ଗଣନା ପୁସ୍ତକ 22 : 1 (IRVOR)
{ବାଲାକଙ୍କ ବିଲୀୟମ୍ଙ୍କୁ ଆହ୍ୱାନ } ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କରି ଯିରୀହୋ-ନିକଟସ୍ଥ ଯର୍ଦ୍ଦନ ଆଗରେ ମୋୟାବ-ପଦାରେ ଛାଉଣି ସ୍ଥାପନ କଲେ।
ଗଣନା ପୁସ୍ତକ 22 : 2 (IRVOR)
ପୁଣି, ଇସ୍ରାଏଲ ଇମୋରୀୟମାନଙ୍କ ପ୍ରତି ଯାହା ଯାହା କରିଥିଲେ, ତାହା ସିପ୍ପୋରର ପୁତ୍ର ବାଲାକ ଦେଖିଲେ।
ଗଣନା ପୁସ୍ତକ 22 : 3 (IRVOR)
ଏଣୁ ମୋୟାବ ଲୋକମାନଙ୍କ ସକାଶୁ ଅତିଶୟ ଭୀତ ହେଲେ, କାରଣ ସେମାନେ ବହୁତ ଥିଲେ; ଆଉ ମୋୟାବ ଇସ୍ରାଏଲ-ସନ୍ତାନଗଣଙ୍କ ସକାଶୁ ଉଦ୍ବିଗ୍ନ ହେଲେ।
ଗଣନା ପୁସ୍ତକ 22 : 4 (IRVOR)
ଏଥିରେ ମୋୟାବ ମିଦୀୟନୀୟ ପ୍ରାଚୀନଗଣକୁ କହିଲେ, “ଗୋରୁ ଯେପରି ପଦାରୁ ଘାସ ଚାଟି ଖାଏ, ସେପରି ଏହି ଜନତା ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ସବୁ ଚାଟି ପକାଇବେ। ଏହି ସମୟରେ ସିପ୍ପୋରର ପୁତ୍ର ବାଲାକ ମୋୟାବର ରାଜା ଥିଲେ।”
ଗଣନା ପୁସ୍ତକ 22 : 5 (IRVOR)
ଏନିମନ୍ତେ ସେ ବିୟୋରର ପୁତ୍ର ବିଲୀୟମ୍କୁ ଡାକିବା ପାଇଁ ଆପଣା ଲୋକମାନଙ୍କ ସନ୍ତାନଗଣର ଦେଶ-ନିକଟସ୍ଥ ନଦୀର ନିକଟବର୍ତ୍ତୀ ପଥୋର ନଗରକୁ ବାର୍ତ୍ତାବହ ପଠାଇ ଏହା କହିଲେ, “ଦେଖ, ମିସରରୁ ବାହାର ହୋଇ ଏକ ଜନତା ଆସିଅଛନ୍ତି; ଦେଖ, ସେମାନେ ପୃଥିବୀର ମୁଖ ଆଚ୍ଛନ୍ନ କରନ୍ତି; ପୁଣି, ଆମ୍ଭ ସମ୍ମୁଖରେ ବାସ କରନ୍ତି।”
ଗଣନା ପୁସ୍ତକ 22 : 6 (IRVOR)
ଏହେତୁ ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଆସି ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ; କାରଣ ସେମାନେ ଆମ୍ଭ ପ୍ରତି ଅତି ବଳବାନ; ହୋଇପାରେ, ଆମ୍ଭେ ସେମାନଙ୍କୁ ପରାଜୟ କରି ଦେଶରୁ ଦୂର କରି ପାରିବା; ଯେହେତୁ ଆମ୍ଭେ ଜାଣୁ, ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସେ ଆଶୀର୍ବାଦ ପାଏ, ପୁଣି, ତୁମ୍ଭେ ଯାହାକୁ ଅଭିଶାପ ଦିଅ, ସେ ଅଭିଶାପଗ୍ରସ୍ତ ହୁଏ।
