ଦିତୀୟ ଶାମୁୟେଲ 21 : 1 (ORV)
ଦାଉଦଙ୍କର ସମୟରେ କ୍ରମାଗତ ତିନି ବର୍ଷ ଦୁର୍ଭିକ୍ଷ ହେଲା; ତହିଁରେ ଦାଉଦ ସଦାପ୍ରଭୁଙ୍କ ମୁଖ ଅନ୍ଵେଷଣ କରନ୍ତେ, ସଦାପ୍ରଭୁ କହିଲେ, ଶାଉଲ ଓ ତାହାର ରକ୍ତପାତୀ ବଂଶ ସକାଶୁ ଏହା ହେଉଅଛି, ଯେହେତୁ ସେ ଗିବୀୟୋନୀୟ ଲୋକମାନଙ୍କୁ ବଧ କରିଥିଲା ।
ଦିତୀୟ ଶାମୁୟେଲ 21 : 2 (ORV)
ତହୁଁ ରାଜା ଗିବୀୟୋନୀୟ ଲୋକମାନଙ୍କୁ ଡକାଇ ସେମାନଙ୍କ ସଙ୍ଗରେ କଥାବାର୍ତ୍ତା କଲେ; ଏହି ଗିବୀୟୋନୀୟ ଲୋକମାନେ ଇସ୍ରାଏଲ-ସନ୍ତାନ ନ ଥିଲେ, ମାତ୍ର ଇମୋରୀୟମାନଙ୍କର ଅବଶିଷ୍ଟାଂଶ ମଧ୍ୟରେ ଥିଲେ; ପୁଣି ଇସ୍ରାଏଲ-ସନ୍ତାନମାନେ ସେମାନଙ୍କ ନିକଟରେ ଶପଥ କରିଥିଲେ; ତଥାପି ଶାଉଲ ଇସ୍ରାଏଲ ଓ ଯିହୁଦା-ସନ୍ତାନଗଣ ପକ୍ଷରେ ଉଦ୍ଯୋଗୀ ହୋଇ ସେମାନଙ୍କୁ ବଧ କରିବାକୁ ଚେଷ୍ଟା କରିଥିଲେ ।
ଦିତୀୟ ଶାମୁୟେଲ 21 : 3 (ORV)
ଏଣୁ ଦାଉଦ ଏହି ଗିବୀୟୋନୀୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି? ଓ ତୁମ୍ଭେମାନେ ଯେପରି ସଦାପ୍ରଭୁଙ୍କ ଅଧିକାରକୁ ଆଶୀର୍ବାଦ କରିବ, ଏଥିପାଇଁ ମୁଁ କଅଣ ଦେଇ ପ୍ରାୟଶ୍ଚିତ୍ତ କରିବି?
ଦିତୀୟ ଶାମୁୟେଲ 21 : 4 (ORV)
ତହିଁରେ ଗିବୀୟୋନୀୟମାନେ ତାଙ୍କୁ କହିଲେ, ଆମ୍ଭମାନଙ୍କର ପୁଣି ଶାଉଲ କିଅବା ତାହା ବଂଶର ମଧ୍ୟରେ ରୂପା କି ସୁନା ସମ୍ଵନ୍ଧୀୟ କିଛି କଥା ନାହିଁ; କିଅବା ଇସ୍ରାଏଲ ମଧ୍ୟରେ କୌଣସି ମନୁଷ୍ୟର ପ୍ରାଣଦଣ୍ତ କରିବା ଆମ୍ଭମାନଙ୍କର ଉଚିତ ନୁହେଁ । ତହୁଁ ସେ କହିଲେ, ତୁମ୍ଭେମାନେ ଯାହା କହିବ, ମୁଁ ତୁମ୍ଭମାନଙ୍କ ପାଇଁ ତାହା କରିବି ।
ଦିତୀୟ ଶାମୁୟେଲ 21 : 5 (ORV)
ତହିଁରେ ସେମାନେ ରାଜାଙ୍କୁ କହିଲେ, ଯେଉଁ ଲୋକ ଆମ୍ଭମାନଙ୍କୁ ସଂହାର କରିଅଛି ଓ ଆମ୍ଭେମାନେ ଯେପରି ବିନଷ୍ଟ ହୋଇ ଇସ୍ରାଏଲର କୌଣସି ସୀମାରେ ରହି ନ ପାରିବୁ, ଏଥିପାଇଁ କୁମନ୍ତ୍ରଣା କରିଅଛି,
ଦିତୀୟ ଶାମୁୟେଲ 21 : 6 (ORV)
ତାହାରି ସନ୍ତାନମାନଙ୍କ ମଧ୍ୟରୁ ସାତ ଜଣ ପୁରୁଷ ଆମ୍ଭମାନଙ୍କ ହସ୍ତରେ ସମର୍ପିତ ହେଉନ୍ତୁ, ତହିଁରେ ଆମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ଶାଉଲର ଗିବୀୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଟଙ୍ଗାଇ ଦେବା । ଏଥିରେ ରାଜା କହିଲେ, ମୁଁ ସେମାନଙ୍କୁ ସମର୍ପି ଦେବି ।
ଦିତୀୟ ଶାମୁୟେଲ 21 : 7 (ORV)
ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍କୁ ରାଜା ରକ୍ଷା କଲେ, ଯେହେତୁ ସେମାନଙ୍କ ମଧ୍ୟରେ, ଅର୍ଥାତ୍, ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ଥିଲା ।
ଦିତୀୟ ଶାମୁୟେଲ 21 : 8 (ORV)
ମାତ୍ର ଅୟାର କନ୍ୟା ରିସ୍ପା ଅମୌଣି ଓ ମଫୀବୋଶତ୍ ନାମରେ ଶାଉଲଙ୍କର ଯେଉଁ ଦୁଇ ପୁତ୍ର ପ୍ରସବ କରିଥିଲା, ପୁଣି ଶାଉଲଙ୍କର କନ୍ୟା ମୀଖଲ ମହୋଲାତୀୟ ବର୍ସିଲ୍ଲୟର ପୁତ୍ର ଅଦ୍ରୀୟେଲର ଯେଉଁ ପାଞ୍ଚ ପୁତ୍ର ପ୍ରସବ କରିଥିଲା, ସେମାନଙ୍କୁ ରାଜା ନେଇ
ଦିତୀୟ ଶାମୁୟେଲ 21 : 9 (ORV)
ଗିବୀୟୋନୀୟମାନଙ୍କ ହସ୍ତରେ ସମର୍ପଣ କଲେ, ତହୁଁ ସେମାନେ ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଟାଙ୍ଗିଦେଲେ, ପୁଣି ସେ ସାତ ଜଣଯାକ ଏକାବେଳେ ମାରା ପଡ଼ିଲେ; ସେମାନେ ପ୍ରଥମ ଶସ୍ୟଚ୍ଛେଦନ ସମୟରେ, ଅର୍ଥାତ୍, ଯବଚ୍ଛେଦନର ଆରମ୍ଭ ସମୟରେ ହତ ହେଲେ ।
ଦିତୀୟ ଶାମୁୟେଲ 21 : 10 (ORV)
ଏଉତ୍ତାରେ ଅୟାର କନ୍ୟା ରିସ୍ପା ଅଖା ନେଇ ଶସ୍ୟଚ୍ଛେଦନର ଆରମ୍ଭାବଧି ଆକାଶରୁ ସେମାନଙ୍କ ଉପରେ ଜଳ ବର୍ଷିବା ପର୍ଯ୍ୟନ୍ତ ସେହି ଶୈଳ ଉପରେ ଆପଣା ପାଇଁ ତାହା ପ୍ରସାରିଲା; ଆଉ ସେ ଦିନ ବେଳେ ଆକାଶ-ପକ୍ଷୀଗଣକୁ ସେମାନଙ୍କ ଉପରେ ବସିବାକୁ, କିଅବା ରାତ୍ରି ବେଳେ ବନପଶୁଗଣକୁ ଆସିବାକୁ ଦେଲା ନାହିଁ ।
