ଗଣନା ପୁସ୍ତକ 36 : 1 (IRVOR)
ବିବାହିତା ସ୍ତ୍ରୀଙ୍କ ପୈତୃକ ସମ୍ପତ୍ତିର ଅଧିକାର ଏଥିଉତ୍ତାରେ ଯୋଷେଫ-ସନ୍ତାନଗଣଙ୍କର ବଂଶୀୟ ଲୋକମାନଙ୍କ ମଧ୍ୟରୁ ମନଃଶିର ପୌତ୍ର ମାଖୀରର ପୁତ୍ର ଗିଲୀୟଦ ବଂଶୀୟ ପିତୃଗୃହର ପ୍ରଧାନମାନେ ନିକଟକୁ ଆସିଲେ, ପୁଣି, ମୋଶାଙ୍କର ସମ୍ମୁଖରେ ଓ ଇସ୍ରାଏଲ ସନ୍ତାନମାନଙ୍କ ପିତୃଗୃହର ପ୍ରଧାନ ସ୍ୱରୂପ ଅଧିପତିବର୍ଗଙ୍କ ସମ୍ମୁଖରେ ପ୍ରସ୍ତାବ କଲେ;
ଗଣନା ପୁସ୍ତକ 36 : 2 (IRVOR)
ଆଉ ସେମାନେ କହିଲେ, “ସଦାପ୍ରଭୁ ଗୁଲିବାଣ୍ଟ ଦ୍ୱାରା ଇସ୍ରାଏଲ-ସନ୍ତାନଗଣଙ୍କୁ ଦେଶାଧିକାର ଦେବା ନିମନ୍ତେ ଆମ୍ଭ ପ୍ରଭୁଙ୍କୁ ଆଜ୍ଞା ଦେଲେ; ଆଉ ଆମ୍ଭ ପ୍ରଭୁ ଆମ୍ଭମାନଙ୍କ ଭ୍ରାତା ସଲଫାଦର ଅଧିକାର ତାହାର କନ୍ୟାମାନଙ୍କୁ ଦେବା ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ।
ଗଣନା ପୁସ୍ତକ 36 : 3 (IRVOR)
ମାତ୍ର ଇସ୍ରାଏଲ-ସନ୍ତାନଗଣଙ୍କର ବଂଶ ସମୂହର ସନ୍ତାନମାନଙ୍କ ମଧ୍ୟରୁ କାହାରି ସଙ୍ଗେ ଯଦି ସେମାନଙ୍କର ବିବାହ ହୁଏ, ତେବେ ଆମ୍ଭମାନଙ୍କ ପୈତୃକ ଅଧିକାରରୁ ସେମାନଙ୍କ ଅଧିକାର କଟାଯିବ; ପୁଣି, ସେମାନେ ଯେଉଁ ବଂଶରେ ଗୃହୀତ ହେବେ, ସେହି ବଂଶର ଅଧିକାରରେ ତାହା ଯୁକ୍ତ ହେବ; ଏହିରୂପେ ତାହା ଆମ୍ଭମାନଙ୍କ ଅଧିକାରର ଅଂଶରୁ କଟାଯିବ।
ଗଣନା ପୁସ୍ତକ 36 : 4 (IRVOR)
ଆଉ ଯେତେବେଳେ ଇସ୍ରାଏଲ-ସନ୍ତାନଗଣଙ୍କର ଯୁବ୍‍ଲୀ ଉପସ୍ଥିତ ହେବ, ସେତେବେଳେ ସେମାନେ ଯେଉଁମାନଙ୍କ ମଧ୍ୟରେ ଗୃହୀତା, ସେହି ବଂଶର ଅଧିକାରରେ ସେମାନଙ୍କର ଅଧିକାର ଯୁକ୍ତ ହେବ; ଏହିରୂପେ ଆମ୍ଭମାନଙ୍କ ପୈତୃକ ବଂଶରୁ ସେମାନଙ୍କ ଅଧିକାର କଟାଯିବ।”
ଗଣନା ପୁସ୍ତକ 36 : 5 (IRVOR)
ତହିଁରେ ମୋଶା ସଦାପ୍ରଭୁଙ୍କ ବାକ୍ୟାନୁସାରେ ଇସ୍ରାଏଲକୁ ଆଜ୍ଞା ଦେଇ କହିଲେ, “ଯୋଷେଫ-ସନ୍ତାନଗଣଙ୍କର ବଂଶ ଯଥାର୍ଥ କହୁଅଛନ୍ତି।
ଗଣନା ପୁସ୍ତକ 36 : 6 (IRVOR)
