ଯାତ୍ରା ପୁସ୍ତକ 29 : 1 (IRVOR)
ଯାଜକ ରୂପେ ଅଭିଷିକ୍ତ ହେବାର ବିଧି ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ସେମାନଙ୍କୁ ପ୍ରତିଷ୍ଠା କରିବା ପାଇଁ ତୁମ୍ଭେ ସେମାନଙ୍କ ପ୍ରତି ଏହି ସମସ୍ତ କର୍ମ କରିବ; ନିଖୁନ୍ତ ଏକ ଗୋବତ୍ସ ଓ ଦୁଇ ମେଷ ନେବ,
ଯାତ୍ରା ପୁସ୍ତକ 29 : 2 (IRVOR)
ପୁଣି, ତାଡ଼ିଶୂନ୍ୟ ରୁଟି, ତୈଳ ମିଶ୍ରିତ ତାଡ଼ିଶୂନ୍ୟ ପିଠା ଓ ତୈଳଯୁକ୍ତ ତାଡ଼ିଶୂନ୍ୟ ସରୁ ଚକୁଳି ଗହମ ମଇଦାରେ ପ୍ରସ୍ତୁତ କରିବ।
ଯାତ୍ରା ପୁସ୍ତକ 29 : 3 (IRVOR)
ପୁଣି, ଗୋଟିଏ ଡାଲାରେ ତାହା ରଖିବ, ସେହି ଗୋବତ୍ସ ଓ ଦୁଇ ମେଷ ସଙ୍ଗରେ ଘେନି ସେହି ଡାଲା ଆଣିବ।
ଯାତ୍ରା ପୁସ୍ତକ 29 : 4 (IRVOR)
ଆଉ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ବୁ-ଦ୍ୱାର ନିକଟକୁ ଆଣି ଜଳରେ ସେମାନଙ୍କୁ ସ୍ନାନ କରାଇବ।
ଯାତ୍ରା ପୁସ୍ତକ 29 : 5 (IRVOR)
ତା’ପରେ ସେହି ସମସ୍ତ ବସ୍ତ୍ର ନେଇ ହାରୋଣକୁ ଜାମା, ଏଫୋଦର ଚୋଗା, ଏଫୋଦ ଓ ବୁକୁପଟା ପରିଧାନ କରାଇବ, ଆଉ ଏଫୋଦର ଚିତ୍ରିତ ପଟୁକାରେ ତାହାର କଟି ବାନ୍ଧିବ।
ଯାତ୍ରା ପୁସ୍ତକ 29 : 6 (IRVOR)
ତାହାର ମସ୍ତକରେ ପଗଡ଼ି ବାନ୍ଧି ତହିଁ ଉପରେ ପବିତ୍ର ମୁକୁଟ ଦେବ।
ଯାତ୍ରା ପୁସ୍ତକ 29 : 7 (IRVOR)
ଏଉତ୍ତାରେ ଅଭିଷେକାର୍ଥକ ତୈଳ ଘେନି ତାହାର ମସ୍ତକ ଉପରେ ଢ଼ାଳି ତାହାକୁ ଅଭିଷେକ କରିବ।
ଯାତ୍ରା ପୁସ୍ତକ 29 : 8 (IRVOR)
ତହୁଁ ତୁମ୍ଭେ ହାରୋଣର ପୁତ୍ରଗଣକୁ ଆଣି ଜାମା ପରିଧାନ କରାଇବ।
ଯାତ୍ରା ପୁସ୍ତକ 29 : 9 (IRVOR)
ପୁଣି, ହାରୋଣକୁ ଓ ତାହାର ପୁତ୍ରଗଣକୁ କଟିବନ୍ଧନ ପରିଧାନ କରାଇବ ଓ ସେମାନଙ୍କ ମସ୍ତକରେ ଶିରୋଭୂଷଣ ବାନ୍ଧିବ; ତହିଁରେ ସେମାନେ ଅନନ୍ତକାଳୀନ ବିଧି ଦ୍ୱାରା ଯାଜକତ୍ୱ ପଦ ପ୍ରାପ୍ତ ହେବେ। ଏହିରୂପେ ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ନିଯୁକ୍ତ କରିବ।
ଯାତ୍ରା ପୁସ୍ତକ 29 : 10 (IRVOR)
