ ଦୁଃଖୀ ଲୋକ, ତହିଁ ଉପରେ ତାହାର ମନ ଥାଏ; କେଜାଣି ସେ ତୁମ୍ଭ ବିରୁଦ୍ଧରେ ସଦାପ୍ରଭୁଙ୍କୁ ଡାକ ପକାଇବ, ତହିଁରେ ତୁମ୍ଭର ପାପ ହେବ ।
ଦିତୀୟ ବିବରଣ 24 : 16 (ORV)
ସନ୍ତାନମାନଙ୍କ ପାଇଁ ପିତୃଗଣର ପ୍ରାଣଦଣ୍ତ ହେବ ନାହିଁ, କିଅବା ପିତୃଗଣ ପାଇଁ ସନ୍ତାନମାନଙ୍କର ପ୍ରାଣଦଣ୍ତ ହେବ ନାହିଁ; ପ୍ରତ୍ୟେକ ଲୋକ ନିଜ ପାପ ଲାଗି ପ୍ରାଣଦଣ୍ତ ଭୋଗ କରିବ ।
ଦିତୀୟ ବିବରଣ 24 : 17 (ORV)
ତୁମ୍ଭେ ବିଦେଶୀର କି ପିତୃହୀନର ବିଚାରରେ ଅନ୍ୟାୟ କରିବ ନାହିଁ, କିଅବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ।
ଦିତୀୟ ବିବରଣ 24 : 18 (ORV)
ମାତ୍ର ତୁମ୍ଭେ ଯେ ମିସରରେ ବନ୍ଧାଦାସ ଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ସେଠାରୁ ମୁକ୍ତ କରିଅଛନ୍ତି, ଏହା ସ୍ମରଣ କରିବ; ଏହେତୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଉଅଛୁ ।
ଦିତୀୟ ବିବରଣ 24 : 19 (ORV)
ତୁମ୍ଭେ ଆପଣା କ୍ଷେତ୍ରରେ ଶସ୍ୟ କାଟିବା ବେଳେ ଗୋଟିଏ ବିଡ଼ା କ୍ଷେତ୍ରରେ ପାସୋରି ଆସିଲେ, ତାହା ଆଣିବା ପାଇଁ ଫେରିଯିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ । ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେଣ ।
ଦିତୀୟ ବିବରଣ 24 : 20 (ORV)
ତୁମ୍ଭେ ଆପଣା ଜୀତବୃକ୍ଷରୁ ଫଳ ପାରିଲା ଉତ୍ତାରେ ଆଉ ଥରେ ଡାଳକୁ ଯିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ ।
ଦିତୀୟ ବିବରଣ 24 : 21 (ORV)
ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାଫଳ ସଂଗ୍ରହ କଲା ଉତ୍ତାରେ ପୁନର୍ବାର ତାହା ସାଉଣ୍ଟିବ ନାହିଁ; ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ ।
ଦିତୀୟ ବିବରଣ 24 : 22 (ORV)
ଆଉ ତୁମ୍ଭେ ମିସର ଦେଶରେ ବନ୍ଧାଦାସ ଥିଲ, ଏହା ସ୍ମରଣ କରିବ; ଏହେତୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଉଅଛୁ ।
❮
❯