ଦାନିଏଲ 4 : 1 (IRVOR)
{ନବୂଖଦ୍‍ନିତ୍ସରଙ୍କ ଈଶ୍ୱର ବନ୍ଦନା } ସମୁଦାୟ ପୃଥିବୀନିବାସୀ ଯାବତୀୟ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୂଖଦ୍‍ନିତ୍ସର ରାଜାର (ବିଜ୍ଞାପନ); ତୁମ୍ଭମାନଙ୍କର ବାହୁଲ୍ୟ ରୂପେ ଶାନ୍ତି ହେଉ।
ଦାନିଏଲ 4 : 2 (IRVOR)
ସର୍ବୋପରିସ୍ଥ ପରମେଶ୍ୱର ମୋର ପକ୍ଷରେ ଯେଉଁ ଯେଉଁ ଚିହ୍ନ ଓ ଆଶ୍ଚର୍ଯ୍ୟ କ୍ରିୟା ସାଧନ କରିଅଛନ୍ତି, ତାହାସବୁ ପ୍ରଚାର କରିବାକୁ ମୋର ଉଚିତ୍ ବୋଧ ହେଲା।
ଦାନିଏଲ 4 : 3 (IRVOR)
ତାହାଙ୍କର ଚିହ୍ନସକଳ କିପରି ମହତ ଓ ତାହାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ କିପରି ପ୍ରଭାବିଶିଷ୍ଟ ! ତାହାଙ୍କର ରାଜ୍ୟ ଅନନ୍ତକାଳୀନ ରାଜ୍ୟ ଓ ତାହାଙ୍କର କର୍ତ୍ତୃତ୍ୱ ପୁରୁଷାନୁକ୍ରମେ ଥାଏ।
ଦାନିଏଲ 4 : 4 (IRVOR)
{ନବୂଖଦ୍‍ନିତ୍ସରଙ୍କ ଦ୍ୱିତୀୟ ସ୍ୱପ୍ନ } ମୁଁ ନବୂଖଦ୍‍ନିତ୍ସର ଆପଣା ଗୃହରେ ଶାନ୍ତିରେ ଥିଲି ଓ ଆପଣା ପ୍ରାସାଦରେ ତେଜସ୍ୱୀ ଥିଲି।
ଦାନିଏଲ 4 : 5 (IRVOR)
ମୁଁ ଗୋଟିଏ ସ୍ୱପ୍ନ ଦେଖିଲି, ତାହା ମୋତେ ଭୀତ କରାଇଲା ଓ ଶଯ୍ୟା ଉପରେ ମୋର ଚିନ୍ତା ଓ ମନର ଦର୍ଶନ ମୋତେ ଉଦ୍‍ବିଗ୍ନ କଲା।
ଦାନିଏଲ 4 : 6 (IRVOR)
ଏହେତୁ ସ୍ୱପ୍ନର ଅର୍ଥ ମୋତେ ଜଣାଇବା ନିମନ୍ତେ ମୁଁ ବାବିଲର ସମସ୍ତ ବିଦ୍ୱାନ୍‍ ଲୋକଙ୍କୁ ମୋ’ ନିକଟକୁ ଆଣିବା ପାଇଁ ଆଜ୍ଞା କଲି;
ଦାନିଏଲ 4 : 7 (IRVOR)
ତହିଁରେ ମନ୍ତ୍ରବେତ୍ତା, ଗଣକ, କଲ୍‍ଦୀୟ ଓ ଶୁଭାଶୁଭବାଦୀମାନେ ମୋ’ ନିକଟକୁ ଆସିଲେ; ପୁଣି, ମୁଁ ସେମାନଙ୍କୁ ସ୍ୱପ୍ନ ଜଣାଇଲି; ମାତ୍ର ସେମାନେ ତହିଁର ଅର୍ଥ ମୋତେ କହି ପାରିଲେ ନାହିଁ।
ଦାନିଏଲ 4 : 8 (IRVOR)
ମାତ୍ର ଅବଶେଷରେ ମୋ’ ଦେବତାର ନାମାନୁସାରେ ବେଲ୍‍ଟଶତ୍ସର ନାମବିଶିଷ୍ଟ ଦାନିୟେଲ ମୋ’ ନିକଟକୁ ଆସିଲେ, ତାଙ୍କ ଅନ୍ତରରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି; ପୁଣି, ମୁଁ ତାଙ୍କୁ ସ୍ୱପ୍ନଟି ଜଣାଇ କହିଲି,
ଦାନିଏଲ 4 : 9 (IRVOR)
ହେ ମନ୍ତ୍ରବେତ୍ତାଗଣର ଅଧ୍ୟକ୍ଷ ବେଲ୍‍ଟଶତ୍ସର, ମୁଁ ଜାଣେ, ପବିତ୍ର ଦେବଗଣର ଆତ୍ମା ତୁମ୍ଭ ଅନ୍ତରେ ଅଛନ୍ତି ଓ କୌଣସି ନିଗୂଢ଼ ବାକ୍ୟ ତୁମ୍ଭ ପ୍ରତି କଷ୍ଟକର ହୁଏ ନାହିଁ, ଏଥିପାଇଁ ମୁଁ ସ୍ୱପ୍ନରେ ଯେଉଁ ଯେଉଁ ଦର୍ଶନ ପାଇଅଛି, ତାହା ଓ ତହିଁର ଅର୍ଥ ମୋତେ ଜଣାଅ।
ଦାନିଏଲ 4 : 10 (IRVOR)
ଶଯ୍ୟା ଉପରେ ମୋ’ ମନର ଦର୍ଶନ ଏହି ପ୍ରକାର ଥିଲା; ମୁଁ ଅନାଇଲି, ଆଉ ଦେଖ, ଭୂମଣ୍ଡଳର ମଧ୍ୟସ୍ଥଳରେ ଏକ ବୃକ୍ଷ ଓ ତାହା ଅତି ଉଚ୍ଚ।
ଦାନିଏଲ 4 : 11 (IRVOR)
ସେ ବୃକ୍ଷ ବଢ଼ିଲା ଓ ଦୃଢ଼ ହେଲା ଓ ତହିଁର ଉଚ୍ଚତା ଗଗନ ସ୍ପର୍ଶ କଲା, ପୁଣି ସମୁଦାୟ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ତାହା ଦୃଶ୍ୟମାନ ଥିଲା।
ଦାନିଏଲ 4 : 12 (IRVOR)
ତହିଁର ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନେକ ଥିଲା, ଆଉ ତହିଁରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। କ୍ଷେତ୍ରସ୍ଥ ପଶୁଗଣ ତହିଁର ତଳେ ଛାୟା ପାଇଲେ ଓ ଆକାଶସ୍ଥ ପକ୍ଷୀଗଣ ତହିଁର ଶାଖାମାନରେ ବାସ କଲେ ଓ ସମସ୍ତ ପ୍ରାଣୀ ତହିଁରୁ ଖାଦ୍ୟ ପାଇଲେ।
ଦାନିଏଲ 4 : 13 (IRVOR)
ମୁଁ ଶଯ୍ୟା ଉପରେ ମୋ’ ମନର ଦର୍ଶନକ୍ରମେ ଦେଖିଲି, ଆଉ ଦେଖ, ଏକ ପ୍ରହରୀ ଓ ପବିତ୍ର ପୁରୁଷ ସ୍ୱର୍ଗରୁ ଓହ୍ଲାଇ ଆସିଲେ।
ଦାନିଏଲ 4 : 14 (IRVOR)
ସେ ଉଚ୍ଚସ୍ୱର କରି ଏହି କଥା କହିଲେ, ଏହି ବୃକ୍ଷକୁ ଛେଦନ କର ଓ ତହିଁର ଶାଖାସବୁ କାଟି ପକାଅ, ତହିଁର ପତ୍ରସବୁ ଝାଡ଼ି ପକାଅ ଓ ଫଳସବୁ ବିଞ୍ଚିଦିଅ; ତହିଁର ତଳୁ ପଶୁମାନେ, ତହିଁର ଡାଳରୁ ପକ୍ଷୀମାନେ ପଳାଇ ଯାଉନ୍ତୁ।
ଦାନିଏଲ 4 : 15 (IRVOR)
