ଦିତୀୟ ଶାମୁୟେଲ 4 : 1 (ORV)
ଆଉ ଶାଉଲଙ୍କର ପୁତ୍ର ଈଶ୍ବୋଶତ ଯେତେବେଳେ ଶୁଣିଲା ଯେ, ହିବ୍ରୋଣରେ ଅବ୍ନର ମରିଅଛି, ସେତେବେଳେ ତାହାର ହସ୍ତ ଦୁର୍ବଳ ହେଲା ଏବଂ ସମୁଦାୟ ଇସ୍ରାଏଲ ବିହ୍ଵଳ ହେଲେ ।
ଦିତୀୟ ଶାମୁୟେଲ 4 : 2 (ORV)
ପୁଣି ଶାଉଲଙ୍କର ପୁତ୍ର ଈଶ୍ବୋଶତର ଦୁଇ ଜଣ ଦଳପତି ଥିଲେ; ଜଣକର ନାମ ବାନା ଓ ଅନ୍ୟର ନାମ ରେଖବ୍; ଏମାନେ ବିନ୍ୟାମୀନ ବଂଶଜାତ ବୋରୋତୀୟ ରିମ୍ମୋଣର ପୁତ୍ର । (କାରଣ ବେରୋତ୍ ମଧ୍ୟ ବିନ୍ୟାମୀନର ଅଧିକାରରେ ଗଣିତ;
ଦିତୀୟ ଶାମୁୟେଲ 4 : 3 (ORV)
ମାତ୍ର ବେରୋତୀୟମାନେ ଗିତ୍ତୟିମକୁ ପଳାଇଲେ ଓ ସେହି ସ୍ଥାନରେ ଆଜି ପର୍ଯ୍ୟନ୍ତ ପ୍ରବାସ କରୁଅଛନ୍ତି ।)
ଦିତୀୟ ଶାମୁୟେଲ 4 : 4 (ORV)
ଶାଉଲଙ୍କର ପୁତ୍ର ଯୋନାଥନଙ୍କର ଗୋଟିଏ ପୁତ୍ର ଥିଲା, ତାହାର ଦୁଇ ପାଦ ଛୋଟା । ଯିଷ୍ରିୟେଲରୁ ଶାଉଲ ଓ ଯୋନାଥନ ବିଷୟକ ସମ୍ଵାଦ ଆସିବା ବେଳେ ତାହାକୁ ପାଞ୍ଚ ବର୍ଷ ହୋଇଥିଲା, ପୁଣି ତାହାର ଧାତ୍ରୀ ତାହାକୁ ନେଇ ପଳାଇଲା; ମାତ୍ର ପଳାଇବା ପାଇଁ ଚଞ୍ଚଳ ହେବାରୁ ପିଲା ପଡ଼ି ଯାଇ ଛୋଟା ହେଲା । ତାହାର ନାମ ମଫୀବୋଶତ୍ ।
ଦିତୀୟ ଶାମୁୟେଲ 4 : 5 (ORV)
ଅନନ୍ତର ଈଶ୍ବୋଶତ ମଧ୍ୟାହ୍ନ ସମୟରେ ବିଶ୍ରାମ ନେବା ବେଳେ ବେରୋତୀୟ ରିମ୍ମୋଣର ପୁତ୍ର ରେଖବ୍ ଓ ବାନା ଯାଇ ପ୍ରାୟ ଖରା ବେଳେ ତାହାର ଗୃହରେ ଉପସ୍ଥିତ ହେଲେ ।
ଦିତୀୟ ଶାମୁୟେଲ 4 : 6 (ORV)
ପୁଣି ସେମାନେ ସେଠାରେ ପ୍ରବେଶ କରି ଗହମ ଆଣିବା ଛଳରେ ଗୃହ ଭିତରକୁ ଯାଇ ତାହାର ପେଟରେ ଆଘାତ କଲେ । ତହୁଁ ରେଖବ୍ ଓ ତାହାର ଭାଇ ବାନା ପଳାଇ ଗଲେ ।
ଦିତୀୟ ଶାମୁୟେଲ 4 : 7 (ORV)
(ଘଟଣା) ଏରୂପ ହେଲା ଯେ, ସେମାନେ ଗୃହ ଭିତରକୁ ଆସି ସେ ଆପଣା ଶୟନ ଗୃହରେ ଶଯ୍ୟା ଉପରେ ଶୋଇଥିବା ବେଳେ ତାହାକୁ ଆଘାତ କରି ବଧ କଲେ ଓ ତାହାର ମସ୍ତକ କାଟି ସେହି ମସ୍ତକ ନେଇ ପଦାଭୂମିର ପଥ ଦେଇ ରାତ୍ରିଯାକ ଗମନ କଲେ ।
ଦିତୀୟ ଶାମୁୟେଲ 4 : 8 (ORV)
ଏଉତ୍ତାରେ ସେମାନେ ଈଶ୍ବୋଶତର ମସ୍ତକ ହିବ୍ରୋଣରେ ଦାଉଦଙ୍କ କତିକି ଆଣିଲେ ଓ ରାଜାଙ୍କୁ କହିଲେ, ଦେଖନ୍ତୁ, ଆପଣଙ୍କ ପ୍ରାଣ ଅନ୍ଵେଷଣକାରୀ ଶତ୍ରୁ ଯେ ଶାଉଲ, ତାଙ୍କର ପୁତ୍ର ଈଶ୍ବୋଶତର ମସ୍ତକ ଏହି; ସଦାପ୍ରଭୁ ଆଜି ମୋʼ ପ୍ରଭୁ ମହାରାଜାଙ୍କ ପକ୍ଷରେ ଶାଉଲ ଓ ତାଙ୍କର ବଂଶଠାରୁ ପରିଶୋଧ ନେଇଅଛନ୍ତି ।
ଦିତୀୟ ଶାମୁୟେଲ 4 : 9 (ORV)
ମାତ୍ର ଦାଉଦ ବୋରୋତୀୟ ରିମ୍ମୋଣର ପୁତ୍ର ରେଖବ୍କୁ ଓ ତାହାର ଭାଇ ବାନାକୁ ଉତ୍ତର ଦେଇ କହିଲେ, ଯେ ସମୁଦାୟ କ୍ଳେଶରୁ ମୋʼ ପ୍ରାଣକୁ ମୁକ୍ତ କରିଅଛନ୍ତି, ସେହି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ କହୁଅଛି,
ଦିତୀୟ ଶାମୁୟେଲ 4 : 10 (ORV)
ଯେତେବେଳେ ଜଣେ ଆପଣାକୁ ଶୁଭ ବାର୍ତ୍ତାବାହକ ମନେକରି ମୋତେ କହିଲା, ଦେଖନ୍ତୁ, ଶାଉଲ ମରିଅଛି, ସେତେବେଳେ ମୁଁ ତହିଁର ପୁରସ୍କାର ଦେବା ନିମନ୍ତେ ତାହାକୁ ଧରି ସିକ୍ଳଗ୍ରେ ବଧ କଲି ।
ଦିତୀୟ ଶାମୁୟେଲ 4 : 11 (ORV)
ତେବେ ଯେଉଁମାନେ ଧାର୍ମିକ ଲୋକକୁ ତାହାର ନିଜ ଗୃହ ଭିତରେ, ତାହାର ଶଯ୍ୟା ଉପରେ ମାରି ପକାଇଅଛନ୍ତି, ଏପରି ଦୁଷ୍ଟ ଲୋକଙ୍କୁ କି ତତୋଧିକ ନ କରିବି, ଏବେ ମୁଁ କି ତୁମ୍ଭମାନଙ୍କ ହସ୍ତରୁ ତାହାର ରକ୍ତର ପରିଶୋଧ ନ ନେବି ଓ ପୃଥିବୀରୁ ତୁମ୍ଭମାନଙ୍କୁ ଉଚ୍ଛିନ୍ନ ନ କରିବି?
ଦିତୀୟ ଶାମୁୟେଲ 4 : 12 (ORV)
ତହିଁରେ ଦାଉଦ ଆପଣା ଯୁବାମାନଙ୍କୁ ଆଜ୍ଞା ଦିଅନ୍ତେ, ସେମାନେ ସେମାନଙ୍କୁ ବଧ କଲେ, ଆଉ ସେମାନଙ୍କର ହସ୍ତ ଓ ପାଦ ଛେଦନ କରି ହିବ୍ରୋଣସ୍ଥ ପୁଷ୍କରିଣୀ ନିକଟରେ ଟଙ୍ଗାଇ ଦେଲେ । ମାତ୍ର ସେମାନେ ଈଶ୍ବୋଶତର ମସ୍ତକ ନେଇ ହିବ୍ରୋଣରେ ଅବ୍ନର-କବରରେ କବର ଦେଲେ ।

1 2 3 4 5 6 7 8 9 10 11 12

BG:

Opacity:

Color:


Size:


Font: