ଆଦି ପୁସ୍ତକ 34 : 1 (IRVOR)
ଦୀଣାକୁ ବଳାତ୍କାର ଏଥିଉତ୍ତାରେ ଲେୟାଠାରୁ ଜାତ ଦୀଣା ନାମ୍ନୀ ଯାକୁବର କନ୍ୟା ସେହି ଦେଶର କନ୍ୟାମାନଙ୍କ ସଙ୍ଗେ ଦେଖା କରିବାକୁ ବାହାରକୁ ଗଲା।
ଆଦି ପୁସ୍ତକ 34 : 2 (IRVOR)
ତହିଁରେ ହିବ୍ବୀୟ ହମୋର ନାମକ ଦେଶାଧିପତିର ପୁତ୍ର ଶିଖିମ ତାହାକୁ ଦେଖିଲା; ପୁଣି, ତାହାକୁ ନେଇ ତାହା ସହିତ ଶୟନ କରି ତାହାକୁ ଭ୍ରଷ୍ଟା କଲା।
ଆଦି ପୁସ୍ତକ 34 : 3 (IRVOR)
ଆଉ ଯାକୁବର ସେହି କନ୍ୟା ଦୀଣାଠାରେ ତାହାର ମନ ଅନୁରକ୍ତ ହେବାରୁ ସେ ସେହି ଯୁବତୀକି ପ୍ରେମ କରି ତାକୁ ପ୍ରୀତିଜନକ ବାକ୍ୟ କହିଲା।
ଆଦି ପୁସ୍ତକ 34 : 4 (IRVOR)
ଏଥିଉତ୍ତାରେ ଶିଖିମ ଆପଣା ପିତା ହମୋରକୁ କହିଲା, “ତୁମ୍ଭେ ଏହି ଯୁବତୀ ସଙ୍ଗେ ମୋତେ ବିବାହ କରି ଦିଅ।”
ଆଦି ପୁସ୍ତକ 34 : 5 (IRVOR)
ଏଥିଉତ୍ତାରେ ଯାକୁବ ଆପଣାର କନ୍ୟା ଦୀଣାକୁ ଶିଖିମ ଭ୍ରଷ୍ଟା କରିଥିବାର କଥା ଶୁଣିଲା; ସେହି ସମୟରେ ତାହାର ପୁତ୍ରମାନେ କ୍ଷେତ୍ରରେ ପଶୁପଲ ସଙ୍ଗରେ ଥିବାରୁ ଯାକୁବ ସେମାନଙ୍କ ଆସିବା ପର୍ଯ୍ୟନ୍ତ ତୁନି ହୋଇ ରହିଲା।
ଆଦି ପୁସ୍ତକ 34 : 6 (IRVOR)
ଏଥିମଧ୍ୟରେ ଶିଖିମର ପିତା ହମୋର ଯାକୁବ ସହିତ କଥାବାର୍ତ୍ତା କରିବାକୁ ଗଲା।
ଆଦି ପୁସ୍ତକ 34 : 7 (IRVOR)
ଆଉ ଯାକୁବର ପୁତ୍ରମାନେ ସେହି ସମ୍ବାଦ ପାଇ କ୍ଷେତ୍ରରୁ ଆସିଥିଲେ; ପୁଣି, ଶିଖିମ ଯାକୁବର କନ୍ୟା ସହିତ ଶୟନ କରି ଇସ୍ରାଏଲ ବିରୁଦ୍ଧରେ ଯେଉଁ ଅକର୍ତ୍ତବ୍ୟ ମୂଢ଼ କର୍ମ କରିଥିଲା, ତହିଁ ସକାଶେ ସେମାନେ ମନସ୍ତାପିତ ଓ ଅତି କ୍ରୋଧାନ୍ୱିତ ଥିଲେ।
ଆଦି ପୁସ୍ତକ 34 : 8 (IRVOR)
ସେତେବେଳେ ହମୋର ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରି କହିଲା, “ତୁମ୍ଭମାନଙ୍କର ଏହି କନ୍ୟାଠାରେ ମୋ’ ପୁତ୍ର ଶିଖିମର ମନ ଆସକ୍ତ ହୋଇଅଛି; ମୁଁ ନିବେଦନ କରୁଅଛି, ମୋ’ ପୁତ୍ର ସଙ୍ଗେ ତାହାକୁ ବିବାହ କରିଦିଅ।
ଆଦି ପୁସ୍ତକ 34 : 9 (IRVOR)
ପୁଣି, ଆମ୍ଭମାନଙ୍କ ସଙ୍ଗେ ବିବାହ ସମ୍ବନ୍ଧ ରଖ, ତୁମ୍ଭମାନଙ୍କ କନ୍ୟା ଆମ୍ଭମାନଙ୍କୁ ଦିଅ, ଆମ୍ଭମାନଙ୍କ କନ୍ୟା ତୁମ୍ଭେମାନେ ନିଅ।
ଆଦି ପୁସ୍ତକ 34 : 10 (IRVOR)
ତାହାହେଲେ, ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ବାସ କରିବ; ସାରା ଦେଶ ତୁମ୍ଭମାନଙ୍କର ଆଗରେ ପଡ଼ିଛି, ତହିଁରେ ବାସ କର ଓ ବାଣିଜ୍ୟ କର ଓ ଅଧିକାର କର।”
ଆଦି ପୁସ୍ତକ 34 : 11 (IRVOR)
ପୁଣି, ଶିଖିମ ଦୀଣାର ପିତାକୁ ଓ ଭ୍ରାତୃଗଣକୁ କହିଲା, “ମୋ’ ପ୍ରତି ତୁମ୍ଭମାନଙ୍କର ଅନୁଗ୍ରହ ଦୃଷ୍ଟି ହେଉ, ତହିଁରେ ଯାହା କହିବ, ତାହା ମୁଁ ଦେବି।
ଆଦି ପୁସ୍ତକ 34 : 12 (IRVOR)
ଯୌତୁକ ଓ ଦାନ ଯେତେ ଅଧିକ ମାଗିବ, ତୁମ୍ଭମାନଙ୍କ କଥାନୁସାରେ ତାହା ଦେବି; ମାତ୍ର କୌଣସିମତେ ମୋ’ ସଙ୍ଗେ ଏହି କନ୍ୟାକୁ ବିବାହ କରିଦିଅ।”
ଆଦି ପୁସ୍ତକ 34 : 13 (IRVOR)
ତେବେ ଶିଖିମ ଯାକୁବର ପୁତ୍ରମାନଙ୍କ ଭଉଣୀ ଦୀଣାକୁ ଭ୍ରଷ୍ଟା କରିଥିବାରୁ ସେମାନେ ଶିଖିମ ଓ ତାହାର ପିତା ହମୋର ସଙ୍ଗେ ଛଳ ଭାବରେ କଥାବାର୍ତ୍ତା କରି କହିଲେ,
ଆଦି ପୁସ୍ତକ 34 : 14 (IRVOR)
“ଆମ୍ଭେମାନେ ଅସୁନ୍ନତ ଲୋକକୁ ଆପଣା ଭଉଣୀକୁ ଦେବାର କର୍ମ କରି ନ ପାରୁ, ତାହା କଲେ, ଆମ୍ଭମାନଙ୍କର ଅପଖ୍ୟାତି ହେବ।
ଆଦି ପୁସ୍ତକ 34 : 15 (IRVOR)
ଯଦି କେବଳ ଗୋଟିଏ କର୍ମ କରିବ, ଆମ୍ଭମାନଙ୍କ ପରି ତୁମ୍ଭେମାନେ ପ୍ରତ୍ୟେକ ପୁରୁଷ ସୁନ୍ନତ ହେବ, ତେବେ ଆମ୍ଭେମାନେ ତୁମ୍ଭମାନଙ୍କ କଥାରେ ସମ୍ମତ ହେବା।
ଆଦି ପୁସ୍ତକ 34 : 16 (IRVOR)
ଆମ୍ଭେମାନେ ତୁମ୍ଭମାନଙ୍କୁ କନ୍ୟା ଦାନ କରିବା ଓ ତୁମ୍ଭମାନଙ୍କ କନ୍ୟା ଗ୍ରହଣ କରିବା, ପୁଣି, ତୁମ୍ଭମାନଙ୍କ ସଙ୍ଗରେ ବାସ କରି ଏକ-ଲୋକ ହେବା।
ଆଦି ପୁସ୍ତକ 34 : 17 (IRVOR)
ମାତ୍ର ତୁମ୍ଭେମାନେ ଯଦି ସୁନ୍ନତ ବିଷୟରେ ଆମ୍ଭମାନଙ୍କ କଥା ନ ଶୁଣ, ତେବେ ଆମ୍ଭେମାନେ ସେହି କନ୍ୟାକୁ ଘେନି ଚାଲିଯିବା।”
ଆଦି ପୁସ୍ତକ 34 : 18 (IRVOR)
ସେତେବେଳେ ସେମାନଙ୍କର ଏହି କଥାରେ ହମୋର ଓ ତାହାର ପୁତ୍ର ଶିଖିମ ସନ୍ତୁଷ୍ଟ ହେଲେ।
ଆଦି ପୁସ୍ତକ 34 : 19 (IRVOR)
ପୁଣି, ସେହି ଯୁବା ଅତିଶୀଘ୍ର ସେ କର୍ମ କଲା, କାରଣ ସେ ଯାକୁବର କନ୍ୟାଠାରେ ଅତିଶୟ ଆସକ୍ତ ଥିଲା। ସେହି ଶିଖିମ ଆପଣା ପିତୃପରିବାର ସମସ୍ତଙ୍କଠାରୁ ଅଧିକ ସମ୍ଭ୍ରାନ୍ତ ଥିଲା।
ଆଦି ପୁସ୍ତକ 34 : 20 (IRVOR)
ଏଥିଉତ୍ତାରେ ହମୋର ଓ ତାହାର ପୁତ୍ର ଶିଖିମ ଆପଣା ନଗରଦ୍ୱାରକୁ ଆସି ନଗର ନିବାସୀମାନଙ୍କ ସହିତ କଥାବାର୍ତ୍ତା କରି କହିଲେ;
ଆଦି ପୁସ୍ତକ 34 : 21 (IRVOR)
“ଏହି ଲୋକମାନେ ଆମ୍ଭମାନଙ୍କ ସହିତ ନିର୍ବିରୋଧୀ; ଏଥିପାଇଁ ଏମାନଙ୍କୁ ଏହି ଦେଶରେ ବାସ ଓ ବାଣିଜ୍ୟ କରିବାକୁ ଦିଆଯାଉ; କାରଣ ଦେଖ, ଏ ଦେଶ ସେମାନଙ୍କ ନିମନ୍ତେ ଯଥେଷ୍ଟ ଅଟଇ; ପୁଣି, ଆମ୍ଭେମାନେ ସେମାନଙ୍କ କନ୍ୟା ଗ୍ରହଣ କରିବା ଓ ଆମ୍ଭମାନଙ୍କ କନ୍ୟା ସେମାନଙ୍କୁ ଦେବା।
ଆଦି ପୁସ୍ତକ 34 : 22 (IRVOR)
ମାତ୍ର ସେମାନଙ୍କର ଏହି ଏକ ପଣ ଅଛି, କି ଆମ୍ଭମାନଙ୍କ ମଧ୍ୟରେ ପ୍ରତ୍ୟେକ ପୁରୁଷ ଯଦି ସେମାନଙ୍କ ପରି ସୁନ୍ନତ ହେବ, ତେବେ ସେମାନେ ଆମ୍ଭମାନଙ୍କ ସଙ୍ଗରେ ବାସ କରି ଏକ-ଲୋକ ହେବାକୁ ସମ୍ମତ ହେବେ।
ଆଦି ପୁସ୍ତକ 34 : 23 (IRVOR)
ସେମାନଙ୍କ ଧନ, ସମ୍ପତ୍ତି ଓ ପଶୁଗଣ କି ଆମ୍ଭମାନଙ୍କର ହେବ ନାହିଁ ? କେବଳ ଆମ୍ଭେମାନେ ସେମାନଙ୍କ କଥା ଅଙ୍ଗୀକାର କରୁ, ତାହା କଲେ, ସେମାନେ ଆମ୍ଭମାନଙ୍କ ସଙ୍ଗେ ବାସ କରିବେ।”
ଆଦି ପୁସ୍ତକ 34 : 24 (IRVOR)
ସେତେବେଳେ ହମୋର ଓ ତାହାର ପୁତ୍ର ଶିଖିମର ଏହି କଥାରେ ତାହାର ନଗରଦ୍ୱାର ଦେଇ ବହିର୍ଗମନକାରୀ ସମସ୍ତ ଲୋକ ସମ୍ମତ ହେଲେ; ତହିଁରେ ତାହାର ନଗରଦ୍ୱାର ଦେଇ ବହିର୍ଗମନକାରୀ ପ୍ରତ୍ୟେକ ପୁରୁଷର ସୁନ୍ନତ ହେଲା।
ଆଦି ପୁସ୍ତକ 34 : 25 (IRVOR)
ଆଉ ତୃତୀୟ ଦିନରେ ସେମାନେ ପୀଡ଼ିତ ହୁଅନ୍ତେ, ଦୀଣାର ଭ୍ରାତା ଶିମୀୟୋନ ଓ ଲେବୀ, ଯାକୁବର ଏହି ଦୁଇ ପୁତ୍ର ଆପଣା ଖଡ୍ଗ ଘେନି ନିର୍ଭୟରେ ନଗର ଆକ୍ରମଣ କରି ସବୁ ପୁରୁଷମାନଙ୍କୁ ବଧ କଲେ।
ଆଦି ପୁସ୍ତକ 34 : 26 (IRVOR)
ପୁଣି, ହମୋରକୁ ଓ ତାହାର ପୁତ୍ର ଶିଖିମକୁ ଖଡ୍ଗାଘାତରେ ବଧ କରି ଶିଖିମର ଗୃହରୁ ଦୀଣାକୁ ନେଇଗଲେ।
ଆଦି ପୁସ୍ତକ 34 : 27 (IRVOR)
ଯାକୁବର ପୁତ୍ରମାନେ ହତ ଲୋକମାନଙ୍କ ନିକଟକୁ ଆସି ନଗର ଲୁଟ କଲେ, କାରଣ ସେମାନଙ୍କ ଭଉଣୀକି ସେହି ଲୋକମାନେ ଭ୍ରଷ୍ଟା କରିଥିଲେ।
ଆଦି ପୁସ୍ତକ 34 : 28 (IRVOR)
ପୁଣି, ସେମାନଙ୍କ ମେଷ ଓ ଗୋରୁ ଓ ଗଧସବୁ, ଆଉ ନଗରସ୍ଥ ଓ କ୍ଷେତ୍ରସ୍ଥ ସମସ୍ତ ଦ୍ରବ୍ୟ ହରଣ କଲେ।
ଆଦି ପୁସ୍ତକ 34 : 29 (IRVOR)
ଆଉ ସେମାନଙ୍କ ଶିଶୁ ଓ ଭାର୍ଯ୍ୟାମାନଙ୍କୁ ବନ୍ଦୀ କରି ସମସ୍ତ ଧନ ଓ ଗୃହର ସର୍ବସ୍ୱ ଲୁଟ କଲେ।
ଆଦି ପୁସ୍ତକ 34 : 30 (IRVOR)
ତହୁଁ ଯାକୁବ ଶିମୀୟୋନ ଓ ଲେବୀକୁ କହିଲା, “ତୁମ୍ଭେମାନେ ଏ ଦେଶରେ, ଅର୍ଥାତ୍, କିଣାନୀୟ ଓ ପରିଷୀୟ ଲୋକମାନଙ୍କ ନିକଟରେ ମୋତେ ଦୁର୍ଗନ୍ଧ ସ୍ୱରୂପ କରି ବ୍ୟାକୁଳ କଲ; ମୋହର ଲୋକ ଅଳ୍ପ, ଏଥିପାଇଁ ସେମାନେ ମୋ’ ବିରୁଦ୍ଧରେ ଏକତ୍ର ହୋଇ ମୋତେ ବଧ କରିବେ; ତହିଁରେ ସପରିବାରରେ ବିନଷ୍ଟ ହେବି।”
ଆଦି ପୁସ୍ତକ 34 : 31 (IRVOR)
ସେମାନେ ଉତ୍ତର କଲେ, “ବେଶ୍ୟା ପରି ଆମ୍ଭମାନଙ୍କ ଭଉଣୀ ସଙ୍ଗେ ବ୍ୟବହାର କରିବା କି ତାହାର କର୍ତ୍ତବ୍ୟ ?”
❮
❯