ଯିରିମିୟ 49 : 1 (IRVOR)
ଅମ୍ମୋନର ବିଚାର ଅମ୍ମୋନ ସନ୍ତାନଗଣର ବିଷୟ। ସଦାପ୍ରଭୁ ଏହି କଥା କହନ୍ତି, “ଇସ୍ରାଏଲର କି ପୁତ୍ର ନାହିଁ ? ତାହାର ଉତ୍ତରାଧିକାରୀ କି କେହି ନାହିଁ ? ତେବେ ମିଲ୍‍କମ୍‍ କାହିଁକି ଗାଦ୍‍ର ଭୂମି ଅଧିକାର କରୁଅଛି ଓ ତାହାର ଲୋକମାନେ ତହିଁର ନଗରସମୂହରେ ବାସ କରୁଅଛନ୍ତି ?”
ଯିରିମିୟ 49 : 2 (IRVOR)
ଏହେତୁ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ଆମ୍ଭେ ଅମ୍ମୋନ ସନ୍ତାନଗଣର ରବ୍ବା ନଗର ବିରୁଦ୍ଧରେ ଯୁଦ୍ଧର ଭୟ ଧ୍ୱନି ଶୁଣାଇବା, ଏପରି ସମୟ ଆସୁଅଛି; ଆଉ, ତାହା ନରଶୂନ୍ୟ ଢିପି ହେବ ଓ ତାହାର କନ୍ୟାଗଣ ଅଗ୍ନିରେ ଦଗ୍ଧ କରାଯିବେ; ତହିଁରେ ଯେଉଁମାନେ ଇସ୍ରାଏଲ ଉପରେ ଅଧିକାର କରିଥିଲେ, ସେ ସେମାନଙ୍କ ଉପରେ ଅଧିକାର କରିବ,” ଏହା ସଦାପ୍ରଭୁ କହନ୍ତି।
ଯିରିମିୟ 49 : 3 (IRVOR)
“ହେ ହିଷ୍‍ବୋନ, ହାହାକାର କର, କାରଣ ଅୟ ଉଚ୍ଛିନ୍ନ ହେଲା! ହେ ରବ୍ବାର କନ୍ୟାଗଣ, କ୍ରନ୍ଦନ କର, ଚଟବସ୍ତ୍ର ପରିଧାନ କର; ବିଳାପ କର, ପ୍ରାଚୀର ମଧ୍ୟରେ ଏଣେତେଣେ ଦୌଡ଼; କାରଣ ମିଲ୍‍କମ୍‍, ତାହାର ଯାଜକଗଣ ଓ ଅଧିପତିଗଣ ଏକତ୍ର ବନ୍ଦୀ ହୋଇଯିବେ।
ଯିରିମିୟ 49 : 4 (IRVOR)
ଗୋ ବିପଥଗାମିନୀ କନ୍ୟେ, ତୁମ୍ଭେ କାହିଁକି ତଳଭୂମି ସବୁରେ, ଆପଣା ପ୍ରବାହଶୀଳ ତଳଭୂମିରେ ଦର୍ପ କରୁଅଛ ? ତୁମ୍ଭେ ଆପଣା ଧନ ସମ୍ପତ୍ତିରେ ନିର୍ଭର କରି କହୁଅଛ, ମୋ’ ନିକଟକୁ କିଏ ଆସିବ ?”
ଯିରିମିୟ 49 : 5 (IRVOR)
ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ତୁମ୍ଭର ଚତୁର୍ଦ୍ଦିଗସ୍ଥିତ ସବୁରୁ ତୁମ୍ଭ ପ୍ରତି ଭୟ ଘଟାଇବା; ତହିଁରେ ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥରେ ତାଡ଼ିତ ହେବ, ପୁଣି ଯେଉଁ ଜନ ପଥ ହୁଡ଼େ, ତାହାକୁ ସଂଗ୍ରହ କରିବା ପାଇଁ କେହି ନ ଥିବ।”
ଯିରିମିୟ 49 : 6 (IRVOR)
ତଥାପି ସଦାପ୍ରଭୁ କହନ୍ତି, “ଏଥିଉତ୍ତାରେ ଆମ୍ଭେ ଅମ୍ମୋନ ସନ୍ତାନଗଣକୁ ବନ୍ଦୀତ୍ୱାବସ୍ଥାରୁ ପୁନର୍ବାର ଫେରାଇ ଆଣିବା।”
ଯିରିମିୟ 49 : 7 (IRVOR)
ଇଦୋମର ବିଚାର ଇଦୋମର ବିଷୟ। ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୈମନ୍‍ରେ କି ଆଉ ଜ୍ଞାନ ନାହିଁ ? ବୁଦ୍ଧିମାନମାନଙ୍କଠାରୁ କି ପରାମର୍ଶ ଲୁପ୍ତ ହୋଇଅଛି ? ସେମାନଙ୍କର ଜ୍ଞାନ କି ଅନ୍ତର୍ହିତ ହୋଇଅଛି ?
ଯିରିମିୟ 49 : 8 (IRVOR)
ହେ ଦଦାନ୍‍ ନିବାସୀଗଣ, ତୁମ୍ଭେମାନେ ପଳାଅ, ମୁଖ ଫେରାଅ, ଗଭୀର ସ୍ଥାନରେ ବାସ କର; କାରଣ ଆମ୍ଭେ ତାହା ଉପରେ ଏଷୌର ବିପଦ, ତାହାକୁ ପ୍ରତିଫଳ ଦେବାର ସମୟ ଆଣିବା।
ଯିରିମିୟ 49 : 9 (IRVOR)
ଦ୍ରାକ୍ଷାଫଳ ସଂଗ୍ରହକାରୀମାନେ ତୁମ୍ଭ ନିକଟକୁ ଆସିଲେ, ସେମାନେ କି ସାଉଣ୍ଟିବା ପାଇଁ କିଛି ଫଳ ଛାଡ଼ିବେ ନାହିଁ ? ଯଦି ଚୋରମାନେ ରାତ୍ରିରେ ଆସିବେ, ତେବେ ସେମାନେ ଯଥେଷ୍ଟ ପାଇବା ପର୍ଯ୍ୟନ୍ତ କି କ୍ଷତି କରିବେ ନାହିଁ ?
ଯିରିମିୟ 49 : 10 (IRVOR)
ମାତ୍ର ଆମ୍ଭେ ଏଷୌକୁ ଶୂନ୍ୟ କରିଅଛୁ, ତାହାର ଗୁପ୍ତ ସ୍ଥାନ ସବୁ ଅନାବୃତ କରିଅଛୁ ଓ ସେ ଆପଣାକୁ ଲୁଚାଇ ପାରିବ ନାହିଁ; ତାହାର ବଂଶ, ତାହାର ଭ୍ରାତୃଗଣ ଓ ତାହାର ପ୍ରତିବାସୀଗଣ ବିନଷ୍ଟ ହୋଇଅଛନ୍ତି ଓ ସେ ନାହିଁ।
ଯିରିମିୟ 49 : 11 (IRVOR)
ତୁମ୍ଭେ ଆପଣା ପିତୃହୀନ ସନ୍ତାନଗଣକୁ ଛାଡ଼, ଆମ୍ଭେ ସେମାନଙ୍କୁ ଜୀବନରେ ରକ୍ଷା କରିବା ଓ ତୁମ୍ଭର ବିଧବାମାନେ ଆମ୍ଭଠାରେ ବିଶ୍ୱାସ କରନ୍ତୁ।”
ଯିରିମିୟ 49 : 12 (IRVOR)
କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଯେଉଁମାନଙ୍କର ସେହି ପାତ୍ରରେ ପାନ କରିବାର ସମ୍ପର୍କ ନାହିଁ, ସେମାନେ ନିତାନ୍ତ ତହିଁରେ ପାନ କରିବେ, ତେବେ ତୁମ୍ଭେ କି ସର୍ବତୋଭାବେ ଅଦଣ୍ଡିତ ହେବ ? ତୁମ୍ଭେ ଅଦଣ୍ଡିତ ହେବ ନାହିଁ, ମାତ୍ର ନିଶ୍ଚୟ ପାନ କରିବ।”
ଯିରିମିୟ 49 : 13 (IRVOR)
କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଜ ନାମରେ ଶପଥ କରିଅଛୁ ଯେ, ବସ୍ରା ବିସ୍ମୟର, ନିନ୍ଦାର, ଉତ୍ସନ୍ନତାର ଓ ଅଭିଶାପର ପାତ୍ର ହେବ ଓ ତହିଁର ନଗରସବୁ ଚିରକାଳ ଉତ୍ସନ୍ନ ସ୍ଥାନ ହେବ।”
ଯିରିମିୟ 49 : 14 (IRVOR)
ମୁଁ ସଦାପ୍ରଭୁଙ୍କଠାରୁ ସମ୍ବାଦ ଶୁଣିଅଛି, ପୁଣି ଗୋଷ୍ଠୀଗଣ ମଧ୍ୟରେ ଏହି କଥା କହିବା ପାଇଁ ଜଣେ ଦୂତ ପ୍ରେରିତ ହୋଇଅଛି, ଯଥା, ତୁମ୍ଭେମାନେ ଏକତ୍ରିତ ହୋଇ ତାହା ବିରୁଦ୍ଧରେ ଆସ ଓ ଯୁଦ୍ଧ କରିବାକୁ ଉଠ।
ଯିରିମିୟ 49 : 15 (IRVOR)
କାରଣ ଦେଖ, ଆମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭକୁ କ୍ଷୁଦ୍ର ଓ ମନୁଷ୍ୟମାନଙ୍କ ମଧ୍ୟରେ ଅବଜ୍ଞାତ କରିଅଛୁ।
ଯିରିମିୟ 49 : 16 (IRVOR)
“ଗୋ ଶୈଳଛିଦ୍ର ନିବାସିନୀ, ହେ ପର୍ବତ ଶୃଙ୍ଗ ଅବଲମ୍ବିନୀ, ତୁମ୍ଭର ଭୟଙ୍କରତା ବିଷୟରେ, ତୁମ୍ଭ ଅନ୍ତଃକରଣର ଅହଙ୍କାର ତୁମ୍ଭକୁ ବଞ୍ଚନା କରିଅଛି; ଯଦ୍ୟପି ତୁମ୍ଭେ ଉତ୍କ୍ରୋଶ ପକ୍ଷୀ ପରି ଉଚ୍ଚ ସ୍ଥାନରେ ବସା କରିବ, ତଥାପି ଆମ୍ଭେ ତୁମ୍ଭକୁ ସେଠାରୁ ଓହ୍ଳାଇ ଆଣିବା,” ଏହା ସଦାପ୍ରଭୁ କହନ୍ତି।
ଯିରିମିୟ 49 : 17 (IRVOR)
ପୁଣି, ଇଦୋମ ବିସ୍ମୟର ବିଷୟ ହେବ; ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ବିସ୍ମିତ ହେବେ ଓ ତହିଁର ସକଳ ଦଣ୍ଡ ସକାଶୁ ଶୀସ୍‍ ଶବ୍ଦ କରିବେ।
ଯିରିମିୟ 49 : 18 (IRVOR)
ସଦାପ୍ରଭୁ କହନ୍ତି, “ସଦୋମ ଓ ହମୋରାର ଓ ତନ୍ନିକଟବର୍ତ୍ତୀ ନଗରସମୂହ ସଦୃଶ୍ୟ ତାହାର ଉତ୍ପାଟନ ହେବ, କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ; କିଅବା କୌଣସି ମନୁଷ୍ୟ ସନ୍ତାନ ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।
ଯିରିମିୟ 49 : 19 (IRVOR)
ଦେଖ, ସେ ଦୃଢ଼ ନିବାସ ସ୍ଥାନ ବିରୁଦ୍ଧରେ ସିଂହ ପରି ଯର୍ଦ୍ଦନର ଦର୍ପ ସ୍ଥାନରୁ ଉଠି ଆସିବ; ମାତ୍ର ଆମ୍ଭେ ହଠାତ୍ ତାହା ନିକଟରୁ ତାହାକୁ ଦୂର କରିଦେବା; ଆଉ, ମନୋନୀତ ଯେଉଁ ଲୋକ, ତାହା ଉପରେ ଆମ୍ଭେ ତାହାକୁ ନିଯୁକ୍ତ କରିବା; କାରଣ ଆମ୍ଭ ପରି କିଏ ଅଛି ? ଆମ୍ଭ ପାଇଁ କିଏ ସମୟ ନିରୂପଣ କରିବ ଓ ଆମ୍ଭ ସମ୍ମୁଖରେ ଯେ ଠିଆ ହୋଇପାରେ, ଏପରି ପାଳକ କିଏ ଅଛି ?
ଯିରିମିୟ 49 : 20 (IRVOR)
ଏହେତୁ ସଦାପ୍ରଭୁ ଇଦୋମର ବିରୁଦ୍ଧରେ ଯେଉଁ ମନ୍ତ୍ରଣା ଓ ତୈମନ୍‍ ନିବାସୀମାନଙ୍କ ବିରୁଦ୍ଧରେ ଯେଉଁ ସଂକଳ୍ପ କରିଅଛନ୍ତି, ତାହା ଶୁଣ, ଲୋକମାନେ ନିଶ୍ଚୟ ସେମାନଙ୍କୁ, ପଲର ଛୁଆମାନଙ୍କୁ ହିଁ ଟାଣି ନେଇଯିବେ; ସେ ନିଶ୍ଚୟ ସେମାନଙ୍କ ନିବାସ ସ୍ଥାନ ସହିତ ସେମାନଙ୍କୁ ଉତ୍ସନ୍ନ କରିବ।
ଯିରିମିୟ 49 : 21 (IRVOR)
ସେମାନଙ୍କର ପତନ ଶବ୍ଦରେ ପୃଥିବୀ କମ୍ପୁଅଛି, ସୂଫ ସାଗର ପର୍ଯ୍ୟନ୍ତ କ୍ରନ୍ଦନର ଶବ୍ଦ ଶୁଣାଯାଉଅଛି।
ଯିରିମିୟ 49 : 22 (IRVOR)
ଦେଖ, ସେ ଉତ୍କ୍ରୋଶ ପକ୍ଷୀ ପରି ଉଠି ଉଡ଼ି ଆସିବ ଓ ବସ୍ରା ଉପରେ ଆପଣା ପକ୍ଷ ବିସ୍ତାର କରିବ; ପୁଣି, ସେସମୟରେ ଇଦୋମର ବୀର ପୁରୁଷମାନଙ୍କ ଅନ୍ତଃକରଣ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀର ଅନ୍ତଃକରଣର ସମାନ ହେବ।”
ଯିରିମିୟ 49 : 23 (IRVOR)
ଦମ୍ମେଶକର ବିଚାର ଦମ୍ମେଶକର ବିଷୟ। “ହମାତ୍‍ ଓ ଅର୍ପଦ ଲଜ୍ଜିତ ହେଉଅଛନ୍ତି, କାରଣ ସେମାନେ ଅମଙ୍ଗଳର ବାର୍ତ୍ତା ଶୁଣିଅଛନ୍ତି, ସେମାନେ ତରଳି ଯାଇଅଛନ୍ତି; ସମୁଦ୍ରରେ ଉଦ୍‍ବେଗ ଦେଖା ଯାଉଅଛି, ତାହା ସୁସ୍ଥିର ହୋଇ ନ ପାରେ।
ଯିରିମିୟ 49 : 24 (IRVOR)
ଦମ୍ମେଶକ କ୍ଷୀଣବଳ ହୋଇଅଛି, ସେ ପଳାଇବା ପାଇଁ ଫେରୁଅଛି, କମ୍ପନ ତାହାକୁ ଆକ୍ରାନ୍ତ କରିଅଛି; ଯେପରି ପ୍ରସବ କାଳରେ ସ୍ତ୍ରୀଲୋକକୁ, ସେପରି ତାହାକୁ ଯନ୍ତ୍ରଣା ଓ ଦୁଃଖ ଧରିଅଛି।
ଯିରିମିୟ 49 : 25 (IRVOR)
ଏହି ପ୍ରଶଂସିତ ନଗର ଓ ଆମ୍ଭର ଆନନ୍ଦଜନକ ନଗର କାହିଁକି ପରିତ୍ୟକ୍ତ ହୋଇ ନାହିଁ ?”
ଯିରିମିୟ 49 : 26 (IRVOR)
ଏହେତୁ ସଦାପ୍ରଭୁ କହନ୍ତି, “ସେଦିନରେ ତାହାର ଯୁବକଗଣ ତାହାର ରାଜଦାଣ୍ଡରେ ପତିତ ହେବେ ଓ ସମସ୍ତ ଯୋଦ୍ଧା ନିସ୍ତବ୍ଧ କରାଯିବେ।
ଯିରିମିୟ 49 : 27 (IRVOR)
ପୁଣି, ଆମ୍ଭେ ଦମ୍ମେଶକର ପ୍ରାଚୀରରେ ଅଗ୍ନି ଲଗାଇବା, ତହିଁରେ ତାହା ବିନ୍‍ହଦଦ୍‍ର ଅଟ୍ଟାଳିକାସବୁ ଗ୍ରାସ କରିବ।”
ଯିରିମିୟ 49 : 28 (IRVOR)
କେଦର ଓ ହାସୋରର ବିଚାର ବାବିଲର ରାଜା ନବୂଖଦ୍‍ନିତ୍ସର ଦ୍ୱାରା ପରାଜିତ କେଦାରର ଓ ହାସୋର ରାଜ୍ୟସମୂହର ବିଷୟ। ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଉଠି କେଦାରକୁ ଯାଅ ଓ ପୂର୍ବଦେଶୀୟ ସନ୍ତାନଗଣର ସର୍ବସ୍ୱ ହରଣ କର।
ଯିରିମିୟ 49 : 29 (IRVOR)
ଲୋକମାନେ ସେମାନଙ୍କର ତମ୍ବୁ ଓ ପଶୁପଲସବୁ ନେଇଯିବେ; ସେମାନଙ୍କର ଯବନିକା ଓ ସେମାନଙ୍କର ଯାବତୀୟ ପାତ୍ର ଓ ଓଟଗଣକୁ ସେମାନେ ଆପଣାମାନଙ୍କ ନିମନ୍ତେ ନେଇଯିବେ, ଆଉ ‘ଚତୁର୍ଦ୍ଦିଗରେ ଆଶଙ୍କା’ ବୋଲି ଉଚ୍ଚ ସ୍ୱରରେ ସେମାନଙ୍କୁ କହିବେ।”
ଯିରିମିୟ 49 : 30 (IRVOR)
ସଦାପ୍ରଭୁ କହନ୍ତି, “ହେ ହାସୋର ନିବାସୀମାନେ, ପଳାୟନ କର, ଦୂରରେ ଭ୍ରମଣ କର, ଗଭୀର ସ୍ଥାନରେ ବାସ କର; କାରଣ ବାବିଲର ରାଜା ନବୂଖଦ୍‍ନିତ୍ସର ତୁମ୍ଭମାନଙ୍କ ବିରୁଦ୍ଧରେ ମନ୍ତ୍ରଣା କରିଅଛି ଓ ତୁମ୍ଭମାନଙ୍କ ବିରୁଦ୍ଧରେ ଗୋଟିଏ ସଂକଳ୍ପ ସ୍ଥିର କରିଅଛି।”
ଯିରିମିୟ 49 : 31 (IRVOR)
ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଉଠ, ଯେଉଁ ଗୋଷ୍ଠୀ କବାଟ ଓ ହୁଡ଼ୁକାବିହୀନ ହୋଇ ନିରାପଦରେ ଓ ନିଶ୍ଚିନ୍ତରେ ଏକଲା ବାସ କରୁଅଛନ୍ତି, ସେମାନଙ୍କ ବିରୁଦ୍ଧରେ ଯାତ୍ରା କର।
ଯିରିମିୟ 49 : 32 (IRVOR)
ସେମାନଙ୍କର ଓଟଗଣ ଲୁଟିତ ବସ୍ତୁ ହେବେ ଓ ସେମାନଙ୍କର ଅନେକ ଅନେକ ପଶୁ ଲୁଟିତ ହେବେ; ପୁଣି, ଯେଉଁ ଲୋକମାନେ ଆପଣା ଆପଣା କେଶର କୋଣ କାଟନ୍ତି, ସେମାନଙ୍କୁ ଆମ୍ଭେ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା ଓ ସେମାନଙ୍କ ଚାରିଆଡ଼ରୁ ସେମାନଙ୍କର ବିପଦ ଆଣିବା,” ଏହା ସଦାପ୍ରଭୁ କହନ୍ତି।
ଯିରିମିୟ 49 : 33 (IRVOR)
“ପୁଣି, ହାସୋର ଶୃଗାଳମାନଙ୍କର ବସତି ଓ ସଦାକାଳ ଉତ୍ସନ୍ନ ସ୍ଥାନ ହେବ; କୌଣସି ମନୁଷ୍ୟ ସେଠାରେ ବାସ କରିବ ନାହିଁ, କିଅବା କୌଣସି ମନୁଷ୍ୟସନ୍ତାନ ତହିଁ ମଧ୍ୟରେ ପ୍ରବାସ କରିବ ନାହିଁ।”
ଯିରିମିୟ 49 : 34 (IRVOR)
ଏଲମର ବିଚାର ଯିହୁଦାର ରାଜା ସିଦିକୀୟଙ୍କ ରାଜତ୍ଵର ଆରମ୍ଭ ସମୟରେ ଏଲମ୍‍ ବିଷୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
ଯିରିମିୟ 49 : 35 (IRVOR)
ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ଏଲମ୍‍ର ଧନୁ, ଅର୍ଥାତ୍‍, ସେମାନଙ୍କ ବଳର ଅଗ୍ରିମାଂଶ ଭାଙ୍ଗି ପକାଇବା।
ଯିରିମିୟ 49 : 36 (IRVOR)
ପୁଣି, ଆମ୍ଭେ ଆକାଶର ଚତୁର୍ଦ୍ଦିଗରୁ ଚାରି ବାୟୁ ଏଲମ୍‍ ଉପରେ ବହାଇବା ଓ ସେହିସବୁ ବାୟୁ ଆଡ଼େ ସେମାନଙ୍କୁ ଛିନ୍ନଭିନ୍ନ କରିବା; ଆଉ, ଏଲମ୍‍ର ଦୂରୀକୃତ ଲୋକମାନେ ଯେଉଁଠାକୁ ନ ଯିବେ, ଏପରି ଦେଶ ନ ଥିବ।
ଯିରିମିୟ 49 : 37 (IRVOR)
ପୁଣି, ଆମ୍ଭେ ଏଲମ୍‍ର ଲୋକମାନଙ୍କୁ ସେମାନଙ୍କ ଶତ୍ରୁଗଣ ସମ୍ମୁଖରେ ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ସମ୍ମୁଖରେ ବିସ୍ମିତ କରାଇବା,” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ଆମ୍ଭର ପ୍ରଚଣ୍ଡ କ୍ରୋଧ ଘଟାଇବା ଓ ସେମାନଙ୍କୁ ସଂହାର ନ କରିବା ପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ପଛେ ପଛେ ଖଡ୍ଗ ପଠାଇବା।”
ଯିରିମିୟ 49 : 38 (IRVOR)
ପୁଣି, ସଦାପ୍ରଭୁ କହନ୍ତି, “ଆମ୍ଭେ ଏଲମ୍‍ରେ ଆପଣା ସିଂହାସନ ସ୍ଥାପନ କରିବା ଓ ସେସ୍ଥାନରୁ ରାଜାକୁ ଓ ଅଧିପତିଗଣକୁ ଉଚ୍ଛିନ୍ନ କରିବା।
ଯିରିମିୟ 49 : 39 (IRVOR)
ମାତ୍ର ଶେଷ କାଳରେ ଆମ୍ଭେ ଏଲମ୍‍କୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା,” ଏହା ସଦାପ୍ରଭୁ କହନ୍ତି।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39