ଗଣନା ପୁସ୍ତକ 22 : 7 (IRVOR)
ତହିଁରେ ମୋୟାବର ପ୍ରାଚୀନବର୍ଗ ଓ ମିଦୀୟନର ପ୍ରାଚୀନବର୍ଗ ମନ୍ତ୍ରର ପୁରସ୍କାର ହସ୍ତରେ ଘେନି ପ୍ରସ୍ଥାନ କଲେ; ପୁଣି, ସେମାନେ ବିଲୀୟମ୍ ନିକଟରେ ଉପସ୍ଥିତ ହୋଇ ବାଲାକଙ୍କ କଥା ତାହାକୁ କହିଲେ।
ଗଣନା ପୁସ୍ତକ 22 : 8 (IRVOR)
ତହୁଁ ସେ ସେମାନଙ୍କୁ କହିଲା, “ତୁମ୍ଭେମାନେ ଆଜି ରାତ୍ରି ଏଠାରେ ରୁହ, ଆଉ ସଦାପ୍ରଭୁ ମୋତେ ଯାହା କହିବେ, ତାହା ମୁଁ ପୁନର୍ବାର ତୁମ୍ଭମାନଙ୍କୁ ଜଣାଇବି,” ତହିଁରେ ମୋୟାବର ଅଧିପତିମାନେ ବିଲୀୟମ୍ ସଙ୍ଗରେ ରହିଲେ।
ଗଣନା ପୁସ୍ତକ 22 : 9 (IRVOR)
ଏଉତ୍ତାରେ ପରମେଶ୍ୱର ବିଲୀୟମ୍ ନିକଟକୁ ଆସି ତାହାକୁ କହିଲେ, “ତୁମ୍ଭ ସଙ୍ଗରେ ଏହି ଲୋକମାନେ କିଏ” ?
ଗଣନା ପୁସ୍ତକ 22 : 10 (IRVOR)
ତହୁଁ ବିଲୀୟମ୍ ପରମେଶ୍ୱରଙ୍କୁ କହିଲା, “ମୋୟାବର ରାଜା ସିପ୍ପୋରର ପୁତ୍ର ବାଲାକ ମୋ’ ନିକଟକୁ ଏହା କହି ପଠାଇ ଅଛନ୍ତି;
ଗଣନା ପୁସ୍ତକ 22 : 11 (IRVOR)
ଦେଖ, ଏହି ଯେଉଁ ଲୋକମାନେ ମିସରରୁ ବାହାରି ଆସିଅଛନ୍ତି, ସେମାନେ ସମଗ୍ର ଦେଶକୁ ଆଚ୍ଛନ୍ନ କରିଅଛନ୍ତି; ଏବେ ତୁମ୍ଭେ ଆସି ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ, ହୋଇପାରେ, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ତଡ଼ି ଦେଇ ପାରିବା।”
ଗଣନା ପୁସ୍ତକ 22 : 12 (IRVOR)
ତହିଁରେ ପରମେଶ୍ୱର ବିଲୀୟମ୍କୁ କହିଲେ, “ତୁମ୍ଭେ ସେମାନଙ୍କ ସଙ୍ଗେ ଯିବ ନାହିଁ; ତୁମ୍ଭେ ସେହି ଲୋକମାନଙ୍କୁ ଅଭିଶାପ ଦେବ ନାହିଁ; କାରଣ ସେମାନେ ଆଶୀର୍ବାଦପ୍ରାପ୍ତ ଅଟନ୍ତି।
ଗଣନା ପୁସ୍ତକ 22 : 13 (IRVOR)
ଏଥିରେ ବିଲୀୟମ୍ ପ୍ରାତଃକାଳରେ ଉଠି ବାଲାକଙ୍କ ଅଧିପତିମାନଙ୍କୁ କହିଲା, “ତୁମ୍ଭେମାନେ ଆପଣା ଦେଶକୁ ଯାଅ, କାରଣ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ସହିତ ଯିବା ପାଇଁ ଅନୁମତି ଦେବାକୁ ମନା କରିଅଛନ୍ତି।”
