ଯିଶାଇୟ 19 : 1 (IRVOR)
ମିସର ପ୍ରତି ଭାବବାଣୀ ମିସର ବିଷୟକ ଭବିଷ୍ୟତ ବାଣୀ। ଦେଖ, ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆରୋହଣ କରି ମିସରକୁ ଆସୁଅଛନ୍ତି; ପୁଣି, ତାହାଙ୍କ ଛାମୁରେ ମିସରର ପ୍ରତିମାଗଣ କମ୍ପାନ୍ୱିତ ହେବେ ଓ ମିସରର ହୃଦୟ ତାହାର ମଧ୍ୟରେ ତରଳି ଯିବ।
ଯିଶାଇୟ 19 : 2 (IRVOR)
ପୁଣି, “ଆମ୍ଭେ ମିସ୍ରୀୟମାନଙ୍କୁ ମିସ୍ରୀୟମାନଙ୍କ ପ୍ରତିକୂଳରେ ଉତ୍ତେଜିତ କରିବା; ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଭାଇର ଓ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ବିରୁଦ୍ଧରେ ଯୁଦ୍ଧ କରିବେ; ନଗର ନଗର ବିରୁଦ୍ଧରେ, ରାଜ୍ୟ ରାଜ୍ୟ ବିରୁଦ୍ଧରେ, ଯୁଦ୍ଧ କରିବେ।
ଯିଶାଇୟ 19 : 3 (IRVOR)
ଆଉ, ମିସରର ଆତ୍ମା ତାହା ମଧ୍ୟରେ ଶୂନ୍ୟ କରାଯିବ ଓ ଆମ୍ଭେ ତାହାର ମନ୍ତ୍ରଣା ଗ୍ରାସ କରିବା; ତହିଁରେ ସେମାନେ ପ୍ରତିମା, ମୋହକ, ଭୂତୁଡ଼ିଆ ଓ ଗୁଣିଆମାନଙ୍କର ଅନ୍ଵେଷଣ କରିବେ।
ଯିଶାଇୟ 19 : 4 (IRVOR)
ଆଉ, ଆମ୍ଭେ ମିସ୍ରୀୟମାନଙ୍କୁ ଏକ ନିର୍ଦ୍ଦୟ ପ୍ରଭୁ ହସ୍ତରେ ସମର୍ପଣ କରିବା ଓ ଏକ ଦୁରନ୍ତ ରାଜା ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବ,” ଏହା ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
ଯିଶାଇୟ 19 : 5 (IRVOR)
ପୁଣି, ସମୁଦ୍ର ଜଳଶୂନ୍ୟ ହେବ ଓ ନଦୀ କ୍ଷୟ ପାଇ ଶୁଷ୍କ ହେବ।
ଯିଶାଇୟ 19 : 6 (IRVOR)
ଆଉ, ନଦୀସବୁ ଦୁର୍ଗନ୍ଧ ହେବ; ମିସରର ସ୍ରୋତସବୁ ସାନ ହୋଇ ଶୁଖିଯିବ; ନଳ ଓ ଜଳଜ ତୃଣ ଶୁଷ୍କ ହୋଇଯିବ।
ଯିଶାଇୟ 19 : 7 (IRVOR)
ନୀଳ ନଦୀ ନିକଟସ୍ଥ, ନୀଳ ନଦୀର ତୀରବର୍ତ୍ତୀ ପଡ଼ିଆସବୁ ଓ ନୀଳ ନଦୀ ନିକଟରେ ଯାହା କିଛି ବୁଣାଯାଏ, ସେହି ସବୁ ଶୁଷ୍କ ହୋଇ ଉଡ଼ିଯିବ ଓ ଆଉ ରହିବ ନାହିଁ।
ଯିଶାଇୟ 19 : 8 (IRVOR)
କେଉଟମାନେ ମଧ୍ୟ ବିଳାପ କରିବେ ଓ ଯେଉଁମାନେ ନୀଳ ନଦୀରେ ବନଶୀ ପକାନ୍ତି, ସେମାନେ ସମସ୍ତେ ଶୋକ କରିବେ, ପୁଣି, ଯେଉଁମାନେ ଜଳରେ ଜାଲ ପ୍ରସାରନ୍ତି, ସେମାନେ ଅବସନ୍ନ ହେବେ।
ଯିଶାଇୟ 19 : 9 (IRVOR)
ଆହୁରି, ଯେଉଁମାନେ ପରିଷ୍କୃତ ଛଣପଟର କାର୍ଯ୍ୟ କରନ୍ତି ଓ ଯେଉଁମାନେ ଶୁକ୍ଳ ବସ୍ତ୍ର ବୁଣନ୍ତି, ସେମାନେ ଲଜ୍ଜିତ ହେବେ।
ଯିଶାଇୟ 19 : 10 (IRVOR)
ପୁଣି, ତାହାର ସ୍ତମ୍ଭସକଳ ଭଙ୍ଗାଯାଇ ଖଣ୍ଡ ଖଣ୍ଡ ହେବ, ବେତନ ପାଇଁ କାର୍ଯ୍ୟ କରିବା ଲୋକ ସମସ୍ତେ ପ୍ରାଣରେ ଦୁଃଖିତ ହେବେ।
ଯିଶାଇୟ 19 : 11 (IRVOR)
ସୋୟନର ଅଧିପତିମାନେ ନିତାନ୍ତ ନିର୍ବୋଧ ଅଟନ୍ତି; ଫାରୋର ବିଜ୍ଞବର ମନ୍ତ୍ରୀଗଣର ମନ୍ତ୍ରଣା ପଶୁବତ୍ ହୋଇଅଛି; ତୁମ୍ଭେମାନେ କିପରି କରି ଫାରୋକୁ କହୁଅଛ, ଆମ୍ଭେ ଜ୍ଞାନୀମାନଙ୍କର ପୁତ୍ର, ପ୍ରାଚୀନ ରାଜାଗଣର ସନ୍ତାନ ?
ଯିଶାଇୟ 19 : 12 (IRVOR)
ତେବେ ତୁମ୍ଭର ଜ୍ଞାନୀ ଲୋକମାନେ କେଉଁଠାରେ ? ସେମାନେ ଏବେ ତୁମ୍ଭକୁ ଜଣାଉନ୍ତୁ ଓ ସୈନ୍ୟାଧିପତି ସଦାପ୍ରଭୁ ମିସର ବିଷୟରେ ଯାହା ମନ୍ତ୍ରଣା କରିଅଛନ୍ତି, ତାହା ସେମାନେ ଜାଣନ୍ତୁ।
ଯିଶାଇୟ 19 : 13 (IRVOR)
ସୋୟନର ଅଧିପତିମାନେ ନିର୍ବୋଧ ହୋଇଅଛନ୍ତି, ନୋଫର ଅଧିପତିମାନେ ଭ୍ରାନ୍ତ ହୋଇଅଛନ୍ତି; ଯେଉଁମାନେ ମିସରୀୟ ଗୋଷ୍ଠୀବର୍ଗର କୋଣପ୍ରସ୍ତର ସ୍ୱରୂପ, ସେମାନେ ମିସରକୁ ବିପଥରେ ଗମନ କରାଇଅଛନ୍ତି।
ଯିଶାଇୟ 19 : 14 (IRVOR)
ସଦାପ୍ରଭୁ ମିସର ମଧ୍ୟରେ ଭ୍ରାନ୍ତିରୂପ ଆତ୍ମା ମିଶ୍ରିତ କରିଅଛନ୍ତି; ପୁଣି, ମତ୍ତ ଲୋକ ଯେପରି ଆପଣା ବାନ୍ତିରେ ଟଳଟଳ ହୋଇ ପଡ଼େ, ସେହିପରି ସେମାନେ ମିସରକୁ ତାହାର ପ୍ରତ୍ୟେକ କର୍ମରେ ବିପଥଗାମୀ କରାଇଅଛନ୍ତି।
ଯିଶାଇୟ 19 : 15 (IRVOR)
ପୁଣି, ମସ୍ତକ କିମ୍ବା ଲାଙ୍ଗୁଳ, କିମ୍ବା ତାଳବାହୁଙ୍ଗା କିମ୍ବା ଜଳଜ ତୃଣ ଯାହା କରିପାରେ, ଏପରି କୌଣସି କାର୍ଯ୍ୟ ମିସର ପାଇଁ କରାଯିବ ନାହିଁ।
ଯିଶାଇୟ 19 : 16 (IRVOR)
ମିସର, ଅଶୂର ଓ ଇସ୍ରାଏଲ ଆଶୀର୍ବାଦ ପ୍ରାପ୍ତ ସେହି ଦିନ ମିସର ସ୍ତ୍ରୀମାନଙ୍କ ତୁଲ୍ୟ ହେବ, ପୁଣି, ସୈନ୍ୟାଧିପତି ସଦାପ୍ରଭୁ, ତାହା ଉପରେ ଯେଉଁ ହସ୍ତ ହଲାନ୍ତି, ତାହାଙ୍କର ସେହି ହସ୍ତ ହଲିବା ସକାଶୁ ସେ କମ୍ପିବ ଓ ଭୀତ ହେବ।
ଯିଶାଇୟ 19 : 17 (IRVOR)
ମିସର ପ୍ରତି ଯିହୁଦା ଦେଶ ତ୍ରାସଜନକ ହେବ, ସୈନ୍ୟାଧିପତି ସଦାପ୍ରଭୁ ତାହାର ପ୍ରତିକୂଳରେ ଯେଉଁ ମନ୍ତ୍ରଣା କରନ୍ତି, ତହିଁ ସକାଶୁ ଯେ ପ୍ରତ୍ୟେକ ଲୋକକୁ ଯିହୁଦାର ନାମ କୁହାଯାଏ, ସେ ଭୀତ ହେବ।
ଯିଶାଇୟ 19 : 18 (IRVOR)
ସେହି ଦିନ ମିସର ଦେଶ ମଧ୍ୟରେ ପାଞ୍ଚ ନଗର କିଣାନୀୟ ଭାଷାବାଦୀ ହେବେ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଶପଥ କରିବେ, ଏକ ନଗର ଉତ୍ପାଟନ ନଗର ବୋଲି ଖ୍ୟାତ ହେବ।
ଯିଶାଇୟ 19 : 19 (IRVOR)
ସେହି ଦିନ ମିସର ଦେଶର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ହେବ ଓ ତହିଁର ସୀମା ନିକଟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ସ୍ତମ୍ଭ ସ୍ଥାପିତ ହେବ।
ଯିଶାଇୟ 19 : 20 (IRVOR)
ପୁଣି, ତାହା ମିସର ଦେଶରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଚିହ୍ନ ଓ ସାକ୍ଷୀ ସ୍ୱରୂପ ହେବ; କାରଣ ସେମାନେ ଉପଦ୍ରବୀଗଣର ସକାଶୁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରିବେ, ତହିଁରେ ସେ ଜଣେ ତ୍ରାଣକର୍ତ୍ତା ଓ ରକ୍ଷକ ପଠାଇବେ ଓ ସେ ସେମାନଙ୍କୁ ଉଦ୍ଧାର କରିବେ।
ଯିଶାଇୟ 19 : 21 (IRVOR)
ପୁଣି, ମିସରକୁ ସଦାପ୍ରଭୁଙ୍କର ପରିଚୟ ଦିଆଯିବ ଓ ସେହି ଦିନ ମିସରୀୟମାନେ ସଦାପ୍ରଭୁଙ୍କୁ ଜାଣିବେ; ଆହୁରି, ସେମାନେ ବଳି ଓ ନୈବେଦ୍ୟ ଦେଇ ଆରାଧନା କରିବେ ଓ ସଦାପ୍ରଭୁଙ୍କ ନିକଟରେ ମାନତ କରି ତାହା ପୂର୍ଣ୍ଣ କରିବେ।
ଯିଶାଇୟ 19 : 22 (IRVOR)
ପୁଣି, ସଦାପ୍ରଭୁ ମିସରକୁ ପ୍ରହାର କରିବେ, ପ୍ରହାର କରିବେ ଓ ସୁସ୍ଥ କରିବେ; ପୁଣି, ସେମାନେ ସଦାପ୍ରଭୁଙ୍କ ନିକଟକୁ ଫେରି ଆସିବେ, ତହିଁରେ ସେ ସେମାନଙ୍କର ବିନତି ଗ୍ରାହ୍ୟ କରି ସେମାନଙ୍କୁ ସୁସ୍ଥ କରିବେ।
ଯିଶାଇୟ 19 : 23 (IRVOR)
ସେହି ଦିନ ମିସରଠାରୁ ଅଶୂରକୁ ଏକ ରାଜପଥ ପଡ଼ିବ, ତହିଁରେ ଅଶୂରୀୟମାନେ ମିସରକୁ ଓ ମିସରୀୟମାନେ ଅଶୂରକୁ ଯାତାୟତ କରିବେ; ପୁଣି, ମିସରୀୟମାନେ ଅଶୂରୀୟମାନଙ୍କ ସଙ୍ଗେ ଆରାଧନା କରିବେ।
ଯିଶାଇୟ 19 : 24 (IRVOR)
ସେହି ଦିନ ଇସ୍ରାଏଲ, ମିସର ଓ ଅଶୂରର ସଙ୍ଗେ ତୃତୀୟ ହୋଇ ପୃଥିବୀ ମଧ୍ୟରେ ଆଶୀର୍ବାଦର ପାତ୍ର ହେବ;
ଯିଶାଇୟ 19 : 25 (IRVOR)
କାରଣ ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରି କହିଅଛନ୍ତି, “ଆମ୍ଭର ଲୋକ ମିସର, ଆମ୍ଭର ହସ୍ତକୃତ କର୍ମ ଅଶୂର ଓ ଆମ୍ଭର ଅଧିକାର ଇସ୍ରାଏଲ ଆଶୀର୍ବାଦଯୁକ୍ତ ହେଉନ୍ତୁ।”
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25