ଆଦି ପୁସ୍ତକ 39 : 1 (IRVOR)
ଯୋଷେଫଙ୍କୁ ଯୌନ ପ୍ରଲୋଭନ ଯୋଷେଫ ମିସର ଦେଶକୁ ଅଣାଯା’ନ୍ତେ, ଫାରୋଙ୍କର ଜଣେ ଭୃତ୍ୟ ଅର୍ଥାତ୍‍, ମିସ୍ରୀୟ ପୋଟୀଫର ନାମକ ରକ୍ଷକ ସେନାପତି, ତାଙ୍କର ଆନୟନକାରୀ ଇଶ୍ମାୟେଲୀୟମାନଙ୍କଠାରୁ ଯୋଷେଫଙ୍କୁ କିଣି ଥିଲା।
ଆଦି ପୁସ୍ତକ 39 : 2 (IRVOR)
ମାତ୍ର ସଦାପ୍ରଭୁ ଯୋଷେଫଙ୍କର ସହବର୍ତ୍ତୀ ଥିଲେ, ଏଣୁ ସେ ସମୃଦ୍ଧ ହେଲେ; ଆଉ ସେ ଆପଣା ମିସ୍ରୀୟ କର୍ତ୍ତାର ଗୃହରେ ବାସ କଲେ।
ଆଦି ପୁସ୍ତକ 39 : 3 (IRVOR)
ଏଥିରେ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଅଛନ୍ତି ଓ ସେ ଯେଉଁ ଯେଉଁ କାର୍ଯ୍ୟ କଲେ, ସଦାପ୍ରଭୁ ତାଙ୍କ ହାତରେ ସେହି ସମସ୍ତ ସିଦ୍ଧ କରୁଅଛନ୍ତି, ଏହା ତାଙ୍କର କର୍ତ୍ତା ଦେଖିଲା।
ଆଦି ପୁସ୍ତକ 39 : 4 (IRVOR)
ଏଣୁ ଯୋଷେଫ ତାହାର ଦୃଷ୍ଟିରେ ଅନୁଗ୍ରହ ପାଇ ତାହାର ସେବାରେ ନିଯୁକ୍ତ ହେଲେ, ପୁଣି, ସେ ଯୋଷେଫଙ୍କୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବସ୍ୱ ସମର୍ପଣ କଲା।
ଆଦି ପୁସ୍ତକ 39 : 5 (IRVOR)
ଏହି ପ୍ରକାରେ ସେ ଯୋଷେଫଙ୍କୁ ଆପଣା ଗୃହ ଓ ସର୍ବସ୍ୱର ଅଧ୍ୟକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋଷେଫଙ୍କ ଲାଗି ସେହି ମିସ୍ରୀୟ ଲୋକର ଗୃହ ଉପରେ ଆଶୀର୍ବାଦ କଲେ; ପୁଣି, ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ତ୍ତିଲା।
ଆଦି ପୁସ୍ତକ 39 : 6 (IRVOR)
ଏହେତୁ ସେ ଯୋଷେଫଙ୍କ ହସ୍ତରେ ଆପଣା ସର୍ବସ୍ୱର ଏରୂପ ଭାର ଦେଲା, ଯେ ଆପଣା ଭୋଜନ ବିନୁ ଆଉ କୌଣସି ବିଷୟର ତତ୍ତ୍ୱ ନେଲା ନାହିଁ। ଯୋଷେଫ ରୂପରେ ଓ ସୌନ୍ଦର୍ଯ୍ୟରେ ମନୋହର ଥିଲେ।
ଆଦି ପୁସ୍ତକ 39 : 7 (IRVOR)
ଆଉ ଉକ୍ତ ଘଟଣା ଉତ୍ତାରେ ତାଙ୍କର ପ୍ରଭୁର ଭାର୍ଯ୍ୟା ଯୋଷେଫଙ୍କ ଉପରେ ଦୃଷ୍ଟି ପକାଇବାକୁ ଲାଗିଲା; ତହୁଁ ତାଙ୍କୁ କହିଲା, “ତୁମ୍ଭେ ମୋ’ ସଙ୍ଗେ ଶୟନ କର।”
ଆଦି ପୁସ୍ତକ 39 : 8 (IRVOR)
ମାତ୍ର ଯୋଷେଫ ଅସ୍ୱୀକାର କରି ଆପଣା ପ୍ରଭୁର ଭାର୍ଯ୍ୟାକୁ କହିଲେ, “ଦେଖ, ଏ ଗୃହରେ ଯାହା ଅଛି ମୋ’ ପ୍ରଭୁ ତହିଁର ତତ୍ତ୍ୱ ନିଅନ୍ତି ନାହିଁ, ସେ ମୋ’ ହସ୍ତରେ ଆପଣାର ସର୍ବସ୍ୱ ସମର୍ପଣ କରିଅଛନ୍ତି।
ଆଦି ପୁସ୍ତକ 39 : 9 (IRVOR)
ଏହି ଗୃହରେ ମୋ’ଠାରୁ ବଡ଼ କେହି ନାହିଁ; ତୁମ୍ଭେ ତାଙ୍କର ଭାର୍ଯ୍ୟା, ଏନିମନ୍ତେ କେବଳ ତୁମ୍ଭ ଛଡ଼ା ମୋ’ ପ୍ରତି ଆଉ କିଛି ମନା ନାହିଁ। ଏହେତୁ ମୁଁ କିପରି ଏଡ଼େ ବଡ଼ ଦୁଷ୍ଟତା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିପାରେ ?”
