ଯିହିଜିକଲ 18 : 1 (IRVOR)
ପାପର ବ୍ୟକ୍ତିଗତ ପରିଣାମ ସଦାପ୍ରଭୁଙ୍କର ବାକ୍ୟ ପୁନର୍ବାର ମୋ’ ନିକଟରେ ଉପସ୍ଥିତ ହେଲା,
ଯିହିଜିକଲ 18 : 2 (IRVOR)
“ପିତାମାତା ଅମ୍ଳ ଦ୍ରାକ୍ଷାଫଳ ଖାଇଲେ, ସନ୍ତାନଗଣର ଦନ୍ତ ଖଟା ହୋଇଅଛି, ଏହି ଯେଉଁ ପ୍ରବାଦ ତୁମ୍ଭେମାନେ ଇସ୍ରାଏଲ ଦେଶ ବିଷୟରେ କହୁଅଛ, ଏଥିରେ ତୁମ୍ଭମାନଙ୍କର ଅଭିପ୍ରାୟ କି ?
ଯିହିଜିକଲ 18 : 3 (IRVOR)
“ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେମାନେ ଇସ୍ରାଏଲ ମଧ୍ୟରେ ଏହି ପ୍ରବାଦ କହିବାର କାରଣ ଆଉ ପାଇବ ନାହିଁ।”
ଯିହିଜିକଲ 18 : 4 (IRVOR)
ଦେଖ, ଯାବତୀୟ ପ୍ରାଣ ଆମ୍ଭର; ପିତାର ପ୍ରାଣ ଯେପରି, ପୁତ୍ରର ପ୍ରାଣ ହିଁ ସେହିପରି ଆମ୍ଭର; ଯେଉଁ ପ୍ରାଣୀ ପାପ କରେ, ସେହି ମରିବ।
ଯିହିଜିକଲ 18 : 5 (IRVOR)
ମାତ୍ର ଯଦି ମନୁଷ୍ୟ ଧାର୍ମିକ ହୁଏ, ନ୍ୟାୟ ଓ ଧର୍ମାଚରଣ କରେ,
ଯିହିଜିକଲ 18 : 6 (IRVOR)
ପୁଣି, ଯେ ପର୍ବତଗଣର ଉପରେ ଭୋଜନ କିଅବା ଇସ୍ରାଏଲ ବଂଶର ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରି ନାହିଁ, ଅଥବା ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କରି ନାହିଁ, କିଅବା ଋତୁମତୀ ସ୍ତ୍ରୀର ନିକଟକୁ ଆସି ନାହିଁ;
ଯିହିଜିକଲ 18 : 7 (IRVOR)
ପୁଣି, ଯେ କାହାରି ପ୍ରତି ଅନ୍ୟାୟ କରି ନାହିଁ, ମାତ୍ର ଋଣୀକୁ ତାହାର ବନ୍ଧକି ଦ୍ରବ୍ୟ ଫେରାଇ ଦେଇଅଛି, ଉପଦ୍ରବ କରି କାହାରି କିଛି ଅପହରଣ କରି ନାହିଁ, ଆପଣାର ଭକ୍ଷ୍ୟ କ୍ଷୁଧିତକୁ ଦେଇଅଛି ଓ ଉଲଙ୍ଗକୁ ବସ୍ତ୍ର ପିନ୍ଧାଇଅଛି;
ଯିହିଜିକଲ 18 : 8 (IRVOR)
ଯେ ସୁଧ ପାଇଁ ଋଣ ଦେଇ ନାହିଁ, କିଅବା କିଛି ବୃଦ୍ଧି ନେଇ ନାହିଁ, ଯେ ଅଧର୍ମରୁ ଆପଣା ହସ୍ତ ଫେରାଇଅଛି, ମନୁଷ୍ୟ ମନୁଷ୍ୟର ମଧ୍ୟରେ ଯଥାର୍ଥ ବିଚାର କରିଅଛି,
ଯିହିଜିକଲ 18 : 9 (IRVOR)
