ଯିରିମିୟଙ୍କ ବିଳାପ 4 : 1 (IRVOR)
ଈଶ୍ୱରଙ୍କ ଲୋକଙ୍କ ଦୁର୍ଗତି ହାୟ, ସୁବର୍ଣ୍ଣ କିପରି ମଳିନ ହୋଇଅଛି ! ଅତ୍ୟନ୍ତ ନିର୍ମଳ ସୁବର୍ଣ୍ଣ କିପରି ବିକୃତ ହୋଇଅଛି ! ପବିତ୍ର ସ୍ଥାନର ପ୍ରସ୍ତରସବୁ ପ୍ରତ୍ୟେକ ଦାଣ୍ଡର ମୁଣ୍ଡରେ ନିକ୍ଷିପ୍ତ ହୋଇଅଛି।
ଯିରିମିୟଙ୍କ ବିଳାପ 4 : 2 (IRVOR)
ହାୟ ! ନିର୍ମଳ ସୁବର୍ଣ୍ଣ ତୁଲ୍ୟ ଯେ ସିୟୋନର ସନ୍ତାନଗଣ, ସେମାନେ କିପରି କୁମ୍ଭାରର ହସ୍ତକୃତ ମୃତ୍ତିକାର କଳସ ତୁଲ୍ୟ ଗଣିତ ହୋଇଅଛନ୍ତି !
ଯିରିମିୟଙ୍କ ବିଳାପ 4 : 3 (IRVOR)
ଶୃଗାଳମାନେ ହିଁ ସ୍ତନ ଦିଅନ୍ତି, ସେମାନେ ଆପଣା ଆପଣା ଛୁଆମାନଙ୍କୁ ଦୁଗ୍ଧପାନ କରାନ୍ତି; ମୋ’ ଲୋକଙ୍କର କନ୍ୟା ପ୍ରାନ୍ତରସ୍ଥ ଉଷ୍ଟ୍ରପକ୍ଷୀ ପରି ନିଷ୍ଠୁରା ହୋଇଅଛି।
ଯିରିମିୟଙ୍କ ବିଳାପ 4 : 4 (IRVOR)
ତୃଷା ହେତୁରୁ ସ୍ତନ୍ୟପାୟୀ ଶିଶୁର ଜିହ୍ୱା ତାଳୁରେ ଲାଗି ଯାଉଅଛି; ବାଳକ ବାଳିକାମାନେ ରୁଟି ମାଗନ୍ତି ଓ କେହି ସେମାନଙ୍କୁ ତାହା ଭାଙ୍ଗି ଦିଏ ନାହିଁ।
ଯିରିମିୟଙ୍କ ବିଳାପ 4 : 5 (IRVOR)
ଯେଉଁମାନେ ସୁଖାଦ୍ୟ ଭୋଜନ କଲେ, ସେମାନେ ଦାଣ୍ଡରେ ଅନାଥ ହୋଇଅଛନ୍ତି; ଯେଉଁମାନେ ସିନ୍ଦୂରବର୍ଣ୍ଣ ବସ୍ତ୍ର ପିନ୍ଧି ପ୍ରତିପାଳିତ ହେଲେ, ସେମାନେ ଖତରାଶି ଅବଲମ୍ବନ କରନ୍ତି।
ଯିରିମିୟଙ୍କ ବିଳାପ 4 : 6 (IRVOR)
କାରଣ ଯେ ଏକ ନିମିଷ ମଧ୍ୟରେ ଉତ୍ପାଟିତ ହେଲା ଓ ଯାହାକୁ କାହାରି ହସ୍ତ ଆକ୍ରମଣ ନ କଲା, ଏପରି ଯେ ସଦୋମ, ତାହାର ପାପ ଅପେକ୍ଷା ମୋ’ ଲୋକଙ୍କ କନ୍ୟାର ଅଧର୍ମ ଅଧିକ ଅଟେ।
ଯିରିମିୟଙ୍କ ବିଳାପ 4 : 7 (IRVOR)
ତାହାର କୁଳୀନ ଲୋକମାନେ* କୁଳୀନ ଲୋକମାନେ ଅର୍ଥାତ୍ ନାଜରତୀୟମାନେ ହିମ ଅପେକ୍ଷା ନିର୍ମଳ, ସେମାନେ ଦୁଗ୍ଧ ଅପେକ୍ଷା ଶୁକ୍ଳ ଥିଲେ, ସେମାନଙ୍କର ଶରୀର ପ୍ରବାଳ ଅପେକ୍ଷା ରକ୍ତବର୍ଣ୍ଣ, ସେମାନଙ୍କର କାନ୍ତି ନୀଳକାନ୍ତ ମଣି ତୁଲ୍ୟ ଥିଲା।
ଯିରିମିୟଙ୍କ ବିଳାପ 4 : 8 (IRVOR)
ସେମାନଙ୍କର ମୁଖ ଅଙ୍ଗାର ଅପେକ୍ଷା କଳା ବର୍ଣ୍ଣ; ସେମାନେ ଦାଣ୍ଡରେ ଚିହ୍ନା ଯା’ନ୍ତି ନାହିଁ; ସେମାନଙ୍କର ଚର୍ମ ଅସ୍ଥିରେ ଲାଗି ରହିଅଛି; ତାହା କାଷ୍ଠ ପରି ଶୁଷ୍କ ହୋଇଅଛି,
ଯିରିମିୟଙ୍କ ବିଳାପ 4 : 9 (IRVOR)
କ୍ଷୁଧାରେ ହତ ହେବା ଲୋକମାନଙ୍କ ଅପେକ୍ଷା ଖଡ୍ଗରେ ହତ ହେବା ଲୋକମାନେ ଭଲ; କାରଣ ଏମାନେ କ୍ଷେତ୍ରୋତ୍ପନ୍ନ ଶସ୍ୟର ଅଭାବରୂପ ଶୂଳରେ ବିଦ୍ଧ ହୋଇ କ୍ଷୟ ପାଆନ୍ତି।
ଯିରିମିୟଙ୍କ ବିଳାପ 4 : 10 (IRVOR)
ସ୍ନେହବତୀ ସ୍ତ୍ରୀଗଣର ହସ୍ତ ଆପଣା ଆପଣା ପିଲାମାନଙ୍କୁ ରାନ୍ଧିଅଛି; ମୋ’ ଲୋକଙ୍କ କନ୍ୟାର ବିନାଶ ସମୟରେ ଶିଶୁମାନେ ସେମାନଙ୍କର ଆହାର ହେଲେ।
ଯିରିମିୟଙ୍କ ବିଳାପ 4 : 11 (IRVOR)
ସଦାପ୍ରଭୁ ଆପଣା କୋପ ସଫଳ କରିଅଛନ୍ତି, ସେ ଆପଣା ପ୍ରଚଣ୍ଡ କ୍ରୋଧ ଢାଳି ଦେଇଅଛନ୍ତି; ପୁଣି, ସେ ସିୟୋନରେ ଅଗ୍ନି ଜ୍ୱଳାଇ ଅଛନ୍ତି ତାହା ତାହାର ଭିତ୍ତିମୂଳ ଗ୍ରାସ କରିଅଛି।
ଯିରିମିୟଙ୍କ ବିଳାପ 4 : 12 (IRVOR)
ବିପକ୍ଷ ଲୋକ ଓ ଶତ୍ରୁ ଯେ ଯିରୂଶାଲମର ଦ୍ୱାର ସମୂହରେ ପ୍ରବେଶ କରିବ, ଏହା ପୃଥିବୀସ୍ଥ ରାଜାଗଣ କିଅବା ଜଗନ୍ନିବାସୀ ସମସ୍ତେ ବିଶ୍ୱାସ କଲେ ନାହିଁ।
ଯିରିମିୟଙ୍କ ବିଳାପ 4 : 13 (IRVOR)
ତହିଁ ମଧ୍ୟରେ ଯେଉଁମାନେ ଧାର୍ମିକଗଣର ରକ୍ତପାତ କରିଅଛନ୍ତି, ସେହି ଭବିଷ୍ୟଦ୍ବକ୍ତାଗଣର ପାପ ଓ ଯାଜକଗଣର ଅଧର୍ମ ସକାଶୁ ଏହା ହୋଇଅଛି।
ଯିରିମିୟଙ୍କ ବିଳାପ 4 : 14 (IRVOR)
ସେମାନେ ଅନ୍ଧ ଲୋକମାନଙ୍କ ପରି ଦାଣ୍ଡରେ ଭ୍ରମଣ କରନ୍ତି, ସେମାନେ ରକ୍ତରେ ଅଶୁଚି ହୋଇଅଛନ୍ତି, ଏଣୁ ଲୋକେ ସେମାନଙ୍କର ବସ୍ତ୍ର ସ୍ପର୍ଶ କରି ନ ପାରନ୍ତି।
ଯିରିମିୟଙ୍କ ବିଳାପ 4 : 15 (IRVOR)
ଲୋକେ ସେମାନଙ୍କୁ ଡାକି କହିଲେ, ହେ ଅଶୁଚି ଲୋକମାନେ, ଦୂର ହୁଅ ! ଦୂର ହୁଅ, ଦୂର ହୁଅ, ସ୍ପର୍ଶ କର ନାହିଁ ! ସେମାନେ ପଳାଇ ଭ୍ରମଣ କଲା ବେଳେ ନାନା ଗୋଷ୍ଠୀ ମଧ୍ୟରୁ ଲୋକେ କହିଲେ, ସେମାନେ ଆଉ ଏଠାରେ ପ୍ରବାସ କରିବେ ନାହିଁ।
ଯିରିମିୟଙ୍କ ବିଳାପ 4 : 16 (IRVOR)
ସଦାପ୍ରଭୁଙ୍କ କ୍ରୋଧ ସେମାନଙ୍କୁ ଛିନ୍ନଭିନ୍ନ କରିଅଛି; ସେ ସେମାନଙ୍କ ପ୍ରତି ଆଉ ଦୃଷ୍ଟିପାତ କରିବେ ନାହିଁ; ସେମାନେ ଯାଜକମାନଙ୍କୁ ଆଦର କଲେ ନାହିଁ, ସେମାନେ ପ୍ରାଚୀନଗଣକୁ ଅନୁଗ୍ରହ କଲେ ନାହିଁ।
ଯିରିମିୟଙ୍କ ବିଳାପ 4 : 17 (IRVOR)
ଏବେ ହେଁ ମିଥ୍ୟା ସାହାଯ୍ୟର ଅପେକ୍ଷାରେ ଆମ୍ଭମାନଙ୍କର ଚକ୍ଷୁ କ୍ଷୀଣ ହୁଅଇ; ଆମ୍ଭେମାନେ ଅପେକ୍ଷାରେ ରହି ରହି ଉଦ୍ଧାର କରିବାକୁ ଅସମର୍ଥ ଗୋଷ୍ଠୀର ଅପେକ୍ଷା କରିଅଛୁ।
ଯିରିମିୟଙ୍କ ବିଳାପ 4 : 18 (IRVOR)
ସେମାନେ ଆମ୍ଭମାନଙ୍କର ପାଦବିକ୍ଷେପ ଛକି ରହିଅଛନ୍ତି, ଆମ୍ଭେମାନେ ଆପଣା ଦାଣ୍ଡରେ ବୁଲି ନ ପାରୁ; ଆମ୍ଭମାନଙ୍କର ଶେଷ ନିକଟ, ଆମ୍ଭମାନଙ୍କର ଆୟୁ ସମ୍ପୂର୍ଣ୍ଣ ହେଲା; କାରଣ ଆମ୍ଭମାନଙ୍କର ଶେଷ କାଳ ଉପସ୍ଥିତ;
ଯିରିମିୟଙ୍କ ବିଳାପ 4 : 19 (IRVOR)
ଆମ୍ଭମାନଙ୍କୁ ଗୋଡ଼ାଇବା ଲୋକମାନେ ଆକାଶର ଉତ୍କ୍ରୋଶ ପକ୍ଷୀ ଅପେକ୍ଷା ବେଗଗାମୀ; ସେମାନେ ପର୍ବତରେ ଆମ୍ଭମାନଙ୍କୁ ଗୋଡ଼ାଇଲେ, ସେମାନେ ଆମ୍ଭମାନଙ୍କୁ ଧରିବା ପାଇଁ ପ୍ରାନ୍ତରରେ ଛକି ବସିଲେ।
ଯିରିମିୟଙ୍କ ବିଳାପ 4 : 20 (IRVOR)
ଆମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ତାହାର ଛାୟା ତଳେ ବଞ୍ଚିବା ବୋଲି ଯାହାର ବିଷୟରେ କହିଲୁ, ଆମ୍ଭମାନଙ୍କ ନାସାର ନିଃଶ୍ୱାସ ସ୍ୱରୂପ, ସଦାପ୍ରଭୁଙ୍କର ସେହି ଅଭିଷିକ୍ତ ଲୋକ ସେମାନଙ୍କ ଗର୍ତ୍ତରେ ଧରାଗଲା।
ଯିରିମିୟଙ୍କ ବିଳାପ 4 : 21 (IRVOR)
ହେ ଊଷ୍ ଦେଶ ନିବାସିନୀ ଇଦୋମର କନ୍ୟେ, ତୁମ୍ଭେ ଆନନ୍ଦ କର ଓ ପୁଲକିତା ହୁଅ; ସେହି ପାନପାତ୍ର ତୁମ୍ଭ ନିକଟକୁ ହିଁ ଯିବ; ତୁମ୍ଭେ ମତ୍ତା ହେବ ଓ ଆପଣାକୁ ଉଲଙ୍ଗିନୀ କରିବ।
ଯିରିମିୟଙ୍କ ବିଳାପ 4 : 22 (IRVOR)
ହେ ସିୟୋନର କନ୍ୟେ, ତୁମ୍ଭ ଅଧର୍ମର ଦଣ୍ଡ ସମ୍ପୂର୍ଣ୍ଣ ହୋଇଅଛି; ସେ ତୁମ୍ଭକୁ ବନ୍ଦୀତ୍ୱ ସ୍ଥାନକୁ ଆଉ ନେଇ ଯିବେ ନାହିଁ; ହେ ଇଦୋମର କନ୍ୟେ, ସେ ତୁମ୍ଭ ଅଧର୍ମର ପ୍ରତିଫଳ ଦେବେ; ସେ ତୁମ୍ଭର ପାପସବୁ ଅନାବୃତ କରିବେ।
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22