ଆଦି ପୁସ୍ତକ 39 : 10 (IRVOR)
ତଥାପି ସେ ସ୍ତ୍ରୀ ଦିନକୁ ଦିନ ଯୋଷେଫଙ୍କୁ ଏପରି କହେ; ମାତ୍ର ଯୋଷେଫ ତାହା ସଙ୍ଗେ ଶୟନ କରିବାକୁ କିମ୍ବା ତାହା ନିକଟରେ ରହିବାକୁ ସମ୍ମତ ହୁଅନ୍ତି ନାହିଁ।
ଆଦି ପୁସ୍ତକ 39 : 11 (IRVOR)
ଏଥିଉତ୍ତାରେ ଦିନକରେ ଯୋଷେଫ ନିଜ କାର୍ଯ୍ୟ ନିମନ୍ତେ ଗୃହ ଭିତରକୁ ଗଲେ, ପୁଣି, ଗୃହର ଦାସ ମଧ୍ୟରୁ କେହି ସେଠାରେ ନ ଥିଲା।
ଆଦି ପୁସ୍ତକ 39 : 12 (IRVOR)
ତେଣୁ ସେ ଯୋଷେଫଙ୍କର ବସ୍ତ୍ର ଧରି ମୋ’ ସଙ୍ଗେ ଶୟନ କର ବୋଲି ଟଣାଟଣି କଲା; ମାତ୍ର ଯୋଷେଫ ତାହା ହସ୍ତରେ ଆପଣା ବସ୍ତ୍ର ଛାଡ଼ି ବାହାରକୁ ପଳାଇ ଗଲେ।
ଆଦି ପୁସ୍ତକ 39 : 13 (IRVOR)
ଯେତେବେଳେ ସେ ସ୍ତ୍ରୀ ଯୋଷେଫଙ୍କୁ ତାହା ହସ୍ତରେ ଆପଣା ବସ୍ତ୍ର ଛାଡ଼ି ବାହାରକୁ ପଳାଇ ଯିବାର ଦେଖିଲା,
ଆଦି ପୁସ୍ତକ 39 : 14 (IRVOR)
ସେତେବେଳେ ସେ ନିଜ ଗୃହର ଲୋକମାନଙ୍କୁ ଡାକି କହିଲା, “ଦେଖ, ସେ ଆମ୍ଭମାନଙ୍କ ସଙ୍ଗରେ ପରିହାସ କରିବା ନିମନ୍ତେ ଜଣେ ଏବ୍ରୀୟକୁ ଆଣିଅଛନ୍ତି; ସେ ମୋ’ ସଙ୍ଗେ ଶୟନ କରିବା ପାଇଁ ଭିତରକୁ ମୋ’ କତିକି ଆସିଥିଲା; ତହିଁରେ ମୁଁ ବଡ଼ ପାଟି କରି ଡାକ ପକାଇଲି;
ଆଦି ପୁସ୍ତକ 39 : 15 (IRVOR)
ମୋହର ବଡ଼ ପାଟି କରି ଡାକିବାର ଶୁଣି ସେ ଆପଣା ବସ୍ତ୍ର ମୋ’ ନିକଟରେ ପକାଇ ଦେଇ ବାହାରକୁ ପଳାଇଗଲା।”
ଆଦି ପୁସ୍ତକ 39 : 16 (IRVOR)
ପୁଣି, ସେହି ସ୍ତ୍ରୀ ତାହାର କର୍ତ୍ତାର ଗୃହାଗମନ ପର୍ଯ୍ୟନ୍ତ ସେହି ବସ୍ତ୍ର ଆପଣା ନିକଟରେ ରଖିଲା।
ଆଦି ପୁସ୍ତକ 39 : 17 (IRVOR)
