ଯିଶାଇୟ 64 : 1 (IRVOR)
ଆହା, ଅନ୍ୟ ଦେଶୀୟମାନେ ଯେପରି ତୁମ୍ଭ ସାକ୍ଷାତରେ କମ୍ପମାନ ହେବେ, ଏଥିପାଇଁ ତୁମ୍ଭ ବିପକ୍ଷଗଣକୁ ତୁମ୍ଭ ନାମ ଜ୍ଞାତ କରାଇବା ନିମନ୍ତେ,
ଯିଶାଇୟ 64 : 2 (IRVOR)
ଅଗ୍ନି ଝାଟି ଜ୍ୱଳାଇବା ପରି, ଅଗ୍ନି ଜଳ ଫୁଟାଇବା ପରି ଯଦି ତୁମ୍ଭେ ଆକାଶମଣ୍ଡଳ ବିଦୀର୍ଣ୍ଣ କରି ଓହ୍ଲାଇ ଆସନ୍ତ ଓ ପର୍ବତଗଣ ତୁମ୍ଭ ସାକ୍ଷାତରେ ପ୍ରବାହିତ ହୁଅନ୍ତେ !
ଯିଶାଇୟ 64 : 3 (IRVOR)
ଯେତେବେଳେ ତୁମ୍ଭେ ଆମ୍ଭମାନଙ୍କର ଅନପେକ୍ଷିତ ଭୟାନକ କ୍ରିୟା କଲ, ସେତେବେଳେ ତୁମ୍ଭେ ଓହ୍ଲାଇ ଆସିଲ, ପର୍ବତଗଣ ତୁମ୍ଭ ସାକ୍ଷାତରେ ପ୍ରବାହିତ ହେଲେ।
ଯିଶାଇୟ 64 : 4 (IRVOR)
କାରଣ ଯେ ଆପଣା ଅପେକ୍ଷାକାରୀ ପକ୍ଷରେ କାର୍ଯ୍ୟ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ବିଷୟ ଶୁଣି ନାହାନ୍ତି, ଅଥବା କର୍ଣ୍ଣ ଜ୍ଞାତ ହୋଇ ନାହିଁ, କିଅବା ଚକ୍ଷୁ ଦେଖି ନାହିଁ।
ଯିଶାଇୟ 64 : 5 (IRVOR)
ଯେଉଁ ଲୋକ ଆନନ୍ଦରେ ଧର୍ମାଚରଣ କରେ, ଯେଉଁମାନେ ତୁମ୍ଭ ପଥରେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସେମାନଙ୍କ ସହିତ ସାକ୍ଷାତ କରିଥାଅ; ଦେଖ, ତୁମ୍ଭେ କ୍ରୁଦ୍ଧ ଥିଲ ଓ ଆମ୍ଭେମାନେ ପାପ କଲୁ; ଆମ୍ଭେମାନେ ଦୀର୍ଘ କାଳ ତହିଁରେ ରହିଅଛୁ, ଆମ୍ଭେମାନେ କି ପରିତ୍ରାଣ ପାଇବା ?
ଯିଶାଇୟ 64 : 6 (IRVOR)
କାରଣ ଆମ୍ଭେ ସମସ୍ତେ ଅଶୁଚି ଲୋକ ତୁଲ୍ୟ ହୋଇଅଛୁ ଓ ଆମ୍ଭମାନଙ୍କର ଧର୍ମକର୍ମସବୁ ଅଶୁଚି ବସ୍ତ୍ର ତୁଲ୍ୟ ଅଟେ ଓ ଆମ୍ଭେ ସମସ୍ତେ ପତ୍ର ତୁଲ୍ୟ ଜୀର୍ଣ୍ଣ ହେଉଅଛୁ; ଆଉ, ଆମ୍ଭମାନଙ୍କର ଅପରାଧସବୁ ବାୟୁ ପରି ଆମ୍ଭମାନଙ୍କୁ ଉଡ଼ାଇ ନିଏ।
ଯିଶାଇୟ 64 : 7 (IRVOR)
ପୁଣି, ଯେ ତୁମ୍ଭ ନାମରେ ପ୍ରାର୍ଥନା କରେ, ଯେ ତୁମ୍ଭକୁ ଧରିବା ପାଇଁ ଆପଣାକୁ ଉତ୍ତେଜିତ କରେ, ଏପରି କେହି ନାହିଁ; କାରଣ ତୁମ୍ଭେ ଆମ୍ଭମାନଙ୍କଠାରୁ ଆପଣା ମୁଖ ଲୁଚାଇଅଛ ଓ ଆମ୍ଭମାନଙ୍କର ଅପରାଧ ଦ୍ୱାରା ଆମ୍ଭମାନଙ୍କୁ କ୍ଷୟ କରିଅଛ।
ଯିଶାଇୟ 64 : 8 (IRVOR)
ମାତ୍ର ଏବେ ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ ମୃତ୍ତିକା, ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ।
ଯିଶାଇୟ 64 : 9 (IRVOR)
ହେ ସଦାପ୍ରଭୁ, ଅତ୍ୟନ୍ତ କ୍ରୁଦ୍ଧ ହୁଅ ନାହିଁ, କିଅବା ଚିର କାଳ ଅପରାଧ ମନରେ ରଖ ନାହିଁ; ଆମ୍ଭେମାନେ ବିନତି କରୁ, ଦେଖ, ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ଲୋକ।
ଯିଶାଇୟ 64 : 10 (IRVOR)
ତୁମ୍ଭର ପବିତ୍ର ନଗରସବୁ ପ୍ରାନ୍ତର ହୋଇଅଛି, ସିୟୋନ ପ୍ରାନ୍ତର ହୋଇଅଛି, ଯିରୂଶାଲମ ଧ୍ୱଂସସ୍ଥାନ ହୋଇଅଛି।
ଯିଶାଇୟ 64 : 11 (IRVOR)
ଆମ୍ଭମାନଙ୍କର ପିତୃଲୋକମାନେ ଯେଉଁ ସ୍ଥାନରେ ତୁମ୍ଭର ପ୍ରଶଂସା କଲେ, ଆମ୍ଭମାନଙ୍କର ସେହି ପବିତ୍ର ଓ ସୁନ୍ଦର ଗୃହ ଅଗ୍ନିରେ ଦଗ୍ଧ ହୋଇଅଛି ଓ ଆମ୍ଭମାନଙ୍କର ମନୋରମ୍ୟ ବିଷୟସବୁ ଉଚ୍ଛିନ୍ନ ହୋଇଅଛି।
ଯିଶାଇୟ 64 : 12 (IRVOR)
ହେ ସଦାପ୍ରଭୁ, ଏହିସବୁ ହେଲେ ହେଁ ତୁମ୍ଭେ କି ଆପଣାକୁ କ୍ଷାନ୍ତ କରି ରଖିବ ? ତୁମ୍ଭେ କି ତୁନି ହୋଇ ରହି ଆମ୍ଭମାନଙ୍କୁ ଅତ୍ୟନ୍ତ କ୍ଲେଶ ଦେବ ?

1 2 3 4 5 6 7 8 9 10 11 12