ଯିରିମିୟ 24 : 1 (IRVOR)
ଉତ୍ତମ ଏବଂ ମନ୍ଦ ଡିମ୍ବିରି ଫଳ ବାବିଲର ରାଜା ନବୂଖଦ୍‍ନିତ୍ସର, ଯିହୋୟାକୀମ୍‍ର ପୁତ୍ର, ଯିହୁଦାର ରାଜା ଯିହୋୟାଖୀନ୍‍କୁ ଓ ଯିହୁଦାର ଅଧିପତିମାନଙ୍କୁ, ଶିଳ୍ପକର ଓ କର୍ମକାରକମାନଙ୍କ ସହିତ ଯିରୂଶାଲମରୁ ବନ୍ଦୀ କରି ବାବିଲକୁ ନେଇ ଗଲା ଉତ୍ତାରେ ସଦାପ୍ରଭୁ ମୋତେ ଏକ ଦର୍ଶନ ଦେଖାଇଲେ, ଆଉ ଦେଖ, ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖରେ ଦୁଇ ଡାଲା ଡିମ୍ବିରି ଫଳ ରଖାଯାଇଅଛି।
ଯିରିମିୟ 24 : 2 (IRVOR)
ଏକ ଡାଲାରେ ଆଦ୍ୟପକ୍ୱ ଡିମ୍ବିରି ଫଳ ତୁଲ୍ୟ ଅତି ଉତ୍ତମ ଡିମ୍ବିରି ଥିଲା; ପୁଣି, ଅନ୍ୟ ଡାଲାରେ ଅତି ମନ୍ଦ ଡିମ୍ବିରି ଫଳ ଥିଲା, ସେସବୁ ଏଡ଼େ ମନ୍ଦ ଯେ, ଭୋଜନ କରାଯାଇ ନ ପାରେ।
ଯିରିମିୟ 24 : 3 (IRVOR)
ତେବେ ସଦାପ୍ରଭୁ ମୋତେ କହିଲେ, “ହେ ଯିରିମୀୟ, ତୁମ୍ଭେ କଅଣ ଦେଖୁଅଛ ?” ତହିଁରେ ମୁଁ କହିଲି, “ଡିମ୍ବିରି ଫଳ, ଉତ୍ତମ ଡିମ୍ବିରି ଅତି ଉତ୍ତମ ଓ ମନ୍ଦ ଡିମ୍ବିରି ଅତି ମନ୍ଦ, ସେସବୁ ଏଡ଼େ ମନ୍ଦ ଯେ, ଭୋଜନ କରାଯାଇ ନ ପାରେ।”
ଯିରିମିୟ 24 : 4 (IRVOR)
ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା।
ଯିରିମିୟ 24 : 5 (IRVOR)
“ଯଥା, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ଯେଉଁ ନିର୍ବାସିତ ଯିହୁଦୀୟମାନଙ୍କୁ ଏହି ସ୍ଥାନରୁ କଲ୍‍ଦୀୟମାନଙ୍କର ଦେଶକୁ ପଠାଇଅଛୁ, ସେମାନଙ୍କର ମଙ୍ଗଳ ନିମନ୍ତେ ଆମ୍ଭେ ସେମାନଙ୍କୁ ଏହି ଉତ୍ତମ ଡିମ୍ବିରି ଫଳ ତୁଲ୍ୟ ଜ୍ଞାନ କରିବା।
ଯିରିମିୟ 24 : 6 (IRVOR)
କାରଣ ଆମ୍ଭେ ମଙ୍ଗଳ ପାଇଁ ସେମାନଙ୍କ ପ୍ରତି ଆପଣା ଦୃଷ୍ଟି ରଖିବା ଓ ସେମାନଙ୍କୁ ପୁନର୍ବାର ଏହି ଦେଶକୁ ଆଣିବା; ଆଉ, ଆମ୍ଭେ ସେମାନଙ୍କୁ ନିର୍ମାଣ କରିବା ଓ ଭଗ୍ନ କରିବା ନାହିଁ; ଆମ୍ଭେ ସେମାନଙ୍କୁ ରୋପଣ କରିବା ଓ ଉତ୍ପାଟନ କରିବା ନାହିଁ।
ଯିରିମିୟ 24 : 7 (IRVOR)
ପୁଣି, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ଜାଣିବାର ମନ ସେମାନଙ୍କୁ ଦେବା; ତହିଁରେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା; କାରଣ ସେମାନେ ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରି ଆସିବେ।’
ଯିରିମିୟ 24 : 8 (IRVOR)
ଆଉ, ଯେପରି ସେହି ମନ୍ଦ ଡିମ୍ବିରି ଫଳ ଏଡ଼େ ମନ୍ଦ ହେବାରୁ ଭୋଜନ କରାଯାଇ ନ ପାରେ, ସେପରି ସଦାପ୍ରଭୁ କହନ୍ତି, ‘ଆମ୍ଭେ ନିଶ୍ଚୟ ଯିହୁଦାର ରାଜା ସିଦିକୀୟକୁ, ତାହାର ଅଧିପତିଗଣକୁ ଓ ଯିରୂଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିସର ଦେଶରେ ବାସ କରନ୍ତି, ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା।
ଯିରିମିୟ 24 : 9 (IRVOR)
ଆମ୍ଭେ ସେମାନଙ୍କର ଅମଙ୍ଗଳ ନିମନ୍ତେ ପୃଥିବୀର ସକଳ ରାଜ୍ୟ ମଧ୍ୟରେ ସେମାନଙ୍କୁ ଏଣେତେଣେ ନିକ୍ଷିପ୍ତ ହେବା ପାଇଁ, ପୁଣି ଯେସବୁ ସ୍ଥାନରେ ଆମ୍ଭେ ସେମାନଙ୍କୁ ତଡ଼ି ଦେବା, ସେହିସବୁ ସ୍ଥାନରେ ଦୁର୍ନାମ, ପ୍ରବାଦ, ଉପହାସ ଓ ଅଭିଶାପର ପାତ୍ର ହେବା ପାଇଁ ଆମ୍ଭେ ସେମାନଙ୍କୁ ସମର୍ପି ଦେବା।
ଯିରିମିୟ 24 : 10 (IRVOR)
ପୁଣି, ଆମ୍ଭେ ସେମାନଙ୍କୁ ଓ ସେମାନଙ୍କର ପିତୃପୁରୁଷମାନଙ୍କୁ ଯେଉଁ ଦେଶ ଦେଲୁ, ତହିଁରୁ ସେମାନେ ଯେପର୍ଯ୍ୟନ୍ତ ଉଚ୍ଛିନ୍ନ ନ ହୁଅନ୍ତି, ସେପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ମଧ୍ୟକୁ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା।’ ”

1 2 3 4 5 6 7 8 9 10