ଯିହିଜିକଲ 16 : 1 (IRVOR)
ଅବିଶ୍ୱସ୍ତ ଯିରୂଶାଲମ ପୁନର୍ବାର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା,
ଯିହିଜିକଲ 16 : 2 (IRVOR)
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଯିରୂଶାଲମକୁ ତାହାର ଘୃଣାଯୋଗ୍ୟ କ୍ରିୟାସକଳ ଜଣାଅ,
ଯିହିଜିକଲ 16 : 3 (IRVOR)
ଆଉ କୁହ, ପ୍ରଭୁ, ସଦାପ୍ରଭୁ ଯିରୂଶାଲମକୁ ଏହି କଥା କହନ୍ତି: ତୁମ୍ଭର ଉତ୍ପତ୍ତି ଓ ଜନ୍ମସ୍ଥାନ କିଣାନୀୟ ଦେଶ ଅଟେ; ପୁଣି ତୁମ୍ଭର ପିତା ଇମୋରୀୟ ଓ ମାତା ଜଣେ ହିତ୍ତୀୟା ଥିଲା।
ଯିହିଜିକଲ 16 : 4 (IRVOR)
ତୁମ୍ଭ ଜନ୍ମର ବିବରଣ ଏହି, ତୁମ୍ଭେ ଜନ୍ମ ହେବା ଦିନ ତୁମ୍ଭର ନାଭି କଟା ହୋଇ ନ ଥିଲା, କିଅବା ତୁମ୍ଭକୁ ପରିଷ୍କାର କରିବା ପାଇଁ ଜଳରେ ସ୍ନାନ କରାଯାଇ ନ ଥିଲା; ତୁମ୍ଭେ ଲବଣରେ ମଖାଯାଇ ନ ଥିଲ, କିଅବା ପଟୀରେ ଗୁଡ଼ା ଯାଇ ନ ଥିଲ।
ଯିହିଜିକଲ 16 : 5 (IRVOR)
ଏହିସବୁ ମଧ୍ୟରୁ କୌଣସି କାର୍ଯ୍ୟ କରିବା ପାଇଁ, ତୁମ୍ଭ ପ୍ରତି ଦୟା ବହିବା ପାଇଁ କେହି ତୁମ୍ଭ ଉପରେ ସ୍ନେହ ଦୃଷ୍ଟି ନ କଲା; ମାତ୍ର ତୁମ୍ଭେ ଜନ୍ମ ହେବା ଦିନ ତୁମ୍ଭର ଘୃଣାଯୋଗ୍ୟ ଅବସ୍ଥା ସକାଶୁ ଖୋଲା ପଡ଼ିଆରେ ଫୋପଡ଼ା ଯାଇଥିଲ।
ଯିହିଜିକଲ 16 : 6 (IRVOR)
ଏଥିଉତ୍ତାରେ ଆମ୍ଭେ ଯେତେବେଳେ ତୁମ୍ଭ ନିକଟ ଦେଇ ଗଲୁ ଓ ତୁମ୍ଭକୁ ରକ୍ତରେ ଛଟପଟ ହେବାର ଦେଖିଲୁ, ସେତେବେଳେ ଆମ୍ଭେ ତୁମ୍ଭକୁ କହିଲୁ, ତୁମ୍ଭେ ନିଜ ରକ୍ତରେ (ଲିପ୍ତ) ଥିଲେ ହେଁ ଜୀବିତ ହୁଅ; ହଁ, ତୁମ୍ଭେ ନିଜ ରକ୍ତରେ (ଲିପ୍ତ) ଥିଲେ ହେଁ ଜୀବିତ ହୁଅ; ଏହି କଥା ଆମ୍ଭେ ତୁମ୍ଭକୁ କହିଲୁ।
ଯିହିଜିକଲ 16 : 7 (IRVOR)
ଆମ୍ଭେ କ୍ଷେତ୍ରରେ ଉଦ୍ଭିଦ ପରି ତୁମ୍ଭକୁ ବହୁସଂଖ୍ୟକ କରାଇଲୁ, ତହିଁରେ ତୁମ୍ଭେ ବୃଦ୍ଧି ପାଇ ଅତି ବଡ଼ ହୋଇ ଉଠିଲ ଓ ମହାଶୋଭାରୂପ ଅଳଙ୍କାର ସ୍ୱରୂପ ହେଲ; ତୁମ୍ଭର ସ୍ତନଯୁଗଳ ସୁଡୌଲ ଓ ତୁମ୍ଭର କେଶ ଦୀର୍ଘ ହେଲା; ତଥାପି ତୁମ୍ଭେ ବିବସନା ଓ ଉଲଙ୍ଗିନୀ ଥିଲ।
ଯିହିଜିକଲ 16 : 8 (IRVOR)
ପୁଣି, ଆମ୍ଭେ ଯେତେବେଳେ ତୁମ୍ଭର ନିକଟ ଦେଇ ଗମନ କଲୁ ଓ ତୁମ୍ଭ ପ୍ରତି ଅନାଇଲୁ, ସେତେବେଳେ ଦେଖ, ତୁମ୍ଭର ସେ ସମୟ ତ ପ୍ରେମର ସମୟ; ତହୁଁ ଆମ୍ଭେ ତୁମ୍ଭ ଉପରେ ଆପଣା ବସ୍ତ୍ରାଞ୍ଚଳ ପ୍ରସାରିଲୁ ଓ ତୁମ୍ଭର ଉଲଙ୍ଗତା ଆଚ୍ଛାଦନ କଲୁ; ହଁ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଶପଥ କରି ତୁମ୍ଭ ସଙ୍ଗେ ନିୟମ ସ୍ଥିର କଲୁ, ତହିଁରେ ତୁମ୍ଭେ ଆମ୍ଭର ହେଲ।”
