ଯିରିମିୟଙ୍କ ବିଳାପ 3 : 1 (IRVOR)
ଶାସ୍ତି, ଅନୁତାପ ଓ ଭରସା ଯେ ତାହାଙ୍କ କ୍ରୋଧରୂପ ପାଞ୍ଚଣ ଦ୍ୱାରା କ୍ଳେଶ ଦେଖିଅଛି, ମୁଁ ସେହି ମନୁଷ୍ୟ।
ଯିରିମିୟଙ୍କ ବିଳାପ 3 : 2 (IRVOR)
ସେ ମୋତେ ଆଲୁଅରେ ନୁହେଁ, ଅନ୍ଧକାରରେ ଚଳାଇ ଅଛନ୍ତି।
ଯିରିମିୟଙ୍କ ବିଳାପ 3 : 3 (IRVOR)
ସେ ନିଶ୍ଚୟ ମୋ’ ବିରୁଦ୍ଧରେ ଦିନସାରା ଆପଣା ହସ୍ତ ପୁନଃ ପୁନଃ ଫେରାଉ ଅଛନ୍ତି।
ଯିରିମିୟଙ୍କ ବିଳାପ 3 : 4 (IRVOR)
ସେ ମୋହର ମାଂସ ଓ ମୋର ଚର୍ମ ଜୀର୍ଣ୍ଣ କରିଅଛନ୍ତି; ସେ ମୋହର ଅସ୍ଥିସବୁ ଭାଙ୍ଗି ପକାଇ ଅଛନ୍ତି।
ଯିରିମିୟଙ୍କ ବିଳାପ 3 : 5 (IRVOR)
ସେ ମୋତେ ଅବରୁଦ୍ଧ କରିଅଛନ୍ତି, ସେ ମୋତେ ତିକ୍ତତା ଓ ଶ୍ରାନ୍ତିରେ ବେଷ୍ଟିତ କରିଅଛନ୍ତି।
ଯିରିମିୟଙ୍କ ବିଳାପ 3 : 6 (IRVOR)
ସେ ବହୁ କାଳରୁ ମୃତ ଲୋକମାନଙ୍କ ତୁଲ୍ୟ ମୋତେ ଅନ୍ଧକାର ସ୍ଥାନରେ ବାସ କରାଇ ଅଛନ୍ତି।
ଯିରିମିୟଙ୍କ ବିଳାପ 3 : 7 (IRVOR)
ସେ ମୋର ଚାରିଆଡ଼େ ସୁରକ୍ଷାର ବାଡ଼ ଦେଇଅଛନ୍ତି, ଯେପରି ମୁଁ ବାହାରି ଯାଇ ନ ପାରେ; ସେ ମୋହର ଜଞ୍ଜିର ଭାରୀ କରିଅଛନ୍ତି।
ଯିରିମିୟଙ୍କ ବିଳାପ 3 : 8 (IRVOR)
ହଁ, ମୁଁ ସାହାଯ୍ୟ ପାଇଁ ଆର୍ତ୍ତସ୍ୱର କଲେ, ସେ ମୋହର ପ୍ରାର୍ଥନା ଅଗ୍ରାହ୍ୟ କରନ୍ତି।
ଯିରିମିୟଙ୍କ ବିଳାପ 3 : 9 (IRVOR)
ସେ କଟା ପଥରରେ ମୋହର ପଥ ଅବରୋଧ କରିଅଛନ୍ତି, ସେ ମୋର ପଥସବୁ ବକ୍ର କରିଅଛନ୍ତି।
ଯିରିମିୟଙ୍କ ବିଳାପ 3 : 10 (IRVOR)
ସେ ମୋ’ ପ୍ରତି ଛକି ବସିଥିବା ଭାଲୁ ଓ ଅନ୍ତରାଳରେ ଥିବା ସିଂହ ପରି ଅଟନ୍ତି।
ଯିରିମିୟଙ୍କ ବିଳାପ 3 : 11 (IRVOR)
ସେ ମୋର ପଥ ବିପଥ କରି ମୋତେ ଟାଣି ଖଣ୍ଡ ଖଣ୍ଡ କରିଅଛନ୍ତି; ସେ ମୋତେ ଅନାଥ କରିଅଛନ୍ତି।
ଯିରିମିୟଙ୍କ ବିଳାପ 3 : 12 (IRVOR)
ସେ ଆପଣା ଧନୁରେ ଗୁଣ ଦେଇଅଛନ୍ତି ଓ ମୋତେ ତୀର ଲକ୍ଷ୍ୟ କରି ରଖିଅଛନ୍ତି।
ଯିରିମିୟଙ୍କ ବିଳାପ 3 : 13 (IRVOR)
ସେ ଆପଣା ତୂଣର ଶର ମୋହର ହୃଦୟରେ ପ୍ରବେଶ କରାଇଅଛନ୍ତି।
ଯିରିମିୟଙ୍କ ବିଳାପ 3 : 14 (IRVOR)
ମୁଁ ନିଜ ଲୋକସକଳର ଉପହାସର ବିଷୟ ଓ ଦିନସାରା ସେମାନଙ୍କର ଗାୟନ ହୋଇଅଛି।
ଯିରିମିୟଙ୍କ ବିଳାପ 3 : 15 (IRVOR)
ସେ ମୋତେ ତିକ୍ତତାରେ ପୂର୍ଣ୍ଣ କରିଅଛନ୍ତି, ସେ ନାଗଦଅଣାରେ ମୋତେ ପୂରିତ କରିଅଛନ୍ତି।
ଯିରିମିୟଙ୍କ ବିଳାପ 3 : 16 (IRVOR)
ଆହୁରି, ସେ କଙ୍କରରେ ମୋର ଦନ୍ତ ଭାଙ୍ଗିଅଛନ୍ତି, ସେ ଭସ୍ମରେ ମୋତେ ଆଚ୍ଛାଦିତ କରିଅଛନ୍ତି।
ଯିରିମିୟଙ୍କ ବିଳାପ 3 : 17 (IRVOR)
ପୁଣି, ତୁମ୍ଭେ ମୋହର ପ୍ରାଣକୁ ଶାନ୍ତିରୁ ଦୂରରେ ରଖିଅଛ; ମୁଁ ଆନନ୍ଦ ପାସୋରି ଯାଇଅଛି।
ଯିରିମିୟଙ୍କ ବିଳାପ 3 : 18 (IRVOR)
ଏଣୁ ମୁଁ କହିଲି, ମୋହର ବଳ ଓ ସଦାପ୍ରଭୁଙ୍କଠାରେ ମୋର ପ୍ରତ୍ୟାଶା ନଷ୍ଟ ହୋଇଅଛି।
ଯିରିମିୟଙ୍କ ବିଳାପ 3 : 19 (IRVOR)
ମୋହର ଦୁଃଖ ଓ ଦୁର୍ଗତି ସ୍ମରଣ କର, ତାହା ନାଗଦଅଣା ଓ ବିଷ ସ୍ୱରୂପ।
ଯିରିମିୟଙ୍କ ବିଳାପ 3 : 20 (IRVOR)
ମୋହର ପ୍ରାଣ ଏପର୍ଯ୍ୟନ୍ତ ତାହା ସ୍ମରଣରେ ରଖୁଅଛି ଓ ମୋ’ ଅନ୍ତରରେ ଅବସନ୍ନ ହେଉଅଛି।
ଯିରିମିୟଙ୍କ ବିଳାପ 3 : 21 (IRVOR)
ମୁଁ ଏହା ମନରେ ସ୍ମରଣ କରୁଥାଏ, ଏଥିପାଇଁ ମୋହର ଭରସା ଅଛି।
ଯିରିମିୟଙ୍କ ବିଳାପ 3 : 22 (IRVOR)
ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇ ନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ।
ଯିରିମିୟଙ୍କ ବିଳାପ 3 : 23 (IRVOR)
ସେହିସବୁ ପ୍ରତି ପ୍ରଭାତରେ ନୂତନ ହୋଇଥାଏ; ଓ ତୁମ୍ଭର ବିଶ୍ୱସ୍ତତା ମହତ୍ ଅଟେ।
ଯିରିମିୟଙ୍କ ବିଳାପ 3 : 24 (IRVOR)
ମୋର ପ୍ରାଣ କୁହେ, ସଦାପ୍ରଭୁ ମୋହର ବାଣ୍ଟସ୍ୱରୂପ; ଏଥିପାଇଁ ମୁଁ ତାହାଙ୍କଠାରେ ଭରସା ରଖିବି।
ଯିରିମିୟଙ୍କ ବିଳାପ 3 : 25 (IRVOR)
ଯେଉଁମାନେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରନ୍ତି, ଯେଉଁ ପ୍ରାଣ ତାହାଙ୍କର ଅନ୍ୱେଷଣ କରେ, ତାହା ପ୍ରତି ସେ ମଙ୍ଗଳମୟ ଅଟନ୍ତି।
ଯିରିମିୟଙ୍କ ବିଳାପ 3 : 26 (IRVOR)
ସଦାପ୍ରଭୁଙ୍କ ପରିତ୍ରାଣର ପ୍ରତ୍ୟାଶା କରି ସୁସ୍ଥିର ଭାବରେ ଅପେକ୍ଷା କରିବାର ମନୁଷ୍ୟର ମଙ୍ଗଳ।
ଯିରିମିୟଙ୍କ ବିଳାପ 3 : 27 (IRVOR)
ଯୌବନ କାଳରେ ଯୁଆଳି ବୋହିବା ମନୁଷ୍ୟ ନିମନ୍ତେ ମଙ୍ଗଳ ଅଟେ।
ଯିରିମିୟଙ୍କ ବିଳାପ 3 : 28 (IRVOR)
ସେ ଏକାକୀ ବସି ନୀରବ ହୋଇ ରହୁ, କାରଣ ସେ ତାହାର ସ୍କନ୍ଧରେ ଯୁଆଳି ରଖି ଅଛନ୍ତି।
ଯିରିମିୟଙ୍କ ବିଳାପ 3 : 29 (IRVOR)
ସେ ଧୂଳିରେ ଆପଣା ମୁଖ ରଖୁ; ତାହାହେଲେ ଅବା ଭରସା ଥାଇପାରେ।
ଯିରିମିୟଙ୍କ ବିଳାପ 3 : 30 (IRVOR)
ଯେ ତାହାକୁ ପ୍ରହାର କରେ, ସେ ତାହାକୁ ଆପଣା ଗାଲ ଦେଖାଇ ଦେଉ; ସେ ପୂର୍ଣ୍ଣ ଅପମାନରେ ପରିପୂର୍ଣ୍ଣ ହେଉ।
ଯିରିମିୟଙ୍କ ବିଳାପ 3 : 31 (IRVOR)
କାରଣ ପ୍ରଭୁ ସଦାକାଳ ପରିତ୍ୟାଗ କରିବେ ନାହିଁ।
ଯିରିମିୟଙ୍କ ବିଳାପ 3 : 32 (IRVOR)
କାରଣ ଯଦ୍ୟପି ସେ ଦୁଃଖ ଘଟାନ୍ତି, ତଥାପି ଆପଣାର ଅପାର ଦୟାନୁସାରେ ସେ କରୁଣା କରିବେ।
ଯିରିମିୟଙ୍କ ବିଳାପ 3 : 33 (IRVOR)
କାରଣ ସେ ମନୁଷ୍ୟ-ସନ୍ତାନଗଣକୁ ସ୍ୱେଚ୍ଛାରେ କ୍ଳେଶ କିଅବା ଦୁଃଖ ଦିଅନ୍ତି ନାହିଁ।
ଯିରିମିୟଙ୍କ ବିଳାପ 3 : 34 (IRVOR)
ପୃଥିବୀର ବନ୍ଦୀସକଳ ପଦ ତଳେ ଦଳିତ ହେବାର,
ଯିରିମିୟଙ୍କ ବିଳାପ 3 : 35 (IRVOR)
ସର୍ବୋପରିସ୍ଥଙ୍କ ସମ୍ମୁଖରେ ମନୁଷ୍ୟର ସତ୍ତ୍ୱ ଅନ୍ୟଥା ହେବାର,
ଯିରିମିୟଙ୍କ ବିଳାପ 3 : 36 (IRVOR)
ମନୁଷ୍ୟର ବିବାଦ ଅଯଥାର୍ଥ ରୂପେ ନିଷ୍ପତ୍ତି ହେବାର, ପ୍ରଭୁ ଭଲ ପାଆନ୍ତି ନାହିଁ।
ଯିରିମିୟଙ୍କ ବିଳାପ 3 : 37 (IRVOR)
ପ୍ରଭୁ ଆଜ୍ଞା ନ କଲେ, ଯେ କଥା କହେ ଓ ତାହା ସିଦ୍ଧ ହୁଏ, ଏପରି କିଏ ଅଛି ?
ଯିରିମିୟଙ୍କ ବିଳାପ 3 : 38 (IRVOR)
ସର୍ବୋପରିସ୍ଥଙ୍କ ମୁଖରୁ ଅମଙ୍ଗଳ ଓ ମଙ୍ଗଳ କି ନିର୍ଗତ ହୁଏ ନାହିଁ ?
ଯିରିମିୟଙ୍କ ବିଳାପ 3 : 39 (IRVOR)
ଜୀବିତ ମନୁଷ୍ୟ କାହିଁକି ଅସନ୍ତୋଷର କଥା କହେ, ଆପଣା ପାପର ଦଣ୍ଡ ସକାଶୁ ମନୁଷ୍ୟ କାହିଁକି ଅସନ୍ତୋଷର କଥା କହେ ?
ଯିରିମିୟଙ୍କ ବିଳାପ 3 : 40 (IRVOR)
ଆମ୍ଭେମାନେ ଆପଣା ଆପଣା ପଥ ଅନୁସନ୍ଧାନ ଓ ପରୀକ୍ଷା କରୁ, ପୁଣି ସଦାପ୍ରଭୁଙ୍କ ପ୍ରତି ଫେରୁ।
ଯିରିମିୟଙ୍କ ବିଳାପ 3 : 41 (IRVOR)
ଆମ୍ଭେମାନେ ସ୍ୱର୍ଗ ନିବାସୀ ପରମେଶ୍ୱରଙ୍କ ଆଡ଼େ କୃତାଞ୍ଜଳିପୂର୍ବକ ଆପଣା ଆପଣା ହୃଦୟ ଉଠାଉ।
ଯିରିମିୟଙ୍କ ବିଳାପ 3 : 42 (IRVOR)
ଆମ୍ଭେମାନେ ଆଜ୍ଞା-ଲଙ୍ଘନ ଓ ବିଦ୍ରୋହାଚରଣ କରିଅଛୁ; ତୁମ୍ଭେ କ୍ଷମା କରି ନାହଁ।
ଯିରିମିୟଙ୍କ ବିଳାପ 3 : 43 (IRVOR)
ତୁମ୍ଭେ କ୍ରୋଧରେ ଆଚ୍ଛନ୍ନ ହୋଇ ଆମ୍ଭମାନଙ୍କ ପଛେ ପଛେ ଗୋଡ଼ାଇଅଛ; ତୁମ୍ଭେ ବଧ କରିଅଛ, ତୁମ୍ଭେ ଦୟା କରି ନାହଁ।
ଯିରିମିୟଙ୍କ ବିଳାପ 3 : 44 (IRVOR)
ଆମ୍ଭମାନଙ୍କର ପ୍ରାର୍ଥନା ଯେପରି ଭେଦ କରି ଯାଇ ନ ପାରେ, ଏଥିପାଇଁ ତୁମ୍ଭେ ଆପଣାକୁ ମେଘରେ ଆଚ୍ଛନ୍ନ କରିଅଛ।
ଯିରିମିୟଙ୍କ ବିଳାପ 3 : 45 (IRVOR)
ତୁମ୍ଭେ ଗୋଷ୍ଠୀଗଣ ମଧ୍ୟରେ ଆମ୍ଭମାନଙ୍କୁ ଝଟା ଅଳିଆ ଓ ଅଗ୍ରାହ୍ୟ ବସ୍ତୁ ତୁଲ୍ୟ କରିଅଛ।
ଯିରିମିୟଙ୍କ ବିଳାପ 3 : 46 (IRVOR)
ଆମ୍ଭମାନଙ୍କର ଶତ୍ରୁ ସମସ୍ତେ ଆମ୍ଭମାନଙ୍କ ବିରୁଦ୍ଧରେ ଆପଣା ଆପଣା ମୁଖ ଫର୍ଚ୍ଚା କରି ମେଲାଇ ଅଛନ୍ତି।
ଯିରିମିୟଙ୍କ ବିଳାପ 3 : 47 (IRVOR)
ତ୍ରାସ ଓ ଖାତ, ଉଜାଡ଼ ଓ ବିନାଶ ଆମ୍ଭମାନଙ୍କ ପ୍ରତି ଘଟିଅଛି।
ଯିରିମିୟଙ୍କ ବିଳାପ 3 : 48 (IRVOR)
ମୋ’ ଲୋକଙ୍କ କନ୍ୟାର ବିନାଶ ସକାଶୁ ମୋ’ ଚକ୍ଷୁରୁ ଜଳଧାରା ବହୁଅଛି।
ଯିରିମିୟଙ୍କ ବିଳାପ 3 : 49 (IRVOR)
ଯେପର୍ଯ୍ୟନ୍ତ ସଦାପ୍ରଭୁ ସ୍ୱର୍ଗରୁ ଅନାଇ ନ ଦେଖନ୍ତି,
ଯିରିମିୟଙ୍କ ବିଳାପ 3 : 50 (IRVOR)
ସେଯାଏ, ମୋର ଚକ୍ଷୁ ଅବିଶ୍ରାନ୍ତ ଅଶ୍ରୁ ବର୍ଷାଉଅଛି, ନିବୃତ୍ତ ହେଉ ନାହିଁ।
ଯିରିମିୟଙ୍କ ବିଳାପ 3 : 51 (IRVOR)
ମୋ’ ନଗରୀର ସକଳ କନ୍ୟାଙ୍କ ସକାଶୁ ମୋହର ଚକ୍ଷୁ ମୋ’ ପ୍ରାଣକୁ ଦୁଃଖ ଆଣେ।
ଯିରିମିୟଙ୍କ ବିଳାପ 3 : 52 (IRVOR)
ବିନା କାରଣରେ ଯେଉଁମାନେ ମୋହର ଶତ୍ରୁ, ସେମାନେ ମୋତେ ପକ୍ଷୀ ପରି ମୃଗୟା କରିଅଛନ୍ତି।
ଯିରିମିୟଙ୍କ ବିଳାପ 3 : 53 (IRVOR)
ସେମାନେ ଗର୍ତ୍ତରେ* ଗର୍ତ୍ତରେ କିମ୍ବା କୂପରେ ମୋର ପ୍ରାଣ ସଂହାର କରି ମୋ’ ଉପରେ ପ୍ରସ୍ତର ପକାଇ ଅଛନ୍ତି।
ଯିରିମିୟଙ୍କ ବିଳାପ 3 : 54 (IRVOR)
ମୋ’ ମସ୍ତକର ଉପର ଦେଇ ଜଳ ବହିଗଲା ମୁଁ କହିଲି, ମୁଁ ଉଚ୍ଛିନ୍ନ ହେଲି।
ଯିରିମିୟଙ୍କ ବିଳାପ 3 : 55 (IRVOR)
ହେ ସଦାପ୍ରଭୁ, ମୁଁ ଗଭୀରତମ କୂପ ମଧ୍ୟରୁ ତୁମ୍ଭ ନାମରେ ପ୍ରାର୍ଥନା କଲି।
ଯିରିମିୟଙ୍କ ବିଳାପ 3 : 56 (IRVOR)
ତୁମ୍ଭେ ମୋହର ରବ ଶୁଣିଲ ମୋର ନିଶ୍ୱାସ, ମୋହର ଆର୍ତ୍ତନାଦ ପ୍ରତି ଆପଣା କର୍ଣ୍ଣ ଲୁଚାଅ ନାହିଁ।
ଯିରିମିୟଙ୍କ ବିଳାପ 3 : 57 (IRVOR)
ଯେଉଁ ଦିନ ମୁଁ ତୁମ୍ଭ ଛାମୁରେ ପ୍ରାର୍ଥନା କଲି, ସେଦିନ ତୁମ୍ଭେ ନିକଟବର୍ତ୍ତୀ ହେଲ; ତୁମ୍ଭେ କହିଲ, ଭୟ କର ନାହିଁ।
ଯିରିମିୟଙ୍କ ବିଳାପ 3 : 58 (IRVOR)
ହେ ପ୍ରଭୁ, ତୁମ୍ଭେ ମୋ’ ପ୍ରାଣର ବିବାଦସକଳର ସପକ୍ଷରେ ପ୍ରତିବାଦ କରିଅଛ; ତୁମ୍ଭେ ମୋହର ଜୀବନ ମୁକ୍ତ କରିଅଛ।
ଯିରିମିୟଙ୍କ ବିଳାପ 3 : 59 (IRVOR)
ହେ ସଦାପ୍ରଭୁ, ମୋ’ ପ୍ରତି କୃତ ଅନ୍ୟାୟ ତୁମ୍ଭେ ଦେଖିଅଛ; ତୁମ୍ଭେ ମୋହର ବିଚାର ନିଷ୍ପତ୍ତି କର।
ଯିରିମିୟଙ୍କ ବିଳାପ 3 : 60 (IRVOR)
ତୁମ୍ଭେ ସେମାନଙ୍କର ପ୍ରତିଶୋଧ ଓ ମୋ’ ବିରୁଦ୍ଧରେ ସେମାନଙ୍କର କୃତ ସଂକଳ୍ପସବୁ ଦେଖିଅଛ।
ଯିରିମିୟଙ୍କ ବିଳାପ 3 : 61 (IRVOR)
ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କ ତିରସ୍କାର ଓ ମୋ’ ବିରୁଦ୍ଧରେ ସେମାନଙ୍କର କୃତ ସଂକଳ୍ପସବୁ ଶୁଣିଅଛ;
ଯିରିମିୟଙ୍କ ବିଳାପ 3 : 62 (IRVOR)
ମୋ’ ବିରୁଦ୍ଧରେ ଉଠିଲା ଲୋକମାନଙ୍କ ଓଷ୍ଠାଧରର କଥା ଓ ଦିନଯାକ ମୋ’ ବିରୁଦ୍ଧରେ ସେମାନଙ୍କ କଳ୍ପନାସବୁ ତୁମ୍ଭେ ଶୁଣିଅଛ।
ଯିରିମିୟଙ୍କ ବିଳାପ 3 : 63 (IRVOR)
ତୁମ୍ଭେ ସେମାନଙ୍କର ବସିବାର ଓ ଉଠିବାର ନିରୀକ୍ଷଣ କର; ମୁଁ ସେମାନଙ୍କର ଗାୟନ ସ୍ୱରୂପ ହୋଇଅଛି।
ଯିରିମିୟଙ୍କ ବିଳାପ 3 : 64 (IRVOR)
ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କ ହସ୍ତକୃତ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବ।
ଯିରିମିୟଙ୍କ ବିଳାପ 3 : 65 (IRVOR)
ତୁମ୍ଭେ ସେମାନଙ୍କୁ ଚିତ୍ତର କଠିନତା, ତୁମ୍ଭର ଅଭିଶାପ ଦେବ।
ଯିରିମିୟଙ୍କ ବିଳାପ 3 : 66 (IRVOR)
ତୁମ୍ଭେ କ୍ରୋଧରେ ସେମାନଙ୍କ ପଛେ ପଛେ ଗୋଡ଼ାଇବ ଓ ସଦାପ୍ରଭୁଙ୍କ ଆକାଶମଣ୍ଡଳର ତଳୁ ସେମାନଙ୍କୁ ଉଚ୍ଛିନ୍ନ କରିବ।
❮
❯