ଦିତୀୟ ବିବରଣ 11 : 1 (ORV)
ଏହେତୁ ତୁମ୍ଭେ ସବୁବେଳେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କୁ ପ୍ରେମ କରିବ ଓ ତାହାଙ୍କ ରକ୍ଷଣୀୟ ଓ ବିଧି ଓ ଶାସନ ଓ ଆଜ୍ଞାସକଳ ପାଳନ କରିବ ।
ଦିତୀୟ ବିବରଣ 11 : 2 (ORV)
ପୁଣି ଆଜିଠାରୁ ଜ୍ଞାନବାନ ହୁଅ; କାରଣ ମୁଁ ତୁମ୍ଭମାନଙ୍କ ବାଳକମାନଙ୍କୁ କହୁ ନାହିଁ, ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ କୃତ ଶାସ୍ତି ଜାଣି ନାହାନ୍ତି, ତାହାଙ୍କ ମହିମା, ତାହାଙ୍କ ବଳବାନ ହସ୍ତ ଓ ବିସ୍ତାରିତ ବାହୁ,
ଦିତୀୟ ବିବରଣ 11 : 3 (ORV)
ପୁଣି ତାହାଙ୍କ ଚିହ୍ନସକଳ ଓ ମିସର ମଧ୍ୟରେ ମିସରରାଜା ଫାରୋଙ୍କ ପ୍ରତି ଓ ତାଙ୍କର ସମୁଦାୟ ଦେଶ ପ୍ରତି କୃତ ତାହାଙ୍କର କର୍ମ;
ଦିତୀୟ ବିବରଣ 11 : 4 (ORV)
ପୁଣି ମିସ୍ରୀୟ ସୈନ୍ୟ, ସେମାନଙ୍କ ଅଶ୍ଵ ଓ ସେମାନଙ୍କ ରଥ ପ୍ରତି ଯାହା ସେ କଲେ; ସେମାନେ ତୁମ୍ଭମାନଙ୍କ ପଶ୍ଚାତ୍ ତାଡ଼ନା କରିବା ବେଳେ ସେ ଯେଉଁ ପ୍ରକାରେ ସୂଫ ସାଗରର ଜଳ ସେମାନଙ୍କ ଉପରେ ବୁହାଇଲେ ଓ ସଦାପ୍ରଭୁ ଯେରୂପେ ସେମାନଙ୍କୁ ଆଜିଯାଏ ନଷ୍ଟ କରିଅଛନ୍ତି;
ଦିତୀୟ ବିବରଣ 11 : 5 (ORV)
ପୁଣି ଏ ସ୍ଥାନରେ ତୁମ୍ଭମାନଙ୍କ ଆଗମନ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପ୍ରତି ପ୍ରାନ୍ତରରେ ସେ ଯାହା ଯାହା କରିଅଛନ୍ତି;
ଦିତୀୟ ବିବରଣ 11 : 6 (ORV)
ଆଉ ରୁବେନର ପୁତ୍ର ଇଲୀୟାବର ସନ୍ତାନ ଦାଥନ୍ ଓ ଅବୀରାମ ପ୍ରତି ଯାହା ସେ କରିଅଛନ୍ତି; ପୃଥିବୀ ଯେରୂପେ ଆପଣା ମୁଖ ବିସ୍ତାର କରି ସମସ୍ତ ଇସ୍ରାଏଲ ମଧ୍ୟବର୍ତ୍ତୀ ସେମାନଙ୍କୁ ଓ ସେମାନଙ୍କ ପରିଜନବର୍ଗଙ୍କୁ ଓ ସେମାନଙ୍କ ତମ୍ଵୁ ଓ ସେମାନଙ୍କ ପଶ୍ଚାଦ୍ବର୍ତ୍ତୀ ସମସ୍ତ ପ୍ରାଣୀକି ଗ୍ରାସ କଲା, ଏ ସମସ୍ତ ସେମାନେ ଦେଖି ନାହାନ୍ତି;
ଦିତୀୟ ବିବରଣ 11 : 7 (ORV)
ମାତ୍ର ତୁମ୍ଭମାନଙ୍କର ଚକ୍ଷୁ ସଦାପ୍ରଭୁଙ୍କ କୃତ ସକଳ ମହାକର୍ମ ଦେଖିଅଛି ।
ଦିତୀୟ ବିବରଣ 11 : 8 (ORV)
ଏନିମନ୍ତେ ଆଜି ମୁଁ ତୁମ୍ଭମାନଙ୍କୁ ଯେ ଯେ ଆଜ୍ଞା ଦେଉଅଛି, ତୁମ୍ଭେମାନେ ସେସବୁ ଆଜ୍ଞା ପାଳନ କରିବ; ତହିଁରେ ତୁମ୍ଭେମାନେ ବଳବାନ ହେବ, ପୁଣି ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ତହିଁରେ ପ୍ରବେଶ କରି ଅଧିକାର କରିବ;
ଦିତୀୟ ବିବରଣ 11 : 9 (ORV)
ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଓ ସେମାନଙ୍କ ବଂଶକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ସେହି ଦୁଗ୍ଧମଧୁପ୍ରବାହୀ ଦେଶରେ ତୁମ୍ଭେମାନେ ଆପଣାମାନଙ୍କ ଦିନ ବଢ଼ାଇ ପାରିବ ।
ଦିତୀୟ ବିବରଣ 11 : 10 (ORV)
ତୁମ୍ଭେମାନେ ଯେଉଁ ମିସର ଦେଶରୁ ବାହାର ହୋଇ ଆସିଲ, ସେଠାରେ ବୀଜ ବୁଣି ଶାକ-ଉଦ୍ୟାନ ତୁଲ୍ୟ ପାଦ ଦ୍ଵାରା ଜଳ ସେଚନ କରୁଥିଲ; ମାତ୍ର ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ସେପରି ନୁହେଁ ।
ଦିତୀୟ ବିବରଣ 11 : 11 (ORV)
ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପାର ହୋଇ ଯାଉଅଛ, ତାହା ପର୍ବତ ଓ ସମସ୍ଥଳୀମୟ ଦେଶ, ପୁଣି ତାହା ଆକାଶରୁ ବୃଷ୍ଟିଜଳ ପାନ କରେ;
ଦିତୀୟ ବିବରଣ 11 : 12 (ORV)
ସେହି ଦେଶ ବିଷୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ମନୋଯୋଗ କରନ୍ତି; ବର୍ଷର ଆରମ୍ଭରୁ ବର୍ଷର ଶେଷ ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ ।
ଦିତୀୟ ବିବରଣ 11 : 13 (ORV)
ଆଉ ତୁମ୍ଭେମାନେ ଆପଣା ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କୁ ପ୍ରେମ କରିବାକୁ ଓ ତାହାଙ୍କୁ ସେବା କରିବାକୁ ଆଜି ଆମ୍ଭେ ଯେଉଁ ଆଜ୍ଞା ଦେଉଅଛୁ, ତାହା ଯେବେ ଯନିପୂର୍ବକ ଶୁଣିବ;
ଦିତୀୟ ବିବରଣ 11 : 14 (ORV)
ତେବେ ଆମ୍ଭେ ଉପଯୁକ୍ତ ସମୟରେ ତୁମ୍ଭ ଦେଶରେ ବୃଷ୍ଟି, ଅର୍ଥାତ୍, ଆଦ୍ୟବୃଷ୍ଟି ଓ ଶେଷବୃଷ୍ଟି ପ୍ରଦାନ କରିବା, ତହିଁରେ ତୁମ୍ଭେ ଆପଣା ଶସ୍ୟ ଓ ଆପଣା ଦ୍ରାକ୍ଷାରସ ଓ ଆପଣା ତୈଳ ସଂଗ୍ରହ କରି ପାରିବ ।
ଦିତୀୟ ବିବରଣ 11 : 15 (ORV)
ପୁଣି ଆମ୍ଭେ ତୁମ୍ଭ ପଶୁଗଣ ନିମନ୍ତେ ତୁମ୍ଭ କ୍ଷେତ୍ରରେ ତୃଣ ଦେବା, ଆଉ ତୁମ୍ଭେ ଭୋଜନ କରି ତୃପ୍ତ ହେବ ।
ଦିତୀୟ ବିବରଣ 11 : 16 (ORV)
ଆପଣା ଆପଣା ବିଷୟରେ ସାବଧାନ ହୁଅ, ନୋହିଲେ ତୁମ୍ଭମାନଙ୍କ ଅନ୍ତଃକରଣ ଭ୍ରାନ୍ତ ହେବ, ପୁଣି ତୁମ୍ଭେମାନେ ପଥ ହୁଡ଼ି ଅନ୍ୟ ଦେବତାମାନଙ୍କର ସେବା କରିବ ଓ ସେମାନଙ୍କୁ ପ୍ରଣାମ କରିବ;
ଦିତୀୟ ବିବରଣ 11 : 17 (ORV)
ତାହା କଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ଵଳିତ ହେବ, ପୁଣି ସେ ଆକାଶ ରୋଧ କଲେ ବୃଷ୍ଟି ହେବ ନାହିଁ ଓ ଭୂମି ନିଜ ଫଳ ପ୍ରଦାନ କରିବ ନାହିଁ, ଆଉ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଉଅଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ଉଚ୍ଛିନ୍ନ ହେବ ।
