ନିହିମିୟା 9 : 1 (IRVOR)
ଲୋକଙ୍କ ପାପ ସ୍ୱୀକାର ସେହି ମାସର ଚବିଶତମ ଦିନରେ ଇସ୍ରାଏଲ ସନ୍ତାନଗଣ ଏକତ୍ରିତ ହୋଇ ଉପବାସ କରି, ଅଖା ପିନ୍ଧି ଓ ଆପଣା ଆପଣା ମସ୍ତକ ଉପରେ ମାଟି ଦେଲେ।
ନିହିମିୟା 9 : 2 (IRVOR)
ଆଉ, ଇସ୍ରାଏଲ-ବଂଶ ବିଦେଶୀୟ ସମସ୍ତଙ୍କଠାରୁ ଆପଣାମାନଙ୍କୁ ପୃଥକ୍ କଲେ, ପୁଣି ଠିଆ ହୋଇ ଆପଣା ଆପଣା ପାପ ଓ ଆପଣା ଆପଣା ପୂର୍ବପୁରୁଷଗଣଙ୍କ ଅପରାଧ ସ୍ୱୀକାର କଲେ।
ନିହିମିୟା 9 : 3 (IRVOR)
ପୁଣି, ସେମାନେ ସ୍ୱ ସ୍ୱ ସ୍ଥାନରେ ଠିଆ ହୋଇ ଦିନର ଚତୁର୍ଥାଂଶ ପର୍ଯ୍ୟନ୍ତ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ବ୍ୟବସ୍ଥା-ପୁସ୍ତକରୁ ପାଠ କଲେ ଓ ଅନ୍ୟ ଚତୁର୍ଥାଂଶ ପର୍ଯ୍ୟନ୍ତ ସେମାନେ ପାପ ସ୍ୱୀକାର କରି ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରଣାମ କଲେ।
ନିହିମିୟା 9 : 4 (IRVOR)
ଆଉ, ଲେବୀୟମାନେ, ଯେଶୂୟ ଓ ବାନି, କଦ୍ମୀୟେଲ, ଶବନୀୟ, ବୁନ୍ନି, ଶେରେବୀୟ, ବାନି ଓ କନାନି ପାବଚ୍ଛରେ ଠିଆ ହୋଇ ସଦାପ୍ରଭୁ ପରମେଶ୍ୱରଙ୍କୁ ଉଚ୍ଚସ୍ୱରରେ ଡାକିଲେ।
ନିହିମିୟା 9 : 5 (IRVOR)
ଯେଶୂୟ ଓ କଦ୍ମୀୟେଲ, ବାନି, ହଶବନୀୟ, ଶେରେବୀୟ, ହୋଦୀୟ, ଶବନୀୟ ଓ ପଥାହୀୟ, ଓ ଲେବୀୟମାନେ କହିଲେ, “ଉଠ, ଅନାଦି କାଳରୁ ଅନନ୍ତ କାଳସ୍ଥାୟୀ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଧନ୍ୟବାଦ କର; ପୁଣି, ସକଳ ଧନ୍ୟବାଦ ଓ ପ୍ରଶଂସାରୁ ଉନ୍ନତ ତୁମ୍ଭ ପ୍ରତାପାନ୍ୱିତ ନାମ ଧନ୍ୟ ହେଉ।
ନିହିମିୟା 9 : 6 (IRVOR)
କେବଳ ତୁମ୍ଭେ ହିଁ ସଦାପ୍ରଭୁ ଅଟ; ତୁମ୍ଭେ ସ୍ୱର୍ଗ, ସ୍ୱର୍ଗର ସ୍ୱର୍ଗ ଓ ତହିଁର ସମଗ୍ର ବାହିନୀ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ବସ୍ତୁ ନିର୍ମାଣ କରିଅଛ ଓ ତୁମ୍ଭେ ସେସବୁର ସ୍ଥିତି କରୁଅଛ ଓ ସ୍ୱର୍ଗୀୟ-ବାହିନୀ ତୁମ୍ଭକୁ ପ୍ରଣାମ କରନ୍ତି।
ନିହିମିୟା 9 : 7 (IRVOR)
ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ୱର ଅଟ, ତୁମ୍ଭେ ଅବ୍ରାମକୁ ମନୋନୀତ କଲ ଓ କଲ୍ଦୀୟମାନଙ୍କ ଊର ଦେଶରୁ ତାହାକୁ ବାହାର କରି ଆଣି ଅବ୍ରହାମ ନାମ ଦେଲ;
ନିହିମିୟା 9 : 8 (IRVOR)
ତୁମ୍ଭେ ଆପଣା ସାକ୍ଷାତରେ ତାହାର ଅନ୍ତଃକରଣ ବିଶ୍ୱସ୍ତ ଦେଖିଲ, ପୁଣି କିଣାନୀୟ, ହିତ୍ତୀୟ, ଇମୋରୀୟ ଓ ପରିଷୀୟ ଓ ଯିବୂଷୀୟ ଓ ଗିର୍ଗାଶୀୟ ଲୋକମାନଙ୍କ ଦେଶ ଦେବାକୁ, ଅର୍ଥାତ୍, ତାହାର ବଂଶକୁ ଦେବା ପାଇଁ ତାହା ସଙ୍ଗେ ନିୟମ କଲ, ପୁଣି ଆପଣା ବାକ୍ୟ ସଫଳ କରିଅଛ; କାରଣ ତୁମ୍ଭେ ଧର୍ମମୟ।
ନିହିମିୟା 9 : 9 (IRVOR)
ଏଥିଉତ୍ତାରେ ତୁମ୍ଭେ ମିସର ଦେଶରେ ଆମ୍ଭ ପୂର୍ବପୁରୁଷଗଣର କ୍ଳେଶ ଦେଖିଲ ଓ ସୂଫ ସାଗର ନିକଟରେ ସେମାନଙ୍କର କ୍ରନ୍ଦନ ଶୁଣିଲ;
ନିହିମିୟା 9 : 10 (IRVOR)
ପୁଣି, ଫାରୋ ଓ ତାହାର ସମସ୍ତ ଦାସ ଓ ତାହାର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମ ପ୍ରକାଶ କଲ; କାରଣ ମିସ୍ରୀୟମାନେ ସେମାନଙ୍କ ବିରୁଦ୍ଧରେ ଗର୍ବାଚରଣ କରିବାର ତୁମ୍ଭେ ଜାଣିଲ; ଏଣୁ ତୁମ୍ଭେ ଆଜି ପର୍ଯ୍ୟନ୍ତ ଆପଣା ନାମ ପ୍ରସିଦ୍ଧ କରିଅଛ।
ନିହିମିୟା 9 : 11 (IRVOR)
ପୁଣି, ତୁମ୍ଭେ ସେମାନଙ୍କ ସାକ୍ଷାତରେ ସମୁଦ୍ରକୁ ବିଭାଗ କଲ, ତହୁଁ ସେମାନେ ଶୁଷ୍କ ଭୂମି ଦେଇ ଯିବା ପରି ସମୁଦ୍ର ମଧ୍ୟରେ ଗମନ କଲେ; ମାତ୍ର ଗଭୀର ଜଳରେ ପ୍ରସ୍ତର ତୁଲ୍ୟ ତୁମ୍ଭେ ସେମାନଙ୍କ ପଛେ ଗୋଡ଼ାଇବା ଲୋକମାନଙ୍କୁ ଅଗାଧ ସମୁଦ୍ରରେ ନିକ୍ଷେପ କଲ।
ନିହିମିୟା 9 : 12 (IRVOR)
ଆହୁରି, ତୁମ୍ଭେ ଦିବସରେ ମେଘସ୍ତମ୍ଭ ଦ୍ୱାରା ଓ ରାତ୍ରିରେ ସେମାନଙ୍କ ଗନ୍ତବ୍ୟ ପଥରେ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭ ଦ୍ୱାରା ସେମାନଙ୍କୁ ଗମନ କରାଇଲ।
ନିହିମିୟା 9 : 13 (IRVOR)
ମଧ୍ୟ ତୁମ୍ଭେ ସୀନୟ ପର୍ବତକୁ ଓହ୍ଲାଇ ଆସି ସ୍ୱର୍ଗରୁ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କଲ ଓ ସେମାନଙ୍କୁ ଯଥାର୍ଥ ଶାସନ ଓ ସତ୍ୟ ବ୍ୟବସ୍ଥା, ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ;
ନିହିମିୟା 9 : 14 (IRVOR)
ଆଉ, ସେମାନଙ୍କୁ ଆପଣାର ପବିତ୍ର ବିଶ୍ରାମ ଦିନ ଜ୍ଞାତ କରାଇଲ ଓ ଆପଣା ଦାସ ମୋଶାଙ୍କ ହସ୍ତରେ ସେମାନଙ୍କୁ ଆଜ୍ଞା ଓ ବିଧି ଓ ବ୍ୟବସ୍ଥା ଆଦେଶ କଲ;
ନିହିମିୟା 9 : 15 (IRVOR)
ପୁଣି, ସେମାନଙ୍କ କ୍ଷୁଧା ନିବାରଣାର୍ଥେ ସେମାନଙ୍କୁ ସ୍ୱର୍ଗରୁ ଭକ୍ଷ୍ୟ ଦେଲ ଓ ସେମାନଙ୍କ ତୃଷା ନିବାରଣାର୍ଥେ ଶୈଳରୁ ଜଳ ନିର୍ଗତ କଲେ, ଆଉ ତୁମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେବା ପାଇଁ ହସ୍ତ ଉଠାଇଥିଲ, ସେହି ଦେଶ ଅଧିକାରାର୍ଥେ ତହିଁ ମଧ୍ୟରେ ପ୍ରବେଶ କରିବାକୁ ଆଜ୍ଞା କଲେ।
ନିହିମିୟା 9 : 16 (IRVOR)
ମାତ୍ର ସେମାନେ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଗର୍ବାଚରଣ କଲେ ଓ ଆପଣା ଆପଣାକୁ କଠିନ କଲେ ଓ ତୁମ୍ଭ ଆଜ୍ଞାରେ କର୍ଣ୍ଣପାତ କଲେ ନାହିଁ,
ନିହିମିୟା 9 : 17 (IRVOR)
ଆଉ ସେମାନେ ପାଳିବାକୁ ଅସମ୍ମତ ହେଲେ, କିଅବା ତୁମ୍ଭେ ସେମାନଙ୍କ ମଧ୍ୟରେ ଯେଉଁ ଆଶ୍ଚର୍ଯ୍ୟ କର୍ମ କରିଥିଲ, ତାହା ସ୍ମରଣରେ ରଖିଲେ ନାହିଁ; ମାତ୍ର ଆପଣା ଆପଣା ମନ କଠିନ କଲେ ଓ ଦାସତ୍ୱାବସ୍ଥାକୁ ଫେରିଯିବା ନିମନ୍ତେ ବିଦ୍ରୋହ ଭାବରେ ଜଣକୁ ପ୍ରଧାନ କରି ନିଯୁକ୍ତ କଲେ; ତଥାପି ତୁମ୍ଭେ କ୍ଷମା କରିବାକୁ ଉଦ୍ୟତ, କୃପାମୟ ଓ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟ, ଏଣୁ ସେମାନଙ୍କୁ ପରିତ୍ୟାଗ କଲ ନାହିଁ।
ନିହିମିୟା 9 : 18 (IRVOR)
ହଁ, ଏପରିକି ସେମାନେ ଛାଞ୍ଚରେ ଢଳା ଏକ ଗୋବତ୍ସ ନିର୍ମାଣ କରି କହିଲେ, “ଯେଉଁ ଦେବତା ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲେ, ସେ ଏହି,” ଏହା କହି ପ୍ରଭୁଙ୍କୁ ମହା ଅପମାନ କଲେ;
ନିହିମିୟା 9 : 19 (IRVOR)
ସେତେବେଳେ ତୁମ୍ଭେ ଆପଣା ବହୁବିଧ ଦୟାରେ ସେମାନଙ୍କୁ ପ୍ରାନ୍ତରରେ ପରିତ୍ୟାଗ କଲ ନାହିଁ; ପଥ କଢ଼ାଇବା ନିମନ୍ତେ ଦିବସରେ ମେଘସ୍ତମ୍ଭ, କିଅବା ସେମାନଙ୍କୁ ଆଲୁଅ ଓ ଗନ୍ତବ୍ୟ ପଥ ଦେଖାଇବା ନିମନ୍ତେ ରାତ୍ରିରେ ଅଗ୍ନିସ୍ତମ୍ଭ ସେମାନଙ୍କ ଆଗରୁ ପ୍ରସ୍ଥାନ କଲା ନାହିଁ।
ନିହିମିୟା 9 : 20 (IRVOR)
ଆହୁରି, ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଆପଣାର ମଙ୍ଗଳମୟ ଆତ୍ମା ପ୍ରଦାନ କଲ ଓ ସେମାନଙ୍କ ମୁଖରୁ ଆପଣା ମାନ୍ନା ଅଟକାଇଲ ନାହିଁ ଓ ସେମାନଙ୍କ ତୃଷା ନିବାରଣାର୍ଥେ ସେମାନଙ୍କୁ ଜଳ ଦେଲ।
ନିହିମିୟା 9 : 21 (IRVOR)
ତୁମ୍ଭେ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେମାନଙ୍କୁ ପ୍ରତିପାଳନ କଲ, ସେମାନଙ୍କର କିଛି ଅଭାବ ହେଲା ନାହିଁ; ସେମାନଙ୍କ ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ସେମାନଙ୍କ ପାଦ ଫୁଲିଲା ନାହିଁ।
ନିହିମିୟା 9 : 22 (IRVOR)
ଆହୁରି, ତୁମ୍ଭେ ସେମାନଙ୍କୁ ନାନା ରାଜ୍ୟ ଓ ଗୋଷ୍ଠୀ ଦେଲ ଓ ତାହା ସେମାନଙ୍କ ବାଣ୍ଟ ଅନୁସାରେ ନିରୂପଣ କଲ; ତହୁଁ ସେମାନେ ସୀହୋନ ଦେଶ, ଅର୍ଥାତ୍, ହିଷ୍ବୋନ ରାଜାର ଦେଶ ଓ ବାଶନର ଓଗ୍ ରାଜାର ଦେଶ ଅଧିକାର କଲେ।
ନିହିମିୟା 9 : 23 (IRVOR)
ଆହୁରି, ତୁମ୍ଭେ ସେମାନଙ୍କ ସନ୍ତାନଗଣକୁ ଆକାଶର ନକ୍ଷତ୍ରଗଣ ତୁଲ୍ୟ ବହୁସଂଖ୍ୟକ କଲ ଓ ଯେଉଁ ଦେଶ ସେମାନେ ଅଧିକାର କରିବାକୁ ଯିବେ ବୋଲି ତୁମ୍ଭେ ସେମାନଙ୍କ ପିତୃଗଣକୁ କହିଥିଲ, ସେହି ଦେଶକୁ ସେମାନଙ୍କୁ ଆଣିଲ।
ନିହିମିୟା 9 : 24 (IRVOR)
ଏହି ରୂପେ ସେହି ସନ୍ତାନଗଣ ଦେଶରେ ପ୍ରବେଶ କରି ଅଧିକାର କଲେ, ଆଉ ତୁମ୍ଭେ ସେମାନଙ୍କ ସମ୍ମୁଖରେ ସେହି ଦେଶବାସୀ କିଣାନୀୟମାନଙ୍କୁ ପରାସ୍ତ କଲ ଓ ସେମାନେ ଯେପରି ଆପଣା ଇଚ୍ଛାମତ ବ୍ୟବହାର କରିବେ, ଏଥିପାଇଁ ସେମାନଙ୍କୁ ଓ ସେମାନଙ୍କ ରାଜାଗଣକୁ ଓ ଦେଶସ୍ଥ ନାନା ଗୋଷ୍ଠୀକୁ ସେମାନଙ୍କ ହସ୍ତରେ ସମର୍ପଣ କଲ।
ନିହିମିୟା 9 : 25 (IRVOR)
ତହିଁରେ ସେମାନେ ପ୍ରାଚୀରବେଷ୍ଟିତ ନଗରସକଳ ଓ ଉର୍ବରା ଭୂମି ନେଲେ, ସର୍ବପ୍ରକାର ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ, ଖୋଦିତ କୂପ, ଦ୍ରାକ୍ଷାକ୍ଷେତ୍ର ଓ ଜୀତକ୍ଷେତ୍ର ଓ ପ୍ରଚୁର ଫଳବୃକ୍ଷ ଅଧିକାର କଲେ; ତହୁଁ ସେମାନେ ଭୋଜନ କରି ତୃପ୍ତ ଓ ପୁଷ୍ଟ ହେଲେ ଓ ତୁମ୍ଭର ମହାମଙ୍ଗଳଦାନରେ ଆନନ୍ଦ କଲେ।
ନିହିମିୟା 9 : 26 (IRVOR)
ତଥାପି ସେମାନେ ଅନାଜ୍ଞାବହ ହେଲେ ଓ ତୁମ୍ଭ ବିରୁଦ୍ଧରେ ବିଦ୍ରୋହାଚରଣ କଲେ ଓ ତୁମ୍ଭ ବ୍ୟବସ୍ଥା ଆପଣା ପଛକୁ ପକାଇଲେ, ଆଉ ତୁମ୍ଭର ଯେଉଁ ଭବିଷ୍ୟଦ୍ବକ୍ତାମାନେ ସେମାନଙ୍କୁ ତୁମ୍ଭ ପ୍ରତି ପୁନର୍ବାର ଫେରାଇବା ପାଇଁ ସେମାନଙ୍କୁ ଚେତାବନୀ ଦେଲେ, ତେଣୁ ସେମାନଙ୍କୁ ବଧ କଲେ ଓ ଅପମାନଜନକ କାର୍ଯ୍ୟ କଲେ।
ନିହିମିୟା 9 : 27 (IRVOR)
ଏହେତୁ ତୁମ୍ଭେ ସେମାନଙ୍କୁ ବିପକ୍ଷଗଣ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ କ୍ଳେଶ ଦେଲେ; ମାତ୍ର କ୍ଳେଶ ସମୟରେ ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କରନ୍ତେ, ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ; ଆଉ, ଆପଣାର ବହୁବିଧ ଦୟାନୁସାରେ ସେମାନଙ୍କୁ ସେମାନଙ୍କ ବିପକ୍ଷଗଣ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
ନିହିମିୟା 9 : 28 (IRVOR)
ମାତ୍ର ସେମାନେ ବିଶ୍ରାମ ପାଇଲା ଉତ୍ତାରେ ପୁନର୍ବାର ତୁମ୍ଭ ଦୃଷ୍ଟିରେ କୁକର୍ମ କଲେ; ଏହେତୁ ତୁମ୍ଭେ ସେମାନଙ୍କୁ ଶତ୍ରୁଗଣ ହସ୍ତରେ ସମର୍ପଣ କଲ, ସେମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କଲେ, ତଥାପି ଯେତେବେଳେ ସେମାନେ ଫେରି ତୁମ୍ଭ ନିକଟରେ କ୍ରନ୍ଦନ କଲେ, ସେତେବେଳେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ; ଆଉ, ଅନେକ ଥର ତୁମ୍ଭେ ଆପଣା ଦୟାନୁସାରେ ସେମାନଙ୍କୁ ଉଦ୍ଧାର କଲ।
ନିହିମିୟା 9 : 29 (IRVOR)
ପୁଣି, ସେମାନଙ୍କୁ ପୁନର୍ବାର ଆପଣା ବ୍ୟବସ୍ଥାରୂପ ମାର୍ଗକୁ ଆଣିବା ନିମନ୍ତେ ସେମାନଙ୍କ ଚେତାବନୀ ଦେଲ; ତଥାପି ସେମାନେ ଗର୍ବାଚରଣ କଲେ ଓ ତୁମ୍ଭ ଆଜ୍ଞାରେ କର୍ଣ୍ଣପାତ କଲେ ନାହିଁ, ମାତ୍ର ଯାହା ପାଳନ କଲେ ମନୁଷ୍ୟ ବଞ୍ଚିବ, ତୁମ୍ଭର ସେହି ଶାସନ ବିରୁଦ୍ଧରେ ପାପ କଲେ, ପୁଣି ମନଯୋଗ କଲେ ନାହିଁ ଓ ଆପଣା ଆପଣା ମନ କଠିନ କଲେ ଓ ଶୁଣିବାକୁ ଅସମ୍ମତ ହେଲେ।
ନିହିମିୟା 9 : 30 (IRVOR)
ତଥାପି ବହୁ ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ସେମାନଙ୍କୁ ସହ୍ୟ କଲ ଓ ଆପଣା ଆତ୍ମା ଦ୍ୱାରା ଆପଣା ଭବିଷ୍ୟଦ୍ବକ୍ତାଗଣ ଦେଇ ସେମାନଙ୍କୁ ଚେତାବନୀ ଦେଲ; ମାତ୍ର ସେମାନେ କର୍ଣ୍ଣପାତ କରିବାକୁ ସମ୍ମତ ହେଲେ ନାହିଁ; ଏହେତୁ ତୁମ୍ଭେ ସେମାନଙ୍କୁ ଅନ୍ୟଦେଶୀୟ ଗୋଷ୍ଠୀୟମାନଙ୍କ ହସ୍ତରେ ସମର୍ପଣ କଲ।
ନିହିମିୟା 9 : 31 (IRVOR)
ତଥାପି ତୁମ୍ଭେ ଆପଣା ବହୁବିଧ ଦୟାରେ ସେମାନଙ୍କୁ ନିଃଶେଷ କଲ ନାହିଁ, ଅବା ସେମାନଙ୍କୁ ପରିତ୍ୟାଗ କଲ ନାହିଁ; କାରଣ ତୁମ୍ଭେ କୃପାମୟ ଓ ଦୟାଳୁ ପରମେଶ୍ୱର ଅଟ।
ନିହିମିୟା 9 : 32 (IRVOR)
ଏହେତୁ ହେ ଆମ୍ଭମାନଙ୍କ ପରମେଶ୍ୱର, ମହାନ, ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ୱର, ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ, ଅଶୂରୀୟ ରାଜାଗଣର ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜାଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ ଓ ଆମ୍ଭମାନଙ୍କ ଯାଜକଗଣ ଉପରେ ଓ ଆମ୍ଭମାନଙ୍କ ଭବିଷ୍ୟଦ୍ବକ୍ତାଗଣ ଉପରେ ଓ ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେ ଯେ କ୍ଳେଶ ଘଟିଅଛି, ତାହାସବୁ ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ଦେଖା ନ ଯାଉ।
ନିହିମିୟା 9 : 33 (IRVOR)
ତଥାପି ଆମ୍ଭମାନଙ୍କ ପ୍ରତି ଯାହା ଯାହା ଘଟିଅଛି, ସେସବୁରେ ତୁମ୍ଭେ ଧର୍ମମୟ ଅଟ; କାରଣ ତୁମ୍ଭେ ସତ୍ୟରେ ବ୍ୟବହାର କରିଅଛ, ମାତ୍ର ଆମ୍ଭେମାନେ ଦୁଷ୍କର୍ମ କରିଅଛୁ।
ନିହିମିୟା 9 : 34 (IRVOR)
ପୁଣି, ଆମ୍ଭମାନଙ୍କ ରାଜାଗଣ, ଆମ୍ଭମାନଙ୍କ ଅଧିପତିଗଣ, ଆମ୍ଭମାନଙ୍କ ଯାଜକଗଣ ଅବା ଆମ୍ଭମାନଙ୍କ ପିତୃଗଣ ତୁମ୍ଭ ବ୍ୟବସ୍ଥା ପାଳନ କରି ନାହାନ୍ତି, କିଅବା ତୁମ୍ଭେ ଆପଣାର ଯେଉଁ ଆଜ୍ଞା ଓ ସାକ୍ଷ୍ୟ ଦ୍ୱାରା ସେମାନଙ୍କୁ ଚେତାବନୀ ଦେଲ, ତହିଁରେ କର୍ଣ୍ଣପାତ କରି ନାହାନ୍ତି।
ନିହିମିୟା 9 : 35 (IRVOR)
ଯେଣୁ ସେମାନେ ଆପଣାମାନଙ୍କ ରାଜ୍ୟରେ, ସେମାନଙ୍କୁ ତୁମ୍ଭର ପ୍ରଦତ୍ତ ମହାମଙ୍ଗଳରେ ଓ ସେମାନଙ୍କ ସମ୍ମୁଖରେ ତୁମ୍ଭର ସମର୍ପିତ ପ୍ରଶସ୍ତ ଓ ଉର୍ବର ଦେଶରେ ତୁମ୍ଭର ସେବା କରି ନାହାନ୍ତି, କିଅବା ଆପଣା ଆପଣା ଦୁଷ୍କର୍ମରୁ ଫେରି ନାହାନ୍ତି।
ନିହିମିୟା 9 : 36 (IRVOR)
ଦେଖ, ଆଜି ଆମ୍ଭେମାନେ ଦାସ ହୋଇଅଛୁ! ପୁଣି ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶର ଫଳ ଓ ଉତ୍ତମ ଦ୍ରବ୍ୟ ଭୋଗ କରିବାକୁ ଦେଇଥିଲ, ଦେଖ, ସେହି ଦେଶରେ ଆମ୍ଭେମାନେ ଦାସ ହୋଇଅଛୁ।
ନିହିମିୟା 9 : 37 (IRVOR)
ଆଉ, ଆମ୍ଭମାନଙ୍କ ପାପ ହେତୁରୁ ତୁମ୍ଭେ ଯେଉଁ ରାଜାଗଣକୁ ଆମ୍ଭମାନଙ୍କ ଉପରେ ସ୍ଥାପନ କରିଅଛ, ସେମାନେ ସେହି ଦେଶର ପ୍ରଚୁର ଫଳ ଉତ୍ପନ୍ନ କରି ଭୋଗ କରୁଅଛନ୍ତି; ମଧ୍ୟ ଆମ୍ଭମାନଙ୍କ ଶରୀର ଉପରେ ଓ ଆମ୍ଭମାନଙ୍କ ପଶୁଗଣ ଉପରେ ସେମାନଙ୍କର ସ୍ୱେଚ୍ଛାମତ କ୍ଷମତା ଅଛି, ଆଉ ଆମ୍ଭେମାନେ ମହାକ୍ଳେଶରେ ଅଛୁ;
ନିହିମିୟା 9 : 38 (IRVOR)
ଏସବୁ ଘଟିଲେ ହେଁ ଆମ୍ଭେମାନେ ଏକ ନିଶ୍ଚିତ ନିୟମ କରି ତାହା ଲେଖୁଅଛୁ; ଆଉ, ଆମ୍ଭମାନଙ୍କ ଅଧିପତିମାନେ, ଆମ୍ଭମାନଙ୍କ ଲେବୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମୋହରାଙ୍କିତ କରୁଅଛନ୍ତି।
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38