ଯିଶାଇୟ 10 : 1 (IRVOR)
ଯେଉଁମାନେ ଅଧର୍ମ ବ୍ୟବସ୍ଥା ସ୍ଥାପନ କରନ୍ତି ଓ ଯେଉଁ ଲେଖକମାନେ ଉପଦ୍ରବର କଥା ଲେଖନ୍ତି, ସେମାନେ ସନ୍ତାପର ପାତ୍ର !
ଯିଶାଇୟ 10 : 2 (IRVOR)
ସେମାନେ ବିଧବାମାନଙ୍କୁ ଆପଣାମାନଙ୍କର ଲୁଟିତ ଦ୍ରବ୍ୟ ସ୍ୱରୂପ କରିବା ପାଇଁ, ପିତୃହୀନମାନଙ୍କୁ ଆପଣାମାନଙ୍କର ମୃଗୟା ସ୍ୱରୂପ କରିବା ପାଇଁ, ଦରିଦ୍ରମାନଙ୍କୁ ନ୍ୟାୟବିଚାରରୁ ଫେରାଇ ଦିଅନ୍ତି ଓ ମୋହର ଦୁଃଖୀ ଲୋକମାନଙ୍କର ଅଧିକାର ହରଣ କରନ୍ତି।
ଯିଶାଇୟ 10 : 3 (IRVOR)
ଏଣୁ ପ୍ରତିଫଳ ଦେବାର ଦିନରେ ଓ ଦୂରରୁ ଆସନ୍ତା ବିନାଶ ସମୟରେ ତୁମ୍ଭେମାନେ କଅଣ କରିବ ? ସାହାଯ୍ୟ ନିମନ୍ତେ ତୁମ୍ଭେମାନେ କାହା ନିକଟକୁ ପଳାଇବ ? ଓ ତୁମ୍ଭମାନଙ୍କର ପ୍ରତାପ କେଉଁଠାରେ ରଖିବ ?
ଯିଶାଇୟ 10 : 4 (IRVOR)
ସେମାନେ କେବଳ ବନ୍ଦୀ ଲୋକମାନଙ୍କର ପଦ ତଳେ ନତ ହେବେ ଓ ହତ ଲୋକମାନଙ୍କର ତଳେ ପଡ଼ିବେ। ଏହି ସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।
ଯିଶାଇୟ 10 : 5 (IRVOR)
ଈଶ୍ୱରଙ୍କ ଅସ୍ତ୍ର-ଅଶୂର ହାୟ ଅଶୂର ! ସେ ଆମ୍ଭର କ୍ରୋଧରୂପ ଦଣ୍ଡ, ତାହାର ହସ୍ତରେ ଆମ୍ଭର କୋପରୂପ ଯଷ୍ଟି ଅଛି।
ଯିଶାଇୟ 10 : 6 (IRVOR)
ଆମ୍ଭେ ତାହାକୁ ଲୁଟିତ ଦ୍ରବ୍ୟ ଓ ମୃଗୟା ନେଇ ଯିବା ନିମନ୍ତେ ଓ ଲୋକମାନଙ୍କୁ ବାଟର କାଦୁଅ ତୁଲ୍ୟ ଦଳିତ କରିବା ନିମନ୍ତେ ଧର୍ମହୀନ ଗୋଷ୍ଠୀର ଓ ଆମ୍ଭ କ୍ରୋଧପାତ୍ର ଲୋକମାନଙ୍କ ବିରୁଦ୍ଧରେ ଆଜ୍ଞା ଦେବା।
ଯିଶାଇୟ 10 : 7 (IRVOR)
ତଥାପି ତାହାର ଅଭିପ୍ରାୟ ସେହିପରି ନୁହେଁ, କିଅବା ତାହାର ହୃଦୟ ସେହିପରି ଭାବେ ନାହିଁ; ମାତ୍ର ବିନାଶ କରିବାକୁ ଓ ଅନେକ ଗୋଷ୍ଠୀଙ୍କୁ ଉଚ୍ଛିନ୍ନ କରିବାକୁ ତାହାର ହୃଦୟରେ ଅଛି।
ଯିଶାଇୟ 10 : 8 (IRVOR)
କାରଣ ସେ କହେ, ଆମ୍ଭର ସେନାପତିଗଣ ସମସ୍ତେ କି ରାଜା ନୁହଁନ୍ତି ?
ଯିଶାଇୟ 10 : 9 (IRVOR)
କଲ୍‍ନୋ ସହର କି କର୍କମୀଶ୍‍ ସହର ତୁଲ୍ୟ ନୁହେଁ ? ହମାତ୍‍ ସହର କି ଅର୍ପଦ ସହର ତୁଲ୍ୟ ନୁହେଁ ? ଶମରୀୟା କି ଦମ୍ମେଶକ ତୁଲ୍ୟ ନୁହେଁ ?