ଗଣନା ପୁସ୍ତକ 22 : 14 (IRVOR)
ଏଣୁ ମୋୟାବର ଅଧିପତିମାନେ ଉଠି ବାଲାକଙ୍କ ନିକଟକୁ ଯାଇ କହିଲେ, “ବିଲୀୟମ୍ ଆମ୍ଭମାନଙ୍କ ସଙ୍ଗେ ଆସିବାକୁ ମନା କରୁଅଛି।”
ଗଣନା ପୁସ୍ତକ 22 : 15 (IRVOR)
ଏଉତ୍ତାରେ ବାଲାକ ସେମାନଙ୍କଠାରୁ ଅଧିକ ସଂଖ୍ୟକ ଓ ଅଧିକ ସମ୍ଭ୍ରାନ୍ତ ଅଧିପତିମାନଙ୍କୁ ପୁନର୍ବାର ପଠାଇଲେ।
ଗଣନା ପୁସ୍ତକ 22 : 16 (IRVOR)
ତହୁଁ ସେମାନେ ବିଲୀୟମ୍ ନିକଟକୁ ଆସି ତାହାକୁ କହିଲେ, “ସିପ୍ପୋରର ପୁତ୍ର ବାଲାକ ଏହି କଥା କହନ୍ତି, ଆମ୍ଭେ ବିନୟ କରୁଅଛୁ, ଆମ୍ଭ କତିକୁ ଆସିବାକୁ ତୁମ୍ଭେ ନିବାରିତ ହୁଅ ନାହିଁ।”
ଗଣନା ପୁସ୍ତକ 22 : 17 (IRVOR)
କାରଣ ଆମ୍ଭେ ତୁମ୍ଭକୁ ସମ୍ଭ୍ରମ ଦେଇ ମହାସମ୍ଭ୍ରାନ୍ତ କରିବା, ପୁଣି, ଯାହା ତୁମ୍ଭେ ଆମ୍ଭକୁ କହିବ, ଆମ୍ଭେ ତାହା କରିବା; ଏଣୁ ବିନୟ କରୁଅଛୁ, ଆସ, ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ।
ଗଣନା ପୁସ୍ତକ 22 : 18 (IRVOR)
ଏଥିରେ ବିଲୀୟମ୍ ଉତ୍ତର ଦେଇ ବାଲାକଙ୍କ ଦାସମାନଙ୍କୁ କହିଲା, “ଯଦ୍ୟପି ବାଲାକ ରୂପା ଓ ସୁନାରେ ପରିପୂର୍ଣ୍ଣ ଆପଣା ଗୃହ ମୋତେ ଦିଅନ୍ତି, ତଥାପି ଊଣା କି ଅଧିକ କରିବାକୁ ମୁଁ ଆପଣା ପରମେଶ୍ୱର ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇ ପାରେ ନାହିଁ।
ଗଣନା ପୁସ୍ତକ 22 : 19 (IRVOR)
ଏନିମନ୍ତେ ବିନୟ କରୁଅଛି, ତୁମ୍ଭେମାନେ ହେଁ ଆଜି ରାତ୍ରି ଏଠାରେ ରୁହ, ସଦାପ୍ରଭୁ ମୋତେ ଆଉ ଯାହା କହିବେ, ତାହା ମୁଁ ଜାଣିବି।”
ଗଣନା ପୁସ୍ତକ 22 : 20 (IRVOR)
ଏଥିରେ ପରମେଶ୍ୱର ରାତ୍ରିରେ ବିଲୀୟମ୍ ନିକଟକୁ ଆସି କହିଲେ, “ଯଦି ଏହି ଲୋକମାନେ ତୁମ୍ଭକୁ ଡାକିବାକୁ ଆସନ୍ତି, ତେବେ ଉଠ, ସେମାନଙ୍କ ସଙ୍ଗେ ଯାଅ; ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା; କେବଳ ତାହା ହିଁ ତୁମ୍ଭେ କହିବ।”
ଗଣନା ପୁସ୍ତକ 22 : 21 (IRVOR)
ତହିଁରେ ବିଲୀୟମ୍ ପ୍ରାତଃକାଳରେ ଉଠି ଆପଣା ଗର୍ଦ୍ଦଭୀ ସଜାଇ ମୋୟାବର ଅଧିପତିମାନଙ୍କ ସହିତ ଗମନ କଲା।
ଗଣନା ପୁସ୍ତକ 22 : 22 (IRVOR)
{ବିଲୀୟମ୍ଙ୍କ ଗଧ ଏବଂ ଦୂତ } ଏଥିରେ ସେ ଯିବା ସକାଶୁ ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି, ସଦାପ୍ରଭୁଙ୍କ ଦୂତ ତାହାର ଶତ୍ରୁ ରୂପେ ପଥ ମଧ୍ୟରେ ଠିଆ ହୋଇ ରହିଲେ; ସେତେବେଳେ ସେ ଆପଣା ଗର୍ଦ୍ଦଭୀ ଉପରେ ଚଢ଼ି ଯାଉଥିଲା ଓ ତାହାର ଦୁଇ ଦାସ ତାହା ସଙ୍ଗରେ ଥିଲେ।
ଗଣନା ପୁସ୍ତକ 22 : 23 (IRVOR)
ଏଥିରେ ସେହି ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ପଥ ମଧ୍ୟରେ ନିଷ୍କୋଷ ଖଡ୍ଗ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା; ତହୁଁ ଗର୍ଦ୍ଦଭୀ ବାଟ ଛାଡ଼ି ବିଲ ଆଡ଼କୁ ଗଲା ତହିଁରେ ବିଲୀୟମ୍ ଗର୍ଦ୍ଦଭୀକୁ ବାଟକୁ ଫେରାଇ ଆଣିବା ପାଇଁ ପ୍ରହାର କଲା;
ଗଣନା ପୁସ୍ତକ 22 : 24 (IRVOR)
ତେବେ ସଦାପ୍ରଭୁଙ୍କ ଦୂତ ଦୁଇ ଦ୍ରାକ୍ଷାକ୍ଷେତ୍ରର ଏପାଖେ ପ୍ରାଚୀର ଓ ସେପାଖେ ପ୍ରାଚୀର ଥିବା ଗଳିପଥରେ ଠିଆ ହେଲେ।
ଗଣନା ପୁସ୍ତକ 22 : 25 (IRVOR)
ସେହି ସମୟରେ ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ଦେଖି କାନ୍ଥ ଆଡ଼କୁ ଠେଲି ହୋଇ ଯିବାରୁ ବିଲୀୟମ୍ର ଗୋଡ଼ କାନ୍ଥରେ ଘଷି ହେଲା; ତହିଁରେ ସେ ପୁନର୍ବାର ତାହାକୁ ପ୍ରହାର କଲା।
ଗଣନା ପୁସ୍ତକ 22 : 26 (IRVOR)
ଏଉତ୍ତାରେ ସଦାପ୍ରଭୁଙ୍କ ଦୂତ ଆହୁରି ଆଗକୁ ଯାଇ ଏକ ସଂକୀର୍ଣ୍ଣ ସ୍ଥାନରେ ଠିଆ ହେଲେ, ସେଠାରେ ଡାହାଣରେ କିମ୍ବା ବାମରେ ଫେରିବାର ସ୍ଥାନ ନ ଥିଲା।
ଗଣନା ପୁସ୍ତକ 22 : 27 (IRVOR)
ସେତେବେଳେ ଗର୍ଦ୍ଦଭୀ ସଦାପ୍ରଭୁଙ୍କ ଦୂତଙ୍କୁ ଦେଖି ବିଲୀୟମ୍ର ତଳେ ଶୋଇ ପଡ଼ିଲା; ତହିଁରେ ବିଲୀୟମ୍ର କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ଗର୍ଦ୍ଦଭୀକୁ ଆପଣା ଯଷ୍ଟିରେ ପ୍ରହାର କଲା।
ଗଣନା ପୁସ୍ତକ 22 : 28 (IRVOR)
ତହୁଁ ସଦାପ୍ରଭୁ ଗର୍ଦ୍ଦଭୀର ମୁଖ ଫିଟାଇଲେ, ତେଣୁ ସେ ବିଲୀୟମ୍କୁ କହିଲା, “ମୁଁ ତୁମ୍ଭର କଅଣ କଲି ଯେ, ତୁମ୍ଭେ ମୋତେ ଏହି ତିନିଥର ପ୍ରହାର କଲ।”
ଗଣନା ପୁସ୍ତକ 22 : 29 (IRVOR)
ତେବେ ବିଲୀୟମ୍ ଗର୍ଦ୍ଦଭୀକୁ କହିଲା, “କାରଣ ତୁ ମୋତେ ପରିହାସ କରୁଅଛୁ; ମୋ’ ହାତରେ ଖଣ୍ଡା ଥିଲେ ମୁଁ ଏବେ ତୋତେ ବଧ କରନ୍ତି।”
ଗଣନା ପୁସ୍ତକ 22 : 30 (IRVOR)
ପୁଣି, ଗର୍ଦ୍ଦଭୀ ବିଲୀୟମ୍କୁ କହିଲା, “ତୁମ୍ଭେ ଜନ୍ମାବଧି ଆଜି ପର୍ଯ୍ୟନ୍ତ ଯାହା ଉପରେ ଚଢ଼ି ଆସିଅଛ, ମୁଁ କି ତୁମ୍ଭର ସେହି ଗର୍ଦ୍ଦଭୀ ନୁହେଁ ? ମୁଁ କି ପୂର୍ବେ କେବେ ତୁମ୍ଭ ପ୍ରତି ଏପରି କରିଥିଲି” ? ତହୁଁ ସେ କହିଲା, “ନା।”
ଗଣନା ପୁସ୍ତକ 22 : 31 (IRVOR)
ଏଥିରେ ସଦାପ୍ରଭୁ ବିଲୀୟମ୍ର ଚକ୍ଷୁ ପ୍ରସନ୍ନ କରନ୍ତେ, ସେ ସଦାପ୍ରଭୁଙ୍କ ଦୂତଙ୍କୁ ପଥ ମଧ୍ୟରେ ନିଷ୍କୋଷ ଖଡ୍ଗ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା; ତହିଁରେ ସେ ମସ୍ତକ ନୁଆଁଇ ମୁହଁ ମାଡ଼ି ପଡ଼ିଲା।
ଗଣନା ପୁସ୍ତକ 22 : 32 (IRVOR)
ସେତେବେଳେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, “ତୁମ୍ଭେ ଏହି ତିନିଥର ଆପଣା ଗର୍ଦ୍ଦଭୀକୁ କାହିଁକି ପ୍ରହାର କଲ ? ଦେଖ, ଆମ୍ଭେ ତୁମ୍ଭର ଶତ୍ରୁ ରୂପେ ବାହାର ହୋଇଅଛୁ, ଯେହେତୁ ଆମ୍ଭ ସାକ୍ଷାତରେ ତୁମ୍ଭର ଗତି ବିପଥଗାମୀ ହୋଇଅଛି;
ଗଣନା ପୁସ୍ତକ 22 : 33 (IRVOR)
ପୁଣି, ଗର୍ଦ୍ଦଭୀ ଆମ୍ଭକୁ ଦେଖି ଏହି ତିନିଥର ଆମ୍ଭ ସମ୍ମୁଖରୁ ଫେରିଲା; ସେ ଯଦି ଆମ୍ଭ ସମ୍ମୁଖରୁ ଫେରି ନ ଥା’ନ୍ତା, ତେବେ ନିଶ୍ଚୟ ଆମ୍ଭେ ତୁମ୍ଭକୁ ବଧ କରିଥା’ନ୍ତୁ, ଆଉ ତାହାକୁ ଜୀଅନ୍ତା ରଖିଥା’ନ୍ତୁ।”
ଗଣନା ପୁସ୍ତକ 22 : 34 (IRVOR)
ତହିଁରେ ବିଲୀୟମ୍ ସଦାପ୍ରଭୁଙ୍କ ଦୂତଙ୍କୁ କହିଲା, “ମୁଁ ପାପ କରିଅଛି; କାରଣ ତୁମ୍ଭେ ଯେ ମୋ’ ବିପକ୍ଷରେ ପଥରେ ଠିଆ ହୋଇଅଛ; ତାହା ମୁଁ ଜାଣିଲି ନାହିଁ; ଏଣୁ ଏବେ, ଯଦି ତାହା ତୁମ୍ଭ ଦୃଷ୍ଟିରେ ମନ୍ଦ ହୁଏ, ତେବେ ମୁଁ ଫେରିଯିବି।”
