ନିହିମିୟା 6 : 1 (IRVOR)
ନିହିମୀୟାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ଏଥିଉତ୍ତାରେ ମୁଁ ପ୍ରାଚୀର ଗଢ଼ିଅଛି ଓ ତହିଁ ମଧ୍ୟରେ ଆଉ ଭଗ୍ନସ୍ଥାନ ନାହିଁ, ଏହି ସମ୍ବାଦ ସନ୍‍ବଲ୍ଲଟ୍‍ ଓ ଟୋବୀୟ ଓ ଆରବୀୟ ଗେଶମ୍‍ ଓ ଆମ୍ଭମାନଙ୍କ ଅନ୍ୟାନ୍ୟ ଶତ୍ରୁମାନେ ଜାଣିଲେ; ଏହି ସମୟରେ ମୁଁ ନଗରଦ୍ୱାରସବୁରେ କବାଟ ଝୁଲାଇ ନ ଥିଲି।
ନିହିମିୟା 6 : 2 (IRVOR)
ସେତେବେଳେ ସନ୍‍ବଲ୍ଲଟ୍‍ ଓ ଗେଶମ୍‍ ମୋ’ ନିକଟକୁ ଲୋକ ପଠାଇ କହିଲେ, “ଆସ, ଆମ୍ଭେମାନେ ଓନୋ ପଦାସ୍ଥିତ କୌଣସି ଏକ ଗ୍ରାମରେ ଏକତ୍ରିତ ହେଉ।” ମାତ୍ର ସେମାନେ ମୋହର ଅନିଷ୍ଟ କରିବାକୁ ବିଚାର କରିଥିଲେ।
ନିହିମିୟା 6 : 3 (IRVOR)
ଏଥିରେ ମୁଁ ସେମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲି, “ମୁଁ ଏକ ମହତ୍ କର୍ମ କରୁଅଛି, ଏଥିପାଇଁ ଓହ୍ଲାଇ ଆସି ନ ପାରେ; ତୁମ୍ଭମାନଙ୍କ ନିକଟକୁ ଓହ୍ଲାଇ ଯାଇ କାହିଁକି କାର୍ଯ୍ୟ ବନ୍ଦ କରିବି ?
ନିହିମିୟା 6 : 4 (IRVOR)
ଏହି ପ୍ରକାରେ ସେମାନେ ଚାରି ଥର ମୋ’ ନିକଟକୁ ଲୋକ ପଠାଇଲେ; ମାତ୍ର ମୁଁ ସେମାନଙ୍କୁ ସେହି ପ୍ରକାର ଉତ୍ତର ଦେଲି।
ନିହିମିୟା 6 : 5 (IRVOR)
ଏହାପରେ ସନ୍‍ବଲ୍ଲଟ୍‍ ଆପଣା ଦାସ ହାତରେ ଖଣ୍ଡେ ଖୋଲା ଚିଠି ଦେଇ ପଞ୍ଚମ ଥର ସେହି ପ୍ରକାରେ ମୋ’ ନିକଟକୁ ପଠାଇଲା।
ନିହିମିୟା 6 : 6 (IRVOR)
ତହିଁରେ ଏହା ଲେଖାଥିଲା, “ଗୋଷ୍ଠୀୟମାନଙ୍କ ମଧ୍ୟରେ ଏହି ଜନରବ ହୋଇଅଛି, ମଧ୍ୟ ଗେଶମ୍‍ ଏହା କହୁଅଛି ଯେ, ତୁମ୍ଭେ ଓ ଯିହୁଦୀୟମାନେ ରାଜଦ୍ରୋହ କରିବାକୁ ବିଚାର କରୁଅଛ; ତହିଁ ନିମନ୍ତେ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ; ଏହି ଜନରବ ଅନୁସାରେ ତୁମ୍ଭେ ସେମାନଙ୍କର ରାଜା ହେବାକୁ ଇଚ୍ଛା କରୁଅଛ।
ନିହିମିୟା 6 : 7 (IRVOR)
ଆହୁରି, ଯିହୁଦାରେ ଏକ ରାଜା ଅଛନ୍ତି ବୋଲି ଆପଣା ବିଷୟ ଯିରୂଶାଲମରେ ଘୋଷଣା କରିବା ପାଇଁ ତୁମ୍ଭେ ଭବିଷ୍ୟଦ୍‍ବକ୍ତାମାନଙ୍କୁ ନିଯୁକ୍ତ କରିଅଛ; ଏହି ଜନରବ ରାଜାଙ୍କ ନିକଟରେ ଉପସ୍ଥିତ ହେବ। ଏହେତୁ ଏବେ ଆସ, ଆମ୍ଭେମାନେ ଏକତ୍ର ମନ୍ତ୍ରଣା କରୁ।”
ନିହିମିୟା 6 : 8 (IRVOR)
ତହୁଁ ମୁଁ ତାହା ନିକଟକୁ କହି ପଠାଇଲି, “ତୁମ୍ଭେ ଯାହା କହୁଅଛ, ସେପରି କୌଣସି କାର୍ଯ୍ୟ କରାଯାଉ ନାହିଁ; ତୁମ୍ଭେ କେବଳ ଆପଣା ମନରୁ ତାହାସବୁ କଳ୍ପନା କରୁଅଛ।”
ନିହିମିୟା 6 : 9 (IRVOR)
ଏହି କର୍ମରେ ସେମାନଙ୍କର ହସ୍ତ ଦୁର୍ବଳ ହେଲେ ତାହା ସମାପ୍ତ ନୋହିବ ବୋଲି ସେସମସ୍ତେ ଆମ୍ଭମାନଙ୍କୁ ଭୀତ କରିବାକୁ ଇଚ୍ଛା କଲେ; ଏଣୁ ହେ ପରମେଶ୍ୱର, ମୋହର ହସ୍ତ ସବଳ କର।
ନିହିମିୟା 6 : 10 (IRVOR)
ଏହା ପରେ ମହେଟବେଲର ପୌତ୍ର ଦଲୟିୟର ପୁତ୍ର ଯେଉଁ ଶମୟୀୟ ଗୃହରେ ରୁଦ୍ଧ ଥିଲା, ମୁଁ ତାହା ଗୃହକୁ ଗଲି, ତହୁଁ ସେ କହିଲା, “ଆମ୍ଭେମାନେ ପରମେଶ୍ୱରଙ୍କ ଗୃହରେ, ମନ୍ଦିର ମଧ୍ୟରେ ଏକତ୍ରିତ ହେଉ ଓ ମନ୍ଦିରର ଦ୍ୱାରସବୁ ବନ୍ଦ କରୁ; କାରଣ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ; ରାତ୍ରିରେ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ।”
ନିହିମିୟା 6 : 11 (IRVOR)
ତହିଁରେ ମୁଁ କହିଲି, “ମୋ’ ପରି ଲୋକ କ’ଣ ପଳାଇବ ? ମୋ’ ପରି ହୋଇ ପ୍ରାଣ ବଞ୍ଚାଇବା ପାଇଁ ଯେ ମନ୍ଦିର ଭିତରକୁ ଯିବ, ଏପରି କିଏ ଅଛି ? ମୁଁ ଭିତରକୁ ଯିବି ନାହିଁ।”
ନିହିମିୟା 6 : 12 (IRVOR)
ମାତ୍ର ମୁଁ ଚିହ୍ନିଲି, ଆଉ ଦେଖ, ପରମେଶ୍ୱର ତାହାକୁ ପଠାଇ ନ ଥିଲେ; ତଥାପି ସେ ମୋ’ ବିରୁଦ୍ଧରେ ଏହି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା; ଆଉ, ଟୋବୀୟ ଓ ସନ୍‍ବଲ୍ଲଟ୍‍ ତାହାକୁ ବେତନ ଦେଇଥିଲେ।
ନିହିମିୟା 6 : 13 (IRVOR)
ମୁଁ ଯେପରି ଭୀତ ହେବି ଓ ସେହି କର୍ମ କରି ପାପ କରିବି, ପୁଣି ସେମାନେ ଯେପରି ମୋତେ ତିରସ୍କାର କରିବା ପାଇଁ ମୋହର ଦୁର୍ନାମର କାରଣ ପାଇବେ, ଏହି ଅଭିପ୍ରାୟରେ ତାହାକୁ ବେତନ ଦିଆ ଯାଇଥିଲା।
ନିହିମିୟା 6 : 14 (IRVOR)
ହେ ମୋହର ପରମେଶ୍ୱର, ଟୋବୀୟ ଓ ସନ୍‍ବଲ୍ଲଟ୍‍ର ଏହିସବୁ କର୍ମାନୁସାରେ ସେମାନଙ୍କୁ, ଆଉ ମୋତେ ଭୟଗ୍ରସ୍ତ କରିବାକୁ ଇଚ୍ଛା କଲେ ଯେ ନୋୟଦୀୟା ଭବିଷ୍ୟଦ୍‍ବକ୍ତ୍ରୀ ଓ ଅନ୍ୟାନ୍ୟ ଭବିଷ୍ୟଦ୍‍ବକ୍ତା, ସେମାନଙ୍କୁ ସ୍ମରଣ କର।
ନିହିମିୟା 6 : 15 (IRVOR)
ପ୍ରାଚୀର କାର୍ଯ୍ୟର ସମାପ୍ତି ତହୁଁ ବାବନ ଦିନ ମଧ୍ୟରେ ଇଲୂଲ ମାସର ପଚିଶତମ ଦିନରେ ପ୍ରାଚୀର ସମାପ୍ତ ହେଲା।
ନିହିମିୟା 6 : 16 (IRVOR)
ପୁଣି, ଆମ୍ଭମାନଙ୍କର ଶତ୍ରୁ ସମସ୍ତେ ଏହା ଶୁଣନ୍ତେ, ଏପରି ହେଲା ଯେ, ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ସମସ୍ତେ ଭୀତ ହେଲେ ଓ ଆପଣାମାନଙ୍କ ଦୃଷ୍ଟିରେ ନିତାନ୍ତ ଲଜ୍ଜିତ ହେଲେ, କାରଣ ଏହି କର୍ମ ଯେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଡ଼ୁ ହେଲା, ଏହା ସେମାନେ ବୁଝିଲେ।
ନିହିମିୟା 6 : 17 (IRVOR)
ଆହୁରି, ସେସମୟରେ ଯିହୁଦାର କୁଳୀନମାନେ ଟୋବୀୟ ନିକଟକୁ ଅନେକ ପତ୍ର ପଠାଇଲେ ଓ ଟୋବୀୟର ନାନା ପତ୍ର ସେମାନଙ୍କ ନିକଟକୁ ଆସିଲା।
ନିହିମିୟା 6 : 18 (IRVOR)
କାରଣ, ସେ ଆରହର ପୁତ୍ର ଶଖନୀୟର ଜୁଆଁଇ ହେବାରୁ ଓ ତାହାର ପୁତ୍ର ଯିହୋହାନନ୍‍ ବେରିଖୀୟର ପୁତ୍ର ମଶୁଲ୍ଲମ୍‍ର କନ୍ୟାକୁ ବିବାହ କରିଥିବାରୁ ଯିହୁଦା ମଧ୍ୟରେ ଅନେକେ ତାହା ପକ୍ଷରେ ଶପଥ କରିଥିଲେ।
ନିହିମିୟା 6 : 19 (IRVOR)
ଆହୁରି, ସେମାନେ ତାହାର ଉତ୍ତମ କର୍ମର କଥା ମୋତେ କହିଲେ ଓ ମୋ’ କଥାସବୁ ତାହାକୁ ଜଣାଇଲେ। ଆଉ, ମୋତେ ଭୟଗ୍ରସ୍ତ କରିବା ପାଇଁ ଟୋବୀୟ ନାନା ପତ୍ର ପଠାଇଲା।

1 2 3 4 5 6 7 8 9 10 11 12 13 14 15 16 17 18 19