ଯାତ୍ରା ପୁସ୍ତକ 39 : 1 (IRVOR)
ଯାଜକୀୟ ବସ୍ତ୍ରର ପ୍ରସ୍ତୁତି ଏଥିଉତ୍ତାରେ ଲୋକମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ର ଦ୍ୱାରା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର ପ୍ରସ୍ତୁତ କଲେ, ଆଉ ହାରୋଣଙ୍କ ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କଲେ।
ଯାତ୍ରା ପୁସ୍ତକ 39 : 2 (IRVOR)
ପୁଣି, ସେ ସୁବର୍ଣ୍ଣ ଦ୍ୱାରା, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ଏଫୋଦ-ବସ୍ତ୍ର ପ୍ରସ୍ତୁତ କଲେ।
ଯାତ୍ରା ପୁସ୍ତକ 39 : 3 (IRVOR)
ଅର୍ଥାତ୍, ସେମାନେ ସ୍ୱର୍ଣ୍ଣ ପିଟାଇ ପାତଳ ପତ୍ର କରି ଶିଳ୍ପ କର୍ମ ଦ୍ୱାରା ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ର ମଧ୍ୟରେ ବୁଣିବା ପାଇଁ ତାହା କାଟି ଜରୀ କଲେ।
ଯାତ୍ରା ପୁସ୍ତକ 39 : 4 (IRVOR)
ସେମାନେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି କଲେ; ତହିଁର ଦୁଇ ମୁଣ୍ଡରେ ପରସ୍ପର ଯୋଡ଼ ଦିଆଗଲା।
ଯାତ୍ରା ପୁସ୍ତକ 39 : 5 (IRVOR)
ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଉପରିସ୍ଥ ଯେଉଁ ଚିତ୍ରିତ ପଟୁକା ତହିଁର ଅଂଶ ଥିଲା, ତାହା ମଧ୍ୟ ସେହି କର୍ମାନୁସାରେ ସୁବର୍ଣ୍ଣ ଦ୍ୱାରା, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ନିର୍ମିତ ହେଲା।
ଯାତ୍ରା ପୁସ୍ତକ 39 : 6 (IRVOR)
ଆହୁରି ସେମାନେ ଇସ୍ରାଏଲ-ପୁତ୍ରଗଣର ନାମାନୁସାରେ ଖୋଦିତ ମୁଦ୍ରାନ୍ୟାୟ ଖୋଦିତ ଓ ସ୍ୱର୍ଣ୍ଣାଧାରରେ ଖଚିତ ଦୁଇ ଗୋମେଦକ ମଣି ପ୍ରସ୍ତୁତ କଲେ।
ଯାତ୍ରା ପୁସ୍ତକ 39 : 7 (IRVOR)
ପୁଣି, ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଦୁଇ ସ୍କନ୍ଧପଟି ଉପରେ ଇସ୍ରାଏଲ ପୁତ୍ରମାନଙ୍କ ସ୍ମରଣାର୍ଥକ ମଣି ରୂପେ ତାହା ବସାଇଲେ।
ଯାତ୍ରା ପୁସ୍ତକ 39 : 8 (IRVOR)
ଏଥିଉତ୍ତାରେ ସେ ଏଫୋଦର କର୍ମନ୍ୟାୟ ସୁବର୍ଣ୍ଣ ଦ୍ୱାରା, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ନିପୁଣ ଶିଳ୍ପକାରର କର୍ମରେ ବୁକୁପଟା ନିର୍ମାଣ କଲେ।
ଯାତ୍ରା ପୁସ୍ତକ 39 : 9 (IRVOR)
ତାହା ଚତୁଷ୍କୋଣ ଥିଲା, ଅର୍ଥାତ୍, ସେମାନେ ସେହି ବୁକୁପଟା ଦୋହରା କରି ଏକ ଚାଖଣ୍ଡ ଦୀର୍ଘ ଓ ଏକ ଚାଖଣ୍ଡ ପ୍ରସ୍ଥ କଲେ।
ଯାତ୍ରା ପୁସ୍ତକ 39 : 10 (IRVOR)
ପୁଣି, ତାହା ଚାରି ଧାଡି ମଣିରେ ଖଚିତ କଲେ; ତହିଁର ପ୍ରଥମ ଧାଡିରେ ଚୁଣି, ପୀତମଣି ଓ ମରକତ,
ଯାତ୍ରା ପୁସ୍ତକ 39 : 11 (IRVOR)
ଦ୍ୱିତୀୟ ଧାଡିରେ ପଦ୍ମରାଗ, ନୀଳକାନ୍ତ ଓ ହୀରକ,
ଯାତ୍ରା ପୁସ୍ତକ 39 : 12 (IRVOR)
ତୃତୀୟ ଧାଡିରେ ପେରୋଜ, ଯିସ୍ମ ଓ କଟାହେଳା,
ଯାତ୍ରା ପୁସ୍ତକ 39 : 13 (IRVOR)
ପୁଣି, ଚତୁର୍ଥ ଧାଡିରେ ବୈଦୁର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ ମଣି ଥିଲା; ଏହିସବୁ ମଣି ସ୍ୱର୍ଣ୍ଣାଧାରରେ ବସାଗଲା।
ଯାତ୍ରା ପୁସ୍ତକ 39 : 14 (IRVOR)
ପୁଣି, ଇସ୍ରାଏଲ-ପୁତ୍ରମାନଙ୍କ ନାମାଙ୍କିତ ଏହି ସବୁ ମଣି ସେମାନଙ୍କ ନାମାନୁସାରେ ଦ୍ୱାଦଶ ହେଲା ଓ ମୁଦ୍ରାନ୍ୟାୟ ଏକ ଏକ ମଣିରେ ଦ୍ୱାଦଶ ବଂଶର ଏକ ଏକ ନାମ ରହିଲା।
ଯାତ୍ରା ପୁସ୍ତକ 39 : 15 (IRVOR)
ଏଉତ୍ତାରେ ସେମାନେ ବୁକୁପଟାରେ ନିର୍ମଳ ସୁବର୍ଣ୍ଣ ଦ୍ୱାରା ମାଳା ତୁଲ୍ୟ ମୋଡ଼ା ଜଞ୍ଜିର ନିର୍ମାଣ କଲେ।
ଯାତ୍ରା ପୁସ୍ତକ 39 : 16 (IRVOR)
ଦୁଇ ସ୍ୱର୍ଣ୍ଣାଧାରା ଓ ଦୁଇ ସ୍ୱର୍ଣ୍ଣକଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇଲେ।
ଯାତ୍ରା ପୁସ୍ତକ 39 : 17 (IRVOR)
ଆଉ ବୁକୁପଟାର ପ୍ରାନ୍ତସ୍ଥିତ ଦୁଇ କଡ଼ା ମଧ୍ୟରେ ସେହି ଦୁଇ ମୋଡ଼ା ସ୍ୱର୍ଣ୍ଣ ଜଞ୍ଜିର ଲଗାଇଲେ।
ଯାତ୍ରା ପୁସ୍ତକ 39 : 18 (IRVOR)
ପୁଣି, ମୋଡ଼ା ଜଞ୍ଜିରର ଦୁଇ ମୁଣ୍ଡ ଦୁଇ ଆଧାରରେ ବନ୍ଦ କରି ଏଫୋଦ ବସ୍ତ୍ର ସମ୍ମୁଖସ୍ଥ ଦୁଇ ସ୍କନ୍ଧପଟି ଉପରେ ରଖିଲେ।
ଯାତ୍ରା ପୁସ୍ତକ 39 : 19 (IRVOR)
ପୁଣି, ସେମାନେ ଦୁଇ ସ୍ୱର୍ଣ୍ଣକଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ଏଫୋଦର ସମ୍ମୁଖସ୍ଥ ଭିତର ଭାଗରେ ରଖିଲେ।
ଯାତ୍ରା ପୁସ୍ତକ 39 : 20 (IRVOR)
ସେମାନେ ଆଉ ଦୁଇ ସ୍ୱର୍ଣ୍ଣକଡ଼ା କରି ଏଫୋଦର ଦୁଇ ସ୍କନ୍ଧପଟି ତଳେ ତହିଁ ସମ୍ମୁଖ ଭାଗର ଯୋଡ଼ସ୍ଥାନରେ ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିଲେ।
ଯାତ୍ରା ପୁସ୍ତକ 39 : 21 (IRVOR)
ଆଉ ବୁକୁପଟା ଯେପରି ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ଖସି ନ ପଡ଼େ, ଏଥିପାଇଁ ସେମାନେ ବୁକୁପଟାକୁ ନିଜ କଡ଼ାରେ ନୀଳ ସୂତ୍ର ଦ୍ୱାରା ଏଫୋଦର କଡ଼ା ସହିତ ବନ୍ଦ କରି ରଖିଲେ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କରାଗଲା।
ଯାତ୍ରା ପୁସ୍ତକ 39 : 22 (IRVOR)
ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ବୁଣା କର୍ମରେ ଏଫୋଦର ଚୋଗା ସମ୍ପୂର୍ଣ୍ଣ ନୀଳ ବର୍ଣ୍ଣ କଲେ।
ଯାତ୍ରା ପୁସ୍ତକ 39 : 23 (IRVOR)
ସେହି ଚୋଗାର ମଧ୍ୟସ୍ଥଳରେ ସାଞ୍ଜୁଆର ଗଳଦେଶନ୍ୟାୟ ଛିଦ୍ର ଥିଲା; ତାହା ଯେପରି ଛିଣ୍ଡି ନ ଯାଏ, ଏଥିପାଇଁ ସେହି ଗଳାର ଚାରି ପାଖରେ ବୁଣା କର୍ମ ଥିଲା।
ଯାତ୍ରା ପୁସ୍ତକ 39 : 24 (IRVOR)
ପୁଣି, ସେମାନେ ଚୋଗାର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ବଳା ସୂତ୍ରରେ ଡାଳିମ୍ବ ନିର୍ମାଣ କଲେ।
ଯାତ୍ରା ପୁସ୍ତକ 39 : 25 (IRVOR)
ଆଉ ସେମାନେ ଡାଳିମ୍ବ ମଧ୍ୟରେ ନିର୍ମଳ ସ୍ୱର୍ଣ୍ଣ ଦ୍ୱାରା ଘଣ୍ଟି କରି ଚୋଗା ଅଞ୍ଚଳର ଚାରିଆଡ଼ରେ ଡାଳିମ୍ବର ମଧ୍ୟେ ମଧ୍ୟେ ରଖିଲେ;
ଯାତ୍ରା ପୁସ୍ତକ 39 : 26 (IRVOR)
ଅର୍ଥାତ୍, ସେବାକରଣାର୍ଥକ ଚୋଗା ଅଞ୍ଚଳର ଚାରିଆଡ଼ରେ ଏକ ଘଣ୍ଟି ଉତ୍ତାରୁ ଏକ ଡାଳିମ୍ବ ଓ ଏକ ଘଣ୍ଟି ଉତ୍ତାରୁ ଏକ ଡାଳିମ୍ବ, ଏହିରୂପେ କଲେ।
ଯାତ୍ରା ପୁସ୍ତକ 39 : 27 (IRVOR)
ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ହାରୋଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ଶୁଭ୍ର କ୍ଷୌମସୂତ୍ର ଦ୍ୱାରା ତନ୍ତୁବାୟ ନିର୍ମିତ ଜାମା
ଯାତ୍ରା ପୁସ୍ତକ 39 : 28 (IRVOR)
ଓ ଶୁଭ୍ର କ୍ଷୌମସୂତ୍ର ନିର୍ମିତ ପଗଡି, ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଶିରୋଭୂଷଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଶୁକ୍ଳ ଜଙ୍ଘିଆ ପ୍ରସ୍ତୁତ କଲେ।
ଯାତ୍ରା ପୁସ୍ତକ 39 : 29 (IRVOR)
ଆଉ ବଳା ଶୁଭ୍ର କ୍ଷୋମ, ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ରରେ ସୂଚି କର୍ମ ବିଶିଷ୍ଟ ଏକ କଟିବନ୍ଧନ ପ୍ରସ୍ତୁତ କଲେ।
ଯାତ୍ରା ପୁସ୍ତକ 39 : 30 (IRVOR)
ଏଥିଉତ୍ତାରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ନିର୍ମଳ ସୁବର୍ଣ୍ଣରେ ପବିତ୍ର ମୁକୁଟର ପତ୍ର ପ୍ରସ୍ତୁତ କରି ଖୋଦିତ ମୁଦ୍ରାନ୍ୟାୟ ତହିଁ ଉପରେ “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର” ଏହା ଲେଖିଲେ।
ଯାତ୍ରା ପୁସ୍ତକ 39 : 31 (IRVOR)
ପୁଣି, ଉର୍ଦ୍ଧ୍ୱରେ ପାଗ ଉପରେ ରଖିବା ନିମନ୍ତେ ତାହା ନୀଳ ସୂତ୍ରରେ ବାନ୍ଧିଲେ।
ଯାତ୍ରା ପୁସ୍ତକ 39 : 32 (IRVOR)
ଆବାସର ସମସ୍ତ ନିର୍ମାଣ କାର୍ଯ୍ୟର ସମାପ୍ତି ଏହି ପ୍ରକାରେ ସମାଗମ-ତମ୍ବୁରୂପ ଆବାସର ସମସ୍ତ କାର୍ଯ୍ୟ ସମାପ୍ତ ହେଲା; ଇସ୍ରାଏଲ ସନ୍ତାନଗଣ ତାହା କଲେ, ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ସମସ୍ତ କର୍ମ କଲେ।
ଯାତ୍ରା ପୁସ୍ତକ 39 : 33 (IRVOR)
ଏଥିଉତ୍ତାରେ ସେମାନେ ମୋଶାଙ୍କ ନିକଟକୁ ସେହି ଆବାସ ଆଣିଲେ, ଅର୍ଥାତ୍, ତମ୍ବୁ ଓ ତହିଁର ସକଳ ପାତ୍ର, ଆଙ୍କୁଡ଼ା, ପଟା, ଅର୍ଗଳ, ଆଉ ସ୍ତମ୍ଭ ଓ ଚୁଙ୍ଗୀ;
ଯାତ୍ରା ପୁସ୍ତକ 39 : 34 (IRVOR)
ପୁଣି, ରକ୍ତୀକୃତ ମେଷଚର୍ମ ନିର୍ମିତ ଛାତ ଓ ଶିଶୁକଚର୍ମ ନିର୍ମିତ ଛାତ ଓ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର;
ଯାତ୍ରା ପୁସ୍ତକ 39 : 35 (IRVOR)
ସାକ୍ଷ୍ୟ ସିନ୍ଦୁକ, ତହିଁର ସାଙ୍ଗୀ ଓ ପାପାଚ୍ଛାଦନ
ଯାତ୍ରା ପୁସ୍ତକ 39 : 36 (IRVOR)
ମେଜ, ତହିଁର ସକଳ ପାତ୍ର ଓ ଦର୍ଶନୀୟ ରୁଟି,
ଯାତ୍ରା ପୁସ୍ତକ 39 : 37 (IRVOR)
ନିର୍ମଳ ଦୀପବୃକ୍ଷ, ତହିଁର ପ୍ରଦୀପ, ଅର୍ଥାତ୍, ପ୍ରଦୀପାବଳୀ ଓ ତହିଁର ସକଳ ପାତ୍ର ଓ ଦୀପାର୍ଥକ ତୈଳ;
ଯାତ୍ରା ପୁସ୍ତକ 39 : 38 (IRVOR)
ଆଉ ସ୍ୱର୍ଣ୍ଣମୟ ବେଦି, ଅଭିଷେକାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ ଓ ତମ୍ବୁଦ୍ୱାରର ଆଚ୍ଛାଦନ ବସ୍ତ୍ର;
ଯାତ୍ରା ପୁସ୍ତକ 39 : 39 (IRVOR)
ପିତ୍ତଳର ବେଦି ଓ ତହିଁର ପିତ୍ତଳ-ଝାଞ୍ଜିରୀ, ତହିଁର ସାଙ୍ଗୀ ଓ ସକଳ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି;
ଯାତ୍ରା ପୁସ୍ତକ 39 : 40 (IRVOR)
ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଓ ଚୁଙ୍ଗୀ ଓ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର, ତହିଁର ରଜ୍ଜୁ ଓ ମେଖ ଓ ସମାଗମ-ତମ୍ବୁ ନିମନ୍ତେ ଆବାସର କାର୍ଯ୍ୟ ସମ୍ବନ୍ଧୀୟ ସକଳ ପାତ୍ର;
ଯାତ୍ରା ପୁସ୍ତକ 39 : 41 (IRVOR)
ପବିତ୍ର ସ୍ଥାନରେ ସେବାକରଣାର୍ଥକ ସୁଶୋଭିତ ବସ୍ତ୍ର, ଅର୍ଥାତ୍, ହାରୋଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରମାନଙ୍କର ଯାଜକ କର୍ମ ସମ୍ବନ୍ଧୀୟ ବସ୍ତ୍ର,
ଯାତ୍ରା ପୁସ୍ତକ 39 : 42 (IRVOR)
ଇତ୍ୟାଦି ଯେଉଁ ଯେଉଁ କାର୍ଯ୍ୟ କରିବାକୁ ମୋଶାଙ୍କ ପ୍ରତି ସଦାପ୍ରଭୁ ଆଜ୍ଞା ଦେଇଥିଲେ, ଇସ୍ରାଏଲ ସନ୍ତାନଗଣ ତାହାସବୁ ସମ୍ପନ୍ନ କଲେ।
ଯାତ୍ରା ପୁସ୍ତକ 39 : 43 (IRVOR)
ଏଥିରେ ମୋଶା ସେହି ସମସ୍ତ କାର୍ଯ୍ୟ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସେମାନେ ସବୁ କରିଅଛନ୍ତି; ସଦାପ୍ରଭୁ ଯେପରି ଆଜ୍ଞା ଦେଇଥିଲେ, ସେମାନେ ସେହିପରି ସବୁ କରିଥିଲେ; ତହିଁରେ ମୋଶା ସେମାନଙ୍କୁ ଆଶୀର୍ବାଦ କଲେ।
❮
❯