ଆମ୍ଭର ବିଧିମତେ ଆଚରଣ କରିଅଛି ଓ ସତ୍ୟ ବ୍ୟବହାର କରିବା ନିମନ୍ତେ ଆମ୍ଭର ଶାସନସକଳ ପାଳନ କରିଅଛି, ସେହି ଲୋକ ଧାର୍ମିକ, ପ୍ରଭୁ, ସଦାପ୍ରଭୁ କହନ୍ତି, ସେ ଅବଶ୍ୟ ବଞ୍ଚିବ।”
ଯିହିଜିକଲ 18 : 10 (IRVOR)
ଯଦି ସେହି ଲୋକର ପୁତ୍ର ଡକାଇତ ଓ ରକ୍ତପାତକାରୀ ହୁଏ, ଆଉ ଏଥିମଧ୍ୟରୁ କୌଣସି କାର୍ଯ୍ୟ କରେ
ଯିହିଜିକଲ 18 : 11 (IRVOR)
ଓ ସେହିସବୁ କର୍ତ୍ତବ୍ୟ କର୍ମ ମଧ୍ୟରୁ କୌଣସି କର୍ତ୍ତବ୍ୟ କର୍ମ ନ କରେ, ମାତ୍ର ଯେ ପର୍ବତଗଣର ଉପରେ ଭୋଜନ କରିଅଛି ଓ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କରିଅଛି,
ଯିହିଜିକଲ 18 : 12 (IRVOR)
ଦରିଦ୍ର ଦୀନହୀନର ପ୍ରତି ଅନ୍ୟାୟ କରିଅଛି, ଦୌରାତ୍ମ୍ୟ ଦ୍ୱାରା ଅପହରଣ କରିଅଛି, ବନ୍ଧକି ଦ୍ରବ୍ୟ ଫେରାଇ ଦେଇ ନାହିଁ ଓ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରିଅଛି,
ଯିହିଜିକଲ 18 : 13 (IRVOR)
ଘୃଣାଯୋଗ୍ୟ କ୍ରିୟା କରିଅଛି, ସୁଧ ପାଇଁ ଋଣ ଦେଇଅଛି ଓ ବୃଦ୍ଧି ଗ୍ରହଣ କରିଅଛି, ସେ କି ବଞ୍ଚିବ ? ସେ ବଞ୍ଚିବ ନାହିଁ, ସେ ଏହିସବୁ ଘୃଣାଯୋଗ୍ୟ କ୍ରିୟା କରିଅଛି; ସେ ନିଶ୍ଚୟ ମରିବ, ତାହାର ରକ୍ତ ତାହାର ଉପରେ ବର୍ତ୍ତିବ।
ଯିହିଜିକଲ 18 : 14 (IRVOR)
ଆହୁରି ଦେଖ, ଯଦି ସେହି ଲୋକର ପୁତ୍ର ଆପଣା ପିତାର କୃତ ପାପସକଳ ଦେଖେ ଓ ଭୟ କରି ସେହିପରି କାର୍ଯ୍ୟ ନ କରେ,
ଯିହିଜିକଲ 18 : 15 (IRVOR)
ଯେ ପର୍ବତଗଣ ଉପରେ ଭୋଜନ କରି ନାହିଁ କିଅବା ଇସ୍ରାଏଲ ବଂଶର ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରି ନାହିଁ, ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କରି ନାହିଁ,
ଯିହିଜିକଲ 18 : 16 (IRVOR)
କିଅବା କାହାରି ପ୍ରତି ଅନ୍ୟାୟ କରି ନାହିଁ, କୌଣସି ବନ୍ଧକି ଦ୍ରବ୍ୟ ଗ୍ରହଣ କରି ନାହିଁ, କିଅବା ଦୌରାତ୍ମ୍ୟ ଦ୍ୱାରା ଅପହରଣ କରି ନାହିଁ, ମାତ୍ର କ୍ଷୁଧିତକୁ ଆପଣା ଭକ୍ଷ୍ୟ ଦେଇଅଛି ଓ ଉଲଙ୍ଗକୁ ବସ୍ତ୍ର ପିନ୍ଧାଇଅଛି,
ଯିହିଜିକଲ 18 : 17 (IRVOR)
ଯେ ଦରିଦ୍ର ପ୍ରତି ଉପଦ୍ରବରୁ ଆପଣା ହସ୍ତ ଫେରାଇଅଛି, ସୁଧ କି ବୃଦ୍ଧି ଗ୍ରହଣ କରି ନାହିଁ, ଆମ୍ଭର ଶାସନସକଳ ପାଳନ କରିଅଛି, ଆମ୍ଭ ବିଧି ଅନୁଯାୟୀ ଆଚରଣ କରିଅଛି; ସେ ଆପଣା ପିତାର ଅଧର୍ମ ସକାଶୁ ମରିବ ନାହିଁ, ସେ ନିଶ୍ଚୟ ବଞ୍ଚିବ।
ଯିହିଜିକଲ 18 : 18 (IRVOR)
ମାତ୍ର ତାହାର ପିତା ନିର୍ଦ୍ଦୟ ଭାବରେ ଉପଦ୍ରବ କଲା, ଦୌରାତ୍ମ୍ୟ ଦ୍ୱାରା ଆପଣା ଭ୍ରାତାର ଦ୍ରବ୍ୟ ଅପହରଣ କଲା ଓ ଆପଣା ଲୋକମାନଙ୍କ ମଧ୍ୟରେ ଅନୁଚିତ କାର୍ଯ୍ୟ କଲା, ଏଥିପାଇଁ ଦେଖ, ସେ ଆପଣା ଅଧର୍ମରେ ମରିବ।
ଯିହିଜିକଲ 18 : 19 (IRVOR)
ତଥାପି ତୁମ୍ଭେମାନେ କହୁଅଛ, କାହିଁକି ପୁତ୍ର ପିତାର ଅଧର୍ମର ଭାର ବହେ ନାହିଁ ? ପୁତ୍ର ଯଦି ନ୍ୟାୟ ଓ ଧର୍ମାଚରଣ କରିଅଛି, ଆମ୍ଭର ବିଧିସକଳ ରକ୍ଷା କରି ପାଳନ କରିଅଛି, ତେବେ ସେ ନିଶ୍ଚୟ ବଞ୍ଚିବ।
ଯିହିଜିକଲ 18 : 20 (IRVOR)
ଯେଉଁ ପ୍ରାଣୀ ପାପ କରେ, ସେହି ମରିବ; ପୁତ୍ର ପିତାର ଅଧର୍ମର ଭାର ବହିବ ନାହିଁ କିଅବା ପିତା ପୁତ୍ରର ଅଧର୍ମର ଭାର ବହିବ ନାହିଁ; ଧାର୍ମିକର ଧାର୍ମିକତା ତାହାରି ଉପରେ ବର୍ତ୍ତିବ ଓ ଦୁଷ୍ଟର ଦୁଷ୍ଟତା ତାହାରି ଉପରେ ବର୍ତ୍ତିବ।
ଯିହିଜିକଲ 18 : 21 (IRVOR)
ମାତ୍ର ଦୁଷ୍ଟ ଯଦି ଆପଣାର କୃତ ସକଳ ପାପରୁ ଫେରେ ଓ ଆମ୍ଭର ବିଧିସକଳ ପାଳନ କରେ, ପୁଣି, ନ୍ୟାୟ ଓ ଧର୍ମାଚରଣ କରେ, ତେବେ ସେ ନିଶ୍ଚୟ ବଞ୍ଚିବ, ସେ ମରିବ ନାହିଁ।
ଯିହିଜିକଲ 18 : 22 (IRVOR)
ତାହାର କୃତ କୌଣସି ଅପରାଧ ତାହା ବିରୁଦ୍ଧରେ ସ୍ମରଣ କରାଯିବ ନାହିଁ; ସେ ଯେଉଁ ଧର୍ମାଚରଣ କରିଅଛି, ତଦ୍ଦ୍ୱାରା ବଞ୍ଚିବ।
ଯିହିଜିକଲ 18 : 23 (IRVOR)
ପ୍ରଭୁ, ସଦାପ୍ରଭୁ କହନ୍ତି, “ଦୁଷ୍ଟର ମରଣରେ କି ଆମ୍ଭର କିଛି ସନ୍ତୋଷ ଅଛି ? ବରଂ ସେ ଆପଣା କୁପଥରୁ ଫେରି ବଞ୍ଚୁ, ଏଥିରେ କି ଆମ୍ଭର ସନ୍ତୋଷ ନାହିଁ ?
