ଆଦି ପୁସ୍ତକ 8 : 1 (IRVOR)
{ଜଳପ୍ଳାବନର ଅବସାନ} [PS] ଏଥିଉତ୍ତାରେ ପରମେଶ୍ୱର ନୋହଙ୍କୁ ଓ ତାଙ୍କ ସହିତ ଜାହାଜସ୍ଥ ପଶ୍ୱାଦି ସମସ୍ତ ପ୍ରାଣୀଙ୍କୁ ସ୍ମରଣ କରି ପୃଥିବୀରେ ବାୟୁ ବୁହାଇଲେ, ତହୁଁ ଜଳ ଥମିଲା;
ଆଦି ପୁସ୍ତକ 8 : 2 (IRVOR)
ମହାସମୁଦ୍ରର ଜଳାକାର ଓ ଆକାଶସ୍ଥ ଦ୍ୱାର ସକଳ ରୁଦ୍ଧ ହେଲା, ପୁଣି, ଆକାଶରୁ ବୃଷ୍ଟି ନିବୃତ୍ତ ହେଲା।
ଆଦି ପୁସ୍ତକ 8 : 3 (IRVOR)
ତହିଁରେ ପୃଥିବୀରୁ ଜଳ ବହିଯାଇ ଏକଶହ ପଚାଶ ଦିନର ଶେଷରେ ହ୍ରାସ ହେଲା।
ଆଦି ପୁସ୍ତକ 8 : 4 (IRVOR)
ଏଥିଉତ୍ତାରେ ସପ୍ତମ ମାସର ସପ୍ତଦଶ ଦିନରେ ଆରାରାଟ୍‍ ପର୍ବତ ଉପରେ ଜାହାଜ ଲାଗି ରହିଲା।
ଆଦି ପୁସ୍ତକ 8 : 5 (IRVOR)
ଏହିରୂପେ ଦଶମ ମାସ ପର୍ଯ୍ୟନ୍ତ ଜଳ କ୍ରମଶଃ ଊଣା ପଡ଼ିଲା; ସେହି ଦଶମ ମାସର ପ୍ରଥମ ଦିନରେ ପର୍ବତଗଣର ଶୃଙ୍ଗ ଦେଖାଗଲା।
ଆଦି ପୁସ୍ତକ 8 : 6 (IRVOR)
ଏଥିଉତ୍ତାରେ ଆଉ ଚାଳିଶ ଦିନ ଉତ୍ତାରେ ନୋହ ସ୍ୱନିର୍ମିତ ଜାହାଜର ଝରକା ଫିଟାଇ ଗୋଟାଏ ଡାମରା କାଉକୁ ଉଡ଼ାଇ ଦେଲେ;
ଆଦି ପୁସ୍ତକ 8 : 7 (IRVOR)
ତହିଁରେ ପୃଥିବୀର ଜଳ ଶୁଷ୍କ ହେବା ପର୍ଯ୍ୟନ୍ତ ସେ ଏଣେତେଣେ ଗତାୟାତ କଲା।
ଆଦି ପୁସ୍ତକ 8 : 8 (IRVOR)
ପୁନଶ୍ଚ, ନୋହ ଭୂମିରେ ଜଳର ହ୍ରାସ ବୁଝିବା ପାଇଁ ଗୋଟିଏ କାପ୍ତା ଉଡ଼ାଇ ଦେଲେ;
ଆଦି ପୁସ୍ତକ 8 : 9 (IRVOR)
ସେତେବେଳେ ପୃଥିବୀ ଜଳାଚ୍ଛାଦିତ ଥିବାରୁ କାପ୍ତା ଆପଣା ପାଦ ରଖିବାର ସ୍ଥାନ ନ ପାଇ ଜାହାଜରେ ତାଙ୍କ ନିକଟକୁ ନେଉଟି ଆସିଲା; ତହୁଁ ସେ ହାତ ବଢ଼ାଇ ତାକୁ ଧରି ଜାହାଜ ଭିତରେ ଆପଣା ନିକଟକୁ ଆଣିଲେ।
ଆଦି ପୁସ୍ତକ 8 : 10 (IRVOR)
ଆଉ ସାତ ଦିନ ବିଳମ୍ବ କଲା ଉତ୍ତାରେ ସେ ସେହି କାପ୍ତାକୁ ପୁନର୍ବାର ଜାହାଜରୁ ଉଡ଼ାଇ ଦେଲେ;
ଆଦି ପୁସ୍ତକ 8 : 11 (IRVOR)
ତହିଁରେ କାପ୍ତା ସନ୍ଧ୍ୟା ବେଳେ ତାଙ୍କ ନିକଟକୁ ଫେରି ଆସିଲା; ଆଉ ଦେଖ, ତାହାର ଚଞ୍ଚୁରେ ଜୀତ ବୃକ୍ଷର ନବୀନ ପଲ୍ଲବ ଥିଲା; ଏଣୁ ପୃଥିବୀର ଜଳ ହ୍ରାସ ହୋଇଅଛି, ଏହା ନୋହ ଜାଣିଲେ।
ଆଦି ପୁସ୍ତକ 8 : 12 (IRVOR)
ଆଉ ସାତ ଦିନ ବିଳମ୍ବ କରି ସେ ସେହି କାପ୍ତାକୁ ପୁନର୍ବାର ଉଡ଼ାଇ ଦେଲେ, ମାତ୍ର ସେ ଆଉ ଥରେ ତାଙ୍କ ନିକଟକୁ ନେଉଟି ଆସିଲା ନାହିଁ।
ଆଦି ପୁସ୍ତକ 8 : 13 (IRVOR)
(ନୋହଙ୍କ ବୟସର) ଛଅଶହ ଏକ ବର୍ଷ ପ୍ରଥମ ମାସର ପ୍ରଥମ ଦିନରେ ପୃଥିବୀ ଉପରୁ ଜଳ ଶୁଷ୍କ ହେଲା; ସେତେବେଳେ ନୋହ ଜାହାଜର ଛାତ ଉଠାଇ ଅନାନ୍ତେ, ଭୂମିକୁ ଶୁଷ୍କ ଦେଖିଲେ।
ଆଦି ପୁସ୍ତକ 8 : 14 (IRVOR)
ଏହିରୂପେ ଦ୍ୱିତୀୟ ମାସର ସତାଇଶ ଦିନରେ ପୃଥିବୀ ଶୁଷ୍କ ହେଲା।
ଆଦି ପୁସ୍ତକ 8 : 15 (IRVOR)
ଏଥିଉତ୍ତାରେ ପରମେଶ୍ୱର ନୋହଙ୍କୁ କହିଲେ,
ଆଦି ପୁସ୍ତକ 8 : 16 (IRVOR)
“ତୁମ୍ଭେ ଆପଣା ଭାର୍ଯ୍ୟା ଓ ପୁତ୍ରଗଣ ଓ ପୁତ୍ରବଧୂଗଣଙ୍କୁ ସଙ୍ଗେ ଘେନି ଜାହାଜରୁ ବାହାର ହୋଇ ଯାଅ।
ଆଦି ପୁସ୍ତକ 8 : 17 (IRVOR)
ପୁଣି, ଆପଣା ସଙ୍ଗେ ଥିବା ପଶୁ, ପକ୍ଷୀ ଓ ଭୂଚର, ଉରୋଗାମୀ ଆଦି ସବୁ ଜୀବଜନ୍ତୁ ବାହାରକୁ ଘେନି ଯାଅ; ସେମାନେ ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ, ପୁଣି, ପୃଥିବୀରେ ପ୍ରଜାବନ୍ତ ଓ ବହୁବଂଶ ହେଉନ୍ତୁ।”
ଆଦି ପୁସ୍ତକ 8 : 18 (IRVOR)
ତହୁଁ ନୋହ ଆପଣା ଭାର୍ଯ୍ୟା, ପୁତ୍ର ଓ ପୁତ୍ରବଧୂମାନଙ୍କୁ ସଙ୍ଗରେ ଘେନି ବାହାରକୁ ଆସିଲେ;
ଆଦି ପୁସ୍ତକ 8 : 19 (IRVOR)
ପୁଣି, ସ୍ୱ ସ୍ୱ ଜାତି ଅନୁସାରେ ପ୍ରତ୍ୟେକ ପଶୁ, ପ୍ରତ୍ୟେକ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ପକ୍ଷୀ ପ୍ରଭୃତି ସମସ୍ତ ଭୂଚର ପ୍ରାଣୀ ଜାହାଜରୁ ବାହାରି ଆସିଲେ। [PS]
ଆଦି ପୁସ୍ତକ 8 : 20 (IRVOR)
{ନୋହଙ୍କ ହୋମବଳି ଉତ୍ସର୍ଗ} [PS] ଏଥିଉତ୍ତାରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କଲେ, ପୁଣି, ସର୍ବପ୍ରକାର ଶୁଚି ପଶୁ ଓ ଶୁଚି ପକ୍ଷୀଗଣ ମଧ୍ୟରୁ କେତେକ ନେଇ ବେଦି ଉପରେ ହୋମବଳି ଉତ୍ସର୍ଗ କଲେ।
ଆଦି ପୁସ୍ତକ 8 : 21 (IRVOR)
ତହିଁରେ ସଦାପ୍ରଭୁ ତହିଁର ସୁଗନ୍ଧ ଆଘ୍ରାଣ କରି ମନେ ମନେ କହିଲେ, “ଆମ୍ଭେ ମନୁଷ୍ୟ ସକାଶୁ ଆଉ ପୃଥିବୀକୁ ଅଭିଶାପ ଦେବା ନାହିଁ; ଯଦ୍ୟପି ବାଲ୍ୟକାଳଠାରୁ ମନୁଷ୍ୟ ମନର କଳ୍ପନା ମନ୍ଦ, ତଥାପି ଆମ୍ଭେ ଯେପରି କରିଅଛୁ, ସେହିପରି ଆଉ ଥରେ କେବେ ହେଁ ସବୁ ପ୍ରାଣୀଙ୍କୁ ବିନଷ୍ଟ କରିବା ନାହିଁ।
ଆଦି ପୁସ୍ତକ 8 : 22 (IRVOR)
ପୁଣି, ଯେପର୍ଯ୍ୟନ୍ତ ପୃଥିବୀ ଥିବ, ସେପର୍ଯ୍ୟନ୍ତ ବୁଣାକଟାର ସମୟ, ଶୀତ ଓ ଗ୍ରୀଷ୍ମ, ପୁଣି, ଗ୍ରୀଷ୍ମ ଓ ଶୀତ କାଳ, ଆଉ ଦିବସ ଓ ରାତ୍ରି, ଏହିସବୁର ନିବୃତ୍ତି ହେବ ନାହିଁ।” [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22

BG:

Opacity:

Color:


Size:


Font: