ଯିଶାଇୟ 41 : 1 (IRVOR)
ଇସ୍ରାଏଲକୁ ଈଶ୍ୱରଙ୍କ ଅଭୟ ବାଣୀ “ହେ ଦ୍ୱୀପଗଣ, ଆମ୍ଭ ସାକ୍ଷାତରେ ନୀରବ ହୁଅ ଓ ଶୁଣ; ଲୋକମାନେ ନୂଆ ନୂଆ ବଳ ପ୍ରାପ୍ତ ହେଉନ୍ତୁ; ସେମାନେ ନିକଟକୁ ଆସନ୍ତୁ; ତେବେ କଥା କୁହନ୍ତୁ; ଆମ୍ଭେମାନେ ଏକତ୍ର ହୋଇ ବିଚାର କରୁ।
ଯିଶାଇୟ 41 : 2 (IRVOR)
ସେ ଧାର୍ମିକତାରେ ଯାହାକୁ ଆପଣା ଚରଣ ନିକଟକୁ ଡାକନ୍ତି, ଏପରି ଏକ ଜଣକୁ ପୂର୍ବ ଦିଗରୁ କିଏ ଉତ୍ପନ୍ନ କରିଅଛନ୍ତି ? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖରେ ସମର୍ପି ଦିଅନ୍ତି ଓ ରାଜାଗଣଙ୍କ ଉପରେ ତାହାକୁ କର୍ତ୍ତୃତ୍ୱ କରାନ୍ତି; ସେ ତାହାର ଖଡ୍ଗ ସମ୍ମୁଖରେ ସେମାନଙ୍କୁ ଧୂଳି ତୁଲ୍ୟ ଓ ତାହାର ଧନୁକର ଆଗରେ ଚାଳିତ କୁଟା ପରି ସମର୍ପି ଦିଅନ୍ତି।
ଯିଶାଇୟ 41 : 3 (IRVOR)
ସେ ସେମାନଙ୍କର ପଛେ ଗୋଡ଼ାଏ, ଯେଉଁ ପଥରେ ସେ ପଦାର୍ପଣ କରି ନାହିଁ, ସେହି ପଥରେ ହେଁ ସେ ନିରାପଦରେ ଅଗ୍ରସର ହୁଏ।
ଯିଶାଇୟ 41 : 4 (IRVOR)
ଆଦ୍ୟରୁ ପୁରୁଷକୁ ପୁରୁଷ ଆହ୍ୱାନ କରି କିଏ ଏ କାର୍ଯ୍ୟ ସାଧନ କରିଅଛନ୍ତି ? ଆମ୍ଭେ ସଦାପ୍ରଭୁ ଆଦି, ପୁଣି ଶେଷକାଳୀନ ଲୋକମାନଙ୍କର ସଙ୍ଗରେ ହେଁ ଆମ୍ଭେ ସେହି ଅଟୁ।
ଯିଶାଇୟ 41 : 5 (IRVOR)
ଦ୍ୱୀପଗଣ ଦେଖି ଭୀତ ହେଲେ; ପୃଥିବୀର ପ୍ରାନ୍ତସକଳ କମ୍ପିତ ହେଲେ; ସେମାନେ ନିକଟବର୍ତ୍ତୀ ହୋଇ ଆସିଲେ।
ଯିଶାଇୟ 41 : 6 (IRVOR)
ସେମାନେ ପ୍ରତ୍ୟେକେ ଆପଣା ପ୍ରତିବାସୀର ସାହାଯ୍ୟ କଲେ ଓ ସାହସିକ ହୁଅ ବୋଲି ପ୍ରତ୍ୟେକେ ଆପଣା ଭାଇକୁ କହିଲେ।
ଯିଶାଇୟ 41 : 7 (IRVOR)
ଏହିରୂପେ ସୂତ୍ରଧର ସ୍ୱର୍ଣ୍ଣକାରକୁ ସାହସ ଦେଲା ଓ ହାତୁଡ଼ିରେ ସମାନ କରିବା ଲୋକ ଯୋଡ଼ କର୍ମ ଉତ୍ତମ ହୋଇଅଛି ବୋଲି କହି, ନେହାଇରେ ପିଟିବା ଲୋକକୁ ଆଶ୍ୱାସ ଦେଲା; ପୁଣି, ପ୍ରତିମାଟି ଯେପରି ଟଳଟଳ ନ ହୁଏ, ଏଥିପାଇଁ ସେ କଣ୍ଟାରେ ତାହା ଦୃଢ଼ କଲା।
ଯିଶାଇୟ 41 : 8 (IRVOR)
ମାତ୍ର ହେ ଆମ୍ଭର ଦାସ ଇସ୍ରାଏଲ, ଆମ୍ଭର ମନୋନୀତ ଯାକୁବ, ଆମ୍ଭର ବନ୍ଧୁ ଅବ୍ରହାମର ବଂଶ;
ଯିଶାଇୟ 41 : 9 (IRVOR)
ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ ଓ ପୃଥିବୀର ସୀମାରୁ ତୁମ୍ଭକୁ ଆହ୍ୱାନ କରି କହିଅଛୁ, ତୁମ୍ଭେ ଆମ୍ଭର ଦାସ, ଆମ୍ଭେ ତୁମ୍ଭକୁ ମନୋନୀତ କରିଅଛୁ ଓ ଦୂର କରି ନାହୁଁ;
ଯିଶାଇୟ 41 : 10 (IRVOR)
ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର; ଆମ୍ଭେ ତୁମ୍ଭକୁ ସବଳ କରିବା; ହଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା; ହଁ, ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।
ଯିଶାଇୟ 41 : 11 (IRVOR)
ଦେଖ, ଯେଉଁମାନେ ତୁମ୍ଭ ପ୍ରତି କୁପିତ ଅଛନ୍ତି, ସେମାନେ ସମସ୍ତେ ଲଜ୍ଜିତ ଓ ବିବ୍ରତ ହେବେ; ଯେଉଁମାନେ ତୁମ୍ଭ ସଙ୍ଗେ ବିରୋଧ କରନ୍ତି, ସେମାନେ ଅବସ୍ତୁ ତୁଲ୍ୟ ହୋଇ ବିନଷ୍ଟ ହେବେ।
ଯିଶାଇୟ 41 : 12 (IRVOR)
ଯେଉଁମାନେ ତୁମ୍ଭ ସଙ୍ଗେ ବିରୋଧ କରନ୍ତି, ତୁମ୍ଭେ ସେମାନଙ୍କୁ ଅନ୍ୱେଷଣ କରିବ, ମାତ୍ର ସେମାନଙ୍କର ଉଦ୍ଦେଶ୍ୟ ପାଇବ ନାହିଁ; ଯେଉଁମାନେ ତୁମ୍ଭ ସଙ୍ଗେ ଯୁଦ୍ଧ କରନ୍ତି, ସେମାନେ ଅବସ୍ତୁ ତୁଲ୍ୟ ଓ ଅକିଞ୍ଚନା ହେବେ।
ଯିଶାଇୟ 41 : 13 (IRVOR)
କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ତୁମ୍ଭ ଦକ୍ଷିଣ ହସ୍ତ ଧରି ତୁମ୍ଭକୁ କହିବା, ଭୟ କର ନାହିଁ; ଆମ୍ଭେ ତୁମ୍ଭର ସାହାଯ୍ୟ କରିବା।
ଯିଶାଇୟ 41 : 14 (IRVOR)
ହେ କୀଟ ସ୍ୱରୂପ ଯାକୁବ ଓ ହେ ଇସ୍ରାଏଲୀୟ ନରଗଣ, ଭୟ କର ନାହିଁ; ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା” ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।
ଯିଶାଇୟ 41 : 15 (IRVOR)
“ଦେଖ, ଆମ୍ଭେ ତୁମ୍ଭକୁ ତୀକ୍ଷ୍ଣ ଛୁରିକାବିଶିଷ୍ଟ ଏକ ନୂତନ ଶସ୍ୟ ମର୍ଦ୍ଦନ ଯନ୍ତ୍ର ସ୍ୱରୂପ କରିବା; ତୁମ୍ଭେ ପର୍ବତଗଣକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ ଓ ଉପପର୍ବତଗଣକୁ ତୁଷ ତୁଲ୍ୟ କରିବ।
ଯିଶାଇୟ 41 : 16 (IRVOR)
ତୁମ୍ଭେ ସେମାନଙ୍କୁ କୁଲାରେ ଉଡ଼ାଇଲେ, ବାୟୁ ସେମାନଙ୍କୁ ଉଡ଼ାଇ ନେଇ ଯିବ ଓ ଘୂର୍ଣ୍ଣିବାୟୁ ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇବ; ପୁଣି, ତୁମ୍ଭେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କରିବ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଦର୍ପ କରିବ।
ଯିଶାଇୟ 41 : 17 (IRVOR)
ଦରିଦ୍ର ଓ ଦୀନହୀନମାନେ ଜଳ ଅନ୍ୱେଷଣ କରନ୍ତି, ମାତ୍ର ଜଳ ନାହିଁ, ତହିଁରେ ସେମାନଙ୍କ ଜିହ୍ୱା ତୃଷାରେ ଶୁଷ୍କ ହୁଏ; ଆମ୍ଭେ ସଦାପ୍ରଭୁ ସେମାନଙ୍କୁ ଉତ୍ତର ଦେବା, ଆମ୍ଭେ ଇସ୍ରାଏଲର ପରମେଶ୍ୱର ସେମାନଙ୍କୁ ତ୍ୟାଗ କରିବା ନାହିଁ।
ଯିଶାଇୟ 41 : 18 (IRVOR)
ଆମ୍ଭେ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରେ ନଦନଦୀ କରିବା ଓ ସମସ୍ଥଳୀ ମଧ୍ୟରେ ନିର୍ଝରମାନ ଫିଟାଇବା; ଆମ୍ଭେ ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିକୁ ଜଳ ନିର୍ଝର କରିବା।
ଯିଶାଇୟ 41 : 19 (IRVOR)
ଆମ୍ଭେ ପ୍ରାନ୍ତରରେ ଏରସ, ଶିଟୀମ୍ ଓ ମେହେନ୍ଦି ଓ ତୈଳବୃକ୍ଷ ରୋପଣ କରିବା; ଆମ୍ଭେ ମରୁଭୂମିରେ ଦେବଦାରୁ, ତିଧର ଓ ତାଶୂର ବୃକ୍ଷ ଏକତ୍ର ଲଗାଇବା;
ଯିଶାଇୟ 41 : 20 (IRVOR)
ତହିଁରେ ସଦାପ୍ରଭୁଙ୍କ ହସ୍ତ ଏହି କାର୍ଯ୍ୟ କରିଅଛି ଓ ଇସ୍ରାଏଲର ଧର୍ମସ୍ୱରୂପ ଏହା ସୃଷ୍ଟି କରିଅଛନ୍ତି ବୋଲି ଲୋକମାନେ ଏକତ୍ର ଦେଖିବେ ଓ ବିବେଚନା କରି ବୁଝିବେ।”
ଯିଶାଇୟ 41 : 21 (IRVOR)
ମିଥ୍ୟା ଦେବଦେବୀମାନଙ୍କୁ ସଦାପ୍ରଭୁଙ୍କର ଆହ୍ୱାନ ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଆପଣାମାନଙ୍କ ବିବାଦ ଉପସ୍ଥିତ କର,” ଯାକୁବର ରାଜା କହନ୍ତି, ତୁମ୍ଭେମାନେ ଆପଣାମାନଙ୍କର ଦୃଢ଼ ପ୍ରମାଣସବୁ ବାହାର କର।
ଯିଶାଇୟ 41 : 22 (IRVOR)
ସେମାନେ ତାହାସବୁ ବାହାର କରି ଯାହା ଯାହା ଘଟିବ, ତାହା ଆମ୍ଭମାନଙ୍କ ନିକଟରେ ପ୍ରକାଶ କରନ୍ତୁ; ଆଦ୍ୟର ବିଷୟମାନ କଅଣ, ତାହା ତୁମ୍ଭେମାନେ ପ୍ରକାଶ କର, ତାହା କଲେ, ଆମ୍ଭେମାନେ ବିବେଚନା କରି ତହିଁର ଶେଷ ଫଳ ଜାଣି ପାରିବା; ନୋହିଲେ ଆଗାମୀ ଘଟଣା ଆମ୍ଭମାନଙ୍କୁ ଦେଖାଅ।
ଯିଶାଇୟ 41 : 23 (IRVOR)
ଏଥିଉତ୍ତାରେ ଯାହା ଯାହା ଘଟିବ, ତାହା ପ୍ରକାଶ କର, ତହିଁରେ ତୁମ୍ଭେମାନେ ଯେ ଈଶ୍ୱରଗଣ, ଏହା ଆମ୍ଭେମାନେ ଜାଣିବା; ହଁ, ମଙ୍ଗଳ କର, ଅବା ଅମଙ୍ଗଳ କର, ତହିଁରେ ଆମ୍ଭେମାନେ ନିରାଶ ହୋଇ ଏକତ୍ର ତାହା ଦେଖିବା।
ଯିଶାଇୟ 41 : 24 (IRVOR)
ଦେଖ, ତୁମ୍ଭେମାନେ ଅକିଞ୍ଚିତ ଓ ତୁମ୍ଭମାନଙ୍କର କାର୍ଯ୍ୟ କିଛି ହିଁ ନୁହେଁ; ଯେଉଁ ଲୋକ ତୁମ୍ଭମାନଙ୍କୁ ମନୋନୀତ କରେ, ସେ ଘୃଣାସ୍ପଦ।
ଯିଶାଇୟ 41 : 25 (IRVOR)
ଆମ୍ଭେ ଉତ୍ତର ଦିଗରୁ ଏକ ଜଣକୁ ଉତ୍ପନ୍ନ କରିଅଛୁ ଓ ସେ ଉପସ୍ଥିତ; ସେ ସୂର୍ଯ୍ୟୋଦୟ ଦିଗରୁ ଆମ୍ଭ ନାମ ଆହ୍ୱାନ କରେ; ସେ ଗାନ୍ଥନୀର ମଶଲା ଓ କୁମ୍ଭକାରର ମର୍ଦ୍ଦିତ ମୃତ୍ତିକା ପରି ଦେଶାଧ୍ୟକ୍ଷମାନଙ୍କୁ ଦଳିତ କରିବ।
ଯିଶାଇୟ 41 : 26 (IRVOR)
ଆମ୍ଭେମାନେ ଯେପରି ଜାଣି ପାରିବା, ଏଥିପାଇଁ ଆଦ୍ୟରୁ କିଏ ଏହା ପ୍ରକାଶ କରିଅଛି ? ପୁଣି, ସେ ଧାର୍ମିକ ବୋଲି ଯେପରି ଆମ୍ଭେମାନେ କହି ପାରିବା, ଏଥିପାଇଁ ପୂର୍ବରୁ କିଏ ଏହା ପ୍ରକାଶ କରିଅଛି ? ହଁ, ପ୍ରକାଶକାରୀ କେହି ନାହିଁ, ହଁ, ଦେଖାଇବା ଲୋକ କେହି ନାହିଁ, ହଁ, ତୁମ୍ଭମାନଙ୍କ କଥା ଶୁଣିବା ଲୋକ କେହି ନାହିଁ।
ଯିଶାଇୟ 41 : 27 (IRVOR)
ଆମ୍ଭେ ପ୍ରଥମେ ସିୟୋନକୁ କହିବା, “ଦେଖ, ସେମାନଙ୍କୁ ଦେଖ, ପୁଣି ଆମ୍ଭେ ଯିରୂଶାଲମକୁ ସୁସମାଚାର ଆଣିବାର ଏକ ଲୋକ ଦେବା।”
ଯିଶାଇୟ 41 : 28 (IRVOR)
ଆମ୍ଭେ ଅନାଇଲା ବେଳେ କେହି ନାହିଁ; ଆମ୍ଭେ ପଚାରିଲା ବେଳେ ଯେ ପଦେ ଉତ୍ତର ଦେଇ ପାରେ, ସେମାନଙ୍କ ମଧ୍ୟରେ ଏପରି ମନ୍ତ୍ରଣାଦାତା ସୁଦ୍ଧା କେହି ନାହିଁ।
ଯିଶାଇୟ 41 : 29 (IRVOR)
ଦେଖ, ସେସମସ୍ତେ, ସେମାନଙ୍କର କର୍ମସବୁ ଅସାର ଓ ଅବସ୍ତୁ ମାତ୍ର; ସେମାନଙ୍କର ଛାଞ୍ଚରେ ଢଳା ପ୍ରତିମାଗଣ ବାୟୁ ଓ ଶୂନ୍ୟ ମାତ୍ର।
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29