ଯିହିଜିକଲ 18 : 24 (IRVOR)
ମାତ୍ର ଧାର୍ମିକ ଲୋକ ଯଦି ଆପଣା ଧାର୍ମିକତାରୁ ଫେରି ଅଧର୍ମ କରେ ଓ ଦୁଷ୍ଟ ଲୋକର କୃତ ସକଳ ଘୃଣାଯୋଗ୍ୟ କ୍ରିୟାନୁଯାୟୀ ଆଚରଣ କରେ, ତେବେ ସେ କି ବଞ୍ଚିବ ? ତାହାର କୃତ କୌଣସି ଧର୍ମକର୍ମ ସ୍ମରଣ କରାଯିବ ନାହିଁ; ସେ ଯେଉଁ ସତ୍ୟ-ଲଙ୍ଘନ କରିଅଛି, ସେହି ସତ୍ୟ-ଲଙ୍ଘନରେ ଓ ସେ ଯେଉଁ ପାପ କରିଅଛି, ତାହାର ସେହି ପାପରେ ସେ ମରିବ।
ଯିହିଜିକଲ 18 : 25 (IRVOR)
ତଥାପି ତୁମ୍ଭେମାନେ କହୁଅଛ, ପ୍ରଭୁଙ୍କର ପଥ ସରଳ ନୁହେଁ। ହେ ଇସ୍ରାଏଲ ବଂଶ, ଏବେ ଶୁଣ; ଆମ୍ଭର ପଥ କି ସରଳ ନୁହେଁ ? ତୁମ୍ଭମାନଙ୍କର ପଥ କି ଅସରଳ ନୁହେଁ ?
ଯିହିଜିକଲ 18 : 26 (IRVOR)
ଧାର୍ମିକ ଲୋକ ଯେତେବେଳେ ଆପଣା ଧାର୍ମିକତାରୁ ଫେରି ଅଧର୍ମ କରେ ଓ ତହିଁରେ ମରେ, ସେତେବେଳେ ସେ ଯେଉଁ ଅଧର୍ମ କରିଅଛି, ତହିଁରେ ହିଁ ମରିବ।
ଯିହିଜିକଲ 18 : 27 (IRVOR)
ପୁନର୍ବାର ଦୁଷ୍ଟ ଲୋକ ଯେତେବେଳେ ଆପଣା କୃତ ଦୁଷ୍ଟତାରୁ ଫେରେ, ଆଉ ନ୍ୟାୟ ଓ ଧର୍ମାଚରଣ କରେ, ସେତେବେଳେ ସେ ଆପଣା ପ୍ରାଣ ଜୀବିତ ରକ୍ଷା କରିବ।
ଯିହିଜିକଲ 18 : 28 (IRVOR)
ସେ ବିବେଚନା କରେ ଓ ଆପଣା କୃତ ସମସ୍ତ ଅପରାଧରୁ ଫେରେ, ଏଥିପାଇଁ ସେ ନିଶ୍ଚୟ ବଞ୍ଚିବ, ସେ ମରିବ ନାହିଁ।
ଯିହିଜିକଲ 18 : 29 (IRVOR)
ତଥାପି ଇସ୍ରାଏଲ ବଂଶ କହନ୍ତି, ପ୍ରଭୁଙ୍କର ପଥ ସରଳ ନୁହେଁ ? ହେ ଇସ୍ରାଏଲ ବଂଶ, ଆମ୍ଭର ପଥ କି ସରଳ ନୁହେଁ ? ତୁମ୍ଭମାନଙ୍କର ପଥ କି ଅସରଳ ନୁହେଁ ?
ଯିହିଜିକଲ 18 : 30 (IRVOR)
ଏଥିପାଇଁ ହେ ଇସ୍ରାଏଲ ବଂଶ, ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକକୁ ତାହାର ଆଚାର ବ୍ୟବହାରାନୁସାରେ ବିଚାର କରିବା,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି। “ତୁମ୍ଭେମାନେ ଫେର, ଆପଣାମାନଙ୍କର ସମସ୍ତ ଅପରାଧରୁ ବିମୁଖ ହୁଅ; ତହିଁରେ ଅଧର୍ମ ତୁମ୍ଭମାନଙ୍କର ବିନାଶଜନକ ନୋହିବ।
ଯିହିଜିକଲ 18 : 31 (IRVOR)
ତୁମ୍ଭେମାନେ ଆପଣାମାନଙ୍କର କୃତ ସମସ୍ତ ଅପରାଧ ଆପଣାମାନଙ୍କଠାରୁ ଦୂର କରି ଦିଅ ଓ ଆପଣାମାନଙ୍କ ପାଇଁ ନୂତନ ଅନ୍ତଃକରଣ ଓ ନୂତନ ଆତ୍ମା ପ୍ରସ୍ତୁତ କର; କାରଣ ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କାହିଁକି ମରିବ ?”
ଯିହିଜିକଲ 18 : 32 (IRVOR)
ଯେହେତୁ ଯେ ମରେ, ତାହାର ମରଣରେ ଆମ୍ଭର କିଛି ସନ୍ତୋଷ ନାହିଁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି; “ଏଥିପାଇଁ ତୁମ୍ଭେମାନେ ଫେରି ବଞ୍ଚ।”
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32