ଦିତୀୟ ଶାମୁୟେଲ 21 : 11 (ORV)
ଏଥିରେ ଶାଉଲଙ୍କର ଉପପନିୀ ଅୟାର କନ୍ୟା ରିସ୍ପାର ଏହି କର୍ମ ଦାଉଦଙ୍କୁ ଜ୍ଞାତ କରାଗଲା ।
ଦିତୀୟ ଶାମୁୟେଲ 21 : 12 (ORV)
ସେତେବେଳେ ଦାଉଦ ଯାଇ ଯାବେଶ୍-ଗିଲୀୟଦ ନିବାସୀମାନଙ୍କ ନିକଟରୁ ଶାଉଲଙ୍କର ଅସ୍ଥି ଓ ତାହାଙ୍କର ପୁତ୍ର ଯୋନାଥନର ଅସ୍ଥି ନେଲେ, କାରଣ ଗିଲବୋୟରେ ପଲେଷ୍ଟୀୟମାନେ ଶାଉଲଙ୍କୁ ବଧ କରିବା ଦିନ ସେମାନଙ୍କ ଶବ ପଲେଷ୍ଟୀୟମାନଙ୍କ ଦ୍ଵାର ବୈଥ୍ଶାନ୍ ଛକରେ ଟଙ୍ଗାଗଲା ଉତ୍ତାରେ ଯାବେଶ୍-ଗିଲୀୟଦୀୟମାନେ ସେହି ସ୍ଥାନରୁ ତାହା ଚୋରି କରି ନେଇଥିଲେ ।
ଦିତୀୟ ଶାମୁୟେଲ 21 : 13 (ORV)
ଏନିମନ୍ତେ ସେ ସେଠାରୁ ଶାଉଲଙ୍କର ଅସ୍ଥି ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ଆଣିଲେ; ପୁଣି ଲୋକମାନେ ଟଙ୍ଗାଯିବା ଲୋକମାନଙ୍କ ଅସ୍ଥି ସଂଗ୍ରହ କଲେ ।
ଦିତୀୟ ଶାମୁୟେଲ 21 : 14 (ORV)
ଏଉତ୍ତାରେ ସେମାନେ ଶାଉଲଙ୍କର ଓ ତାଙ୍କ ପୁତ୍ର ଯୋନାଥନର ଅସ୍ଥି ବିନ୍ୟାମୀନ ଦେଶସ୍ଥ ସେଲାରେ ତାହାର ପିତା କୀଶ୍ର କବର ମଧ୍ୟରେ ପୋତିଲେ; ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହାସବୁ କଲେ । ତହିଁ ଉତ୍ତାରେ ପରମେଶ୍ଵର ପ୍ରାର୍ଥନା ଶୁଣି ଦେଶ ପ୍ରତି ପ୍ରସନ୍ନ ହେଲେ ।
ଦିତୀୟ ଶାମୁୟେଲ 21 : 15 (ORV)
ଅନନ୍ତର ପଲେଷ୍ଟୀୟମାନଙ୍କର ଇସ୍ରାଏଲ ସହିତ ପୁନର୍ବାର ଯୁଦ୍ଧ ହେଲା; ପୁଣି ଦାଉଦ ଓ ତାଙ୍କ ସଙ୍ଗେ ତାଙ୍କର ଦାସମାନେ ଯାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କଲେ; ତହିଁରେ ଦାଉଦ କ୍ଳା; ହେଲେ ।
ଦିତୀୟ ଶାମୁୟେଲ 21 : 16 (ORV)