ତଥାପି ଭୂମିରେ ତାହାର ମୂଳ-ଗଣ୍ଡିକୁ ଲୌହ ଓ ପିତ୍ତଳମୟ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ ଓ ତାହା ଆକାଶର କାକରରେ ତିନ୍ତୁ, ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣରେ ତାହାର ଅଂଶ ହେଉ;
ଦାନିଏଲ 4 : 16 (IRVOR)
ତାହାର ମାନବ ହୃଦୟ ପରିବର୍ତ୍ତିତ ହେଉ ଓ ତାହାକୁ ପଶୁର ହୃଦୟ ଦତ୍ତ ହେଉ ଆଉ, ତାହା ଉପରେ ସାତ କାଳ ବହିଯାଉ।
ଦାନିଏଲ 4 : 17 (IRVOR)
ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟଗଣର ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି, ପୁଣି ମନୁଷ୍ୟମାନଙ୍କ ମଧ୍ୟରେ ନୀଚତମ ଲୋକକୁ ତହିଁ ଉପରେ ନିଯୁକ୍ତ କରନ୍ତି, ଜୀବିତ ଲୋକମାନେ ଯେପରି ଏହା ଜାଣିବେ, ଏଥିପାଇଁ ଏହି ବାକ୍ୟ ପ୍ରହରୀଗଣର ଆଦେଶରେ ଓ ଏହି ଦାବୀ ପବିତ୍ରଗଣର ବାକ୍ୟ ଦ୍ୱାରା ହୋଇଅଛି।
ଦାନିଏଲ 4 : 18 (IRVOR)
ମୁଁ ରାଜା ନବୂଖଦ୍‍ନିତ୍ସର ଏହି ସ୍ୱପ୍ନ ଦେଖିଅଛି; ଏବେ ହେ ବେଲ୍‍ଟଶତ୍ସର, ତୁମ୍ଭେ ଅର୍ଥ ଜଣାଅ, କାରଣ ମୋ’ ରାଜ୍ୟସ୍ଥ ସମସ୍ତ ବିଦ୍ୱାନ୍‍ ଲୋକ ତହିଁର ଅର୍ଥ ମୋତେ ଜଣାଇବାକୁ ଅକ୍ଷମ ଅଟନ୍ତି; ମାତ୍ର ତୁମ୍ଭେ ସକ୍ଷମ ଅଟ, କାରଣ ତୁମ୍ଭ ଅନ୍ତରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି।
ଦାନିଏଲ 4 : 19 (IRVOR)
ଦାନିୟେଲଙ୍କ ଦ୍ୱିତୀୟ ସ୍ୱପ୍ନର ଅର୍ଥ ପ୍ରକାଶ ତହିଁରେ ବେଲ୍‍ଟଶତ୍ସର ନାମକ ଦାନିୟେଲ କ୍ଷଣକାଳ ଚମତ୍କୃତ ହୋଇ ରହିଲେ ଓ ତାଙ୍କର ଭାବନା ତାଙ୍କୁ ବ୍ୟାକୁଳିତ କଲା। ରାଜା ଉତ୍ତର କରି କହିଲା, ହେ ବେଲ୍‍ଟଶତ୍ସର, ସେହି ସ୍ୱପ୍ନ ଅବା ତହିଁର ଅର୍ଥ ତୁମ୍ଭଙ୍କୁ ବ୍ୟାକୁଳିତ ନ କରୁ। ବେଲ୍‍ଟଶତ୍ସର ଉତ୍ତର କରି କହିଲେ, ହେ ମୋର ପ୍ରଭୁ, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି, ସେମାନଙ୍କ ପାଇଁ ଏହି ସ୍ୱପ୍ନ ହେଉ ଓ ଆପଣଙ୍କ ବିପକ୍ଷମାନଙ୍କ ପ୍ରତି ତହିଁର ଅର୍ଥ ଘଟୁ।
ଦାନିଏଲ 4 : 20 (IRVOR)
ଆପଣ ଯେଉଁ ବୃକ୍ଷ ଦେଖିଲେ, ଯାହା ବଢ଼ି ବଳବାନ ହେଲା, ଯହିଁର ଉଚ୍ଚତା ଗଗନସ୍ପର୍ଶୀ ଓ ସମୁଦାୟ ପୃଥିବୀରେ ଦୃଶ୍ୟମାନ ହେଲା;
ଦାନିଏଲ 4 : 21 (IRVOR)
ଯାହାର ପତ୍ରସବୁ ସୁନ୍ଦର ଓ ଫଳ ଅନେକ ଥିଲା ଓ ଯହିଁରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା; ଯହିଁର ତଳେ କ୍ଷେତ୍ରସ୍ଥ ପଶୁମାନେ ବାସ କଲେ, ଯହିଁର ଶାଖାମାନର ଉପରେ ଆକାଶସ୍ଥ ପକ୍ଷୀଗଣର ବସତି ଥିଲା;
ଦାନିଏଲ 4 : 22 (IRVOR)
ହେ ମହାରାଜ, ସେହି ବୃକ୍ଷ ଆପଣ ଅଟନ୍ତି, ଆପଣ ବୃଦ୍ଧି ପାଇ ବଳବାନ ହୋଇଅଛନ୍ତି; କାରଣ ଆପଣଙ୍କର ମହତ୍ତ୍ୱ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି ଓ ଆପଣଙ୍କର କର୍ତ୍ତୃତ୍ୱ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିଅଛି।
ଦାନିଏଲ 4 : 23 (IRVOR)
ପୁଣି, ଆପଣ ଯେ ଦେଖିଲେ, ସ୍ୱର୍ଗରୁ ଏକ ପ୍ରହରୀ ଓ ପବିତ୍ର ପୁରୁଷ ଓହ୍ଲାଇ ଆସି କହିଲେ, ଏ ବୃକ୍ଷକୁ ଛେଦନ କରି ବିନଷ୍ଟ କର; ତଥାପି ଭୂମିରେ ତହିଁର ମୂଳ ଗଣ୍ଡିକୁ ଲୌହ ଓ ପିତ୍ତଳ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ; ଆଉ, ତାହା ଆକାଶର କାକରରେ ତିନ୍ତୁ ଓ ତାହା ଉପରେ ସାତ କାଳ ବହି ଯିବା ପର୍ଯ୍ୟନ୍ତ କ୍ଷେତ୍ରସ୍ଥ ପଶୁଗଣର ସହିତ ତାହାର ଅଂଶ ହେଉ।
ଦାନିଏଲ 4 : 24 (IRVOR)
ହେ ମହାରାଜ, ଏହାର ଅର୍ଥ ଏହି, ଆଉ ମୋର ପ୍ରଭୁ ମହାରାଜାଙ୍କ ବିଷୟରେ ସର୍ବୋପରିସ୍ଥଙ୍କର ନିରୂପଣ ଏହି।
ଦାନିଏଲ 4 : 25 (IRVOR)
ଆପଣ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ଆପଣଙ୍କର ବସତି ହେବ, ବଳଦର ନ୍ୟାୟ ଆପଣଙ୍କୁ ତୃଣଭୋଜୀ କରାଯିବ, ଆଉ ଆପଣ ଆକାଶର କାକରରେ ତିନ୍ତିବ, ଏହିରୂପେ ଆପଣଙ୍କ ଉପରେ ସାତ କାଳ ବହିଯିବ; ଶେଷରେ ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହା ଦେବାକୁ ଇଚ୍ଛା କରିବେ, ତାହାକୁ ସେ ତାହା ଦିଅନ୍ତି, ଏହା ଆପଣ ଜାଣିବେ।