ଯିହିଜିକଲ 16 : 9 (IRVOR)
ତହୁଁ ଆମ୍ଭେ ତୁମ୍ଭକୁ ଜଳରେ ସ୍ନାନ କରାଇଲୁ, ହଁ, ଆମ୍ଭେ ସମ୍ପୂର୍ଣ୍ଣ ରୂପେ ତୁମ୍ଭ ଦେହରୁ ତୁମ୍ଭର ରକ୍ତ ଧୋଇ ଦେଲୁ ଓ ଆମ୍ଭେ ତୈଳରେ ତୁମ୍ଭକୁ ମର୍ଦ୍ଦନ କଲୁ।
ଯିହିଜିକଲ 16 : 10 (IRVOR)
ଆହୁରି, ଆମ୍ଭେ ତୁମ୍ଭକୁ ବିଚିତ୍ର ବସ୍ତ୍ର ପିନ୍ଧାଇଲୁ, ଶିଶୁକ ଚର୍ମର ପାଦୁକା ପିନ୍ଧାଇଲୁ ଓ ଆମ୍ଭେ ଶୁଭ୍ର କ୍ଷୌମ ବସ୍ତ୍ରରେ ତୁମ୍ଭର କଟୀବନ୍ଧନ କରାଇଲୁ, ପୁଣି, ପଟ୍ଟବସ୍ତ୍ରରେ ବିଭୂଷିତା କଲୁ।
ଯିହିଜିକଲ 16 : 11 (IRVOR)
ଆହୁରି, ଆମ୍ଭେ ଅଳଙ୍କାରରେ ତୁମ୍ଭକୁ ଭୂଷିତା କଲୁ, ତୁମ୍ଭ ହସ୍ତରେ କଙ୍କଣ ଓ ଗଳଦେଶରେ ହାର ଦେଲୁ।
ଯିହିଜିକଲ 16 : 12 (IRVOR)
ପୁଣି, ଆମ୍ଭେ ତୁମ୍ଭ ନାସିକାରେ ନଥ, କର୍ଣ୍ଣରେ କର୍ଣ୍ଣଭୂଷଣ ଓ ମସ୍ତକରେ ସୁନ୍ଦର ମୁକୁଟ ଦେଲୁ।
ଯିହିଜିକଲ 16 : 13 (IRVOR)
ଏରୂପେ ତୁମ୍ଭେ ସୁନା, ରୂପାରେ ବିଭୂଷିତା ହେଲ, ତୁମ୍ଭର ବସ୍ତ୍ର ଶୁଭ୍ର କ୍ଷୌମସୂତ୍ର, ପଟ୍ଟ ଦ୍ୱାରା ନିର୍ମିତ ଓ ଶିଳ୍ପକର୍ମରେ ବିଚିତ୍ର ହେଲା; ତୁମ୍ଭେ ସରୁ ମଇଦା ଓ ମଧୁ ଓ ତୈଳ ଭୋଜନ କଲ। ପୁଣି, ତୁମ୍ଭେ ପରମା ସୁନ୍ଦରୀ ହୋଇ ଅବଶେଷରେ ରାଣୀ ପଦ ପ୍ରାପ୍ତ ହେଲ।
ଯିହିଜିକଲ 16 : 14 (IRVOR)
ଆଉ, ତୁମ୍ଭ ସୌନ୍ଦର୍ଯ୍ୟର ସୁଖ୍ୟାତି ନାନା ଦେଶରେ ବ୍ୟାପିଲା; କାରଣ ପ୍ରଭୁ, ସଦାପ୍ରଭୁ କହନ୍ତି, “ଆମ୍ଭେ ଆପଣା ଐଶ୍ୱର୍ଯ୍ୟ ଦ୍ୱାରା ତୁମ୍ଭକୁ ଯେଉଁ ସୌନ୍ଦର୍ଯ୍ୟ ଦେଇଥିଲୁ, ତାହା ସିଦ୍ଧ ଥିଲା।
ଯିହିଜିକଲ 16 : 15 (IRVOR)
ମାତ୍ର ତୁମ୍ଭେ ଆପଣା ସୌନ୍ଦର୍ଯ୍ୟରେ ନିର୍ଭର କରି ନିଜ ସୁଖ୍ୟାତି ସକାଶୁ ବ୍ୟଭିଚାରିଣୀ ହେଲ, ପୁଣି, ଯେକେହି ତୁମ୍ଭ ନିକଟ ଦେଇ ଗଲା; ତାହା ଉପରେ ତୁମ୍ଭର ବ୍ୟଭିଚାରରୂପ ଜଳ ଢାଳିଲ; ତାହା ତାହାର ଭୋଗ ହେଲା।
ଯିହିଜିକଲ 16 : 16 (IRVOR)
ପୁଣି, ତୁମ୍ଭେ ଆପଣା ବସ୍ତ୍ରର କିଛି କିଛି ନେଇ ଆପଣା ପାଇଁ ନାନା ରଙ୍ଗରେ ଭୂଷିତ ଉଚ୍ଚସ୍ଥଳୀ ନିର୍ମାଣ କଲ ଓ ତହିଁ ଉପରେ ବ୍ୟଭିଚାର କ୍ରିୟା କଲ; ଏପରି କାର୍ଯ୍ୟ ହେବ ନାହିଁ, କିଅବା ହେବାର ହିଁ ଉଚିତ୍ ନୁହେଁ।
ଯିହିଜିକଲ 16 : 17 (IRVOR)
ଆହୁରି, ଆମ୍ଭର ସୁନା ଓ ଆମ୍ଭର ରୂପାରେ ନିର୍ମିତ ଯେସକଳ ସୁନ୍ଦର ଆଭରଣ ଆମ୍ଭେ ତୁମ୍ଭକୁ ଦେଇଥିଲୁ, ତୁମ୍ଭେ ତାହା ନେଇ ପୁରୁଷାକୃତି ପ୍ରତିମାଗଣ ନିର୍ମାଣ କରି ସେମାନଙ୍କ ସଙ୍ଗେ ବ୍ୟଭିଚାର କଲ;* ସେମାନଙ୍କ ସଙ୍ଗେ ବ୍ୟଭିଚାର କଲ; ଅର୍ଥାତ୍ ସେମାନଙ୍କ ଉପାସନା କଲ
ଯିହିଜିକଲ 16 : 18 (IRVOR)
ପୁଣି, ତୁମ୍ଭେ ଆପଣା ବିଚିତ୍ର ବସ୍ତ୍ରସବୁ ନେଇ ସେମାନଙ୍କୁ ପିନ୍ଧାଇଲ ଓ ସେମାନଙ୍କ ସମ୍ମୁଖରେ ଆମ୍ଭର ତୈଳ ଓ ଆମ୍ଭର ଧୂପ ରଖିଲ।
ଯିହିଜିକଲ 16 : 19 (IRVOR)
ମଧ୍ୟ ସରୁ ମଇଦା, ତୈଳ ଓ ମଧୁ, ଆଦି ଆମ୍ଭର ଯେଉଁ ଖାଦ୍ୟ ଦ୍ୱାରା ଆମ୍ଭେ ତୁମ୍ଭକୁ ପ୍ରତିପାଳନ କଲୁ, ତାହା ତୁମ୍ଭେ ସୌରଭାର୍ଥେ ସେମାନଙ୍କ ସମ୍ମୁଖରେ ରଖିଲ, ଆଉ ଏପ୍ରକାର ହୋଇଥିଲା,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
ଯିହିଜିକଲ 16 : 20 (IRVOR)
“ଆହୁରି, ଆମ୍ଭ ନିମନ୍ତେ ତୁମ୍ଭେ ଯେଉଁମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ଆପଣାର ସେହି ପୁତ୍ର ଓ କନ୍ୟାଗଣକୁ ନେଇ ଗ୍ରାସିତ ହେବା ପାଇଁ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଅଛ।
ଯିହିଜିକଲ 16 : 21 (IRVOR)
ତୁମ୍ଭେ ଯେ ଆମ୍ଭର ସନ୍ତାନଗଣକୁ ବଧ କରିଅଛ ଓ ଅଗ୍ନିରେ ଗମନ କରାଇ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଅଛ, ତୁମ୍ଭର ଏହି ବ୍ୟଭିଚାର କି କ୍ଷୁଦ୍ର ବିଷୟ ?
ଯିହିଜିକଲ 16 : 22 (IRVOR)
ପୁଣି, ତୁମ୍ଭେ ଆପଣାର ସକଳ ଘୃଣାଯୋଗ୍ୟ ଓ ବ୍ୟଭିଚାର କ୍ରିୟା କରିବା ବେଳେ ଆପଣା ଯୌବନାବସ୍ଥାର ସମୟ, ଅର୍ଥାତ୍‍, ଯେଉଁ ସମୟରେ ତୁମ୍ଭେ ବିବସନା, ଉଲଙ୍ଗିନୀ ଥିଲ ଓ ନିଜ ରକ୍ତରେ ଛଟପଟ ହେଉଥିଲ, ସେହି ସମୟକୁ ସ୍ମରଣ କରି ନାହଁ।
ଯିହିଜିକଲ 16 : 23 (IRVOR)
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭକୁ ଧିକ୍‍ ଧିକ୍‍” ! ତୁମ୍ଭର ଏହିସବୁ ଦୁଷ୍ଟାଚରଣ ଉତ୍ତାରେ,
ଯିହିଜିକଲ 16 : 24 (IRVOR)
ତୁମ୍ଭେ ପ୍ରତିମା ପୂଜା କରିବାକୁ ଆପଣା ନିମନ୍ତେ ମନ୍ଦିର ନିର୍ମାଣ କରିଅଛ ଓ ପ୍ରତ୍ୟେକ ଛକରେ ଉଚ୍ଚସ୍ଥଳୀ ନିର୍ମାଣ କରିଅଛ।
ଯିହିଜିକଲ 16 : 25 (IRVOR)