ସଦାପ୍ରଭୁ ସଲଫାଦର କନ୍ୟାମାନଙ୍କ ବିଷୟରେ ଏହି ଆଜ୍ଞା ଦେଉଅଛନ୍ତି, ସେମାନେ ଯେଉଁମାନଙ୍କୁ ଅତି ଭଲ ବିଚାର କରନ୍ତି, ସେମାନଙ୍କୁ ବିବାହ ହେଉନ୍ତୁ; କିନ୍ତୁ କେବଳ ସେମାନେ ଆପଣା ପିତୃବଂଶୀୟ କୌଣସି ବଂଶ ମଧ୍ୟରେ ବିବାହ କରିବେ।
ଗଣନା ପୁସ୍ତକ 36 : 7 (IRVOR)
ତାହା କଲେ ଇସ୍ରାଏଲ-ସନ୍ତାନଗଣଙ୍କର ଅଧିକାର ଏକ ବଂଶରୁ ଅନ୍ୟ ବଂଶକୁ ଯିବ ନାହିଁ; ଇସ୍ରାଏଲ-ସନ୍ତାନଗଣଙ୍କ ପ୍ରତ୍ୟେକେ ଆପଣା ଆପଣା ପୈତୃକ ବଂଶର ଅଧିକାର ମଧ୍ୟରେ ରହିବେ।
ଗଣନା ପୁସ୍ତକ 36 : 8 (IRVOR)
ପୁଣି, ଇସ୍ରାଏଲ-ସନ୍ତାନଗଣଙ୍କ ପ୍ରତ୍ୟେକେ ଯେପରି ଆପଣା ଆପଣା ପୈତୃକ ଅଧିକାର ଭୋଗ କରିବେ, ଏଥିପାଇଁ ଇସ୍ରାଏଲ-ସନ୍ତାନଗଣଙ୍କର କୌଣସି ବଂଶ ମଧ୍ୟରେ ଯେଉଁ କନ୍ୟାର ଅଧିକାର ଥାଏ, ସେ ଆପଣା ପିତୃବଂଶୀୟ ପରିବାର ମଧ୍ୟରେ ଜଣକର ଭାର୍ଯ୍ୟା ହେବ।
ଗଣନା ପୁସ୍ତକ 36 : 9 (IRVOR)
ତହିଁରେ ଏକ ବଂଶରୁ ଅନ୍ୟ ବଂଶକୁ ଅଧିକାର ଯିବ ନାହିଁ; ମାତ୍ର ଇସ୍ରାଏଲ-ସନ୍ତାନଗଣଙ୍କର ବଂଶସମୂହ ପ୍ରତ୍ୟେକେ ଆପଣା ଆପଣା ପୈତୃକ ଅଧିକାର ମଧ୍ୟରେ ରହିବେ।”
ଗଣନା ପୁସ୍ତକ 36 : 10 (IRVOR)
ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଲେ, ତଦନୁସାରେ ସଲଫାଦର କନ୍ୟାମାନେ କର୍ମ କଲେ।
ଗଣନା ପୁସ୍ତକ 36 : 11 (IRVOR)
ଅର୍ଥାତ୍‍, ମହଲା, ତିର୍ସା, ହଗ୍‍ଲା, ମିଲ୍‍କା ଓ ନୋୟା, ସଲଫାଦର ଏହି କନ୍ୟାଗଣ ଆପଣା ଆପଣା ପିତୃବ୍ୟ ପୁତ୍ରମାନଙ୍କ ସହିତ ବିବାହ କଲେ।
ଗଣନା ପୁସ୍ତକ 36 : 12 (IRVOR)
ଯୋଷେଫଙ୍କର ପୁତ୍ର ମନଃଶି-ସନ୍ତାନଗଣଙ୍କର ବଂଶ ମଧ୍ୟରେ ସେମାନଙ୍କର ବିବାହ ହେଲା, ତହିଁରେ ସେମାନଙ୍କର ଅଧିକାର ସେମାନଙ୍କ ପିତୃବଂଶୀୟ ବଂଶ ମଧ୍ୟରେ ରହିଲା।
ଗଣନା ପୁସ୍ତକ 36 : 13 (IRVOR)
ସଦାପ୍ରଭୁ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ମୋଶାଙ୍କ ଦ୍ୱାରା ଇସ୍ରାଏଲ ସନ୍ତାନଗଣଙ୍କ ପ୍ରତି ଏହି ସମସ୍ତ ଆଜ୍ଞା ଓ ଶାସନ ଆଦେଶ କରିଥିଲେ।

1 2 3 4 5 6 7 8 9 10 11 12 13