ଦିତୀୟ ବିବରଣ 11 : 18 (ORV)
ଏହେତୁ ତୁମ୍ଭେମାନେ ମୋହର ଏହି ସକଳ ବାକ୍ୟ ଆପଣା ଆପଣା ହୃଦୟରେ ଓ ଆପଣା ଆପଣା ପ୍ରାଣରେ ରଖିବ; ପୁଣି ତୁମ୍ଭେମାନେ ଚିହ୍ନ ସ୍ଵରୂପେ ଆପଣା ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ତୁମ୍ଭମାନଙ୍କ ଚକ୍ଷୁଦ୍ଵୟ ମଧ୍ୟରେ ଭୂଷଣ ସ୍ଵରୂପ ହେବ ।
ଦିତୀୟ ବିବରଣ 11 : 19 (ORV)
ଆଉ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ, ତୁମ୍ଭେ ଶୋଇବା ବେଳେ ଓ ଉଠିବା ବେଳେ ଏହିସବୁ ବିଷୟରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନଗଣକୁ ଶିକ୍ଷା ଦେବ ।
ଦିତୀୟ ବିବରଣ 11 : 20 (ORV)
ଆଉ ତୁମ୍ଭେ ଆପଣା ଗୃହଦ୍ଵାରର ଚଉକାଠରେ ଓ ଆପଣା ବାହାର ଦ୍ଵାରରେ ତାହା ଲେଖି ରଖିବ ।
ଦିତୀୟ ବିବରଣ 11 : 21 (ORV)
ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଅଛନ୍ତି, ତହିଁରେ ତୁମ୍ଭମାନଙ୍କ ଅବସ୍ଥିତି କାଳ ଓ ତୁମ୍ଭମାନଙ୍କ ସନ୍ତାନଗଣର ଅବସ୍ଥିତି କାଳ ଭୂମଣ୍ତଳ ଉପରେ ଆକାଶମଣ୍ତଳର ଅବସ୍ଥିତି କାଳ ତୁଲ୍ୟ ହେବ ।
ଦିତୀୟ ବିବରଣ 11 : 22 (ORV)
କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କୁ ପ୍ରେମ କରିବାକୁ, ତାହାଙ୍କ ସମସ୍ତ ପଥରେ ଚାଲିବାକୁ ଓ ତାହାଙ୍କଠାରେ ଦୃଢ଼ ରୂପେ ଆସକ୍ତ ହେବାକୁ ଏହି ଯେସମସ୍ତ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ପାଳନ କରିବାକୁ ଦେଉଅଛି, ତାହାସବୁ ଯେବେ ତୁମ୍ଭେମାନେ ଯନିପୂର୍ବକ ମାନ୍ୟ କରିବ;
ଦିତୀୟ ବିବରଣ 11 : 23 (ORV)
ତେବେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ଏହିସବୁ ଗୋଷ୍ଠୀୟ ଲୋକମାନଙ୍କୁ ତଡ଼ି ଦେବେ; ପୁଣି ତୁମ୍ଭେମାନେ ଆପଣାମାନଙ୍କଠାରୁ ଅଧିକ ପ୍ରବଳ ଓ ବଳବାନ ଗୋଷ୍ଠୀୟ ଲୋକମାନଙ୍କୁ ଅଧିକାର କରିବ ।
ଦିତୀୟ ବିବରଣ 11 : 24 (ORV)
ଯେଉଁ ଯେଉଁଠାରେ ତୁମ୍ଭମାନଙ୍କ ତଳିପା ପଡ଼ିବ, ସେ ପ୍ରତ୍ୟେକ ସ୍ଥାନ ତୁମ୍ଭମାନଙ୍କର ହେବ; ପ୍ରାନ୍ତର ଓ ଲିବାନୋନ୍‍ଠାରୁ, ନଦୀ, ଅର୍ଥାତ୍, ଫରାତ ନଦୀଠାରୁ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ତୁମ୍ଭମାନଙ୍କର ସୀମା ହେବ ।
