ବିଚାରକର୍ତାମାନଙ୍କ ବିବରଣ 15 : 1 (IRVOR)
{ଶାମ୍ଶୋନ୍ ଦ୍ୱାରା ପଲେଷ୍ଟୀୟମାନେ ପରାସ୍ତ } ମାତ୍ର କିଛି ଦିନ ଉତ୍ତାରେ ଗହମ କଟା ସମୟରେ ଶାମ୍ଶୋନ୍ ଗୋଟିଏ ଛେଳିଛୁଆ ନେଇ ଆପଣା ଭାର୍ଯ୍ୟାକୁ ଦେଖିବା ପାଇଁ ଗଲା; ଆଉ ସେ କହିଲା, ମୁଁ ଅନ୍ତଃପୁରରେ ଭାର୍ଯ୍ୟା ନିକଟକୁ ଯିବି। ମାତ୍ର ତାହାର ପିତା ତାହାକୁ ଭିତରକୁ ଯିବାକୁ ଦେଲା ନାହିଁ।
ବିଚାରକର୍ତାମାନଙ୍କ ବିବରଣ 15 : 2 (IRVOR)
ପୁଣି ତାହାର ପିତା କହିଲା, ମୁଁ ନିଶ୍ଚୟ ବୋଧ କଲି ଯେ, ତୁମ୍ଭେ ତାହାକୁ ନିତାନ୍ତ ଘୃଣା କଲ; ଏଣୁ ମୁଁ ତାହାକୁ ତୁମ୍ଭ ମିତ୍ରକୁ ଦେଲି; ତାହାର ସାନ ଭଉଣୀ କି ତାହାଠାରୁ ସୁନ୍ଦରୀ ନୁହେଁ ? ବିନୟ କରୁଅଛି, ତାହା ବଦଳେ ତାହାକୁ ଗ୍ରହଣ କର।
ବିଚାରକର୍ତାମାନଙ୍କ ବିବରଣ 15 : 3 (IRVOR)
ତହିଁରେ ଶାମ୍ଶୋନ୍ ସେମାନଙ୍କୁ କହିଲା, ଏଥର ମୁଁ ପଲେଷ୍ଟୀୟମାନଙ୍କ ପ୍ରତି ଅନିଷ୍ଟ ବ୍ୟବହାର କଲେ ହେଁ ସେମାନଙ୍କ ବିଷୟରେ ନିର୍ଦ୍ଦୋଷ ହେବି।
ବିଚାରକର୍ତାମାନଙ୍କ ବିବରଣ 15 : 4 (IRVOR)
ତହୁଁ ଶାମ୍ଶୋନ୍ ଯାଇ ତିନି ଶହ ବିଲୁଆ ଧରି ଓ ଦିହୁଡ଼ି ନେଇ ଲାଙ୍ଗୁଳକୁ ଲାଙ୍ଗୁଳ ବାନ୍ଧିଲା, ଆଉ ଦୁଇ ଦୁଇ ଲାଙ୍ଗୁଳ ମଧ୍ୟରେ ଏକ ଏକ ଦିହୁଡ଼ି ଦେଲା।
ବିଚାରକର୍ତାମାନଙ୍କ ବିବରଣ 15 : 5 (IRVOR)
ତହୁଁ ସେ ଦିହୁଡ଼ି ଜଳାଇ ପଲେଷ୍ଟୀୟମାନଙ୍କ ବଢ଼ନ୍ତା ଦ୍ରାକ୍ଷାକ୍ଷେତ୍ର ମଧ୍ୟକୁ ସେମାନଙ୍କୁ ଛାଡ଼ିଦେଲା, ପୁଣି କଳେଇବିଡ଼ା ଓ ବଢ଼ନ୍ତା ଶସ୍ୟ ଉଭୟ ଓ ମଧ୍ୟ ଜୀତକ୍ଷେତ୍ରସବୁ ପୋଡ଼ି ପକାଇଲା।
ବିଚାରକର୍ତାମାନଙ୍କ ବିବରଣ 15 : 6 (IRVOR)
ସେତେବେଳେ ପଲେଷ୍ଟୀୟମାନେ ପଚାରିଲେ, ଏହା କିଏ କରିଅଛି ? ତହିଁରେ ଲୋକମାନେ କହିଲେ, ତିମ୍ନୀୟର ଜୁଆଁଇ ଶାମ୍ଶୋନ୍, ଯେହେତୁ ସେ ତାହାର ଭାର୍ଯ୍ୟାକୁ ନେଇ ତାହାର ମିତ୍ରକୁ ଦେଲା। ଏଥିରେ ପଲେଷ୍ଟୀୟମାନେ ଆସି ସେହି ସ୍ତ୍ରୀକୁ ଓ ତାହାର ପିତାକୁ ଅଗ୍ନିରେ ଦଗ୍ଧ କଲେ।
ବିଚାରକର୍ତାମାନଙ୍କ ବିବରଣ 15 : 7 (IRVOR)
ତହୁଁ ଶାମ୍ଶୋନ୍ ସେମାନଙ୍କୁ କହିଲା, ଯେବେ ତୁମ୍ଭେମାନେ ଏପରି କଲ, ତେବେ ଅବଶ୍ୟ ମୁଁ ତହିଁର ପରିଶୋଧ ନେବି ଓ ତହିଁ ଉତ୍ତାରେ କ୍ଷାନ୍ତ ହେବି।
ବିଚାରକର୍ତାମାନଙ୍କ ବିବରଣ 15 : 8 (IRVOR)
ଏଣୁ ସେ ମହାସଂହାରରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କଲା; ତହୁଁ ସେ ଯାଇ ଐଟମ୍ ଶୈଳର ସୁଡ଼ଙ୍ଗରେ ବାସ କଲା।
ବିଚାରକର୍ତାମାନଙ୍କ ବିବରଣ 15 : 9 (IRVOR)
ତେଣୁ ପଲେଷ୍ଟୀୟମାନେ ଉପରକୁ ଯାଇ ଯିହୁଦା ଦେଶରେ ଛାଉଣି ସ୍ଥାପନ କରି ଲିହୀରେ ବ୍ୟାପି ରହିଲେ।
ବିଚାରକର୍ତାମାନଙ୍କ ବିବରଣ 15 : 10 (IRVOR)
ତହିଁରେ ଯିହୁଦାର ଲୋକମାନେ ପଚାରିଲେ, ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କ ବିରୁଦ୍ଧରେ ଆସିଅଛ ? ସେମାନେ କହିଲେ, ଶାମ୍ଶୋନ୍କୁ ବାନ୍ଧି ସେ ଯେପରି ଆମ୍ଭମାନଙ୍କ ପ୍ରତି କରିଅଛି, ସେପରି ଆମ୍ଭେମାନେ ତାହା ପ୍ରତି କରିବାକୁ ଆସିଅଛୁ।
ବିଚାରକର୍ତାମାନଙ୍କ ବିବରଣ 15 : 11 (IRVOR)
ଏଥିରେ ଯିହୁଦାର ତିନି ହଜାର ଲୋକ ଐଟମ୍ ଶୈଳର ସୁଡ଼ଙ୍ଗକୁ ଯାଇ ଶାମ୍ଶୋନ୍କୁ କହିଲେ, ପଲେଷ୍ଟୀୟମାନେ ଯେ ଆମ୍ଭମାନଙ୍କ କର୍ତ୍ତା ଅଟନ୍ତି, ଏହା କି ତୁମ୍ଭେ ଜାଣ ନାହିଁ ? ତେବେ ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ ? ପୁଣି ସେ ସେମାନଙ୍କୁ କହିଲା, ସେମାନେ ମୋ’ ପ୍ରତି ଯେପରି କଲେ, ମୁଁ ସେପରି ସେମାନଙ୍କୁ କଲି।
ବିଚାରକର୍ତାମାନଙ୍କ ବିବରଣ 15 : 12 (IRVOR)
ତହିଁରେ ସେମାନେ ତାହାକୁ କହିଲେ, ପଲେଷ୍ଟୀୟମାନଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା ପାଇଁ ଆମ୍ଭେମାନେ ତୁମ୍ଭକୁ ବାନ୍ଧିବାକୁ ଆସିଅଛୁ। ତହୁଁ ଶାମ୍ଶୋନ୍ ସେମାନଙ୍କୁ କହିଲା, ତୁମ୍ଭେମାନେ ନିଜେ ମୋତେ ଆକ୍ରମଣ ନ କରିବ ବୋଲି ଶପଥ କର।
ବିଚାରକର୍ତାମାନଙ୍କ ବିବରଣ 15 : 13 (IRVOR)
ପୁଣି ସେମାନେ ତାହାକୁ କହିଲେ, ନା; କିନ୍ତୁ ଆମ୍ଭେମାନେ ତୁମ୍ଭକୁ ଦୃଢ଼ ରୂପେ ବାନ୍ଧି ସେମାନଙ୍କ ହସ୍ତରେ ସମର୍ପଣ କରିବୁ; ମାତ୍ର ଆମ୍ଭେମାନେ କେବେ ତୁମ୍ଭକୁ ବଧ କରିବୁ ନାହିଁ। ତହୁଁ ସେମାନେ ତାହାକୁ ଦୁଇ ନୂଆ ଦଉଡ଼ିରେ ବାନ୍ଧି ଶୈଳ ଉପରୁ ତାହାକୁ ଆଣିଲେ।
ବିଚାରକର୍ତାମାନଙ୍କ ବିବରଣ 15 : 14 (IRVOR)
ସେ ଲିହୀରେ ଉପସ୍ଥିତ ହୁଅନ୍ତେ, ପଲେଷ୍ଟୀୟମାନେ ତାହାକୁ ଭେଟି ଜୟଧ୍ୱନି କଲେ; ତହୁଁ ସଦାପ୍ରଭୁଙ୍କ ଆତ୍ମା ଶକ୍ତିର ସହ ଶାମ୍ଶୋନ୍ ଉପରେ ଆସିବା କ୍ଷଣି, ତହିଁରେ ତାହାର ବାହୁରେ ଥିବା ଦଉଡ଼ି ଅଗ୍ନିଦଗ୍ଧ ଛଣପଟ ପରି ହେଲା, ଆଉ ତାହା ହାତରୁ ବନ୍ଧନ ଖସି ପଡ଼ିଲା।
ବିଚାରକର୍ତାମାନଙ୍କ ବିବରଣ 15 : 15 (IRVOR)
ସେତେବେଳେ ସେ ଗର୍ଦ୍ଦଭର ଗୋଟିଏ କଞ୍ଚା ଥୋମଣି ପାଇ ହାତ ବଢ଼ାଇ ତାହା ନେଲା ଓ ତଦ୍ଦ୍ୱାରା ଏକ ହଜାର ଲୋକଙ୍କୁ ବଧ କଲା।
ବିଚାରକର୍ତାମାନଙ୍କ ବିବରଣ 15 : 16 (IRVOR)
ତହୁଁ ଶାମ୍ଶୋନ୍ କହିଲା:- “ଗଧ ଥୋମଣିରେ ହେଲେ ଗଦା ଗଦା, ଗଧ ଥୋମଣିରେ କଲି ହଜାର ଲୋକ ପଦା।”
ବିଚାରକର୍ତାମାନଙ୍କ ବିବରଣ 15 : 17 (IRVOR)
ଏହା କହିବାର ଶେଷ କଲା ଉତ୍ତାରେ ସେ ଆପଣା ହସ୍ତରୁ ଗଧ ଥୋମଣି ପକାଇଦେଲା; ପୁଣି ସେହି ସ୍ଥାନର ନାମ ରାମତ୍-ଲିହୀ* ଅର୍ଥାତ୍ ଥୋମଣି-ଗିରି ହେଲା।
ବିଚାରକର୍ତାମାନଙ୍କ ବିବରଣ 15 : 18 (IRVOR)
ଏଥିଉତ୍ତାରେ ସେ ଅତି ତୃଷାର୍ତ୍ତ ହୋଇ ସଦାପ୍ରଭୁଙ୍କୁ ଡାକି କହିଲା, ତୁମ୍ଭେ ଆପଣା ଦାସର ହସ୍ତ ଦ୍ୱାରା ଏହି ମହାଉଦ୍ଧାର ସାଧନ କରିଅଛ; ଏବେ ମୁଁ ତୃଷ୍ଣାରେ ମରିବି ଓ ଏହି ଅସୁନ୍ନତମାନଙ୍କ ହସ୍ତରେ ପଡ଼ିବି।
ବିଚାରକର୍ତାମାନଙ୍କ ବିବରଣ 15 : 19 (IRVOR)
ତହିଁରେ ପରମେଶ୍ୱର ଲିହୀସ୍ଥିତ ଏକ ଖାଲ ବିଦୀର୍ଣ୍ଣ କରନ୍ତେ, ତହିଁରୁ ଜଳ ନିର୍ଗତ ହେଲା, ପୁଣି ସେ ତାହା ପାନ କରନ୍ତେ, ତାହାର ଆତ୍ମା ଫେରି ଆସିଲା ଓ ସେ ସଚେତନ ହେଲା; ଏହେତୁ ସେହି ସ୍ଥାନର ନାମ ଐନ୍-ହକ୍କୋରୀ† ଅର୍ଥାତ୍ ଡାକିଲା ଲୋକର ଝର ଦେଲା, ତାହା ଆଜି ପର୍ଯ୍ୟନ୍ତ ଲିହୀରେ ଅଛି।
ବିଚାରକର୍ତାମାନଙ୍କ ବିବରଣ 15 : 20 (IRVOR)
ଆଉ ସେ ପଲେଷ୍ଟୀୟମାନଙ୍କ ସମୟରେ କୋଡ଼ିଏ ବର୍ଷ ଇସ୍ରାଏଲର ବିଚାର କଲା।
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20