ତୁମ୍ଭେ ପ୍ରତ୍ୟେକ ପଥ ମୁଣ୍ଡରେ ଉଚ୍ଚସ୍ଥଳୀ ପ୍ରସ୍ତୁତ କରିଅଛ ଓ ଆପଣାର ସୌନ୍ଦର୍ଯ୍ୟକୁ ଘୃଣାଯୋଗ୍ୟ କରିଅଛ ଓ ପ୍ରତ୍ୟେକ ପଥିକ ପାଇଁ ଆପଣାର ପାଦଦ୍ୱୟ ଅନାବୃତ କରିଅଛ, ଆଉ ଆପଣାର ବ୍ୟଭିଚାର କ୍ରିୟା ବଢ଼ାଇଅଛ।
ଯିହିଜିକଲ 16 : 26 (IRVOR)
ଆହୁରି, ତୁମ୍ଭେ ଆପଣାର କାମୁକତା ପ୍ରତିବାସୀ, ମିସ୍ରୀୟମାନଙ୍କ ସହିତ ବ୍ୟଭିଚାର କରିଅଛ ଓ ଆମ୍ଭକୁ ବିରକ୍ତ କରିବା ପାଇଁ ଆପଣା ବ୍ୟଭିଚାର କ୍ରିୟା ବଢ଼ାଇଅଛ।
ଯିହିଜିକଲ 16 : 27 (IRVOR)
ଏହେତୁ ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭର ଦୈନିକ ଖାଦ୍ୟ ଊଣା କରିଅଛୁ ଓ ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ତୁମ୍ଭ ଭ୍ରଷ୍ଟାଚରଣରେ ଲଜ୍ଜିତ ଅଟନ୍ତି, ସେହି ପଲେଷ୍ଟୀୟ କନ୍ୟାମାନଙ୍କ ଇଚ୍ଛାରେ ତୁମ୍ଭକୁ ସମର୍ପଣ କଲୁ।
ଯିହିଜିକଲ 16 : 28 (IRVOR)
ତୁମ୍ଭେ ଅତୃପ୍ତ ହେବାରୁ ଅଶୂରୀୟମାନଙ୍କ ସହିତ ବ୍ୟଭିଚାର କରିଅଛ; ହଁ, ତୁମ୍ଭେ ସେମାନଙ୍କ ସଙ୍ଗେ ବ୍ୟଭିଚାର କଲେ ହେଁ ତୃପ୍ତା ହୋଇ ନାହଁ।
ଯିହିଜିକଲ 16 : 29 (IRVOR)
ଆହୁରି, ତୁମ୍ଭେ କିଣାନ ଦେଶରେ କଲ୍‍ଦୀୟ ପର୍ଯ୍ୟନ୍ତ ଆପଣା ବ୍ୟଭିଚାର କ୍ରିୟା ବୃଦ୍ଧି କରିଅଛ; ପୁଣି, ତହିଁରେ ହେଁ ତୃପ୍ତା ହୋଇ ନାହଁ।
ଯିହିଜିକଲ 16 : 30 (IRVOR)
ପ୍ରଭୁ, ସଦାପ୍ରଭୁ କହନ୍ତି, ତୁମ୍ଭର ହୃଦୟ କିପରି ଦୁର୍ବଳ, ଏଥିପାଇଁ ତୁମ୍ଭେ ସ୍ଵେଚ୍ଛାଚାରିଣୀ ବେଶ୍ୟା ସ୍ତ୍ରୀ ପରି ଏହିସବୁ କାର୍ଯ୍ୟ କରିଅଛ।”
ଯିହିଜିକଲ 16 : 31 (IRVOR)
ତୁମ୍ଭେ ପ୍ରତ୍ୟେକ ପଥ ମୁଣ୍ଡରେ ଆପଣା ଉଚ୍ଚ ସ୍ଥାନ ନିର୍ମାଣ କରୁଅଛ ଓ ପ୍ରତ୍ୟେକ ଛକରେ ମଞ୍ଚ ପ୍ରସ୍ତୁତ କରୁଅଛ; ପୁଣି, ତୁମ୍ଭେ ବେଶ୍ୟା ପରି ନ ହୋଇ ଭଡ଼ା ତୁଚ୍ଛ କରିଅଛ।
ଯିହିଜିକଲ 16 : 32 (IRVOR)
ତୁମ୍ଭେ ତ ବ୍ୟଭିଚାରିଣୀ ଭାର୍ଯ୍ୟା ! ତୁମ୍ଭେ ତ ଆପଣା ସ୍ୱାମୀ ବଦଳରେ ଅଜଣା ଲୋକଙ୍କୁ ଗ୍ରହଣ କରୁଅଛ।
ଯିହିଜିକଲ 16 : 33 (IRVOR)
ଲୋକେ ବେଶ୍ୟାମାନଙ୍କୁ ଭଡ଼ା ଦିଅନ୍ତି; ମାତ୍ର ତୁମ୍ଭେ ଆପଣା ପ୍ରେମିକ ସମସ୍ତଙ୍କୁ ଭଡ଼ା ଦେଉଅଛ, ଆଉ ତୁମ୍ଭର ବେଶ୍ୟାବୃତ୍ତି କ୍ରମେ ସେମାନେ ଯେପରି ଚତୁର୍ଦ୍ଦିଗରୁ ତୁମ୍ଭ ନିକଟକୁ ଆସନ୍ତି, ଏଥିପାଇଁ ତୁମ୍ଭେ ସେମାନଙ୍କୁ ଲାଞ୍ଚ ଦେଉଅଛ।
ଯିହିଜିକଲ 16 : 34 (IRVOR)
ପୁଣି, ଅନ୍ୟ ସ୍ତ୍ରୀମାନଙ୍କ ଅପେକ୍ଷା ତୁମ୍ଭ ବେଶ୍ୟାବୃତ୍ତିର ପ୍ରଭେଦ ଏହି ଯେ, ତୁମ୍ଭ ସଙ୍ଗେ ବ୍ୟଭିଚାର କରିବା ପାଇଁ କେହି ତୁମ୍ଭର ପଶ୍ଚାଦଗାମୀ ହୁଏ ନାହିଁ; ଆଉ, ତୁମ୍ଭେ ଭଡ଼ା ଦେଲେ ହେଁ ତୁମ୍ଭକୁ କିଛି ଭଡ଼ା ଦିଆଯାଏ ନାହିଁ, ଏଥିପାଇଁ ତୁମ୍ଭର କ୍ରିୟା ବିପରୀତ ଅଟେ।
ଯିହିଜିକଲ 16 : 35 (IRVOR)
ଏହେତୁ ହେ ବେଶ୍ୟା, ସଦାପ୍ରଭୁଙ୍କର ବାକ୍ୟ ଶୁଣ;
ଯିହିଜିକଲ 16 : 36 (IRVOR)
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭର ଅଶୁଚିତା ଢଳା ଯାଇଅଛି ଓ ତୁମ୍ଭର ପ୍ରେମିକଗଣର ସଙ୍ଗେ ତୁମ୍ଭର ବ୍ୟଭିଚାର ହେତୁ ତୁମ୍ଭର ଉଲଙ୍ଗତା ଅନାବୃତ ହୋଇଅଛି, ଏଥିପାଇଁ, ପୁଣି, ତୁମ୍ଭର ଘୃଣାଯୋଗ୍ୟ ସକଳ ଦେବତାର ନିମନ୍ତେ ଓ ତୁମ୍ଭେ ସେମାନଙ୍କୁ ଆପଣା ସନ୍ତାନଗଣର ଯେଉଁ ରକ୍ତ ଦେଇଅଛ; ତହିଁ ସକାଶୁ;
ଯିହିଜିକଲ 16 : 37 (IRVOR)
ଦେଖ, ତୁମ୍ଭେ ଯେଉଁମାନଙ୍କଠାରେ ସନ୍ତୋଷ ପାଇଅଛ, ତୁମ୍ଭର ସେହି ପ୍ରେମିକ ସମସ୍ତଙ୍କୁ, ଆଉ ଯେଉଁମାନଙ୍କୁ ତୁମ୍ଭେ ପ୍ରେମ କରିଅଛ ଓ ଯେଉଁମାନଙ୍କୁ ତୁମ୍ଭେ ଘୃଣା କରିଅଛ, ସେହି ସମସ୍ତଙ୍କୁ ଆମ୍ଭେ ଏକତ୍ର କରିବା; ଆମ୍ଭେ ତୁମ୍ଭ ବିରୁଦ୍ଧରେ ଚତୁର୍ଦ୍ଦିଗରୁ ସେମାନଙ୍କୁ ଏକତ୍ର କରି ସେମାନଙ୍କ ଆଗରେ ତୁମ୍ଭର ଉଲଙ୍ଗତା ଅନାବୃତ କରିବା, ତହିଁରେ ସେମାନେ ତୁମ୍ଭର ସମସ୍ତ ଉଲଙ୍ଗତା ଦେଖିବେ।
ଯିହିଜିକଲ 16 : 38 (IRVOR)
ବିବାହ ନିୟମ ଲଘଂନକାରିଣୀ ଓ ରକ୍ତପାତ-କାରିଣୀ ସ୍ତ୍ରୀମାନେ ଯେରୂପ ବିଚାରିତା ହୁଅନ୍ତି, ସେରୂପ ଆମ୍ଭେ ତୁମ୍ଭର ବିଚାର କରିବା ଏବଂ କୋପ ଓ ଅନ୍ତର୍ଜ୍ୱାଳାର ରକ୍ତ ତୁମ୍ଭ ଉପରେ ଉପସ୍ଥିତ କରିବା।
ଯିହିଜିକଲ 16 : 39 (IRVOR)
ଆମ୍ଭେ, ମଧ୍ୟ ତୁମ୍ଭକୁ ସେମାନଙ୍କ ହସ୍ତରେ ସମର୍ପଣ କରିବା, ତହିଁରେ ସେମାନେ ତୁମ୍ଭର ମନ୍ଦିର ସ୍ଥାନସବୁ ଭାଙ୍ଗି ପକାଇବେ ଓ ଉଚ୍ଚସ୍ଥଳୀସବୁ ଉତ୍ପାଟନ କରିବେ; ପୁଣି, ସେମାନେ ତୁମ୍ଭକୁ ବିବସନା କରି ତୁମ୍ଭର ସୁନ୍ଦର ଅଳଙ୍କାରସବୁ ହରଣ କରି ନେବେ; ଆଉ, ସେମାନେ ତୁମ୍ଭକୁ ବିବସନା ଓ ଉଲଙ୍ଗିନୀ କରି ଛାଡ଼ି ଦେବେ।
ଯିହିଜିକଲ 16 : 40 (IRVOR)
ଆହୁରି, ସେମାନେ ତୁମ୍ଭ ବିରୁଦ୍ଧରେ ଏକ ସମାଜ ଆଣି ତୁମ୍ଭକୁ ପ୍ରସ୍ତରାଘାତ କରିବେ ଓ ଆପଣା ଆପଣା ଖଡ୍ଗରେ ତୁମ୍ଭକୁ ବିନ୍ଧିବେ।
ଯିହିଜିକଲ 16 : 41 (IRVOR)
ପୁଣି, ସେମାନେ ତୁମ୍ଭର ଗୃହସବୁ ଅଗ୍ନିରେ ଦଗ୍ଧ କରିବେ ଓ ଅନେକ ସ୍ତ୍ରୀଲୋକଙ୍କ ସାକ୍ଷାତରେ ତୁମ୍ଭ ଉପରେ ଦଣ୍ଡାଜ୍ଞା ସଫଳ କରିବେ; ପୁଣି, ଆମ୍ଭେ ତୁମ୍ଭକୁ ବ୍ୟଭିଚାର କ୍ରିୟାରୁ ନିବୃତ୍ତ କରାଇବା, ତୁମ୍ଭେ ମଧ୍ୟ ଆଉ ଭଡ଼ା ଦେବ ନାହିଁ।
ଯିହିଜିକଲ 16 : 42 (IRVOR)
ଏହିରୂପେ ତୁମ୍ଭ ପ୍ରତି ଆମ୍ଭର କୋପ ଶାନ୍ତ ହେବ, ତୁମ୍ଭଠାରୁ ଆମ୍ଭର ଅନ୍ତର୍ଜ୍ୱାଳା ଯିବ ଓ ଆମ୍ଭେ କ୍ଷାନ୍ତ ହୋଇ ଆଉ କ୍ରୋଧ କରିବା ନାହିଁ।
ଯିହିଜିକଲ 16 : 43 (IRVOR)
ତୁମ୍ଭେ ଆପଣା ଯୌବନାବସ୍ଥା ସ୍ମରଣ କରି ନାହଁ, ମାତ୍ର ଏହିସବୁ ବିଷୟରେ ଆମ୍ଭକୁ ବିରକ୍ତ କରିଅଛ” , ଏହେତୁ ଦେଖ, ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ହିଁ ତୁମ୍ଭ କାର୍ଯ୍ୟର ଫଳ ତୁମ୍ଭ ମସ୍ତକରେ ବର୍ତ୍ତାଇବା, ତହିଁରେ ତୁମ୍ଭେ ଆପଣାର ସକଳ ଘୃଣାଯୋଗ୍ୟ କ୍ରିୟା ଉପରେ ଏପ୍ରକାର ଭ୍ରଷ୍ଟାଚରଣ କରିବ ନାହିଁ।
ଯିହିଜିକଲ 16 : 44 (IRVOR)
ଦେଖ, ଯେକେହି ପ୍ରବାଦ ବ୍ୟବହାର କରେ, ସେ ତୁମ୍ଭ ବିରୁଦ୍ଧରେ ଏହି ପ୍ରବାଦ ବ୍ୟବହାର କରିବ ଯଥା; ମାତା ଯେସନ, କନ୍ୟା ତେସନ।
ଯିହିଜିକଲ 16 : 45 (IRVOR)
ତୁମ୍ଭେ ଆପଣା ମାତାର କନ୍ୟା, ସେ ଆପଣା ସ୍ୱାମୀକୁ ଓ ସନ୍ତାନମାନଙ୍କୁ ଘୃଣା କରେ; ତୁମ୍ଭେ ନିଜ ଭଗିନୀଗଣର ଭଗିନୀ, ସେମାନେ ଆପଣା ଆପଣା ସ୍ୱାମୀକୁ ଓ ସନ୍ତାନଗଣକୁ ଘୃଣା କଲେ; ତୁମ୍ଭମାନଙ୍କର ମାତା ଜଣେ ହିତ୍ତୀୟା ଓ ତୁମ୍ଭମାନଙ୍କର ପିତା ଜଣେ ଇମୋରୀୟ ଥିଲା।
ଯିହିଜିକଲ 16 : 46 (IRVOR)
ପୁଣି, ଶମରୀୟା ତୁମ୍ଭର ବଡ଼ ଭଗିନୀ, ସେ ଆପଣା କନ୍ୟାଗଣ ସହିତ ତୁମ୍ଭର ଉତ୍ତର ଦିଗରେ ବାସ କରେ; ଆଉ, ସଦୋମ ତୁମ୍ଭର ସାନ ଭଗିନୀ, ସେ ଓ ତାହାର କନ୍ୟାଗଣ ତୁମ୍ଭର ଦକ୍ଷିଣ ଦିଗରେ ବାସ କରନ୍ତି।
ଯିହିଜିକଲ 16 : 47 (IRVOR)
ତଥାପି ତୁମ୍ଭେ ସେମାନଙ୍କ ପଥରେ ଗମନ କରି ନାହଁ, କିଅବା ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାନୁସାରେ କର୍ମ କରି ନାହଁ; ମାତ୍ର ତାହା ଅତି କ୍ଷୁଦ୍ର ଥିଲା ପରି ମନେକରି, ତୁମ୍ଭେ ଆପଣାର ସମସ୍ତ ଆଚାର ବ୍ୟବହାରରେ ସେମାନଙ୍କ ଅପେକ୍ଷା ଅଧିକ ଭ୍ରଷ୍ଟା ହୋଇଅଛ।
ଯିହିଜିକଲ 16 : 48 (IRVOR)
ପ୍ରଭୁ, ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ କହୁଅଛୁ, ତୁମ୍ଭର ଭଗିନୀ ସଦୋମ, ତାହାର କନ୍ୟାଗଣ ତୁମ୍ଭ ପରି ଓ ତୁମ୍ଭ କନ୍ୟାଗଣ ପରି କର୍ମ କରି ନାହାନ୍ତି।
ଯିହିଜିକଲ 16 : 49 (IRVOR)
ଦେଖ, ତୁମ୍ଭ ଭଗିନୀ ସଦୋମର ଏହି ଅଧର୍ମ ଥିଲା; ତାହାର ଓ ତାହାର କନ୍ୟାଗଣର ଅହଙ୍କାର, ଭକ୍ଷ୍ୟର ପୂର୍ଣ୍ଣତା ଓ ସମୃଦ୍ଧି ଜନିତ ଶାନ୍ତି ଥିଲା, ସେ ଦରିଦ୍ର ଓ ଦୀନହୀନଙ୍କର ହସ୍ତ ସବଳ କଲା ନାହିଁ।
ଯିହିଜିକଲ 16 : 50 (IRVOR)
ପୁଣି, ସେମାନେ ଅହଙ୍କାରିଣୀ ଥିଲେ ଓ ଆମ୍ଭ ସମ୍ମୁଖରେ ଘୃଣାଯୋଗ୍ୟ କ୍ରିୟା କଲେ; ଏହେତୁ ଆମ୍ଭକୁ ଯେପରି ଭଲ ଦିଶିଲା, ସେହିପରି ଆମ୍ଭେ ସେମାନଙ୍କୁ ଦୂର କଲୁ।
ଯିହିଜିକଲ 16 : 51 (IRVOR)
ପୁଣି, ଶମରୀୟା ତୁମ୍ଭ ପାପର ଅର୍ଦ୍ଧେକ ପାପ କରି ନାହିଁ; ମାତ୍ର ତୁମ୍ଭେ ସେମାନଙ୍କ ଅପେକ୍ଷା ଆପଣା ଘୃଣାଯୋଗ୍ୟ କ୍ରିୟା ଅଧିକ ବଢ଼ାଇଅଛ ଓ ଆପଣାର କୃତ ସକଳ ଘୃଣାଯୋଗ୍ୟ କ୍ରିୟା ଦ୍ୱାରା ତୁମ୍ଭେ ଆପଣା ଭଗିନୀଗଣକୁ ଧାର୍ମିକ ପରି କରିଅଛ।
ଯିହିଜିକଲ 16 : 52 (IRVOR)
ତୁମ୍ଭେ ଆପଣା ଭଗିନୀଗଣର ପକ୍ଷରେ ବିଚାର ନିଷ୍ପତ୍ତି କରିବାରୁ ଆପଣା ଅପମାନ ଆପେ ଭୋଗ କର; ସେମାନଙ୍କ ଅପେକ୍ଷା ତୁମ୍ଭର କୃତ ଅଧିକ ଘୃଣାଯୋଗ୍ୟ ପାପସମୂହ ଦ୍ୱାରା ସେମାନେ ତୁମ୍ଭ ଅପେକ୍ଷା ଧାର୍ମିକ ହୋଇଅଛନ୍ତି; ହଁ, ତୁମ୍ଭେ ଆପଣା ଭଗିନୀଗଣକୁ ଧାର୍ମିକ କରିଅଛ, ଏଥିପାଇଁ ତୁମ୍ଭେ ମଧ୍ୟ ଲଜ୍ଜିତ ହୁଅ ଓ ଆପଣା ଅପମାନ ଭୋଗ କର।
ଯିହିଜିକଲ 16 : 53 (IRVOR)
ପୁଣି, ଆମ୍ଭେ ସେମାନଙ୍କର ବନ୍ଦୀତ୍ୱାବସ୍ଥା, ଅର୍ଥାତ୍‍, ସଦୋମ ଓ ତାହାର କନ୍ୟାଗଣର ବନ୍ଦୀତ୍ୱାବସ୍ଥା, ଶମରୀୟା ଓ ତାହାର କନ୍ୟାଗଣର ବନ୍ଦୀତ୍ୱାବସ୍ଥା, ପୁଣି, ସେମାନଙ୍କ ମଧ୍ୟବର୍ତ୍ତୀ ତୁମ୍ଭର ବନ୍ଦୀଗଣର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା;
ଯିହିଜିକଲ 16 : 54 (IRVOR)
ତହିଁରେ ତୁମ୍ଭେ ଆପଣା ଅପମାନ ଭୋଗ କରିବ ଓ ସେମାନଙ୍କ ପ୍ରତି ସାନ୍ତ୍ୱନା ସ୍ୱରୂପ ହୋଇ ଯାହା ଯାହା କରିଅଛ, ସେହିସବୁ ସକାଶୁ ଲଜ୍ଜିତ ହେବ।
ଯିହିଜିକଲ 16 : 55 (IRVOR)
ପୁଣି, ତୁମ୍ଭର ଭଗିନୀଗଣ, ଅର୍ଥାତ୍‍, ସଦୋମ ଓ ତାହାର କନ୍ୟାଗଣ ସେମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବେ, ଶମରୀୟା ଓ ତାହାର କନ୍ୟାଗଣ ସେମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବେ, ଆଉ ତୁମ୍ଭେ ଓ ତୁମ୍ଭର କନ୍ୟାଗଣ ତୁମ୍ଭମାନଙ୍କର ପୂର୍ବ ଦଶା ପ୍ରାପ୍ତ ହେବ।
ଯିହିଜିକଲ 16 : 56 (IRVOR)
କାରଣ ତୁମ୍ଭର ଆତ୍ମପ୍ରଶଂସାର ସମୟରେ ତୁମ୍ଭେ ଆପଣା ଭଗିନୀ ସଦୋମର ନାମ ମୁଖରେ ଆଣି ନ ଥିଲ।
ଯିହିଜିକଲ 16 : 57 (IRVOR)
ସେହି ସମୟରେ ତୁମ୍ଭର ଦୁଷ୍ଟତା ପ୍ରକାଶ ପାଇ ନ ଥିଲା, ପାଇଲା ଉତ୍ତାରେ ତୁମ୍ଭର ତୁଚ୍ଛକାରିଣୀ ଅରାମର କନ୍ୟାଗଣ ଓ ତାହାର ଚତୁର୍ଦ୍ଦିଗ ନିବାସିନୀ ସମସ୍ତେ, ପଲେଷ୍ଟୀୟମାନଙ୍କର କନ୍ୟାଗଣ ଚାରି ଦିଗରେ ତୁମ୍ଭର ଅପମାନ କଲେ।
ଯିହିଜିକଲ 16 : 58 (IRVOR)
ସଦାପ୍ରଭୁ କହନ୍ତି, “ତୁମ୍ଭେ ଆପଣା ବ୍ୟଭିଚାର ଓ ଘୃଣାଯୋଗ୍ୟ କ୍ରିୟାର ଭାର ବହନ କରିଅଛ।”
ଯିହିଜିକଲ 16 : 59 (IRVOR)
ଅନନ୍ତକାଳୀନ ଚୁକ୍ତି କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେ ଶପଥ ଅବଜ୍ଞା କରି ନିୟମ ଯେପରି ଭଗ୍ନ କରିଅଛ, ଆମ୍ଭେ ତୁମ୍ଭ ପ୍ରତି ସେହିରୂପ ବ୍ୟବହାର କରିବା।
ଯିହିଜିକଲ 16 : 60 (IRVOR)
ତଥାପି ତୁମ୍ଭ ଯୌବନାବସ୍ଥାରେ ତୁମ୍ଭ ସହିତ ଆମ୍ଭ କୃତ ନିୟମ ଆମ୍ଭେ ସ୍ମରଣ କରିବା ଓ ତୁମ୍ଭ ପକ୍ଷରେ ଆମ୍ଭେ ଅନନ୍ତକାଳସ୍ଥାୟୀ ଏକ ନିୟମ ସ୍ଥାପନ କରିବା।
ଯିହିଜିକଲ 16 : 61 (IRVOR)
ସେହି ସମୟରେ ଯେତେବେଳେ ତୁମ୍ଭେ ଆପଣା ଭଗିନୀଗଣକୁ, ତୁମ୍ଭର ବଡ଼ ଓ ସାନ ଭଗିନୀଗଣକୁ ଗ୍ରହଣ କରିବ, ସେତେବେଳେ ତୁମ୍ଭେ ଆପଣା ଆଚାର ବ୍ୟବହାର ସ୍ମରଣ କରି ଲଜ୍ଜିତ ହେବ; ଆଉ, ଆମ୍ଭେ ସେମାନଙ୍କୁ କନ୍ୟା ରୂପେ ତୁମ୍ଭକୁ ଦେବା, ମାତ୍ର ତୁମ୍ଭର ନିୟମାନୁକ୍ରମେ ନୁହେଁ।
ଯିହିଜିକଲ 16 : 62 (IRVOR)
ପୁଣି, ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ।
ଯିହିଜିକଲ 16 : 63 (IRVOR)
ତୁମ୍ଭେ ଯାହା ଯାହା କରିଅଛ, ତୁମ୍ଭର ସେହି ସବୁ ଯେତେବେଳେ ଆମ୍ଭେ କ୍ଷମା କରିବା, ସେତେବେଳେ ତୁମ୍ଭେ ସ୍ମରଣ କରି ଲଜ୍ଜିତ ହେବ ଓ ନିଜ ଅପମାନ ହେତୁ ଆଉ କେବେ ଆପଣା ମୁଖ ଫିଟାଇବ ନାହିଁ।” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63