ଯିରିମିୟ 15 : 1 (IRVOR)
ଯିହୁଦାର ସର୍ବନାଶ ସୁନିଶ୍ଚିତ ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଯଦ୍ୟପି ମୋଶା ଓ ଶାମୁୟେଲ ଆମ୍ଭ ସମ୍ମୁଖରେ ଠିଆ ହୁଅନ୍ତେ, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପ୍ରତି ଅନୁକୂଳ ହୁଅନ୍ତା ନାହିଁ; ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର, ସେମାନେ ବାହାରି ଯାଉନ୍ତୁ।
ଯିରିମିୟ 15 : 2 (IRVOR)
ପୁଣି, ଯଦି ସେମାନେ ତୁମ୍ଭକୁ କହନ୍ତି, ‘ଆମ୍ଭେମାନେ କେଉଁଠାକୁ ବାହାରି ଯିବା ?’ ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ସଦାପ୍ରଭୁ ଏହି କଥା କହନ୍ତି, ‘ହତଯୋଗ୍ୟ ଲୋକମାନେ ହତ ସ୍ଥାନକୁ, ଖଡ୍ଗଯୋଗ୍ୟ ଲୋକମାନେ ଖଡ୍ଗ ନିକଟକୁ, ଦୁର୍ଭିକ୍ଷଯୋଗ୍ୟ ଲୋକମାନେ ଦୁର୍ଭିକ୍ଷ ସ୍ଥାନକୁ ଓ ବନ୍ଦୀତ୍ୱର ଯୋଗ୍ୟ ଲୋକମାନେ ବନ୍ଦୀ ସ୍ଥାନକୁ ଯାଉନ୍ତୁ।’ ”
ଯିରିମିୟ 15 : 3 (IRVOR)
ପୁଣି, ସଦାପ୍ରଭୁ କହନ୍ତି, “ଆମ୍ଭେ ବଧ କରିବା ନିମନ୍ତେ ଖଡ୍ଗ, ବିଦୀର୍ଣ୍ଣ କରିବା ନିମନ୍ତେ କୁକ୍କୁରଗଣ, ପୁଣି ଗ୍ରାସ ଓ ବିନାଶ କରିବା ନିମନ୍ତେ ଖେଚର ପକ୍ଷୀଗଣ ଓ ଭୂଚର ପଶୁଗଣ, ଏହି ଚାରି ଜାତିକୁ ସେମାନଙ୍କ ଉପରେ ନିଯୁକ୍ତ କରିବା।
ଯିରିମିୟ 15 : 4 (IRVOR)
ଆଉ, ଯିହୁଦାର ରାଜା ହିଜକୀୟର ପୁତ୍ର ମନଃଶିର ଯିରୂଶାଲମରେ କୃତକାର୍ଯ୍ୟ ସକାଶୁ ଆମ୍ଭେ ସେମାନଙ୍କୁ ପୃଥିବୀର ଯାବତୀୟ ରାଜ୍ୟରେ ଏଣେତେଣେ ନିକ୍ଷିପ୍ତ କରାଇବା।
ଯିରିମିୟ 15 : 5 (IRVOR)
କାରଣ ହେ ଯିରୂଶାଲମ, କିଏ ତୁମ୍ଭକୁ ଦୟା କରିବ ? ଅବା କିଏ ତୁମ୍ଭ ଲାଗି ବିଳାପ କରିବ ? ଅଥବା ତୁମ୍ଭର ମଙ୍ଗଳ ବିଷୟ ପଚାରିବା ପାଇଁ କିଏ ତୁମ୍ଭ ନିକଟକୁ ଆସିବ ?”
ଯିରିମିୟ 15 : 6 (IRVOR)
ସଦାପ୍ରଭୁ କହନ୍ତି, “ତୁମ୍ଭେ ଆମ୍ଭକୁ ଅଗ୍ରାହ୍ୟ କରିଅଛ, ତୁମ୍ଭେ ପଛକୁ ହଟି ଯାଇଅଛ; ଏନିମନ୍ତେ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭକୁ ନଷ୍ଟ କରିଅଛୁ; ଆମ୍ଭେ କ୍ଷମା କରି କରି କ୍ଳାନ୍ତ ହୋଇଅଛୁ।
ଯିରିମିୟ 15 : 7 (IRVOR)
ଆମ୍ଭେ ସେମାନଙ୍କୁ ଦେଶର ପୁରଦ୍ୱାରସମୂହରେ କୁଲାରେ ପାଛୁଡ଼ି ଅଛୁ; ଆମ୍ଭେ ସେମାନଙ୍କୁ ସନ୍ତାନସନ୍ତନ୍ତି ବିହୀନ କରିଅଛୁ, ଆମ୍ଭେ ଆପଣା ଲୋକମାନଙ୍କୁ ବିନାଶ କରିଅଛୁ; ସେମାନେ ଆପଣା ଆପଣା ପଥରୁ ଫେରି ନାହାନ୍ତି।
ଯିରିମିୟ 15 : 8 (IRVOR)
ଆମ୍ଭ ସାକ୍ଷାତରେ ସେମାନଙ୍କର ବିଧବାମାନେ ସମୁଦ୍ରର ବାଲି ଅପେକ୍ଷା ବହୁସଂଖ୍ୟକ ହୋଇଅଛନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରେ ଯୁବାଗଣର ମାତା ବିରୁଦ୍ଧରେ ବିନାଶକ ଏକ ଜଣକ ମଧ୍ୟାହ୍ନ କାଳରେ ଆଣିଅଛୁ; ଆମ୍ଭେ ଅକସ୍ମାତ୍ ତାହା ପ୍ରତି ଦୁଃଖ ଓ ଆଶଙ୍କା ଉପସ୍ଥିତ କରାଇଅଛୁ।
ଯିରିମିୟ 15 : 9 (IRVOR)
ସାତ ସନ୍ତାନପ୍ରସୂତା ସ୍ତ୍ରୀ କ୍ଷୀଣା ହେଉଅଛି; ସେ ପ୍ରାଣତ୍ୟାଗ କରିଅଛି; ଦିନ ଥାଉ ଥାଉ ତାହାର ସୂର୍ଯ୍ୟ ଅସ୍ତ ହୋଇଅଛି; ସେ ଲଜ୍ଜିତା ଓ ହତାଶା ହୋଇଅଛି; ପୁଣି, ସେମାନଙ୍କର ଅବଶିଷ୍ଟ ଲୋକମାନଙ୍କୁ ଆମ୍ଭେ ସେମାନଙ୍କ ଶତ୍ରୁଗଣର ସମ୍ମୁଖରେ ଖଡ୍ଗରେ ସମର୍ପଣ କରିବା,” ଏହା ସଦାପ୍ରଭୁ କହନ୍ତି।
ଯିରିମିୟ 15 : 10 (IRVOR)
ଯିରିମୀୟଙ୍କ ଅଭିଯୋଗ ଗୋ ଆମ୍ଭର ମାତା, ମୁଁ ସନ୍ତାପର ପାତ୍ର, ତୁମ୍ଭେ ମୋତେ ସମୁଦାୟ ପୃଥିବୀର ବିରୋଧ ଓ ବିବାଦର ପାତ୍ର କରି ଜାତ କରିଅଛ ! ମୁଁ ସୁଧ ନିମନ୍ତେ ଋଣ ଦେଇ ନାହିଁ; କିଅବା ଲୋକେ ମୋତେ ସୁଧ ଲାଗି ଋଣ ଦେଇ ନାହାନ୍ତି; ତଥାପି ସେମାନଙ୍କର ପ୍ରତ୍ୟେକ ଜଣ ମୋତେ ଅଭିଶାପ ଦିଅନ୍ତି।
ଯିରିମିୟ 15 : 11 (IRVOR)
ସଦାପ୍ରଭୁ କହିଲେ, “ଆମ୍ଭେ ନିଶ୍ଚୟ ମଙ୍ଗଳ ନିମନ୍ତେ ତୁମ୍ଭକୁ ସବଳ କରିବା; ଆମ୍ଭେ ନିଶ୍ଚୟ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭ ନିକଟରେ ବିନତି କରାଇବା।
ଯିରିମିୟ 15 : 12 (IRVOR)
ଲୌହ, ଉତ୍ତର ଦେଶୀୟ ଲୌହ ଓ ପିତ୍ତଳ କି କେହି ଭାଙ୍ଗିପାରେ ?