ଗଣନା ପୁସ୍ତକ 22 : 35 (IRVOR)
ତହିଁରେ ସଦାପ୍ରଭୁଙ୍କ ଦୂତ ବିଲୀୟମ୍କୁ କହିଲେ, “ସେହି ଲୋକମାନଙ୍କ ସଙ୍ଗେ ଯାଅ; ମାତ୍ର ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା, କେବଳ ତାହା ତୁମ୍ଭେ କହିବ।” ତହିଁରେ ବିଲୀୟମ୍ ବାଲାକଙ୍କ ଅଧିପତିମାନଙ୍କ ସହିତ ଗମନ କଲା।
ଗଣନା ପୁସ୍ତକ 22 : 36 (IRVOR)
ଏଥିଉତ୍ତାରେ ବିଲୀୟମ୍ର ଆଗମନ ସମ୍ବାଦ ଶୁଣି ବାଲାକ ତାହା ସଙ୍ଗେ ଭେଟିବା ପାଇଁ ଦେଶର ପ୍ରାନ୍ତସ୍ଥିତ ଅର୍ଣ୍ଣୋନର ସୀମାନ୍ତବର୍ତ୍ତୀ ମୋୟାବ ନଗରକୁ ଗମନ କଲେ।
ଗଣନା ପୁସ୍ତକ 22 : 37 (IRVOR)
ପୁଣି, ବାଲାକ ବିଲୀୟମ୍କୁ କହିଲେ, “ଆମ୍ଭେ କି ତୁମ୍ଭକୁ ଡାକିବା ପାଇଁ ଅତି ଯତ୍ନରେ ଲୋକ ପଠାଇଲୁ ନାହିଁ ? ତୁମ୍ଭେ କାହିଁକି ଆମ୍ଭ ନିକଟକୁ ଆସିଲ ନାହିଁ ? ଆମ୍ଭେ କି ତୁମ୍ଭକୁ ସମ୍ଭ୍ରମ ଦେଇ ସମ୍ଭ୍ରାନ୍ତ କରିବାକୁ ନିତାନ୍ତ ଅସମର୍ଥ ?”
ଗଣନା ପୁସ୍ତକ 22 : 38 (IRVOR)
ତହୁଁ ବିଲୀୟମ୍ ବାଲାକଙ୍କୁ କହିଲା, “ଏହି ଦେଖ, ମୁଁ ତୁମ୍ଭ ନିକଟକୁ ଆସିଅଛି; ମାତ୍ର ଏବେ କୌଣସି କଥା କହିବାକୁ କି ମୋହର କିଛି ସାମର୍ଥ୍ୟ ଅଛି ? ପରମେଶ୍ୱର ମୋ’ ମୁଖରେ ଯେଉଁ ବାକ୍ୟ ଦେବେ ତାହା ହିଁ ମୁଁ କହିବି।”
ଗଣନା ପୁସ୍ତକ 22 : 39 (IRVOR)
ଏଉତ୍ତାରେ ବିଲୀୟମ୍ ବାଲାକ ସହିତ ଗମନ କରି କିରୀୟଥ୍-ହୁଷୋତରେ ଉପସ୍ଥିତ ହେଲା।
ଗଣନା ପୁସ୍ତକ 22 : 40 (IRVOR)
ତହୁଁ ବାଲାକ ଗୋରୁ ଓ ମେଷ ବଳିଦାନ କରି ବିଲୀୟମ୍ ଓ ତାହାର ସଙ୍ଗୀ ଅଧିପତିମାନଙ୍କ ନିକଟକୁ ପଠାଇଲେ।
ଗଣନା ପୁସ୍ତକ 22 : 41 (IRVOR)
ପୁଣି, ପ୍ରଭାତରେ ବାଲାକ ବିଲୀୟମ୍କୁ ସଙ୍ଗେ ନେଇ ବାଲ୍ର[* ବାଲ୍ର କିମ୍ବା ବାମତ୍ବାଲ ] ଉଚ୍ଚସ୍ଥଳୀରେ ଆରୋହଣ କରାଇଲେ; ଆଉ ସେହିଠାରୁ ସେ ଲୋକମାନଙ୍କର ଶେଷ ସୀମା ପର୍ଯ୍ୟନ୍ତ ଦେଖିଲେ।
❮
❯