ଦାନିଏଲ 4 : 26 (IRVOR)
ଆହୁରି, ବୃକ୍ଷର ମୂଳ-ଗଣ୍ଡି ଛାଡ଼ିବା ପାଇଁ ଆଜ୍ଞା ଦିଆ ଯିବାର ଅର୍ଥ ଏହି; ସ୍ୱର୍ଗ ହିଁ କର୍ତ୍ତୃତ୍ୱ କରଇ, ଏହା ଆପଣ ଜାଣିଲା ଉତ୍ତାରେ ଆପଣଙ୍କ ରାଜ୍ୟ ଆପଣଙ୍କ ପ୍ରତି ନିଶ୍ଚିତ ହେବ।
ଦାନିଏଲ 4 : 27 (IRVOR)
ଏହେତୁ ହେ ମହାରାଜ, ମୋର ପରାମର୍ଶ ଆପଣଙ୍କ ନିକଟରେ ଗ୍ରାହ୍ୟ ହେଉ, ଆଉ ଆପଣ ଧାର୍ମିକତା ଦ୍ୱାରା ଆପଣା ପାପସକଳ ଓ ଦରିଦ୍ରମାନଙ୍କ ପ୍ରତି ଦୟା ଦେଖାଇବା ଦ୍ୱାରା ଆପଣା ଅଧର୍ମସକଳ ଦୂର କରନ୍ତୁ; ତାହାହେଲେ ହୋଇପାରେ, ଆପଣଙ୍କ ଶାନ୍ତିର କାଳ ବୃଦ୍ଧି ପାଇବ।
ଦାନିଏଲ 4 : 28 (IRVOR)
{ନବୂଖଦ୍‍ନିତ୍ସର ପ୍ରତି ବିଚାର } ରାଜା ନବୂଖଦ୍‍ନିତ୍ସର ପ୍ରତି ଏହିସବୁ ଘଟିଲା।
ଦାନିଏଲ 4 : 29 (IRVOR)
ବାର ମାସର ଶେଷରେ ସେ ବାବିଲର ରାଜ- ପ୍ରାସାଦରେ ବୁଲୁଥିଲା।
ଦାନିଏଲ 4 : 30 (IRVOR)
ରାଜା ଏହି କଥା କହିଲା, ମୁଁ ଆପଣା ବଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି, ଏହି କି ସେହି ମହତୀ ବାବିଲ ନୁହେଁ ?
ଦାନିଏଲ 4 : 31 (IRVOR)
ରାଜାର ମୁଖରେ ଏହି କଥା ଥାଉ ଥାଉ ଏହି ସ୍ୱର୍ଗୀୟ ବାଣୀ ହେଲା, ହେ ରାଜନ୍‍ ନବୂଖଦ୍‍ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି, ତୁମ୍ଭଠାରୁ ରାଜ୍ୟ ଗଲା।
ଦାନିଏଲ 4 : 32 (IRVOR)
ପୁଣି, ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ତୁମ୍ଭର ବସତି ହେବ; ବଳଦ ନ୍ୟାୟ ତୁମ୍ଭକୁ ତୃଣଭୋଜୀ କରାଯିବ, ଏହିରୂପେ ତୁମ୍ଭ ଉପରେ ସାତ କାଳ ବହିଯିବ; ଶେଷରେ ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।
ଦାନିଏଲ 4 : 33 (IRVOR)
ସେହି ଦଣ୍ଡରେ ନବୂଖଦ୍‍ନିତ୍ସର ପ୍ରତି ସେହି କଥା ସଫଳ ହେଲା; ଆଉ, ସେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହୋଇ ବଳଦ ନ୍ୟାୟ ତୃଣ ଭୋଜନ କଲା, ଆଉ ତାହାର ଶରୀର ଆକାଶର କାକରରେ ତିନ୍ତିଲା, ଶେଷରେ ତାହାର କେଶ ଉତ୍କ୍ରୋଶ ପକ୍ଷୀର ପର ତୁଲ୍ୟ ଓ ତାହାର ନଖ ପକ୍ଷୀର ନଖ ତୁଲ୍ୟ ବଢ଼ିଲା।
ଦାନିଏଲ 4 : 34 (IRVOR)
{ନବୂଖଦ୍‍ନିତ୍ସରଙ୍କ ଈଶ୍ୱର ବନ୍ଦନା } ଏଥିଉତ୍ତାରେ ସେହି ସମୟର ଶେଷରେ ମୁଁ ନବୂଖଦ୍‍ନିତ୍ସର ସ୍ୱର୍ଗ ଆଡ଼େ ଉର୍ଦ୍ଧ୍ବ ଦୃଷ୍ଟି କଲି, ତହିଁରେ ମୋର ବୁଦ୍ଧି ମୋ’ କତିକୁ ଫେରି ଆସିଲା, ତହୁଁ ମୁଁ ସର୍ବୋପରିସ୍ଥଙ୍କର ଧନ୍ୟବାଦ କଲି ଓ ଯେ ଅନନ୍ତଜୀବୀ, ତାହାଙ୍କର ପ୍ରଶଂସା ଓ ସମାଦର କଲି; କାରଣ ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ ଓ ତାହାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ।
ଦାନିଏଲ 4 : 35 (IRVOR)
ପୁଣି, ପୃଥିବୀନିବାସୀ ସମସ୍ତେ ଅବସ୍ତୁ ତୁଲ୍ୟ ଗଣିତ; ଆଉ ସେ ସ୍ୱର୍ଗୀୟ ସୈନ୍ୟଗଣ ମଧ୍ୟରେ ଓ ପୃଥିବୀର ନିବାସୀଗଣର ମଧ୍ୟରେ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରନ୍ତି; ଆଉ, କେହି ତାହାଙ୍କର ହସ୍ତ ସ୍ଥଗିତ କରି ନ ପାରେ ଓ ତୁମ୍ଭେ କ’ଣ କରୁଅଛ ଏହା ତାହାଙ୍କୁ କହି ନ ପାରେ।
ଦାନିଏଲ 4 : 36 (IRVOR)
ସେହି ସମୟରେ ମୋ’ ବୁଦ୍ଧି ମୋ’ କତିକୁ ଫେରି ଆସିଲା ଓ ମୋ’ ରାଜ୍ୟର ଗୌରବ ନିମନ୍ତେ ମୋର ପ୍ରତାପ ଓ ତେଜ ମୋ’ କତିକୁ ଫେରି ଆସିଲା; ତହିଁରେ ମୋର ମନ୍ତ୍ରୀ ଓ ଅମାତ୍ୟଗଣ ମୋର ଅନ୍ୱେଷଣ କଲେ; ପୁଣି, ମୁଁ ଆପଣା ରାଜ୍ୟରେ ସ୍ଥାପିତ ହେଲି ଓ ମୋର ମହିମା ଅତିଶୟ ବୃଦ୍ଧି ପାଇଲା।
ଦାନିଏଲ 4 : 37 (IRVOR)
ଏଣୁ ମୁଁ ନବୂଖଦ୍‍ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି; କାରଣ ତାହାଙ୍କର ସକଳ କ୍ରିୟା ସତ୍ୟ ଓ ତାହାଙ୍କର ପଥସକଳ ନ୍ୟାଯ୍ୟ; ପୁଣି, ଯେଉଁମାନେ ଗର୍ବାଚରଣ କରନ୍ତି, ସେମାନଙ୍କୁ ନତ କରିବାକୁ ତାହାଙ୍କର କ୍ଷମତା ଅଛି।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37