ଯିରିମିୟ 37 : 1 (IRVOR)
ସିଦିକୀୟଙ୍କୁ ଯିରିମୀୟଙ୍କ ଚେତାବନୀ ଏଥିଉତ୍ତାରେ ଯିହୋୟାକୀମ୍‍ର ପୁତ୍ର କନୀୟର ପଦରେ ଯୋଶୀୟର ପୁତ୍ର ସିଦିକୀୟ ରାଜା ହୋଇ ରାଜତ୍ୱ କଲା; ବାବିଲର ରାଜା ନବୂଖଦ୍‍ନିତ୍ସର ତାହାକୁ ଯିହୁଦା ଦେଶର ରାଜା କରିଥିଲା।
ଯିରିମିୟ 37 : 2 (IRVOR)
ମାତ୍ର ସେ, କିଅବା ତାହାର ଦାସମାନେ ଅବା ଦେଶସ୍ଥ ଲୋକମାନେ, ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା କଥିତ ସଦାପ୍ରଭୁଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ।
ଯିରିମିୟ 37 : 3 (IRVOR)
ପୁଣି, ସିଦିକୀୟ ରାଜା ଶେଲିମୀୟର ପୁତ୍ର ଯିହୁଖଲକୁ ଓ ମାସେୟର ପୁତ୍ର ସଫନୀୟ ଯାଜକକୁ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟକୁ ପଠାଇ କହିଲା, “ବିନୟ କରୁଅଛୁ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।”
ଯିରିମିୟ 37 : 4 (IRVOR)
ସେହି ସମୟରେ ଯିରିମୀୟ ଲୋକମାନଙ୍କ ମଧ୍ୟରେ ଗତାୟାତ କରୁଥିଲେ; କାରଣ ସେମାନେ ତାଙ୍କୁ କାରାଗାରରେ ବନ୍ଦୀ କରି ନ ଥିଲେ।
ଯିରିମିୟ 37 : 5 (IRVOR)
ଆଉ, ଫାରୋର ସୈନ୍ୟ ମିସର ଦେଶରୁ ବାହାର ହୋଇ ଆସିଥିଲେ; ଏଣୁ ଯିରୂଶାଲମ ଅବରୋଧକାରୀ କଲ୍‍ଦୀୟମାନେ ସେମାନଙ୍କର ସମାଚାର ଶୁଣି ଯିରୂଶାଲମରୁ ଚାଲିଗଲେ।
ଯିରିମିୟ 37 : 6 (IRVOR)
ସେତେବେଳେ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
ଯିରିମିୟ 37 : 7 (IRVOR)
ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ଆମ୍ଭ ନିକଟରେ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇ ଅଛି ଯେ ଯିହୁଦାର ରାଜା, ତାହାକୁ ତୁମ୍ଭେମାନେ ଏହି କଥା କହିବ: ‘ଦେଖ, ତୁମ୍ଭମାନଙ୍କର ସାହାଯ୍ୟ ପାଇଁ ଫାରୋର ଯେଉଁ ସୈନ୍ୟ ବାହାରି ଆସିଅଛନ୍ତି, ସେମାନେ ଆପଣାମାନଙ୍କର ନିଜ ଦେଶ ମିସରକୁ ଫେରିଯିବେ।
ଯିରିମିୟ 37 : 8 (IRVOR)
ପୁଣି, କଲ୍‍ଦୀୟମାନେ ପୁନର୍ବାର ଆସି ଏହି ନଗର ବିରୁଦ୍ଧରେ ଯୁଦ୍ଧ କରିବେ ଓ ସେମାନେ ତାହା ହସ୍ତଗତ କରି ଅଗ୍ନିରେ ଦଗ୍ଧ କରିବେ।’ ”
ଯିରିମିୟ 37 : 9 (IRVOR)
ସଦାପ୍ରଭୁ ଏହି କଥା କହନ୍ତି; “କଲ୍‍ଦୀୟମାନେ ନିଶ୍ଚୟ ଆମ୍ଭମାନଙ୍କ ନିକଟରୁ ଚାଲିଯିବେ, ତୁମ୍ଭେମାନେ ଏହି କଥା କହି ଆପଣାମାନଙ୍କୁ ଭୁଲାଅ ନାହିଁ; କାରଣ ସେମାନେ ଯିବେ ନାହିଁ।
ଯିରିମିୟ 37 : 10 (IRVOR)
ତୁମ୍ଭମାନଙ୍କ ସହିତ ଯୁଦ୍ଧକାରୀ କଲ୍‍ଦୀୟମାନଙ୍କର ସମୁଦାୟ ସୈନ୍ୟକୁ ତୁମ୍ଭେମାନେ ହତାହତ କଲେ ମଧ୍ୟ ଯଦ୍ୟପି ସେମାନଙ୍କ ମଧ୍ୟରୁ କେବଳ ଆହତ ଲୋକ ଅବଶିଷ୍ଟ ରହନ୍ତି, ତଥାପି ସେମାନଙ୍କର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁରୁ ଉଠିବେ ଓ ଏହି ନଗରକୁ ଅଗ୍ନିରେ ଦଗ୍ଧ କରିବେ।”
ଯିରିମିୟ 37 : 11 (IRVOR)
କାରାଗାରରେ ଯିରିମୀୟ କଲ୍‍ଦୀୟମାନଙ୍କର ସୈନ୍ୟ ଯେଉଁ ସମୟରେ ଫାରୋର ସୈନ୍ୟ ଭୟରେ ଯିରୂଶାଲମରୁ ଚାଲି ଯାଇଥିଲେ, ସେସମୟରେ ଏପରି ଘଟିଥିଲା ଯେ,
ଯିରିମିୟ 37 : 12 (IRVOR)
ଯିରିମୀୟ ଆପଣା ଲୋକମାନଙ୍କ ମଧ୍ୟରେ ଆପଣାର ପ୍ରାପ୍ୟ ଅଂଶ ପାଇବା ନିମନ୍ତେ ବିନ୍ୟାମୀନ୍ ପ୍ରଦେଶକୁ ଯିବା ପାଇଁ ଯିରୂଶାଲମରୁ ବାହାରିଲେ।
ଯିରିମିୟ 37 : 13 (IRVOR)
ପୁଣି, ସେ ବିନ୍ୟାମୀନ୍ ନାମକ ନଗର ଦ୍ୱାରରେ ଉପସ୍ଥିତ ହେବା ବେଳେ ସେଠାରେ ପ୍ରହରୀଗଣର ଜଣେ ଅଧ୍ୟକ୍ଷ ଥିଲା, ତାହାର ନାମ ଯିରୀୟ, ସେ ହନାନୀୟର ପୌତ୍ର ଶେଲିମୀୟର ପୁତ୍ର; ପୁଣି, ସେ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ଧରି କହିଲା, “ତୁମ୍ଭେ କଲ୍‍ଦୀୟମାନଙ୍କର ପକ୍ଷକୁ ଯାଉଅଛ।”
ଯିରିମିୟ 37 : 14 (IRVOR)
ସେତେବେଳେ ଯିରିମୀୟ କହିଲେ, “ଏ ମିଥ୍ୟା କଥା; ମୁଁ କଲ୍‍ଦୀୟମାନଙ୍କ ପକ୍ଷକୁ ଯାଉ ନାହିଁ;” ତଥାପି ଯିରୀୟ ଯିରିମୀୟଙ୍କ କଥା ନ ଶୁଣି ତାଙ୍କୁ ଧରି ଅଧିପତିମାନଙ୍କ ନିକଟକୁ ନେଇଗଲା।
ଯିରିମିୟ 37 : 15 (IRVOR)
ପୁଣି, ଅଧିପତିମାନେ ଯିରିମୀୟଙ୍କ ପ୍ରତି କ୍ରୁଦ୍ଧ ହୋଇ ତାଙ୍କୁ ପ୍ରହାର କଲେ ଓ ଯୋନାଥନ ଲେଖକର ଗୃହସ୍ଥିତ କାରାଗାରରେ ରଖିଲେ; କାରଣ ସେମାନେ ସେସ୍ଥାନକୁ କାରାଗାର କରିଥିଲେ।
ଯିରିମିୟ 37 : 16 (IRVOR)
ଯିରିମୀୟ ସେହି କାରାକୂପ ଓ ତହିଁର କ୍ଷୁଦ୍ର କୋଠରିରେ ପ୍ରବେଶ କରି ଅନେକ ଦିନ ସେଠାରେ ରହିଲେ।
ଯିରିମିୟ 37 : 17 (IRVOR)
ତହିଁ ଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ତାଙ୍କୁ ଅଣାଇଲା; ଆଉ, ରାଜା ଆପଣା ଗୃହରେ ତାଙ୍କୁ ଗୋପନରେ ପଚାରିଲା, “ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି ?” ତହିଁରେ ଯିରିମୀୟ କହିଲେ, “ଆସିଅଛି।” ସେ ଆହୁରି କହିଲେ, “ଆପଣ ବାବିଲର ରାଜାର ହସ୍ତରେ ସମର୍ପିତ ହେବେ।”
ଯିରିମିୟ 37 : 18 (IRVOR)
ଆହୁରି, ଯିରିମୀୟ ସିଦିକୀୟ ରାଜାକୁ କହିଲେ, “ଆପଣଙ୍କ ବିରୁଦ୍ଧରେ, ଆପଣଙ୍କ ଦାସଗଣ ବିରୁଦ୍ଧରେ, ଅବା ଏହି ଲୋକମାନଙ୍କ ବିରୁଦ୍ଧରେ ମୁଁ କି ପାପ କରିଅଛି ଯେ, ଆପଣମାନେ ମୋତେ କାରାଗାରରେ ରଖିଅଛନ୍ତି ?
ଯିରିମିୟ 37 : 19 (IRVOR)
ଆପଣମାନଙ୍କର ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ଆପଣମାନଙ୍କ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହିଲେ, ‘ବାବିଲର ରାଜା ଆପଣମାନଙ୍କ ବିରୁଦ୍ଧରେ ଓ ଏହି ଦେଶ ବିରୁଦ୍ଧରେ ଆସିବ ନାହିଁ,’ ସେମାନେ ଏବେ କାହାନ୍ତି ?
ଯିରିମିୟ 37 : 20 (IRVOR)
ଏବେ ହେ ମୋର ପ୍ରଭୁ, ମହାରାଜ, ବିନୟ କରୁଅଛି, ଶ୍ରବଣ କରନ୍ତୁ; ଆପଣ ଯୋନାଥନ ଲେଖକର ଗୃହକୁ ମୋତେ ଫେରି ନ ପଠାଉନ୍ତୁ, ନୋହିଲେ ମୁଁ ସେଠାରେ ମରିଯିବି; ବିନୟ କରୁଅଛି, ମୋର ଏହି ନିବେଦନ ଆପଣଙ୍କ ଛାମୁରେ ସୁଗ୍ରାହ୍ୟ ହେଉ।”
ଯିରିମିୟ 37 : 21 (IRVOR)
ତହିଁରେ ସିଦିକୀୟ ରାଜା ଆଜ୍ଞା କରନ୍ତେ, ଲୋକମାନେ ଯିରିମୀୟଙ୍କୁ ପ୍ରହରୀ ପ୍ରାଙ୍ଗଣରେ ରଖିଲେ, ପୁଣି ନଗରରେ ସବୁ ରୁଟି ଶେଷ ନ ହେବା ପର୍ଯ୍ୟନ୍ତ ରୁଟିବାଲାମାନଙ୍କର ପଲ୍ଲୀରୁ ଗୋଟିଏ ଲେଖାଏଁ ରୁଟି ପ୍ରତିଦିନ ତାଙ୍କୁ ଦେଲେ। ଏହି ପ୍ରକାରେ ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21