ଯିଶାଇୟ 10 : 10 (IRVOR)
ଯେଉଁ ପ୍ରତିମାଗଣର ରାଜ୍ୟସକଳର ଖୋଦିତ ମୂର୍ତ୍ତିସମୂହ, ଯିରୂଶାଲମର ଓ ଶମରୀୟାର ମୂର୍ତ୍ତିଗଣ ଅପେକ୍ଷା ଶ୍ରେଷ୍ଠ, ସେହି ସବୁ ରାଜ୍ୟ ଆମ୍ଭର ହସ୍ତଗତ ହୋଇଅଛି;
ଯିଶାଇୟ 10 : 11 (IRVOR)
ଆମ୍ଭେ ଶମରୀୟା ଓ ତାହାର ପ୍ରତିମାଗଣ ପ୍ରତି ଯେପରି କରିଅଛୁ, ଯିରୂଶାଲମ ଓ ତାହାର ପ୍ରତିମାଗଣ ପ୍ରତି କ’ଣ ସେହିପରି କରିବା ନାହିଁ ?
ଯିଶାଇୟ 10 : 12 (IRVOR)
ଏହେତୁ ଏପରି ଘଟିବ ଯେ, ପ୍ରଭୁ ସିୟୋନ ପର୍ବତରେ ଓ ଯିରୂଶାଲମରେ ଆପଣାର ସମସ୍ତ କାର୍ଯ୍ୟ ସାଧନ କଲା ଉତ୍ତାରେ ଆମ୍ଭେ ଅଶୂର-ରାଜର ଅହଙ୍କାରମୟ ଚିତ୍ତରୂପ ଫଳର ଓ ତାହାର ଉଚ୍ଚ ଦୃଷ୍ଟିରୂପ ଆଡ଼ମ୍ବରର ପ୍ରତିଫଳ ଦେବା।
ଯିଶାଇୟ 10 : 13 (IRVOR)
କାରଣ ସେ କହିଅଛି, ମୁଁ ବୁଦ୍ଧିମାନ ହେବାରୁ ଆପଣା ହସ୍ତର ବଳ ଓ ଆପଣା ଜ୍ଞାନ ଦ୍ୱାରା ଏହା କରିଅଛି; ପୁଣି, ମୁଁ ନାନା ଗୋଷ୍ଠୀର ସୀମା ଦୂର କରିଅଛି ଓ ସେମାନଙ୍କର ସଞ୍ଚିତ ଧନ ହରଣ କରିଅଛି, ଆଉ ମୁଁ ବିକ୍ରମଶାଳୀ ଲୋକ ତୁଲ୍ୟ ସିଂହାସନୋପବିଷ୍ଟ ଲୋକମାନଙ୍କୁ ତଳକୁ ଓହ୍ଲାଇ ଆଣିଅଛି;
ଯିଶାଇୟ 10 : 14 (IRVOR)
ପୁଣି, ମୋହର ହସ୍ତ ନାନା ଗୋଷ୍ଠୀର ଧନ ପକ୍ଷୀର ବସା ତୁଲ୍ୟ ପ୍ରାପ୍ତ ହୋଇଅଛି ଓ କେହି ଯେପରି ତ୍ୟକ୍ତ ଡିମ୍ବ ସଂଗ୍ରହ କରେ, ସେହିପରି ମୁଁ ସମୁଦାୟ ପୃଥିବୀକୁ ସଂଗ୍ରହ କରିଅଛି; ଆଉ, ପକ୍ଷ ହଲାଇବାକୁ କିଅବା ଥଣ୍ଟ ଫିଟାଇବାକୁ ଅବା ଚିଁ ଚିଁ ଶବ୍ଦ କରିବାକୁ କେହି ନ ଥିଲା।
ଯିଶାଇୟ 10 : 15 (IRVOR)
କୁହ୍ରାଡ଼ି କ’ଣ ତଦ୍ଦ୍ୱାରା ଛେଦନକର୍ତ୍ତା ବିରୁଦ୍ଧରେ ଦର୍ପ କରିବ ? କରତ କ’ଣ କରତୀୟାର ପ୍ରତିକୂଳରେ ଆପଣାକୁ ଶ୍ରେଷ୍ଠ କରିବ ? ଯେଉଁମାନେ ଦଣ୍ଡ ଉଠାନ୍ତି, ଦଣ୍ଡ କ’ଣ ସେମାନଙ୍କୁ ହଲାଇବ ? ଯେ କାଷ୍ଠ ନୁହେଁ, ଯଷ୍ଟି କ’ଣ ତାହାକୁ ଉଠାଇବ ?
ଯିଶାଇୟ 10 : 16 (IRVOR)
ଏହେତୁ ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ତାହାର ସ୍ଥୂଳକାୟ ଲୋକମାନଙ୍କ ମଧ୍ୟରେ କ୍ଷୀଣତା ପଠାଇବେ ଓ ତାହାର ପ୍ରତାପର ତଳେ ଅଗ୍ନିଦାହ ତୁଲ୍ୟ ଦାହ ହେବ।
ଯିଶାଇୟ 10 : 17 (IRVOR)
ପୁଣି, ଇସ୍ରାଏଲର ଜ୍ୟୋତିଃ ଅଗ୍ନି ସ୍ୱରୂପ ହେବ ଓ ତାହାର ଧର୍ମସ୍ୱରୂପ ଅଗ୍ନିଶିଖା ସଦୃଶ ହେବେ, ଆଉ ତାହା ଜ୍ୱଳି ଗୋଟିଏ ଦିନରେ ତାହାର କାନକୋଳି ଓ କଣ୍ଟକ ବୃକ୍ଷସବୁ ଗ୍ରାସ କରିବ।
ଯିଶାଇୟ 10 : 18 (IRVOR)
ଆଉ, ସେ ତାହାର ବନ ଓ ଉର୍ବରା କ୍ଷେତ୍ରର ଗୌରବକୁ ପ୍ରାଣ ଓ ଶରୀର ସୁଦ୍ଧା ସଂହାର କରିବେ; ତହିଁରେ ଧ୍ୱଜାଧାରୀ କ୍ଷୀଣ ହେବା ବେଳେ ଯେପରି ହୁଏ, ସେହିପରି ହେବ।
ଯିଶାଇୟ 10 : 19 (IRVOR)
ପୁଣି, ତାହାର ବନର ଅବଶିଷ୍ଟ ବୃକ୍ଷ ଏତେ ଅଳ୍ପ ହେବ ଯେ, ଗୋଟିଏ ବାଳକ ତାହା ଲେଖି ପାରିବ।
ଯିଶାଇୟ 10 : 20 (IRVOR)
ଇସ୍ରାଏଲର ଅବଶିଷ୍ଟାଂଶଙ୍କ ପ୍ରତ୍ୟାବର୍ତ୍ତନ ପୁଣି, ସେହି ଦିନରେ ଏପରି ଘଟିବ ଯେ, ଇସ୍ରାଏଲର ଅବଶିଷ୍ଟାଂଶ ଓ ଯାକୁବ-ବଂଶର ରକ୍ଷାପ୍ରାପ୍ତ ଲୋକେ ଆପଣାମାନଙ୍କ ପ୍ରହାରକାରୀର ଉପରେ ଆଉ ନିର୍ଭର କରିବେ ନାହିଁ; ମାତ୍ର ସେମାନେ ସତ୍ୟ ଭାବରେ ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବେ।
ଯିଶାଇୟ 10 : 21 (IRVOR)
ଅବଶିଷ୍ଟାଂଶ, ଅର୍ଥାତ୍‍, ଯାକୁବର ଅବଶିଷ୍ଟାଂଶ, ପରାକ୍ରାନ୍ତ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବେ।
ଯିଶାଇୟ 10 : 22 (IRVOR)
କାରଣ ତୁମ୍ଭ ଇସ୍ରାଏଲ ଲୋକେ ସମୁଦ୍ରର ବାଲି ପରି ହେଲେ ହେଁ ସେମାନଙ୍କର କେବଳ ଅବଶିଷ୍ଟାଂଶ ଫେରି ଆସିବେ; ଧାର୍ମିକତାର ବଢ଼ି ସ୍ୱରୂପ ଉଚ୍ଛିନ୍ନତା ନିରୂପିତ ହୋଇଅଛି।
ଯିଶାଇୟ 10 : 23 (IRVOR)
ଯେହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ସମୁଦାୟ ପୃଥିବୀରେ ଉଚ୍ଛିନ୍ନତା, ନିରୂପିତ ଉଚ୍ଛିନ୍ନତା, ସିଦ୍ଧ କରିବେ।
ଯିଶାଇୟ 10 : 24 (IRVOR)
ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ହେ ସିୟୋନ ନିବାସୀ ଆମ୍ଭର ଲୋକମାନେ, ଯଦ୍ୟପି ଅଶୂର ମିସରର ରୀତି ଅନୁସାରେ ତୁମ୍ଭକୁ ଦଣ୍ଡାଘାତ କରେ ଓ ତୁମ୍ଭ ବିପରୀତରେ ଆପଣା ଯଷ୍ଟି ଉଠାଏ, ତଥାପି ତାହା ବିଷୟରେ ଭୀତ ହୁଅ ନାହିଁ।
ଯିଶାଇୟ 10 : 25 (IRVOR)
କାରଣ ଅତ୍ୟଳ୍ପ କାଳ ଉତ୍ତାରେ କ୍ରୋଧ ଓ ସେମାନଙ୍କ ବିନାଶରେ ଆମ୍ଭର କୋପ ସିଦ୍ଧ ହେବ।
ଯିଶାଇୟ 10 : 26 (IRVOR)
ପୁଣି, ସୈନ୍ୟାଧିପତି ସଦାପ୍ରଭୁ, ଓରେବ ଶୈଳରେ ମିଦୀୟନର ହତ୍ୟା କାଳରେ ଯେପରି କରିଥିଲେ, ସେହିପରି ତାହାର ପ୍ରତିକୂଳରେ ଆପଣା କୋରଡ଼ା ହଲାଇବେ; ଆଉ, ତାହାଙ୍କର ଦଣ୍ଡ ସାଗର ଉପରେ ରହିବ ଓ ମିସରର ରୀତି ଅନୁସାରେ ସେ ତାହା ଉଠାଇବେ।
ଯିଶାଇୟ 10 : 27 (IRVOR)
ପୁଣି, ସେହି ଦିନରେ ତାହାର ବୋଝ ତୁମ୍ଭ ସ୍କନ୍ଧରୁ ଓ ତାହାର ଯୁଆଳି ତୁମ୍ଭ ଗ୍ରୀବାରୁ ଦୂର କରାଯିବ, ପୁଣି ଅଭିଷେକ ସକାଶୁ ଯୁଆଳି ବିନଷ୍ଟ ହେବ।
ଯିଶାଇୟ 10 : 28 (IRVOR)
ସେ ଅୟାତକୁ ଆସିଅଛି, ସେ ମିଗ୍ରୋଣ ମଧ୍ୟ ଦେଇ ଯାଇଅଛି; ସେ ମିକ୍‍ମସରେ ଆପଣା ଦ୍ରବ୍ୟ ସାମଗ୍ରୀ ରଖୁଅଛି;
ଯିଶାଇୟ 10 : 29 (IRVOR)
ସେମାନେ ଘାଟି ପାର ହୋଇ ଯାଇଅଛନ୍ତି; ସେମାନେ ଗେବାରେ ବସା କରିଅଛନ୍ତି; ରାମା କମ୍ପୁଅଛି; ଶାଉଲର ଗିବୀୟା ପଳାୟନ କରିଅଛି।
ଯିଶାଇୟ 10 : 30 (IRVOR)
ଆଗୋ ଗଲ୍ଲୀମର କନ୍ୟେ, ତୁମ୍ଭେ ଆପଣା ରବରେ ଉଚ୍ଚ ଶବ୍ଦ କର, ହେ ଲୟିଶ୍‍, କର୍ଣ୍ଣପାତ କର, ଆଃ ଦୁଃଖିନୀ ଅନାଥୋତ୍‍,
ଯିଶାଇୟ 10 : 31 (IRVOR)
ମଦମେନା ପଳାତକ ହୋଇଅଛି; ଗେବୀମ ନିବାସୀମାନେ ପଳାଇବା ପାଇଁ ଏକତ୍ର ହେଉଅଛନ୍ତି।
ଯିଶାଇୟ 10 : 32 (IRVOR)
ସେ ଆଜି ନୋବରେ ରହିବ; ସେ ସିୟୋନ କନ୍ୟାର ପର୍ବତ ଯିରୂଶାଲମ ଗିରି ପ୍ରତି ହସ୍ତ ହଲାଉଅଛି।
ଯିଶାଇୟ 10 : 33 (IRVOR)
ଦେଖ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଭୟଙ୍କର ରୂପରେ ଶାଖାସବୁ କାଟି ପକାଇବେ; ପୁଣି, ଉଚ୍ଚ ଆକୃତିସବୁ ହଣା ଯିବ ଓ ଉନ୍ନତସବୁ ନତ କରାଯିବ।
ଯିଶାଇୟ 10 : 34 (IRVOR)
ସେ ଲୌହ ଦ୍ୱାରା ବନର ନିବିଡ଼ ସ୍ଥାନ ସବୁ କାଟି ପକାଇବେ, ପୁଣି ଏକ ମହାପରାକ୍ରମୀ ଦ୍ୱାରା ଲିବାନୋନ ନିପାତିତ ହେବ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34