ଏଥିଉତ୍ତାରେ ତୁମ୍ଭେ ସମାଗମ-ତମ୍ବୁ ସମ୍ମୁଖକୁ ସେହି ଗୋବତ୍ସ ଅଣାଇବ, ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସେହି ଗୋବତ୍ସର ମସ୍ତକରେ ଆପଣା ଆପଣା ହସ୍ତ ରଖିବେ।
ଯାତ୍ରା ପୁସ୍ତକ 29 : 11 (IRVOR)
ତହୁଁ ତୁମ୍ଭେ ସମାଗମ-ତମ୍ବୁର ଦ୍ୱାର ସମୀପରେ ସଦାପ୍ରଭୁଙ୍କ ଛାମୁରେ ସେହି ଗୋବତ୍ସକୁ ବଧ କରିବ।
ଯାତ୍ରା ପୁସ୍ତକ 29 : 12 (IRVOR)
ଏଥିଉତ୍ତାରେ ଗୋବତ୍ସର ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ବେଦିର ଶୃଙ୍ଗ ଉପରେ ଦେବ, ପୁଣି, ବେଦି ମୂଳରେ ଆଉ ସବୁ ରକ୍ତ ଢାଳି ଦେବ।
ଯାତ୍ରା ପୁସ୍ତକ 29 : 13 (IRVOR)
ଆଉ ତାହାର ଅନ୍ତ୍ରୋପରିସ୍ଥିତ ମେଦ ଓ ଯକୃତ ଉପରିସ୍ଥ ଅନ୍ତ୍ରାପ୍ଳାବକ ଓ ଦୁଇ ବୃକ୍କ ଓ ତହିଁ ଉପରିସ୍ଥ ମେଦ ଘେନି ବେଦିରେ ଦଗ୍ଧ କରିବ।
ଯାତ୍ରା ପୁସ୍ତକ 29 : 14 (IRVOR)
ମାତ୍ର ଗୋବତ୍ସର ମାଂସ, ଚର୍ମ ଓ ଗୋମୟ ଛାଉଣିର ବାହାରେ ଅଗ୍ନିରେ ଦଗ୍ଧ କରିବ; ଏହା ପାପାର୍ଥକ ବଳି ଅଟେ।
ଯାତ୍ରା ପୁସ୍ତକ 29 : 15 (IRVOR)
ଏଥିଉତ୍ତାରେ ତୁମ୍ଭେ ପ୍ରଥମ ମେଷ ନେବ; ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସେହି ମେଷର ମସ୍ତକରେ ଆପଣା ଆପଣା ହସ୍ତ ରଖିବେ।
ଯାତ୍ରା ପୁସ୍ତକ 29 : 16 (IRVOR)
ତହୁଁ ତୁମ୍ଭେ ସେହି ମେଷକୁ ବଧ କରି ତାହାର ରକ୍ତ ନେଇ ବେଦି ଉପରେ ଚାରିଆଡ଼େ ଛିଞ୍ଚିବ।
ଯାତ୍ରା ପୁସ୍ତକ 29 : 17 (IRVOR)
ତହିଁ ଉତ୍ତାରେ ମେଷକୁ ଖଣ୍ଡ ଖଣ୍ଡ କରି ତାହାର ଅନ୍ତ୍ର ଓ ଗୋଡ଼ ଧୌତ କରି ତାହାସବୁ ସେହି ଖଣ୍ଡସକଳ ଓ ମସ୍ତକ ସହ ରଖିବ।
ଯାତ୍ରା ପୁସ୍ତକ 29 : 18 (IRVOR)
ପୁଣି, ତୁମ୍ଭେ ସମ୍ପୂର୍ଣ୍ଣ ମେଷକୁ ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କର ହୋମବଳି ଓ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଅଟେ।
ଯାତ୍ରା ପୁସ୍ତକ 29 : 19 (IRVOR)
