ହୋଶେୟ 6 : 1 (IRVOR)
ଯିହୁଦା ଓ ଇସ୍ରାଏଲର ମିଥ୍ୟା ଅନୁତାପ ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟକୁ ଫେରି ଯାଉ; କାରଣ ସେ ବିଦୀର୍ଣ୍ଣ କରିଅଛନ୍ତି ଓ ସେ ଆମ୍ଭମାନଙ୍କୁ ସୁସ୍ଥ କରିବେ; ସେ ପ୍ରହାର କରିଅଛନ୍ତି ଓ ସେ ଆମ୍ଭମାନଙ୍କ କ୍ଷତ ବାନ୍ଧିବେ।
ହୋଶେୟ 6 : 2 (IRVOR)
ଦୁଇ ଦିନ ଉତ୍ତାରେ ସେ ଆମ୍ଭମାନଙ୍କୁ ସଂଜୀବିତ କରିବେ; ତୃତୀୟ ଦିନରେ ଆମ୍ଭମାନଙ୍କୁ ଉଠାଇବେ ଓ ଆମ୍ଭେମାନେ ତାହାଙ୍କ ଛାମୁରେ ବଞ୍ଚିବୁ।
ହୋଶେୟ 6 : 3 (IRVOR)
ପୁଣି, ଆମ୍ଭେମାନେ ଜ୍ଞାତ ହେଉ, ସଦାପ୍ରଭୁଙ୍କୁ ଜାଣିବା ନିମନ୍ତେ ତାହାଙ୍କ ପଶ୍ଚାତ୍‍ଗମନ କରୁ; ତାହାଙ୍କର ଉଦୟ ପ୍ରତ୍ୟୁଷ ତୁଲ୍ୟ ନିଶ୍ଚିତ; ଆଉ ସେ ଆମ୍ଭମାନଙ୍କ ନିକଟକୁ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଶେଷ ବୃଷ୍ଟି ତୁଲ୍ୟ ଆସିବେ।
ହୋଶେୟ 6 : 4 (IRVOR)
ହେ ଇଫ୍ରୟିମ, ଆମ୍ଭେ ତୁମ୍ଭ ପ୍ରତି କଅଣ କରିବା ? ହେ ଯିହୁଦା, ଆମ୍ଭେ ତୁମ୍ଭ ପ୍ରତି କଅଣ କରିବା ? କାରଣ ତୁମ୍ଭମାନଙ୍କର ଧର୍ମ ପ୍ରାତଃ କାଳୀନ ମେଘ ତୁଲ୍ୟ ଓ ପ୍ରତ୍ୟୁଷରେ ଅନ୍ତର୍ହିତ ହେବା କାକର ତୁଲ୍ୟ।
ହୋଶେୟ 6 : 5 (IRVOR)
ଏଥିପାଇଁ ଆମ୍ଭେ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ସେମାନଙ୍କୁ ଚ୍ଛେଦନ କରିଅଛୁ; ଆମ୍ଭେ ଆପଣା ମୁଖ ନିର୍ଗତ ବାକ୍ୟ ଦ୍ୱାରା ସେମାନଙ୍କୁ ବଧ କରିଅଛୁ ଓ ତୁମ୍ଭର ଦଣ୍ଡାଜ୍ଞାସକଳ ନିର୍ଗତ ହେବା ଦୀପ୍ତି ତୁଲ୍ୟ ଅଟେ।
ହୋଶେୟ 6 : 6 (IRVOR)
କାରଣ ବଳିଦାନ ନୁହେଁ, ମାତ୍ର ଦୟା ଓ ହୋମ ଅପେକ୍ଷା ପରମେଶ୍ୱର ବିଷୟକ ଜ୍ଞାନ ବାଞ୍ଛା କରୁ।
ହୋଶେୟ 6 : 7 (IRVOR)
ମାତ୍ର ଆଦମର ତୁଲ୍ୟ ସେମାନେ ନିୟମ ଲଙ୍ଘନ କରିଅଛନ୍ତି; ସେହି ସ୍ଥାନରେ ସେମାନେ ଆମ୍ଭ ବିରୁଦ୍ଧରେ ବିଶ୍ୱାସ ଘାତକତା କରିଅଛନ୍ତି।
ହୋଶେୟ 6 : 8 (IRVOR)
ଗିଲୀୟଦ ଅଧର୍ମାଚାରୀମାନଙ୍କ ନଗର, ତାହା ରକ୍ତରେ ଦାଗଯୁକ୍ତ ହୋଇଅଛି।
ହୋଶେୟ 6 : 9 (IRVOR)
ପୁଣି, ଡକାୟତ ଦଳ ଯେପରି ମନୁଷ୍ୟର ଅପେକ୍ଷାରେ ଥାଆନ୍ତି, ସେପରି ଯାଜକ ଦଳ ଶିଖିମ ଆଡ଼େ ଯିବା ପଥରେ ନରହତ୍ୟା କରନ୍ତି; ହଁ, ସେମାନେ ଭ୍ରଷ୍ଟାଚରଣ କରିଅଛନ୍ତି।
ହୋଶେୟ 6 : 10 (IRVOR)
ଆମ୍ଭେ ଇସ୍ରାଏଲ ବଂଶ ମଧ୍ୟରେ ଅତି ଭୟଙ୍କର ଏକ ବିଷୟ ଦେଖିଅଛୁ, ସେହି ସ୍ଥାନରେ ଇଫ୍ରୟିମ ମଧ୍ୟରେ ବେଶ୍ୟାବୃତ୍ତି ଦେଖାଯାଏ, ଇସ୍ରାଏଲ ଅଶୁଚି ହୋଇଅଛି।
ହୋଶେୟ 6 : 11 (IRVOR)
ଆହୁରି ହେ ଯିହୁଦା, ଆମ୍ଭେ ଯେତେବେଳେ ଆପଣା ଲୋକମାନଙ୍କୁ ବନ୍ଦୀତ୍ୱରୁ ଫେରାଇ ଆଣିବା, ସେତେବେଳେ ତୁମ୍ଭ ପାଇଁ (ଦଣ୍ଡରୂପ) ଶସ୍ୟଚ୍ଛେଦନ ସମୟ ନିରୂପିତ ଅଛି।

1 2 3 4 5 6 7 8 9 10 11