ଦିତୀୟ ବିବରଣ 11 : 25 (ORV)
ତୁମ୍ଭମାନଙ୍କ ସମ୍ମୁଖରେ କୌଣସି ମନୁଷ୍ୟ ଛିଡ଼ା ହେବାକୁ ସମର୍ଥ ହେବ ନାହିଁ; ତୁମ୍ଭେମାନେ ଯେଉଁ ଯେଉଁ ଦେଶରେ ପାଦ ପକାଇବ, ସେସମସ୍ତ ଦେଶରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ଆପଣା ବାକ୍ୟାନୁସାରେ ତୁମ୍ଭମାନଙ୍କ ବିଷୟକ ଆଶଙ୍କା ଓ ତୁମ୍ଭମାନଙ୍କ ବିଷୟକ ତ୍ରାସ ଉପସ୍ଥିତ କରାଇବେ ।
ଦିତୀୟ ବିବରଣ 11 : 26 (ORV)
ଦେଖ, ଆଜି ମୁଁ ତୁମ୍ଭମାନଙ୍କ ସମ୍ମୁଖରେ ଆଶୀର୍ବାଦ ଓ ଅଭିଶାପ ରଖୁଅଛି ।
ଦିତୀୟ ବିବରଣ 11 : 27 (ORV)
ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କର ଯେ ଯେ ଆଜ୍ଞା ଆଜି ମୁଁ ତୁମ୍ଭମାନଙ୍କୁ ଦେଉଅଛି, ତାହାସବୁ ଯେବେ ଶୁଣିବ, ତେବେ ଆଶୀର୍ବାଦ ।
ଦିତୀୟ ବିବରଣ 11 : 28 (ORV)
ମାତ୍ର ଯେବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କର ଆଜ୍ଞା ନ ଶୁଣିବ ଓ ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା କରୁଅଛି, ତହିଁରୁ ବାହୁଡ଼ି ତୁମ୍ଭମାନଙ୍କ ଅଜ୍ଞାତ ଅନ୍ୟ ଦେବତାଗଣର ପଶ୍ଚାଦ୍ଗମନ କରିବ, ତେବେ ଅଭିଶାପ ।
ଦିତୀୟ ବିବରଣ 11 : 29 (ORV)
ଆଉ ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଯେଉଁ ସମୟରେ ତୁମ୍ଭକୁ ପ୍ରବେଶ କରାଇବେ, ସେସମୟରେ ତୁମ୍ଭେ ଗରିଷୀମ୍ ପର୍ବତରେ ସେହି ଆଶୀର୍ବାଦ ଓ ଏବଲ ପର୍ବତରେ ସେହି ଅଭିଶାପ ରଖିବ ।
ଦିତୀୟ ବିବରଣ 11 : 30 (ORV)
ସେହି ଦୁଇ ପର୍ବତ କି ଯର୍ଦ୍ଦନର ସେପାରି ସୂର୍ଯ୍ୟାସ୍ତ ପଥପ୍ରାନ୍ତରେ ଗିଲ୍ଗଲ୍ ସମ୍ମୁଖସ୍ଥ ପଦା ନିବାସୀ କିଣାନୀୟ-ମାନଙ୍କ ଦେଶରେ ମୋରିର ଅଲୋନ ତୋଟା ନିକଟରେ ନାହିଁ?
ଦିତୀୟ ବିବରଣ 11 : 31 (ORV)
କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଉଅଛନ୍ତି, ତହିଁରେ ପ୍ରବେଶ କରି ତାହା ଅଧିକାର କରିବା ନିମନ୍ତେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇଯିବ, ପୁଣି ତୁମ୍ଭେମାନେ ତାହା ଅଧିକାର କରିବ ଓ ତହିଁରେ ବାସ କରିବ ।
ଦିତୀୟ ବିବରଣ 11 : 32 (ORV)
ଏନିମନ୍ତେ ମୁଁ ଆଜି ତୁମ୍ଭମାନଙ୍କ ସମ୍ମୁଖରେ ଯେ ଯେ ବିଧି ଓ ଶାସନ ରଖିଲି, ସେସବୁ ମାନ୍ୟ କରି ପାଳନ କରିବ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32

BG:

Opacity:

Color:


Size:


Font: