ଗଣନା ପୁସ୍ତକ 32 : 1 (IRVOR)
{ରୁବେନ୍ ଓ ଗାଦ୍ର ଗିଲୀୟଦରେ ବସତି } ରୁବେନ୍-ସନ୍ତାନଗଣର ଓ ଗାଦ୍-ସନ୍ତାନଗଣର ଅନେକ ପଶୁପଲ ଥିଲା; ଏଣୁ ସେମାନେ ଯାସେର ଦେଶକୁ ଓ ଗିଲୀୟଦ ଦେଶକୁ ଦେଖିଲେ ଯେଉଁ ସ୍ଥାନ ପଶୁପଲ ନିମନ୍ତେ ଉପଯୁକ୍ତ ସ୍ଥାନ ଥିଲା।
ଗଣନା ପୁସ୍ତକ 32 : 2 (IRVOR)
ଏଥିରେ ଗାଦ୍ର ସନ୍ତାନଗଣ, ରୁବେନ୍ର ସନ୍ତାନଗଣ ଆସି ମୋଶାଙ୍କୁ, ଇଲୀୟାସର ଯାଜକକୁ ଓ ମଣ୍ଡଳୀର ଅଧ୍ୟକ୍ଷଗଣକୁ କହିଲେ;
ଗଣନା ପୁସ୍ତକ 32 : 3 (IRVOR)
“ଅଟାରୋତ୍, ଦୀବୋନ୍, ଯାସେର, ନିମ୍ରା, ହିଷ୍ବୋନ, ଇଲୀୟାଲୀ, ସିବମା, ନବୋ ଓ ବିୟୋନ,
ଗଣନା ପୁସ୍ତକ 32 : 4 (IRVOR)
ଏହି ଯେଉଁ ସବୁ ଦେଶକୁ ସଦାପ୍ରଭୁ ଇସ୍ରାଏଲ-ମଣ୍ଡଳୀ ସମ୍ମୁଖରେ ପରାସ୍ତ କରିଅଛନ୍ତି, ତାହା ପଶୁପଲ ନିମନ୍ତେ ଉପଯୁକ୍ତ ସ୍ଥାନ ଅଟେ। ପୁଣି, ତୁମ୍ଭର ଏହି ଦାସମାନଙ୍କର ପଶୁପଲ ଅଛି।
ଗଣନା ପୁସ୍ତକ 32 : 5 (IRVOR)
ସେମାନେ ଆହୁରି କହିଲେ, “ଆମ୍ଭେମାନେ ଯଦି ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛୁ, ତେବେ ତୁମ୍ଭର ଦାସଗଣକୁ ଅଧିକାରାର୍ଥେ ଏହି ଦେଶ ଦିଆଯାଉ; ଆମ୍ଭମାନଙ୍କୁ ଯର୍ଦ୍ଦନ ପାରିକୁ ନେଇ ଯାଅ ନାହିଁ।”
ଗଣନା ପୁସ୍ତକ 32 : 6 (IRVOR)
ଏଥିରେ ମୋଶା ଗାଦ୍ର ସନ୍ତାନଗଣକୁ ଓ ରୁବେନ୍ର ସନ୍ତାନଗଣକୁ କହିଲେ, “ତୁମ୍ଭମାନଙ୍କର ଭାଇମାନେ ଯୁଦ୍ଧ କରିବାକୁ ଯିବେ, ଆଉ ତୁମ୍ଭେମାନେ କି ଏଠାରେ ବସି ରହିବ ?
ଗଣନା ପୁସ୍ତକ 32 : 7 (IRVOR)
ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛନ୍ତି, ପାର ହୋଇ ସେହି ଦେଶକୁ ଯିବା ପାଇଁ କାହିଁକି ସେମାନଙ୍କ ମନକୁ ସାହସହୀନ କରୁଅଛ ?
ଗଣନା ପୁସ୍ତକ 32 : 8 (IRVOR)
ମୁଁ ତୁମ୍ଭର ପିତୃଲୋକମାନଙ୍କୁ କାଦେଶ-ବର୍ଣ୍ଣେୟଠାରୁ ସେହି ଦେଶ ଦେଖିବାକୁ ପଠାଇବା ସମୟରେ ସେମାନେ ଏହିରୂପେ କରିଥିଲେ।
ଗଣନା ପୁସ୍ତକ 32 : 9 (IRVOR)
କାରଣ ସେମାନେ ଇଷ୍କୋଲ-ଉପତ୍ୟକା ପର୍ଯ୍ୟନ୍ତ ଗମନ କରି ଦେଶ ଦେଖି ସଦାପ୍ରଭୁଙ୍କ ଦତ୍ତ ଦେଶକୁ ଯିବା ପାଇଁ ଇସ୍ରାଏଲ ସନ୍ତାନଗଣର ମନକୁ ସାହସହୀନ କଲେ।
ଗଣନା ପୁସ୍ତକ 32 : 10 (IRVOR)
ଏନିମନ୍ତେ ସେହି ଦିନ ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି, ସେ ଶପଥ କରି ଏହି କଥା କହିଲେ,
ଗଣନା ପୁସ୍ତକ 32 : 11 (IRVOR)
“ଆମ୍ଭେ ଅବ୍ରହାମକୁ, ଇସ୍ହାକକୁ ଓ ଯାକୁବକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛୁ, ମିସରରୁ ଆଗତ ଲୋକମାନଙ୍କ ମଧ୍ୟରୁ କୋଡ଼ିଏ ବର୍ଷ ଓ ତତୋଧିକ ବର୍ଷ ବୟସ୍କ କେହି ସେହି ଦେଶ ଦେଖି ପାରିବ ନାହିଁ, ଏହା ନିଶ୍ଚିତ; କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇ ନାହାନ୍ତି।”
ଗଣନା ପୁସ୍ତକ 32 : 12 (IRVOR)
କେବଳ କନିସୀୟ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ତାହା ଦେଖିବେ; କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ଅନୁଗତ ହୋଇଅଛନ୍ତି।
ଗଣନା ପୁସ୍ତକ 32 : 13 (IRVOR)
ଏହିରୂପେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି, ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମକାରୀ ସମସ୍ତ ବଂଶର ନିଃଶେଷ ନ ହେବା ପର୍ଯ୍ୟନ୍ତ ସେ ସେମାନଙ୍କୁ ଚାଳିଶ ବର୍ଷ ପର୍ଯ୍ୟନ୍ତ ଏ ପ୍ରାନ୍ତରରେ ଭ୍ରମଣ କରାଇଲେ।
ଗଣନା ପୁସ୍ତକ 32 : 14 (IRVOR)
ଏବେ ଦେଖ, ପାପିଷ୍ଠ ଲୋକମାନଙ୍କର ବଂଶ, ତୁମ୍ଭେମାନେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଆହୁରି ବଢ଼ାଇବାର ନିମନ୍ତେ ଆପଣା ଆପଣା ପିତୃଗଣର ସ୍ଥାନରେ ଉଠିଅଛ।
ଗଣନା ପୁସ୍ତକ 32 : 15 (IRVOR)
କାରଣ ଯଦି ତୁମ୍ଭେମାନେ ଏହିରୂପେ ତାହାଙ୍କ ପଶ୍ଚାଦ୍ଗମନରୁ ବିମୁଖ ହେବ, ତେବେ ସେ ପୁନର୍ବାର ଇସ୍ରାଏଲକୁ ପ୍ରାନ୍ତରରେ ପରିତ୍ୟାଗ କରିବେ, ତହିଁରେ ତୁମ୍ଭେମାନେ ଏହି ସକଳ ଲୋକଙ୍କୁ ବିନଷ୍ଟ କରାଇବ।”
ଗଣନା ପୁସ୍ତକ 32 : 16 (IRVOR)
ଏଥିରେ ସେମାନେ ତାଙ୍କ ନିକଟକୁ ଆସି କହିଲେ, “ଆମ୍ଭେମାନେ ଏହି ସ୍ଥାନରେ ଆପଣା ଆପଣା ପଶୁମାନଙ୍କ ନିମନ୍ତେ ମେଷଶାଳା ଓ ଆପଣା ଆପଣା ବାଳକମାନଙ୍କ ନିମନ୍ତେ ନଗର ନିର୍ମାଣ କରିବା।
ଗଣନା ପୁସ୍ତକ 32 : 17 (IRVOR)
ମାତ୍ର ଆମ୍ଭେମାନେ ନିଜେ ଇସ୍ରାଏଲ ସନ୍ତାନଗଣକୁ ସେମାନଙ୍କ ସ୍ଥାନକୁ ନ ଆଣିବା ପର୍ଯ୍ୟନ୍ତ ସସଜ୍ଜ ହୋଇ ସେମାନଙ୍କ ଆଗେ ଆଗେ ଗମନ କରିବୁ; କେବଳ ଆମ୍ଭମାନଙ୍କର ବାଳକମାନେ ଦେଶନିବାସୀମାନଙ୍କ ସକାଶୁ ପ୍ରାଚୀରବେଷ୍ଟିତ ନଗରରେ ବାସ କରିବେ।
ଗଣନା ପୁସ୍ତକ 32 : 18 (IRVOR)
ଇସ୍ରାଏଲ-ସନ୍ତାନଗଣଙ୍କର ପ୍ରତ୍ୟେକ ଲୋକ ଆପଣା ଆପଣା ଅଧିକାର ନ ପାଇବା ପର୍ଯ୍ୟନ୍ତ ଆମ୍ଭେମାନେ ଆପଣା ଆପଣା ଗୃହକୁ ଫେରି ଆସିବୁ ନାହିଁ।
ଗଣନା ପୁସ୍ତକ 32 : 19 (IRVOR)
ମାତ୍ର ଆମ୍ଭେମାନେ ଯର୍ଦ୍ଦନର ଆର ପାରିରେ ଓ ତହିଁ ଆଗରେ ସେମାନଙ୍କ ସହିତ ଅଧିକାର ଗ୍ରହଣ କରିବୁ ନାହିଁ; କାରଣ ଯର୍ଦ୍ଦନର ଏହି ପାରିରେ ଆମ୍ଭମାନଙ୍କ ଅଧିକାର ପଡ଼ିଅଛି।”
ଗଣନା ପୁସ୍ତକ 32 : 20 (IRVOR)
ଏଥିରେ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯଦି ଏହି କର୍ମ କର, ଯଦି ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ଯୁଦ୍ଧ କରିବାକୁ ଗମନ କର,
ଗଣନା ପୁସ୍ତକ 32 : 21 (IRVOR)
ପୁଣି, ସଦାପ୍ରଭୁ ଯେପର୍ଯ୍ୟନ୍ତ ଆପଣା ଶତ୍ରୁଗଣକୁ ଆପଣା ଆଗରୁ ତଡ଼ି ନ ଦିଅନ୍ତି
ଗଣନା ପୁସ୍ତକ 32 : 22 (IRVOR)
ଓ ଦେଶ ସଦାପ୍ରଭୁଙ୍କ ଆଗରେ ବଶୀଭୂତ ନ ହୁଏ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କର ପ୍ରତ୍ୟେକ ସସଜ୍ଜ ଲୋକ ଯଦି ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହୁଅ; ତେବେ ତହିଁ ଉତ୍ତାରେ ତୁମ୍ଭେମାନେ ଫେରି ଆସିଲେ, ସଦାପ୍ରଭୁଙ୍କ ନିକଟରେ ଓ ଇସ୍ରାଏଲ ନିକଟରେ ନିର୍ଦ୍ଦୋଷ ହେବ; ଆଉ ସେହି ଦେଶ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ଅଧିକାର ହେବ।
ଗଣନା ପୁସ୍ତକ 32 : 23 (IRVOR)
ମାତ୍ର ତୁମ୍ଭେମାନେ ଯଦି ସେହିପରି ନ କର, ତେବେ ଦେଖ, ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ପାପୀ ହେବ; ପୁଣି, ତୁମ୍ଭମାନଙ୍କର ପାପ ଯେ ତୁମ୍ଭମାନଙ୍କୁ ଧରିବ, ଏହା ନିଶ୍ଚିତ ଜାଣ।
ଗଣନା ପୁସ୍ତକ 32 : 24 (IRVOR)
ତୁମ୍ଭେମାନେ ଆପଣା ଆପଣା ବାଳକମାନଙ୍କ ପାଇଁ ନଗର ଓ ମେଷମାନଙ୍କ ପାଇଁ ଶାଳା ନିର୍ମାଣ କର, ଆଉ ଆପଣାମାନଙ୍କ ମୁଖରୁ ନିର୍ଗତ ବାକ୍ୟ ପ୍ରମାଣେ କର୍ମ କର।”
ଗଣନା ପୁସ୍ତକ 32 : 25 (IRVOR)
ତେବେ ଗାଦ୍-ସନ୍ତାନଗଣ ଓ ରୁବେନ୍-ସନ୍ତାନଗଣ ମୋଶାଙ୍କୁ କହିଲେ, “ଆମ୍ଭମାନଙ୍କର ପ୍ରଭୁ ଯାହା ଆଜ୍ଞା କଲେ, ତଦନୁସାରେ ତୁମ୍ଭର ଦାସମାନେ କର୍ମ କରିବେ।
ଗଣନା ପୁସ୍ତକ 32 : 26 (IRVOR)
ଆମ୍ଭମାନଙ୍କର ବାଳକ, ସ୍ତ୍ରୀ, ପଲ ଓ ପଶୁସକଳ ଗିଲୀୟଦର ନଗରମାନଙ୍କରେ ରହିବେ।
ଗଣନା ପୁସ୍ତକ 32 : 27 (IRVOR)
ମାତ୍ର ଆମ୍ଭମାନଙ୍କ ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭର ଦାସମାନେ ପ୍ରତ୍ୟେକେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ଆଗରେ ଯୁଦ୍ଧ କରିବାକୁ ପାର ହୋଇଯିବେ।”
ଗଣନା ପୁସ୍ତକ 32 : 28 (IRVOR)
ତହୁଁ ମୋଶା ସେମାନଙ୍କ ବିଷୟରେ ଇଲୀୟାସର ଯାଜକକୁ, ନୂନର ପୁତ୍ର ଯିହୋଶୂୟଙ୍କୁ ଓ ଇସ୍ରାଏଲ ସନ୍ତାନଗଣର ବଂଶୀୟ ପିତୃଗୃହର ପ୍ରଧାନମାନଙ୍କୁ ଆଜ୍ଞା ଦେଲେ।
ଗଣନା ପୁସ୍ତକ 32 : 29 (IRVOR)
ପୁଣି, ମୋଶା ସେମାନଙ୍କୁ କହିଲେ, “ଗାଦ୍-ସନ୍ତାନଗଣର ଓ ରୁବେନ୍-ସନ୍ତାନଗଣର, ଯୁଦ୍ଧାର୍ଥେ ସସଜ୍ଜ ପ୍ରତ୍ୟେକ ଲୋକ ଯଦି ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହେବେ ଓ ତୁମ୍ଭମାନଙ୍କ ସମ୍ମୁଖରେ ଦେଶ ବଶୀଭୂତ ହେବ; ତେବେ ତୁମ୍ଭେମାନେ ଅଧିକାରାର୍ଥେ ସେମାନଙ୍କୁ ଗିଲୀୟଦ ଦେଶ ଦେବ।
ଗଣନା ପୁସ୍ତକ 32 : 30 (IRVOR)
ମାତ୍ର ଯଦି ସେମାନେ ସସଜ୍ଜ ହୋଇ ତୁମ୍ଭମାନଙ୍କ ସହିତ ପାର ନ ହେବେ, ତେବେ ସେମାନେ ତୁମ୍ଭମାନଙ୍କ ମଧ୍ୟରେ କିଣାନ ଦେଶରେ ଅଧିକାର ପାଇବେ।”
ଗଣନା ପୁସ୍ତକ 32 : 31 (IRVOR)
ତହିଁରେ ଗାଦ୍-ସନ୍ତାନଗଣ ଓ ରୁବେନ୍-ସନ୍ତାନଗଣ ଉତ୍ତର ଦେଇ କହିଲେ, “ସଦାପ୍ରଭୁ ଆପଣା ଦାସମାନଙ୍କୁ ଯାହା କହିଅଛନ୍ତି, ତଦନୁସାରେ ଆମ୍ଭେମାନେ କର୍ମ କରିବୁ।
ଗଣନା ପୁସ୍ତକ 32 : 32 (IRVOR)
ଆମ୍ଭେମାନେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ କିଣାନ ଦେଶକୁ ଯିବୁ ମାତ୍ର ଯର୍ଦ୍ଦନର ପୂର୍ବ ଆଡ଼େ ଆମ୍ଭମାନଙ୍କ ଅଧିକାରରେ ଆମ୍ଭମାନଙ୍କ ସ୍ୱତ୍ୱ ରହିବ।”
ଗଣନା ପୁସ୍ତକ 32 : 33 (IRVOR)
ଏଉତ୍ତାରେ ମୋଶା ସେମାନଙ୍କୁ, ଅର୍ଥାତ୍, ଗାଦ୍-ସନ୍ତାନଗଣକୁ, ରୁବେନ୍-ସନ୍ତାନଗଣକୁ ଓ ଯୋଷେଫର ପୁତ୍ର ମନଃଶି ବଂଶର ଅର୍ଦ୍ଧେକକୁ ଇମୋରୀୟମାନଙ୍କ ରାଜା ସୀହୋନର ରାଜ୍ୟ ଓ ବାଶନର ରାଜା ଓଗ୍ର ରାଜ୍ୟ, ଅର୍ଥାତ୍, ସ୍ୱ ସ୍ୱ ସୀମା ସହିତ ନାନା ନଗରବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।
ଗଣନା ପୁସ୍ତକ 32 : 34 (IRVOR)
ତହିଁରେ ଗାଦ୍-ସନ୍ତାନଗଣ ଦୀବୋନ୍, ଅଟାରୋତ୍ ଓ ଅରୋୟେର;
ଗଣନା ପୁସ୍ତକ 32 : 35 (IRVOR)
ଅଟ୍ରୋତ୍-ଶୋଫନ, ଯାସେର, ଯଗ୍ବିହ,
ଗଣନା ପୁସ୍ତକ 32 : 36 (IRVOR)
ବେଥ୍-ନିମ୍ରା, ବେଥ୍-ହାରଣ ନାମକ ପ୍ରାଚୀରବେଷ୍ଟିତ ନଗର ଓ ମେଷଶାଳା ନିର୍ମାଣ କଲେ।
ଗଣନା ପୁସ୍ତକ 32 : 37 (IRVOR)
ପୁଣି, ରୁବେନ୍-ସନ୍ତାନଗଣ ହିଷ୍ବୋନ, ଇଲୀୟାଲୀ ଓ କିରୀୟାଥୟିମ୍;
ଗଣନା ପୁସ୍ତକ 32 : 38 (IRVOR)
ପୁଣି, ନାମାନ୍ତରରେ ନବୋ, ବାଲ୍-ମୀୟୋନ୍ ଓ ସିବ୍ମା, ଏହି ସମସ୍ତ ନଗର ନିର୍ମାଣ କଲେ; ପୁଣି, ସେମାନେ ଯେଉଁ ଯେଉଁ ନଗର ନିର୍ମାଣ କଲେ, ସେହି ସମସ୍ତଙ୍କୁ ଅନ୍ୟ ନାମ ଦେଲେ।
ଗଣନା ପୁସ୍ତକ 32 : 39 (IRVOR)
ପୁଣି, ମନଃଶିର ପୁତ୍ର ମାଖୀରର ସନ୍ତାନଗଣ ଗିଲୀୟଦକୁ ଯାଇ ତାହା ଆକ୍ରମଣ କଲେ ଓ ତନ୍ନିବାସୀ ଇମୋରୀୟମାନଙ୍କୁ ଅଧିକାରଚ୍ୟୁତ କଲେ।
ଗଣନା ପୁସ୍ତକ 32 : 40 (IRVOR)
ତହୁଁ ମୋଶା ମନଃଶିର ପୁତ୍ର ମାଖୀରକୁ ଗିଲୀୟଦ ଦେଲେ; ଆଉ ସେ ସେଠାରେ ବାସ କଲା।
ଗଣନା ପୁସ୍ତକ 32 : 41 (IRVOR)
ପୁଣି, ମନଃଶିର ପୁତ୍ର ଯାୟୀର ଯାଇ ସେମାନଙ୍କ ଗ୍ରାମସବୁ ହସ୍ତଗତ କରି ସେମାନଙ୍କ ନାମ ହବୋତ୍-ଯାୟୀର* ଅର୍ଥାତ୍ ଯାୟୀରର ଗ୍ରାମ ରଖିଲା।
ଗଣନା ପୁସ୍ତକ 32 : 42 (IRVOR)
ଆଉ ନୋବହ ଯାଇ କନାତ୍ ଓ ତାହାର ନଗର ହସ୍ତଗତ କରି ଆପଣା ନାମାନୁସାରେ ତାହାର ନାମ ନୋବହ ରଖିଲା।
❮
❯