ପ୍ରଥମ ବଂଶାବଳୀ 14 : 1 (ORV)
ଅନନ୍ତର ସୋରର ରାଜା ହୀରମ୍ ଦାଉଦଙ୍କ ନିକଟକୁ ଦୂତଗଣ ଓ ତାଙ୍କ ପାଇଁ ଗୃହ ନିର୍ମାଣ କରିବାକୁ ଏରସ କାଷ୍ଠ ଓ ରାଜମିସ୍ତ୍ରୀ ଓ ବଢ଼େଇମାନଙ୍କୁ ପଠାଇଲା ।
ପ୍ରଥମ ବଂଶାବଳୀ 14 : 2 (ORV)
ତହିଁରେ ସଦାପ୍ରଭୁ ଯେ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ, ଏହା ସେ ବୁଝିଲେ, କାରଣ ତାହାଙ୍କ ଲୋକ ଇସ୍ରାଏଲ ସକାଶୁ ତାଙ୍କର ରାଜ୍ୟ ଉନ୍ନତିପ୍ରାପ୍ତ ହୋଇଥିଲା ।
ପ୍ରଥମ ବଂଶାବଳୀ 14 : 3 (ORV)
ପୁଣି ଦାଉଦ ଯିରୂଶାଲମରେ ଆହୁରି ଭାର୍ଯ୍ୟା ଗ୍ରହଣ କଲେ; ତହିଁରେ ଦାଉଦଙ୍କର ଆହୁରି ପୁତ୍ରକନ୍ୟା ଜାତ ହେଲେ ।
ପ୍ରଥମ ବଂଶାବଳୀ 14 : 4 (ORV)
ଯିରୂଶାଲମରେ ତାଙ୍କର ଯେ ଯେ ସନ୍ତାନ ଜନ୍ମିଲେ, ସେମାନଙ୍କର ନାମ; ଶମ୍ମୁୟ, ଶୋବବ, ନାଥନ, ଶଲୋମନ
ପ୍ରଥମ ବଂଶାବଳୀ 14 : 5 (ORV)
ଓ ଯିଭର, ଇଲୀଶୂୟ, ଇଲ୍ପେଲଟ୍
ପ୍ରଥମ ବଂଶାବଳୀ 14 : 6 (ORV)
ଓ ନୋଗହ, ନେଫଗ, ଯାଫୀୟ
ପ୍ରଥମ ବଂଶାବଳୀ 14 : 7 (ORV)
ଓ ଇଲୀଶାମା, ବୀଲୀୟାଦା ଓ ଇଲୀଫେଲଟ୍ ।
ପ୍ରଥମ ବଂଶାବଳୀ 14 : 8 (ORV)
ଏଉତ୍ତାରେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜାଭିଷିକ୍ତ ହୋଇଅଛନ୍ତି, ଏହା ପଲେଷ୍ଟୀୟମାନେ ଶୁଣନ୍ତେ, ସମସ୍ତ ପଲେଷ୍ଟୀୟ ଲୋକ ଦାଉଦଙ୍କୁ ଅନ୍ଵେଷଣ କରିବାକୁ ଗଲେ; ତହୁଁ ଦାଉଦ ତାହା ଶୁଣି ସେମାନଙ୍କ ବିରୁଦ୍ଧରେ ବାହାରିଲେ ।
ପ୍ରଥମ ବଂଶାବଳୀ 14 : 9 (ORV)
ଏହି ସମୟରେ ପଲେଷ୍ଟୀୟମାନେ ରଫାୟୀମ ତଳଭୂମିରେ ଚଢ଼ାଉ କରିଥିଲେ ।
ପ୍ରଥମ ବଂଶାବଳୀ 14 : 10 (ORV)
ଏଥିରେ ଦାଉଦ ପରମେଶ୍ଵରଙ୍କୁ ପଚାରି କହିଲେ, ମୁଁ କʼଣ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି? ତୁମ୍ଭେ କʼଣ ସେମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିବ? ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, ଉଠି ଯାଅ, କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା ।