ସେସମୟରେ ଇଶ୍ବୀ ବନୋବ୍ ନାମରେ ତିନି ଶହ (ଶେକଲ) ପରିମିତ ପିତ୍ତଳମୟ ବର୍ଚ୍ଛାଧାରୀ ଦୀର୍ଘକାୟ ବଂଶଜାତ ଜଣେ ନୂତନ ଖଡ଼୍‍ଗରେ ସସଜ୍ଜ ହୋଇ ଦାଉଦଙ୍କୁ ଆଘାତ କରିବାକୁ ମନସ୍ଥ କଲା ।
ଦିତୀୟ ଶାମୁୟେଲ 21 : 17 (ORV)
ମାତ୍ର ସରୁୟାର ପୁତ୍ର ଅବୀଶୟ ଦାଉଦଙ୍କର ସାହାଯ୍ୟ କଲା ଓ ସେହି ପଲେଷ୍ଟୀୟକୁ ଆଘାତ କରି ବଧ କଲା । ସେତେବେଳେ ଦାଉଦଙ୍କର ଲୋକମାନେ ତାଙ୍କ ନିକଟରେ ଶପଥ କରି କହିଲେ, ଯେପରି ତୁମ୍ଭେ ଇସ୍ରାଏଲର ପ୍ରଦୀପ ନ ଲିଭାଅ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆଉ ଯୁଦ୍ଧକୁ ଯିବ ନାହିଁ ।
ଦିତୀୟ ଶାମୁୟେଲ 21 : 18 (ORV)
ଏଥିଉତ୍ତାରେ ପୁନର୍ବାର ଗୋବ୍ରେ ପଲେଷ୍ଟୀୟ-ମାନଙ୍କ ସହିତ ଯୁଦ୍ଧ ହେଲା; ତହିଁରେ ହୂଶାତୀୟ ସିବ୍ବଖୟ ଦୀର୍ଘକାୟ ବଂଶଜାତ ସଫକୁ ବଧ କଲା ।
ଦିତୀୟ ଶାମୁୟେଲ 21 : 19 (ORV)
ଏଉତ୍ତାରେ ପୁନର୍ବାର ପଲେଷ୍ଟୀୟମାନଙ୍କ ସହିତ ଗୋବ୍ରେ ଯୁଦ୍ଧ ହେଲା; ତହିଁରେ ବେଥ୍ଲିହିମୀୟ ଯାରେଓରଗୀମର ପୁତ୍ର ଇଲ୍ହାନନ୍, ତନ୍ତୀ ନରାଜ ତୁଲ୍ୟ ବର୍ଚ୍ଛାଧାରୀ ଗାଥୀୟ ଗଲୀୟାତକୁ ବଧ କଲା ।
ଦିତୀୟ ଶାମୁୟେଲ 21 : 20 (ORV)
ଏହାପରେ ପୁନର୍ବାର ଗାଥ୍ରେ ଯୁଦ୍ଧ ହେଲା; ସେଠାରେ ଅତି ଦୀର୍ଘକାୟ, ପୁଣି ପ୍ରତି ହସ୍ତ ଓ ପାଦରେ ଛଅ ଛଅ ଅଙ୍ଗୁଳି, ସର୍ବସୁଦ୍ଧା ଚବିଶ ଅଙ୍ଗୁଳିବିଶିଷ୍ଟ ଏକ ଜଣ ଥିଲା; ସେ ମଧ୍ୟ ଦୀର୍ଘକାୟ ବଂଶଜାତ ।
ଦିତୀୟ ଶାମୁୟେଲ 21 : 21 (ORV)
ପୁଣି ସେ ଇସ୍ରାଏଲକୁ ତୁଚ୍ଛ କରନ୍ତେ, ଦାଉଦଙ୍କର ଭ୍ରାତା ଶିମୀୟିର ପୁତ୍ର ଯୋନାଥନ ତାହାକୁ ବଧ କଲା ।
ଦିତୀୟ ଶାମୁୟେଲ 21 : 22 (ORV)
ଏହି ଚାରି ଜଣ ଗାଥ୍ରେ ଦୀର୍ଘକାୟ ବଂଶରେ ଜନ୍ମିଥିଲେ; ଏମାନେ ଦାଉଦଙ୍କ ହସ୍ତରେ ଓ ତାଙ୍କର ଦାସମାନଙ୍କ ହସ୍ତରେ ମାରା ପଡ଼ିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22

BG:

Opacity:

Color:


Size:


Font: