ଗୀତସଂହିତା 111 : 1 (IRVOR)
ପରମେଶ୍ୱରଙ୍କ ସ୍ତୁତି ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି।
ଗୀତସଂହିତା 111 : 2 (IRVOR)
ସଦାପ୍ରଭୁଙ୍କ କାର୍ଯ୍ୟସକଳ ମହତ, ଯେଉଁମାନେ ତହିଁରେ ସନ୍ତୁଷ୍ଟ, ସେମାନେ ତାହାସବୁ ଅନୁସନ୍ଧାନ କରନ୍ତି।
ଗୀତସଂହିତା 111 : 3 (IRVOR)
ତାହାଙ୍କର କ୍ରିୟା, ସମ୍ଭ୍ରମ ଓ ଗୌରବ ସ୍ୱରୂପ; ଓ ତାହାଙ୍କର ଧର୍ମ ଅନନ୍ତକାଳସ୍ଥାୟୀ।
ଗୀତସଂହିତା 111 : 4 (IRVOR)
ସେ ଆପଣାର ଆଶ୍ଚର୍ଯ୍ୟକର୍ମସବୁ ସ୍ମରଣ କରାଇ ଅଛନ୍ତି; ସଦାପ୍ରଭୁ କୃପାମୟ ଓ ସ୍ନେହଶୀଳ।
ଗୀତସଂହିତା 111 : 5 (IRVOR)
ସେ ଆପଣା ଭୟକାରୀମାନଙ୍କୁ ଆହାର ଦେଇଅଛନ୍ତି; ସେ ସଦାକାଳ ଆପଣା ନିୟମ ସ୍ମରଣ କରିବେ।
ଗୀତସଂହିତା 111 : 6 (IRVOR)
ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇ ଅଛନ୍ତି।
ଗୀତସଂହିତା 111 : 7 (IRVOR)
ତାହାଙ୍କ ହସ୍ତର କର୍ମସକଳ ସତ୍ୟ ଓ ନ୍ୟାଯ୍ୟ, ତାହାଙ୍କ ବିଧିସକଳ ଅଟଳ।
ଗୀତସଂହିତା 111 : 8 (IRVOR)
ତାହାସବୁ ଅନନ୍ତକାଳ ନିମନ୍ତେ ସ୍ଥିରୀକୃତ; ତାହାସବୁ ସତ୍ୟତା ଓ ସରଳତାରେ ସାଧିତ।
ଗୀତସଂହିତା 111 : 9 (IRVOR)
ସେ ଆପଣା ଲୋକମାନଙ୍କ ନିକଟକୁ ମୁକ୍ତି ପଠାଇ ଅଛନ୍ତି; ସେ ଅନନ୍ତକାଳ ନିମନ୍ତେ ଆପଣା ନିୟମ ଆଜ୍ଞା କରିଅଛନ୍ତି; ତାହାଙ୍କ ନାମ ପବିତ୍ର ଓ ଆଦରଣୀୟ।
ଗୀତସଂହିତା 111 : 10 (IRVOR)
ସଦାପ୍ରଭୁ-ବିଷୟକ ଭୟ ଜ୍ଞାନର ଆରମ୍ଭ; ଯେଉଁମାନେ ତଦନୁଯାୟୀ କର୍ମ କରନ୍ତି, ସେସମସ୍ତଙ୍କର ସୁବୁଦ୍ଧି ହୁଏ; ତାହାଙ୍କର ପ୍ରଶଂସା ସଦାକାଳସ୍ଥାୟୀ।
❮
❯