ପ୍ରଥମ ବଂଶାବଳୀ 14 : 11 (ORV)
ତହୁଁ ସେମାନେ ବାଲ୍-ପରାସୀମ୍କୁ ଆସନ୍ତେ, ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ତହିଁରେ ଦାଉଦ କହିଲେ, ପରମେଶ୍ଵର ମୋʼ ହସ୍ତରେ ମୋହର ଶତ୍ରୁମାନଙ୍କୁ ଜଳ ଦ୍ଵାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି । ଏହେତୁ ସେମାନେ ସେହି ସ୍ଥାନର ନାମ ବାଲ୍-ପରାସୀମ୍ ରଖିଲେ ।
ପ୍ରଥମ ବଂଶାବଳୀ 14 : 12 (ORV)
ଆଉ ସେଠାରେ ସେମାନେ ଆପଣାମାନଙ୍କ ଦେବତାମାନଙ୍କୁ ଛାଡ଼ି ଯାଇଥିଲେ; ପୁଣି ଦାଉଦ ଆଜ୍ଞା କରନ୍ତେ, ସେସବୁ ଅଗ୍ନିରେ ଦଗ୍ଧ କରାଗଲା ।
ପ୍ରଥମ ବଂଶାବଳୀ 14 : 13 (ORV)
ଅନନ୍ତର ପଲେଷ୍ଟୀୟମାନେ ପୁନର୍ବାର ତଳିଭୂମିରେ ଚଢ଼ାଉ କଲେ ।
ପ୍ରଥମ ବଂଶାବଳୀ 14 : 14 (ORV)
ତହିଁରେ ଦାଉଦ ପରମେଶ୍ଵରଙ୍କୁ ପୁନର୍ବାର ପଚାରନ୍ତେ, ପରମେଶ୍ଵର ତାଙ୍କୁ କହିଲେ, ତୁମ୍ଭେ ସେମାନଙ୍କ ପଶ୍ଚାତ୍ ଯାଅ ନାହିଁ; ସେମାନଙ୍କ ନିକଟରୁ ଫେରିଯାଇ ତୂତବୃକ୍ଷ ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର ।
ପ୍ରଥମ ବଂଶାବଳୀ 14 : 15 (ORV)
ପୁଣି ତୁମ୍ଭେ ତୂତବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶଦ୍ଦ ଶୁଣିଲେ, ଯୁଦ୍ଧକୁ ବାହାରିବ; କାରଣ ପରମେଶ୍ଵର ପଲେଷ୍ଟୀୟ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ ।
ପ୍ରଥମ ବଂଶାବଳୀ 14 : 16 (ORV)
ତହିଁରେ ପରମେଶ୍ଵର ଯେପରି ଆଜ୍ଞା କଲେ, ଦାଉଦ ସେପରି କଲେ; ପୁଣି ସେମାନେ ଗିବୀୟୋନ୍‍ଠାରୁ ଗେଷର୍ ପର୍ଯ୍ୟନ୍ତ ପଲେଷ୍ଟୀୟ ସୈନ୍ୟଦଳକୁ ଆଘାତ କଲେ ।
ପ୍ରଥମ ବଂଶାବଳୀ 14 : 17 (ORV)
ତହିଁରେ ଦାଉଦଙ୍କର ସୁଖ୍ୟାତି ସର୍ବଦେଶରେ ବ୍ୟାପିଗଲା; ପୁଣି ସଦାପ୍ରଭୁ ସବୁ ଗୋଷ୍ଠୀ ମଧ୍ୟରେ ତାଙ୍କ ବିଷୟରେ ଭୟ ଜନ୍ମାଇଲେ ।

1 2 3 4 5 6 7 8 9 10 11 12 13 14 15 16 17

BG:

Opacity:

Color:


Size:


Font: