ଯିରିମିୟ 48 : 1 (IRVOR)
ମୋୟାବର ବିଚାର ମୋୟାବର ବିଷୟ। ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ହାୟ, ହାୟ, ନବୋ! କାରଣ ତାହା ଉଚ୍ଛିନ୍ନ ହେଲା; କିରୀୟାଥୟିମ ଲଜ୍ଜିତ ହେଲା, ତାହା ଧୃତ ହେଲା; ମିସ୍ଗନ୍ ଲଜ୍ଜିତ ଓ ଭଗ୍ନ ହେଲା।
ଯିରିମିୟ 48 : 2 (IRVOR)
ମୋୟାବର ପ୍ରଶଂସା ଆଉ ତ ନାହିଁ; ଲୋକମାନେ ହିଷ୍ବୋନରେ ତାହାର ଅମଙ୍ଗଳର ମନ୍ତ୍ରଣା କରି କହିଅଛନ୍ତି, ‘ଆସ, ଆମ୍ଭେମାନେ ତାହାକୁ ଉଚ୍ଛିନ୍ନ କରି ଗୋଟିଏ ଗୋଷ୍ଠୀ ହୋଇ ରହିବାକୁ ନ ଦେଉ। ହେ ମଦ୍ମେନା, ତୁମ୍ଭେ ମଧ୍ୟ ନୀରବ କରାଯିବ; ଖଡ୍ଗ ତୁମ୍ଭ ପଶ୍ଚାଦ୍ଗାମୀ ହେବ।’
ଯିରିମିୟ 48 : 3 (IRVOR)
ହୋରୋନୟିମ ଠାରୁ କ୍ରନ୍ଦନର, ଧନ ଅପହରଣର ଓ ମହାବିନାଶର ଶବ୍ଦ !
ଯିରିମିୟ 48 : 4 (IRVOR)
ମୋୟାବ ନଷ୍ଟ ହେଲା; ତାହାର କ୍ଷୁଦ୍ର ଲୋକମାନଙ୍କର କ୍ରନ୍ଦନର ଶବ୍ଦ ଶୁଣା ଯାଉଅଛି।
ଯିରିମିୟ 48 : 5 (IRVOR)
କାରଣ ଲୂହୀତର ଉଠାଣି ପଥରେ ଲୋକମାନେ କ୍ରମାଗତ କ୍ରନ୍ଦନ କରୁ କରୁ ଉପରକୁ ଯିବେ; ଯେହେତୁ ହୋରୋନୟିମର ଗଡ଼ନ୍ତି ପଥରେ ସେମାନେ ବିନାଶ ହେତୁ ସଙ୍କଟସୂଚକ କ୍ରନ୍ଦନ ଶୁଣିଅଛନ୍ତି।
ଯିରିମିୟ 48 : 6 (IRVOR)
ପଳାଅ, ଆପଣା ଆପଣା ପ୍ରାଣ ରକ୍ଷା କର ଓ ପ୍ରାନ୍ତରସ୍ଥ ଝାଉଁ ବୃକ୍ଷ ତୁଲ୍ୟ ହୁଅ।
ଯିରିମିୟ 48 : 7 (IRVOR)
କାରଣ ତୁମ୍ଭେ ଆପଣା କର୍ମରେ ଓ ଆପଣା ଧନ ସମ୍ପତ୍ତିରେ ନିର୍ଭର ରଖିଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଧରାଯିବ; ଆଉ, କମୋଶ ନାମକ ଦେବତା ଆପଣାର ଯାଜକ ଓ ଅଧିପତିଗଣ ସହିତ ବନ୍ଦୀ ହୋଇ ଯିବ।
ଯିରିମିୟ 48 : 8 (IRVOR)
ପ୍ରତ୍ୟେକ ନଗର ଉପରେ ବିନାଶକ ଆସିବ, କୌଣସି ନଗର ରକ୍ଷା ପାଇବ ନାହିଁ; ସଦାପ୍ରଭୁଙ୍କ ବାକ୍ୟାନୁସାରେ ତଳଭୂମି ବିନଷ୍ଟ ହେବ ଓ ପ୍ରାନ୍ତର ଉଚ୍ଛିନ୍ନ ହେବ।
ଯିରିମିୟ 48 : 9 (IRVOR)
ମୋୟାବକୁ ଉଡ଼ି ପଳାଇବା ପାଇଁ ପକ୍ଷ ଦିଅ; ତାହାର ନଗରସକଳ ଧ୍ୱଂସିତ ହେବ, ତହିଁ ମଧ୍ୟରେ ବାସକାରୀ କେହି ରହିବ ନାହିଁ।
ଯିରିମିୟ 48 : 10 (IRVOR)
ଯେଉଁ ଜନ ହେଳା ଭାବରେ ସଦାପ୍ରଭୁଙ୍କର କାର୍ଯ୍ୟ କରେ, ସେ ଅଭିଶପ୍ତ ହେଉ ଓ ଯେଉଁ ଜନ ରକ୍ତପାତ କରିବାକୁ ଆପଣା ଖଡ୍ଗ ଅଟକାଏ, ସେ ଅଭିଶପ୍ତ ହେଉ।
ଯିରିମିୟ 48 : 11 (IRVOR)
ମୋୟାବ ବାଲ୍ୟକାଳରୁ ନିଶ୍ଚିନ୍ତରେ ଅଛି, ସେ ଆପଣା ଖାଦ ଉପରେ ସୁସ୍ଥିର ହୋଇଅଛି ଓ ଏକ ପାତ୍ରରୁ ଅନ୍ୟ ପାତ୍ରକୁ ଢଳା ଯାଇ ନାହିଁ, କିଅବା ବନ୍ଦୀ ହୋଇ ଯାଇ ନାହିଁ; ଏଥିପାଇଁ ତାହାର ସ୍ୱାଦ ତାହା ମଧ୍ୟରେ ରହିଅଛି ଓ ତାହାର ସୁବାସ ବିକୃତ ହୋଇ ନାହିଁ।”
ଯିରିମିୟ 48 : 12 (IRVOR)
ଏହେତୁ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ସମୟରେ ଆମ୍ଭେ ତାହା ନିକଟକୁ ଢାଳି ପକାଇବା ଲୋକ ପଠାଇବା, ଆଉ ସେମାନେ ତାହାକୁ ଢାଳି ଦେବେ ଓ ତାହାର ପାତ୍ରସକଳ ଶୂନ୍ୟ କରି କୁମ୍ପାସବୁ ଭାଙ୍ଗି ପକାଇବେ, ଏପରି ସମୟ ଆସୁଅଛି।
ଯିରିମିୟ 48 : 13 (IRVOR)
ପୁଣି, ଇସ୍ରାଏଲ ବଂଶ ଆପଣା ବିଶ୍ୱାସଭୂମି ବେଥେଲ୍ ବିଷୟରେ ଯେପରି ଲଜ୍ଜିତ ହୋଇଥିଲେ, ସେପରି ମୋୟାବ କମୋଶ ବିଷୟରେ ଲଜ୍ଜିତ ହେବ।
ଯିରିମିୟ 48 : 14 (IRVOR)
‘ଆମ୍ଭେମାନେ ବୀର ଓ ଯୁଦ୍ଧ ପାଇଁ ବଳବାନ ଲୋକ,’ ଏହା ତୁମ୍ଭେମାନେ କିପରି କହୁଅଛ ?
ଯିରିମିୟ 48 : 15 (IRVOR)
ମୋୟାବ ଉତ୍ସନ୍ନ ହୋଇଅଛି ଓ ସେମାନେ ତାହାର ନଗରସମୂହର ମଧ୍ୟକୁ ଯାଇଅଛନ୍ତି, ପୁଣି ତାହାର ମନୋନୀତ ଯୁବାମାନେ ବଧ ସ୍ଥାନକୁ ଓହ୍ଳାଇ ଯାଇଅଛନ୍ତି, ରାଜା, ସୈନ୍ୟାଧିପତି ସଦାପ୍ରଭୁ ଯାହାଙ୍କର ନାମ,” ସେ ଏହି କଥା କହନ୍ତି।
ଯିରିମିୟ 48 : 16 (IRVOR)
ମୋୟାବର ବିପଦ ନିକଟରେ ଉପସ୍ଥିତ ଓ ତାହାର କ୍ଳେଶ ଅତି ଶୀଘ୍ର ଆସୁଅଛି।
ଯିରିମିୟ 48 : 17 (IRVOR)
ତାହାର ଚତୁର୍ଦ୍ଦିଗସ୍ଥିତ ଓ ତାହାର ନାମ ଜାଣିଥିବା ଯେ ତୁମ୍ଭେମାନେ, ତୁମ୍ଭେ ସମସ୍ତେ ତାହାର ପାଇଁ ବିଳାପ କର, ଆଉ କୁହ, “ଏହି ଦୃଢ଼ ଦଣ୍ଡ, ସୁନ୍ଦର ଯଷ୍ଟି କିପରି ଭଗ୍ନ ହୋଇଅଛି!”
ଯିରିମିୟ 48 : 18 (IRVOR)
ହେ ଦୀବୋନ୍ ନିବାସିନୀ କନ୍ୟେ, ତୁମ୍ଭେ ଆପଣା ଐଶ୍ୱର୍ଯ୍ୟରୁ ଓହ୍ଳାଇ ଆସି ତୃଷାରେ ବସ; କାରଣ ମୋୟାବର ବିନାଶକ ତୁମ୍ଭ ବିରୁଦ୍ଧରେ ଉଠି ଆସିଅଛି, ସେ ତୁମ୍ଭର ଦୃଢ଼ ଦୁର୍ଗ ସବୁ ନଷ୍ଟ କରିଅଛି।
ଯିରିମିୟ 48 : 19 (IRVOR)
ହେ ଅରୋୟେର ନିବାସିନୀ, ତୁମ୍ଭେ ପଥ ପାର୍ଶ୍ୱରେ ଠିଆ ହୋଇ ନିରୀକ୍ଷଣ କର; ପୁଣି, ପଳାତକ ଲୋକକୁ ଓ ରକ୍ଷାପ୍ରାପ୍ତା ସ୍ତ୍ରୀକୁ ପଚାର; “କଅଣ କରାଯାଇଅଛି କୁହ ?”
ଯିରିମିୟ 48 : 20 (IRVOR)
ମୋୟାବ ଲଜ୍ଜିତ ହୋଇଅଛି; କାରଣ ତାହା ଭଗ୍ନ ହୋଇଅଛି; ତୁମ୍ଭେମାନେ ହାହାକାର ଓ କ୍ରନ୍ଦନ କର; ମୋୟାବ ଉତ୍ସନ୍ନ ହୋଇଛି ବୋଲି ଅର୍ଣ୍ଣୋନରେ ପ୍ରଚାର କର।
ଯିରିମିୟ 48 : 21 (IRVOR)
ପୁଣି, ମୋୟାବ ଦେଶୀୟ ଦୂରସ୍ଥ କିଅବା ନିକଟସ୍ଥ ସମସ୍ତ ନଗର ଉପରେ,
ଯିରିମିୟ 48 : 22 (IRVOR)
ଅର୍ଥାତ୍, ସମଭୂମିସ୍ଥ ପ୍ରଦେଶ ଉପରେ ହଲୋନ, ଯହସ ଓ ମେଫାତ୍ ଦୀବୋନ୍, ନବୋ ଓ ବେଥ୍-ଦିବ୍ଳାଥୟିମ:
ଯିରିମିୟ 48 : 23 (IRVOR)
କିରୀୟାଥୟିମ, ବେଥ୍-ଗାମୁଲ୍ ଓ ବେଥ୍-ମୀୟୋନ୍;
ଯିରିମିୟ 48 : 24 (IRVOR)
କରୀୟୋଥ୍ ଓ ବସ୍ରା ପ୍ରଭୃତି ନଗରମାନଙ୍କ ଉପରେ ବିଚାରଦଣ୍ଡ ଉପସ୍ଥିତ ହୋଇଅଛି।
ଯିରିମିୟ 48 : 25 (IRVOR)
ସଦାପ୍ରଭୁ କହନ୍ତି, “ମୋୟାବର ଶୃଙ୍ଗ କଟା ଯାଇଅଛି ଓ ତାହାର ବାହୁ ଭଗ୍ନ ହୋଇଅଛି।
ଯିରିମିୟ 48 : 26 (IRVOR)
ତୁମ୍ଭେମାନେ ତାହାକୁ ମତ୍ତ କରାଅ, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆପଣାକୁ ବଡ଼ କରିଅଛି; ପୁଣି, ମୋୟାବ ଆପଣା ବାନ୍ତିରେ ଗଡ଼ିବ, ମଧ୍ୟ ସେ ପରିହାସାସ୍ପଦ ହେବ।
ଯିରିମିୟ 48 : 27 (IRVOR)
ଇସ୍ରାଏଲ କି ତୁମ୍ଭ ପ୍ରତି ପରିହାସର ବିଷୟ ହୋଇ ନ ଥିଲା ? ସେ କି ଚୋରମାନଙ୍କ ମଧ୍ୟରେ ଧରା ପଡ଼ିଥିଲା ? ତୁମ୍ଭେ ଯେତେଥର ତାହା ବିଷୟ କହୁଅଛ, ସେତେଥର ମସ୍ତକ ହଲାଉଅଛ।
ଯିରିମିୟ 48 : 28 (IRVOR)
ହେ ମୋୟାବ ନିବାସୀଗଣ, ତୁମ୍ଭେମାନେ ନଗରସବୁ ତ୍ୟାଗ କରି ଶୈଳରେ ବାସ କର ଓ ଗର୍ତ୍ତର ମୁଖ ପାର୍ଶ୍ୱରେ ବସାକାରୀ କପୋତର ତୁଲ୍ୟ ହୁଅ।
ଯିରିମିୟ 48 : 29 (IRVOR)
ମୋୟାବ ବଡ଼ ଅହଙ୍କାରୀ, ଆମ୍ଭେମାନେ ତାହାର ଅହଙ୍କାରର କଥା, ତାହାର ଉଦ୍ଧତ ଭାବ, ତାହାର ଅହଙ୍କାର, ତାହାର ଦର୍ପ ଓ ତାହାର ଚିତ୍ତର ଅଭିମାନ କଥା ଶୁଣିଅଛୁ।”
ଯିରିମିୟ 48 : 30 (IRVOR)
ସଦାପ୍ରଭୁ କହନ୍ତି, “ଆମ୍ଭେ ତାହାର କ୍ରୋଧ ଜାଣୁ, ତାହା କିଛି ନୁହେଁ, ତାହାର ଗର୍ବସବୁ କିଛି ହିଁ ସାଧନ କରି ନାହିଁ।
ଯିରିମିୟ 48 : 31 (IRVOR)
ଏଥିପାଇଁ ଆମ୍ଭେ ମୋୟାବର ପାଇଁ ହାହାକାର କରିବା; ହଁ, ଆମ୍ଭେ ସମୁଦାୟ ମୋୟାବ ପାଇଁ କ୍ରନ୍ଦନ କରିବା; କୀର୍ହେରସର ଲୋକମାନଙ୍କ ବିଷୟରେ ସେମାନେ ଶୋକ କରିବେ।”
ଯିରିମିୟ 48 : 32 (IRVOR)
ହେ ସିବ୍ମାର ଦ୍ରାକ୍ଷାଲତା, ଯାସେରର ରୋଦନ ଅପେକ୍ଷା ଆମ୍ଭେ ତୁମ୍ଭ ବିଷୟରେ ଅଧିକ ରୋଦନ କରିବା; ତୁମ୍ଭର ଶାଖାସବୁ ସମୁଦ୍ର ପାରିକୁ ଗଲା, ସେସବୁ ଯାସେର ସମୁଦ୍ର ପର୍ଯ୍ୟନ୍ତ ହିଁ ବିସ୍ତାରିତ ହେଲା; ତୁମ୍ଭର ଗ୍ରୀଷ୍ମକାଳୀନ ଫଳ ଓ ଦ୍ରାକ୍ଷାଫଳ ସଂଗ୍ରହ କରିବା ସମୟରେ ବିନାଶକ ଉପସ୍ଥିତ ହେଲା।
ଯିରିମିୟ 48 : 33 (IRVOR)
ମୋୟାବର ଫଳବାନ କ୍ଷେତ୍ର ଓ ଭୂମିରୁ ଆନନ୍ଦ ଓ ଉଲ୍ଲାସ ଦୂରୀକୃତ ହୋଇଅଛି; ପୁଣି, ଆମ୍ଭେ ଦ୍ରାକ୍ଷାକୁଣ୍ଡସବୁ ଦ୍ରାକ୍ଷାରସ ଶୂନ୍ୟ କରିଅଛୁ; କେହି ହର୍ଷନାଦରେ ଦ୍ରାକ୍ଷାମର୍ଦ୍ଦନ କରିବ ନାହିଁ; ସେହି ନାଦ ହର୍ଷନାଦ ହେବ ନାହିଁ।
ଯିରିମିୟ 48 : 34 (IRVOR)
ହିଷ୍ବୋନର ଚିତ୍କାର ସ୍ଥାନଠାରୁ ଇଲୀୟାଲୀ ପର୍ଯ୍ୟନ୍ତ, ମଧ୍ୟ ଯହସ ପର୍ଯ୍ୟନ୍ତ, ସୋୟରଠାରୁ ହୋରୋନୟିମ ପର୍ଯ୍ୟନ୍ତ, ଇଗ୍ଲତ୍-ଶଲୀଶୀୟା ପର୍ଯ୍ୟନ୍ତ ସେମାନେ ଚିତ୍କାରଶବ୍ଦ ଉଠାଇଅଛନ୍ତି; କାରଣ ନିମ୍ରୀମର ଜଳସମୂହ ମଧ୍ୟ ଶୂନ୍ୟ ହେବ।
ଯିରିମିୟ 48 : 35 (IRVOR)
ଆହୁରି, ସଦାପ୍ରଭୁ କହନ୍ତି, “ଆମ୍ଭେ ମୋୟାବ ମଧ୍ୟରେ ଉଚ୍ଚସ୍ଥଳୀରେ ବଳିଦାନକାରୀ ଓ ଆପଣା ଦେବଗଣ ଉଦ୍ଦେଶ୍ୟରେ ଧୂପଦାହକାରୀ ଲୋକକୁ ଲୋପ କରିବା।
ଯିରିମିୟ 48 : 36 (IRVOR)
ଏହେତୁ ମୋୟାବର ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି ଓ କୀର୍ହେରସର ଲୋକମାନଙ୍କ ପାଇଁ ଆମ୍ଭର ହୃଦୟ ବଂଶୀ ପରି ବାଜୁଅଛି; ଏଥିପାଇଁ ତାହାର ପ୍ରାପ୍ତ ବହୁତ ଧନ ନଷ୍ଟ ହୋଇଅଛି।
ଯିରିମିୟ 48 : 37 (IRVOR)
କାରଣ ପ୍ରତ୍ୟେକ ମସ୍ତକ ଟାଙ୍ଗରା ଓ ପ୍ରତ୍ୟେକ ଦାଢ଼ି କଟା ହୋଇଅଛି; ସମସ୍ତଙ୍କ ହସ୍ତରେ କଟା ଦାଗ ଓ କଟିଦେଶରେ ଚଟବସ୍ତ୍ର ଅଛି।”
ଯିରିମିୟ 48 : 38 (IRVOR)
ମୋୟାବର ସମସ୍ତ ଗୃହ ଛାତ ଉପରେ ଓ ତହିଁର ସମସ୍ତ ପଥରେ ସର୍ବତ୍ର ବିଳାପ ହେଉଅଛି; କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ମୋୟାବକୁ ଅପ୍ରୀତିକର ପାତ୍ର ପରି ଭାଙ୍ଗି ପକାଇଅଛୁ।
ଯିରିମିୟ 48 : 39 (IRVOR)
ସେ କିପରି ଭଗ୍ନ ହୋଇଅଛି ! ଲୋକେ କିପରି ବିଳାପ କରୁଅଛନ୍ତି ! ମୋୟାବ ଲଜ୍ଜାରେ କିପରି ପୃଷ୍ଠ ଫେରାଇ ଅଛି ! ଏହିରୂପେ ମୋୟାବ ଆପଣା ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କର ହାସ୍ୟାସ୍ପଦ ଓ ଭୟ ସ୍ଥାନ ହେବ।”
ଯିରିମିୟ 48 : 40 (IRVOR)
କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ସେ ଉତ୍କ୍ରୋଶ ପକ୍ଷୀ ପରି ଉଡ଼ି ଆସିବ ଓ ମୋୟାବ ଉପରେ ଆପଣା ପକ୍ଷଦ୍ୱୟ ବିସ୍ତାର କରିବ।”
ଯିରିମିୟ 48 : 41 (IRVOR)
କରୀୟୋଥ୍ ହସ୍ତଗତ ହେଲା, ଦୃଢ଼ ଦୁର୍ଗସବୁ ଅକସ୍ମାତ୍ ଆକ୍ରାନ୍ତ ହେଲା, ଆଉ ସେହି ଦିନରେ ମୋୟାବର ବୀରମାନଙ୍କ ଅନ୍ତଃକରଣ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀର ଅନ୍ତଃକରଣ ତୁଲ୍ୟ ହେବ।
ଯିରିମିୟ 48 : 42 (IRVOR)
ପୁଣି, ମୋୟାବ ଲୁପ୍ତ ହେବ, ଆଉ ଏକ ଗୋଷ୍ଠୀ ହୋଇ ରହିବ ନାହିଁ, କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆପଣାକୁ ବଡ଼ କରିଅଛି।
ଯିରିମିୟ 48 : 43 (IRVOR)
ସଦାପ୍ରଭୁ କହନ୍ତି, “ହେ ମୋୟାବ ନିବାସୀନ୍, ତୁମ୍ଭ ପାଇଁ ତ୍ରାସ, ଖାତ ଓ ଫାନ୍ଦ ଅଛି।
ଯିରିମିୟ 48 : 44 (IRVOR)
ଯେ ତ୍ରାସରୁ ପଳାଏ, ସେ ଖାତରେ ପଡ଼ିବ ଓ ଯେ ଖାତରୁ ଉଠି ରକ୍ଷା ପାଏ, ସେ ଫାନ୍ଦରେ ଧରା ପଡ଼ିବ;” କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ତାହାର ଉପରେ, ହଁ, ମୋୟାବର ଉପରେ ପ୍ରତିଫଳ ଦାନର ବର୍ଷ ଆଣିବା।”
ଯିରିମିୟ 48 : 45 (IRVOR)
ଯେଉଁମାନେ ପଳାଇ ଗଲେ, ସେମାନେ ବଳହୀନ ହୋଇ ହିଷ୍ବୋନର ଛାୟା ତଳେ ଠିଆ ହୁଅନ୍ତି; କାରଣ ହିଷ୍ବୋନରୁ ଅଗ୍ନି ଓ ସୀହୋନ ମଧ୍ୟରୁ ଅଗ୍ନିଶିଖା ନିର୍ଗତ ହୋଇ ମୋୟାବର କୋଣ ଓ କଳହକାରୀମାନଙ୍କ ମସ୍ତକର ତାଳୁଆ ଗ୍ରାସ କରିଅଛି।
ଯିରିମିୟ 48 : 46 (IRVOR)
ହେ ମୋୟାବ, ତୁମ୍ଭେ ସନ୍ତାପର ପାତ୍ର ! କମୋଶର ଲୋକମାନେ ବିନଷ୍ଟ ହେଲେ; କାରଣ ତୁମ୍ଭର ପୁତ୍ରଗଣ ବନ୍ଦୀ ହେଲେ ଓ ତୁମ୍ଭର କନ୍ୟାଗଣ ବନ୍ଦୀତ୍ୱ ସ୍ଥାନକୁ ନୀତ ହେଲେ।
ଯିରିମିୟ 48 : 47 (IRVOR)
ତଥାପି ସଦାପ୍ରଭୁ କହନ୍ତି, “ଆମ୍ଭେ ଶେଷ କାଳରେ ପୁନର୍ବାର ମୋୟାବକୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା।” ମୋୟାବର ବିଚାର କଥା ଏତିକି।
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47