ଏଥିଉତ୍ତାରେ ତୁମ୍ଭେ ଦ୍ୱିତୀୟ ମେଷକୁ ନେବ, ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସେହି ମେଷର ମସ୍ତକରେ ଆପଣା ଆପଣା ହସ୍ତ ରଖିବେ।
ଯାତ୍ରା ପୁସ୍ତକ 29 : 20 (IRVOR)
ତହୁଁ ତୁମ୍ଭେ ସେହି ମେଷକୁ ବଧ କରି ତାହାର କିଛି ରକ୍ତ ଘେନି ହାରୋଣର ଦକ୍ଷିଣ କର୍ଣ୍ଣ-ପ୍ରାନ୍ତରେ ଓ ତାହାର ପୁତ୍ରଗଣର ଦକ୍ଷିଣ କର୍ଣ୍ଣ-ପ୍ରାନ୍ତରେ, ସେମାନଙ୍କ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଷ୍ଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଷ୍ଠି ଉପରେ ଲଗାଇବ, ପୁଣି, ବେଦି ଉପରେ ଚାରିଆଡ଼େ ରକ୍ତ ଛିଞ୍ଚିବ।
ଯାତ୍ରା ପୁସ୍ତକ 29 : 21 (IRVOR)
ଏଥିଉତ୍ତାରେ ବେଦିର ଉପରିସ୍ଥିତ ରକ୍ତରୁ ଓ ଅଭିଷେକାର୍ଥକ ତୈଳରୁ କିଛି ନେଇ ହାରୋଣ ଉପରେ ଓ ତାହାର ବସ୍ତ୍ର ଉପରେ, ପୁଣି, ତାହା ସହିତ ତାହାର ପୁତ୍ରଗଣ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ଛିଞ୍ଚିବ; ତହିଁରେ ସେ ଓ ତାହା ସହିତ ତାହାର ବସ୍ତ୍ର, ପୁଣି, ତାହାର ପୁତ୍ରଗଣ ଓ ସେମାନଙ୍କ ବସ୍ତ୍ର ପବିତ୍ର ହେବ।
ଯାତ୍ରା ପୁସ୍ତକ 29 : 22 (IRVOR)
ଆହୁରି, ତୁମ୍ଭେ ସେହି ମେଷର ମେଦ, ମେଦମୟ ଲାଙ୍ଗୁଳ, ଅନ୍ତ୍ର ଉପରିସ୍ଥ ମେଦ, ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ, ଦୁଇ ଗୁର୍ଦା, ତହିଁ ଉପରିସ୍ଥ ମେଦ ଓ ଡାହାଣ ଚଟୁଆ ନେବ, ଯେହେତୁ ତାହା ଉତ୍ସର୍ଗୀକୃତ ମେଷ ଅଟେ।
ଯାତ୍ରା ପୁସ୍ତକ 29 : 23 (IRVOR)
ପୁଣି, ସଦାପ୍ରଭୁଙ୍କ ଛାମୁସ୍ଥିତ ତାଡ଼ିଶୂନ୍ୟ ରୁଟିର ଡାଲାରୁ ଏକ ରୁଟି, ତୈଳ ମିଶ୍ରିତ ଏକ ପିଠା ଓ ଏକ ସରୁ ଚକୁଳି ନେଇ
ଯାତ୍ରା ପୁସ୍ତକ 29 : 24 (IRVOR)
ତାହାସବୁ ହାରୋଣର ହସ୍ତରେ ଓ ତାହାର ପୁତ୍ରଗଣ ହସ୍ତରେ ଦେଇ ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ତାହା ଦୋଳାଇବ।
ଯାତ୍ରା ପୁସ୍ତକ 29 : 25 (IRVOR)
ଏଥିଉତ୍ତାରେ ତୁମ୍ଭେ ସେମାନଙ୍କ ହସ୍ତରୁ ତାହାସବୁ ନେଇ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଛାମୁରେ ବେଦିରେ ହୋମାର୍ଥକ ବଳି ଉପରେ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଅଟେ।
ଯାତ୍ରା ପୁସ୍ତକ 29 : 26 (IRVOR)
ଏଥିଉତ୍ତାରେ ତୁମ୍ଭେ ହାରୋଣର ଉତ୍ସର୍ଗୀକୃତ ମେଷର ବକ୍ଷ ଘେନି ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ଦୋଳାଇବ; ସେହି ଖଣ୍ଡ ତୁମ୍ଭର ଅଂଶ ହେବ।
ଯାତ୍ରା ପୁସ୍ତକ 29 : 27 (IRVOR)
ଆଉ ହାରୋଣର ଓ ତାହାର ପୁତ୍ରଗଣର ପଦନିଯୋଗାର୍ଥକ ମେଷର ଯେଉଁ ବୁକୁ ରୂପ ଦୋଳନୀୟ ନୈବେଦ୍ୟ ଦୋଳାୟିତ ଓ ଯେଉଁ ଚଟୁଆ ରୂପ ଉତ୍ତୋଳନୀୟ ଉପହାର ଉତ୍ତୋଳିତ ହେଲା, ତାହା ତୁମ୍ଭେ ପବିତ୍ର କରିବ।
ଯାତ୍ରା ପୁସ୍ତକ 29 : 28 (IRVOR)
ତହିଁରେ ଅନନ୍ତକାଳୀନ ବିଧି ଦ୍ୱାରା ଇସ୍ରାଏଲ ସନ୍ତାନଗଣଠାରୁ ତାହା ହାରୋଣର ଓ ତାହାର ପୁତ୍ରଗଣର ଅଧିକାର ହେବ, ଯେହେତୁ ତାହା ଉତ୍ତୋଳନୀୟ ଉପହାର ଅଟେ; ଇସ୍ରାଏଲ ସନ୍ତାନଗଣର ଏହି ଉତ୍ତୋଳନୀୟ ଉପହାର ସେମାନଙ୍କ ମଙ୍ଗଳାର୍ଥକ ବଳିରୁ ଦେୟ ହେବ; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ଉତ୍ତୋଳନୀୟ ଉପହାର ଅଟେ।
ଯାତ୍ରା ପୁସ୍ତକ 29 : 29 (IRVOR)
ପୁଣି, ହାରୋଣର (ମୁତ୍ୟୁ) ଉତ୍ତାରେ ତାହାର ପବିତ୍ର ବସ୍ତ୍ରସକଳ ତାହାର ପୁତ୍ରଗଣର ହେବ; ଅଭିଷେକ ଓ ପଦ ନିଯୁକ୍ତି ସମୟରେ ସେମାନେ ତାହା ପରିଧାନ କରିବେ।
ଯାତ୍ରା ପୁସ୍ତକ 29 : 30 (IRVOR)
ତାହାର ପୁତ୍ରମାନଙ୍କ ମଧ୍ୟରୁ ଯେଉଁ ଲୋକ ତାହା ପଦରେ ଯାଜକ ହୋଇ ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସମାଗମ-ତମ୍ବୁକୁ ଆସିବ, ସେ ସେହି ବସ୍ତ୍ର ସାତ ଦିନ ପରିଧାନ କରିବ।
ଯାତ୍ରା ପୁସ୍ତକ 29 : 31 (IRVOR)
ଏଥିଉତ୍ତାରେ ତୁମ୍ଭେ ସେହି ଉତ୍ସର୍ଗୀକୃତ ମେଷର ମାଂସ ଘେନି ଗୋଟିଏ ପବିତ୍ର ସ୍ଥାନରେ ପାକ କରିବ,
ଯାତ୍ରା ପୁସ୍ତକ 29 : 32 (IRVOR)
ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ବୁର ଦ୍ୱାର ନିକଟରେ ସେହି ମେଷ ମାଂସ ଓ ଡାଲାସ୍ଥିତ ସେହି ରୁଟି ଭୋଜନ କରିବେ।
ଯାତ୍ରା ପୁସ୍ତକ 29 : 33 (IRVOR)
ପୁଣି, ସେମାନଙ୍କୁ ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହା ଦ୍ୱାରା ପ୍ରାୟଶ୍ଚିତ୍ତ ହେଲା, ତାହା ସେମାନେ ଭୋଜନ କରିବେ; ମାତ୍ର କୌଣସି ଅନ୍ୟ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ, କାରଣ ତାହା ସବୁ ପବିତ୍ର ବସ୍ତୁ।
ଯାତ୍ରା ପୁସ୍ତକ 29 : 34 (IRVOR)
ଆଉ ସେହି ପଦ-ନିଯୋଗାର୍ଥକ ମାଂସ ଓ ରୁଟିରୁ ଯଦି ପ୍ରଭାତ ପର୍ଯ୍ୟନ୍ତ କିଛି ଅବଶିଷ୍ଟ ରହିବ, ତେବେ ସେହି ଅବଶିଷ୍ଟାଂଶ ଅଗ୍ନିରେ ଭସ୍ମସାତ୍ କରିବ, କେହି ତାହା ଖାଇବ ନାହିଁ; କାରଣ ତାହା ପବିତ୍ର ବସ୍ତୁ ଅଟେ।
ଯାତ୍ରା ପୁସ୍ତକ 29 : 35 (IRVOR)
ଆମ୍ଭେ ତୁମ୍ଭକୁ ଯେପରି ଆଜ୍ଞା ଦେଇଅଛୁ , ତଦନୁସାରେ ତୁମ୍ଭେ ହାରୋଣ ପ୍ରତି ଓ ତାହାର ପୁତ୍ରଗଣ ପ୍ରତି କରିବ; ସେମାନଙ୍କ ଉତ୍ସର୍ଗୀକୃତରେ ସାତଦିନ ଲାଗିବ।
ଯାତ୍ରା ପୁସ୍ତକ 29 : 36 (IRVOR)
ଆଉ ତୁମ୍ଭେ ପ୍ରାୟଶ୍ଚିତ୍ତ ନିମନ୍ତେ ପ୍ରତି ଦିନ ପାପାର୍ଥକ ବଳି ରୂପେ ଏକ ପୁଂଗୋବତ୍ସ ଉତ୍ସର୍ଗ କରିବ, ପୁଣି, ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ତାହା ପାପମୁକ୍ତ କରିବ ଓ ତାହା ପବିତ୍ର କରିବା ପାଇଁ ଅଭିଷେକ କରିବ।
ଯାତ୍ରା ପୁସ୍ତକ 29 : 37 (IRVOR)
ତୁମ୍ଭେ ବେଦି ନିମନ୍ତେ ସାତ ଦିନ ପ୍ରାୟଶ୍ଚିତ୍ତ କରି ତାହା ପବିତ୍ର କରିବ; ତହିଁରେ ବେଦି ମହାପବିତ୍ର ହେବ, ପୁଣି, ଯାହା କିଛି ବେଦି ସ୍ପର୍ଶ କରେ, ସେସବୁ ପବିତ୍ର ହେବ।
ଯାତ୍ରା ପୁସ୍ତକ 29 : 38 (IRVOR)
ଦୈନନ୍ଦିନ ନୈବେଦ୍ୟ ସେହି ବେଦି ଉପରେ ତୁମ୍ଭେ ଏହି ବଳି ଉତ୍ସର୍ଗ କରିବ; ତୁମ୍ଭେ ନିୟମିତ ଭାବରେ ପ୍ରତିଦିନ ଏକ ବର୍ଷୀୟ ଦୁଇ ମେଷଶାବକ,
ଯାତ୍ରା ପୁସ୍ତକ 29 : 39 (IRVOR)
ଅର୍ଥାତ୍, ତାହାର ପ୍ରଥମ ମେଷଶାବକକୁ ପ୍ରଭାତରେ ଉତ୍ସର୍ଗ କରିବ ଓ ଦ୍ୱିତୀୟ ମେଷଶାବକକୁ ସନ୍ଧ୍ୟା ବେଳେ ଉତ୍ସର୍ଗ କରିବ।
ଯାତ୍ରା ପୁସ୍ତକ 29 : 40 (IRVOR)
ପୁଣି, ପ୍ରଥମ ମେଷଶାବକ ସହିତ ହିନ୍ପାତ୍ରର ଚତୁର୍ଥାଂଶ ନିର୍ମଳ ପେଷା ତୈଳରେ ମିଶ୍ରିତ ଏକ ଐଫାର* ଅର୍ଥାତ୍ ଏକ କିଲୋ ମଇଦା ପୁଣି ତୈଳ ଦଶମାଂଶ ମଇଦା ଓ ପେୟ ନୈବେଦ୍ୟ ନିମନ୍ତେ ହିନ୍ର ଚତୁର୍ଥାଂଶ ଦ୍ରାକ୍ଷାରସ ଦେବ।
ଯାତ୍ରା ପୁସ୍ତକ 29 : 41 (IRVOR)
ଆଉ ସନ୍ଧ୍ୟା ସମୟରେ ଦ୍ୱିତୀୟ ମେଷଶାବକ ଉତ୍ସର୍ଗ କରିବ, ପୁଣି, ପ୍ରଭାତର ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ପ୍ରମାଣେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ସ୍ୱରୂପେ ତାହା ଉତ୍ସର୍ଗ କରିବ।
ଯାତ୍ରା ପୁସ୍ତକ 29 : 42 (IRVOR)
ଏହା ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ନିତ୍ୟ (କର୍ତ୍ତବ୍ୟ) ହୋମ ହେବ; ସେହି ସ୍ଥାନରେ ଆମ୍ଭେ ତୁମ୍ଭ ସହିତ ଆଳାପ କରିବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବା।
ଯାତ୍ରା ପୁସ୍ତକ 29 : 43 (IRVOR)
ଆଉ ସେହି ସ୍ଥାନରେ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ସହିତ ସାକ୍ଷାତ କରିବା; ପୁଣି, ଆମ୍ଭ ପ୍ରତାପରେ (ତମ୍ବୁ) ପବିତ୍ରୀକୃତ ହେବ।
ଯାତ୍ରା ପୁସ୍ତକ 29 : 44 (IRVOR)
ଆଉ, ଆମ୍ଭେ ସମାଗମ-ତମ୍ବୁ ଓ ବେଦିକୁ ପବିତ୍ର କରିବା, ପୁଣି, ଆମ୍ଭର ଯାଜକ କର୍ମ କରଣାର୍ଥେ ହାରୋଣକୁ ଓ ତାହାର ପୁତ୍ରଗଣକୁ ପବିତ୍ର କରିବା।
ଯାତ୍ରା ପୁସ୍ତକ 29 : 45 (IRVOR)
ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ବାସ କରି ସେମାନଙ୍କର ପରମେଶ୍ୱର ହେବା।
ଯାତ୍ରା ପୁସ୍ତକ 29 : 46 (IRVOR)
ତହିଁରେ ଆମ୍ଭେ ଯେ ସେମାନଙ୍କର ସଦାପ୍ରଭୁ ପରମେଶ୍ୱର, ସେମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ମିସର ଦେଶରୁ ସେମାନଙ୍କୁ ବାହାର କରି ଆଣିଅଛୁ, ତାହା ସେମାନେ ଜାଣିବେ; ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର।
❮
❯