ଯିରିମିୟ 15 : 13 (IRVOR)
ଆମ୍ଭେ ତୁମ୍ଭର ସମ୍ପତ୍ତି ଓ ଧନଭଣ୍ଡାରସବୁ ବିନାମୂଲ୍ୟରେ ଲୁଟିତ ହେବା ପାଇଁ ଦେବା ଓ ତୁମ୍ଭର ସମୁଦାୟ ଅଞ୍ଚଳରେ ତୁମ୍ଭ ପାପସମୂହର ସକାଶେ ତାହା କରିବା।
ଯିରିମିୟ 15 : 14 (IRVOR)
ପୁଣି, ଆମ୍ଭେ ସେସମସ୍ତଙ୍କୁ ତୁମ୍ଭ ଶତ୍ରୁଗଣର ସଙ୍ଗରେ ତୁମ୍ଭ ଅଜ୍ଞାତ ଏକ ଦେଶକୁ ନେଇଯିବା; କାରଣ ଆମ୍ଭର କ୍ରୋଧରୂପ ଅଗ୍ନି ପ୍ରଜ୍ୱଳିତ ହୋଇଅଛି, ତାହା ତୁମ୍ଭମାନଙ୍କୁ ଦଗ୍ଧ କରିବ।
ଯିରିମିୟ 15 : 15 (IRVOR)
ହେ ସଦାପ୍ରଭୁ, ତୁମ୍ଭେ ଜାଣୁଅଛ; ମୋତେ ସ୍ମରଣ କର ଓ ମୋହର ତତ୍ତ୍ୱାନୁସନ୍ଧାନ କର, ପୁଣି ମୋର ତାଡ଼ନାକାରୀମାନଙ୍କଠାରୁ ପରିଶୋଧ ନିଅ; ତୁମ୍ଭର ଦୀର୍ଘ ସହିଷ୍ଣୁତା ସକାଶୁ ମୋତେ ସଂହାର କର ନାହିଁ; ମୁଁ ତୁମ୍ଭ ସକାଶୁ ନିନ୍ଦାଭୋଗ କରିଅଛି, ଏହା ଜ୍ଞାତ ହୁଅ।
ଯିରିମିୟ 15 : 16 (IRVOR)
ତୁମ୍ଭର ବାକ୍ୟ ପ୍ରାପ୍ତ ହେଲା, ପୁଣି ମୁଁ ତାହା ଭୋଜନ କଲି; ଆଉ, ତୁମ୍ଭର ବାକ୍ୟ ମୋର ଆନନ୍ଦ ଓ ଚିତ୍ତର ଆହ୍ଲାଦଜନକ ହେଲା; କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର, ମୁଁ ତୁମ୍ଭ ନାମରେ ଖ୍ୟାତ ଅଟେ।
ଯିରିମିୟ 15 : 17 (IRVOR)
ମୁଁ ଆମୋଦପ୍ରମୋଦକାରୀମାନଙ୍କ ସଭାରେ ବସିଲି ନାହିଁ, କିଅବା ଆନନ୍ଦ କଲି ନାହିଁ; ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି; କାରଣ ତୁମ୍ଭେ ମୋତେ କ୍ରୋଧରେ ପୂର୍ଣ୍ଣ କରିଅଛ।
ଯିରିମିୟ 15 : 18 (IRVOR)
ମୋର ବେଦନା ନିତ୍ୟସ୍ଥାୟୀ ଓ ମୋର କ୍ଷତ ଅପ୍ରତୀକାର୍ଯ୍ୟ ହୋଇ ସୁସ୍ଥ ହେବାକୁ ଅସ୍ୱୀକାର କରେ କାହିଁକି ? ତୁମ୍ଭେ କି ମୋ’ ପ୍ରତି ନିତାନ୍ତ ପ୍ରବଞ୍ଚନାଜନକ ନଦୀସ୍ରୋତ, ଅସ୍ଥାୟୀ ଜଳ ତୁଲ୍ୟ ହେବ ?
ଯିରିମିୟ 15 : 19 (IRVOR)
ଏନିମନ୍ତେ ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ଯଦି ଫେରିବ, ତେବେ ଆମ୍ଭ ସମ୍ମୁଖରେ ଠିଆ ହେବା ନିମନ୍ତେ ଆମ୍ଭେ ତୁମ୍ଭକୁ ପୁନର୍ବାର ଆଣିବା; ପୁଣି, ତୁମ୍ଭେ ଯଦି ନିକୃଷ୍ଟ ବସ୍ତୁରୁ ବହୁମୂଲ୍ୟ ବସ୍ତୁ ବାହାର କରି ନେବ, ତେବେ ତୁମ୍ଭେ ଆମ୍ଭର ମୁଖ ସ୍ୱରୂପ ହେବ; ସେମାନେ ତୁମ୍ଭ ନିକଟକୁ ଫେରି ଆସିବେ, ମାତ୍ର ତୁମ୍ଭେ ସେମାନଙ୍କ ନିକଟକୁ ଫେରି ଯିବ ନାହିଁ।”
ଯିରିମିୟ 15 : 20 (IRVOR)
ପୁଣି, ଆମ୍ଭେ ଏହି ଲୋକମାନଙ୍କ ନିକଟରେ ତୁମ୍ଭକୁ ପିତ୍ତଳର ଦୃଢ଼ ପ୍ରାଚୀରସ୍ୱରୂପ କରିବା; ସେମାନେ ତୁମ୍ଭ ସଙ୍ଗେ ଯୁଦ୍ଧ କରିବେ, ମାତ୍ର ତୁମ୍ଭକୁ ପରାଜୟ କରି ପାରିବେ ନାହିଁ; କାରଣ ସଦାପ୍ରଭୁ କହନ୍ତି, “ତୁମ୍ଭକୁ ତ୍ରାଣ କରିବା ପାଇଁ ଓ ତୁମ୍ଭର ଉଦ୍ଧାର କରିବା ପାଇଁ ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।
ଯିରିମିୟ 15 : 21 (IRVOR)
ପୁଣି, ଆମ୍ଭେ ତୁମ୍ଭକୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରିବା ଓ ଆମ୍ଭେ ତୁମ୍ଭକୁ ଭୟାନକ ଲୋକମାନଙ୍କ ହସ୍ତରୁ ମୁକ୍ତ କରିବା।”
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20
21