ଏଥିଉତ୍ତାରେ ସେ ଆପଣା ସ୍ୱାମୀକୁ ସେହି କଥାନୁସାରେ କହିଲା, “ତୁମ୍ଭେ ଯେଉଁ ଏବ୍ରୀୟ ଦାସକୁ ଆମ୍ଭମାନଙ୍କ ପାଖକୁ ଆଣିଅଛ, ସେ ମୋ’ ସଙ୍ଗେ ପରିହାସ କରିବା ନିମନ୍ତେ ମୋ’ କତିକି ଆସିଥିଲା,
ଆଦି ପୁସ୍ତକ 39 : 18 (IRVOR)
ପୁଣି, ମୁଁ ବଡ଼ ପାଟି କରି ଡାକ ପକାଇବାରୁ ସେ ମୋ’ ନିକଟରେ ଏହି ବସ୍ତ୍ର ପକାଇ ଦେଇ ବାହାରକୁ ପଳାଇଗଲା।”
ଆଦି ପୁସ୍ତକ 39 : 19 (IRVOR)
ସେତେବେଳେ “ତୁମ୍ଭର ଦାସ ମୋ’ ପ୍ରତି ଏପ୍ରକାର ବ୍ୟବହାର କରିଅଛି,” ଆପଣା ଭାର୍ଯ୍ୟାର ମୁଖରୁ ଏ କଥା ଶୁଣି ଯୋଷେଫଙ୍କର ପ୍ରଭୁ କ୍ରୋଧରେ ପ୍ରଜ୍ଜ୍ୱଳିତ ହେଲା।
ଆଦି ପୁସ୍ତକ 39 : 20 (IRVOR)
ଆଉ ଯୋଷେଫଙ୍କର ପ୍ରଭୁ ତାଙ୍କୁ ନେଇ ରାଜବନ୍ଦୀମାନଙ୍କ ବାସସ୍ଥାନ କାରାଗାରରେ ରଖିଲା; ତହୁଁ ଯୋଷେଫ ସେହି କାରାଗାରରେ ରହିଲେ।
ଆଦି ପୁସ୍ତକ 39 : 21 (IRVOR)
ମାତ୍ର ସଦାପ୍ରଭୁ ଯୋଷେଫଙ୍କର ସହବର୍ତ୍ତୀ ଥିଲେ, ପୁଣି, ତାଙ୍କ ପ୍ରତି କୃପା ପ୍ରକାଶ କରି କାରାରକ୍ଷକର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହପାତ୍ର କଲେ।
ଆଦି ପୁସ୍ତକ 39 : 22 (IRVOR)
ତହିଁରେ ସେହି କାରାରକ୍ଷକ ବନ୍ଦୀଶାଳାସ୍ଥିତ ସମସ୍ତ ବନ୍ଦୀଲୋକଙ୍କ ଭାର ଯୋଷେଫଙ୍କ ହସ୍ତରେ ସମର୍ପଣ କଲା; ପୁଣି, ସେମାନେ ଯାହା କଲେ, ସେହି ସକଳର କର୍ତ୍ତା ସେ ହେଲେ।
ଆଦି ପୁସ୍ତକ 39 : 23 (IRVOR)
କାରାରକ୍ଷକ ଯୋଷେଫଙ୍କର ହସ୍ତଗତ କୌଣସି ବିଷୟରେ ଦୃଷ୍ଟିପାତ କଲା ନାହିଁ, କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ; ପୁଣି, ସେ ଯାହା କଲେ, ସଦାପ୍ରଭୁ ତାହା ସିଦ୍ଧ କଲେ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23