ଯିଶାଇୟ 23 : 1 (IRVOR)
ସୋର ସୀଦୋନ ପ୍ରତି ଭାବବାଣୀ ସୋର ବିଷୟକ ଭାବବାଣୀ। ହେ ତର୍ଶୀଶ୍ର ଜାହାଜସକଳ, ତୁମ୍ଭେମାନେ ହାହାକାର କର; କାରଣ ତାହା ଏପରି ଉଚ୍ଛିନ୍ନ ହେଲା ଯେ, ତହିଁ ମଧ୍ୟରେ କୌଣସି ଗୃହ ନାହିଁ, କିମ୍ବା ପ୍ରବେଶିବାର ପଥ ନାହିଁ; କିତ୍ତୀମ ଦେଶରୁ ଏହା ସେମାନଙ୍କ ପ୍ରତି ପ୍ରକାଶିତ ହେଲା।
ଯିଶାଇୟ 23 : 2 (IRVOR)
ହେ ଦ୍ୱୀପନିବାସୀମାନେ, ତୁମ୍ଭେମାନେ ନୀରବ ହୁଅ; ସମୁଦ୍ର ପାରଗାମୀ ସୀଦୋନୀୟ ବଣିକମାନେ ତୁମ୍ଭ (ଦେଶ)କୁ ପରିପୂର୍ଣ୍ଣ କଲେ।
ଯିଶାଇୟ 23 : 3 (IRVOR)
ପୁଣି, ମହାଜଳରାଶିରେ ଷୀୟୋରର ବୀଜ ଓ ନୀଳ ନଦୀର ଶସ୍ୟ ତାହାର ଆୟ ଥିଲା; ପୁଣି, ତାହା ନାନା ଦେଶୀୟମାନଙ୍କର ଗଞ୍ଜ ସ୍ୱରୂପ ଥିଲା।
ଯିଶାଇୟ 23 : 4 (IRVOR)
ହେ ସୀଦୋନ, ତୁମ୍ଭେ ଲଜ୍ଜିତ ହୁଅ, କାରଣ ସାଗର, ସାଗରର ଦୃଢ଼ ଦୁର୍ଗ ଏହି କଥା କହିଅଛି, “ଆମ୍ଭେ ପ୍ରସବବେଦନା ଭୋଗି ନାହୁଁ, ପ୍ରସବ କରି ନାହୁଁ କିଅବା ଯୁବକଗଣର ପ୍ରତିପାଳନ କରି ନାହୁଁ, କିମ୍ବା ଯୁବତୀଗଣର ଭରଣପୋଷଣ କରି ନାହୁଁ।”
ଯିଶାଇୟ 23 : 5 (IRVOR)
ଏହି ସମ୍ବାଦ ମିସରରେ ଉପସ୍ଥିତ ହେଲେ, ଲୋକମାନେ ସୋର ବିଷୟକ ସମ୍ବାଦରେ ଅତ୍ୟନ୍ତ ବ୍ୟଥିତ ହେବେ।
ଯିଶାଇୟ 23 : 6 (IRVOR)
ତୁମ୍ଭେମାନେ ପାର ହୋଇ ତର୍ଶୀଶ୍କୁ ଯାଅ; ହେ ଦ୍ୱୀପନିବାସୀମାନେ, ହାହାକାର କର।
ଯିଶାଇୟ 23 : 7 (IRVOR)
ଏହି କି ତୁମ୍ଭମାନଙ୍କର ଉଲ୍ଲାସକାରିଣୀ ନଗରୀ ? ଏହା ପ୍ରାଚୀନ କାଳରେ ହେଁ ପ୍ରାଚୀନ ଥିଲା; ଏହାର ଚରଣ ଦୂର ଦେଶରେ ପ୍ରବେଶ କରିବା ପାଇଁ ଏହାକୁ ନେଇଗଲା।
ଯିଶାଇୟ 23 : 8 (IRVOR)
ମୁକୁଟ ବିତରଣକାରିଣୀ ସୋରର ବଣିକମାନେ ରାଜ ତୁଲ୍ୟ, ତାହାର ମହାଜନମାନେ ପୃଥିବୀର ସମ୍ଭ୍ରାନ୍ତ ଲୋକ; ତାହାର ବିପରୀତରେ ଏହି ମନ୍ତ୍ରଣା କିଏ କରିଅଛି ?
ଯିଶାଇୟ 23 : 9 (IRVOR)
ସୈନ୍ୟାଧିପତି ସଦାପ୍ରଭୁ ତାହାର ଭୂଷଣର ଅହଙ୍କାର ଅଶୁଚି କରିବା ଓ ପୃଥିବୀର ସମ୍ଭ୍ରାନ୍ତ ଲୋକସମସ୍ତଙ୍କୁ ତୁଚ୍ଛନୀୟ କରିବା ନିମନ୍ତେ ଏହି ମନ୍ତ୍ରଣା କରିଅଛନ୍ତି।
ଯିଶାଇୟ 23 : 10 (IRVOR)
ଆଗୋ ତର୍ଶୀଶ୍ର କନ୍ୟେ, ତୁମ୍ଭେ ନୀଳ ନଦୀ ତୁଲ୍ୟ ଆପଣା ଦେଶ ମଧ୍ୟ ଦେଇ ଯାଅ, ତୁମ୍ଭର କଟିବନ୍ଧନ ଆଉ ନାହିଁ।
ଯିଶାଇୟ 23 : 11 (IRVOR)
ସେ ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରିଅଛନ୍ତି, ସେ ରାଜ୍ୟସକଳକୁ ହଲାଇ ଅଛନ୍ତି; ସଦାପ୍ରଭୁ କିଣାନର ଦୃଢ଼ ଦୁର୍ଗସବୁ ଉଚ୍ଛିନ୍ନ କରିବା ନିମନ୍ତେ ତାହାର ପ୍ରତିକୂଳରେ ଆଜ୍ଞା କରିଅଛନ୍ତି।
ଯିଶାଇୟ 23 : 12 (IRVOR)
ପୁଣି, ସେ କହିଲେ, “ଆଗୋ ସୀଦୋନର ଉପଦ୍ରୁତେ, ଅନୂଢ଼େ କନ୍ୟେ, ତୁମ୍ଭେ ଆଉ ଉଲ୍ଲାସ କରିବ ନାହିଁ, ଉଠ, ପାର ହୋଇ କିତ୍ତୀମକୁ ଯାଅ; ସେଠାରେ ସୁଦ୍ଧା ତୁମ୍ଭେ କିଛି ବିଶ୍ରାମ ପାଇବ ନାହିଁ।”
ଯିଶାଇୟ 23 : 13 (IRVOR)
କଲ୍ଦୀୟମାନଙ୍କର[* କଲ୍ଦୀୟମାନଙ୍କର କିମ୍ବା ବାବିଲୀୟମାନଙ୍କର ] ଦେଶକୁ ଦେଖ; ଏହି ଲୋକେ ଆଉ ନାହାନ୍ତି; ବନ୍ୟ ଜନ୍ତୁଗଣ ନିମନ୍ତେ ଅଶୂରୀୟ ତାହା ନିରୂପଣ କରିଅଛି; ସେମାନେ ଦୁର୍ଗ କରି ତାହାର ଅଟ୍ଟାଳିକାସକଳ ଉତ୍ପାଟନ କଲେ; ସେ ତାହା କାନ୍ଥଡ଼ାର ଢ଼ିପି କଲା।
ଯିଶାଇୟ 23 : 14 (IRVOR)
ହେ ତର୍ଶୀଶ୍ର ଜାହାଜସମୂହ, ହାହାକାର କର, କାରଣ ତୁମ୍ଭମାନଙ୍କର ଦୃଢ଼ ଦୁର୍ଗ ଉଚ୍ଛିନ୍ନ ହେଲା।
ଯିଶାଇୟ 23 : 15 (IRVOR)
ସେହି ଦିନ ଏପରି ଘଟିବ ଯେ, ଏକ ରାଜାର ଅଧିକାରର ସମୟ ପ୍ରମାଣେ ସୋର ସତୁରି ବର୍ଷ ପର୍ଯ୍ୟନ୍ତ ବିସ୍ମୃତ ହେବ; ସତୁରି ବର୍ଷ ଶେଷ ହେଲା ଉତ୍ତାରେ ବେଶ୍ୟାର ଗୀତ ଅନୁଯାୟୀ ସୋର ପ୍ରତି ଘଟିବ।
ଯିଶାଇୟ 23 : 16 (IRVOR)
ହେ ବିସ୍ମୃତ ବେଶ୍ୟେ, ବୀଣା ନେଇ ନଗର ଭ୍ରମଣ କର; ତୁମ୍ଭେ ଯେପରି ସ୍ମୃତିପଥରେ ଆସିବ, ଏଥିପାଇଁ ମଧୁର ତାଳରେ ବଜାଅ, ଅନେକ ଗୀତ ଗାଅ।
ଯିଶାଇୟ 23 : 17 (IRVOR)
ଆହୁରି, ସତୁରି ବର୍ଷ ସମାପ୍ତ ହେଲା ଉତ୍ତାରେ ସଦାପ୍ରଭୁ ସୋରର ତତ୍ତ୍ୱ ଅନୁସନ୍ଧାନ କରିବେ, ତହୁଁ ସେ ଆପଣା ଭଡ଼ାଟୀୟା ବୃତ୍ତିକୁ ଫେରିବ, ପୁଣି, ଭୂମଣ୍ଡଳରେ ସର୍ବତ୍ର ପୃଥିବୀସ୍ଥ ସକଳ ରାଜ୍ୟ ସଙ୍ଗେ ବେଶ୍ୟା ବୃତ୍ତି କରିବ।
ଯିଶାଇୟ 23 : 18 (IRVOR)
ଆଉ, ତାହାର ବାଣିଜ୍ୟ ଓ ଭଡ଼ା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତାହା ଭଣ୍ଡାରରେ ରଖାଯିବ ନାହିଁ କି ସଞ୍ଚୟ କରାଯିବ ନାହିଁ; କାରଣ ଯେଉଁମାନେ ସଦାପ୍ରଭୁଙ୍କ ସମ୍ମୁଖରେ ବାସ କରନ୍ତି, ସେମାନଙ୍କର ଯଥେଷ୍ଟ ଭକ୍ଷ୍ୟ ଓ ଚିରସ୍ଥାୟୀ ବସ୍ତ୍ର ନିମନ୍ତେ ତାହାର ବାଣିଜ୍ୟ ହେବ।
❮
❯
1
2
3
4
5
6
7
8
9
10
11
12
13
14
15
16
17
18