ଆମୋଷ 7 : 1 (IRVOR)
ପ୍ରଥମ ଦର୍ଶନ - ପଙ୍ଗପାଳ ପ୍ରଭୁ ସଦାପ୍ରଭୁ ମୋତେ ଏରୂପ ଦେଖାଇଲେ; ଆଉ ଦେଖ, ବିଳମ୍ବରେ ଉତ୍ପନ୍ନ ତୃଣ ଅଙ୍କୁରିବା ଆରମ୍ଭରେ ସେ ପଙ୍ଗପାଳମାନଙ୍କୁ ଗଢ଼ିଲେ ଓ ଦେଖ, ରାଜାଙ୍କ ତୃଣ କଟାଗଲା ଉତ୍ତାରେ ସେହି ବିଳମ୍ବରେ ଉତ୍ପନ୍ନ ତୃଣ ବଢ଼ୁଥିଲା।
ଆମୋଷ 7 : 2 (IRVOR)
ପୁଣି, ସେହି ପଙ୍ଗପାଳମାନେ ଦେଶର ତୃଣ ଖାଇବାର ଶେଷ କଲା ଉତ୍ତାରେ ମୁଁ କହିଲି, “ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭକୁ ବିନୟ କରୁଅଛି, କ୍ଷମା କର ! ଯାକୁବ କିପରି ଠିଆ ହେବ ? କାରଣ ସେ ସାନ।”
ଆମୋଷ 7 : 3 (IRVOR)
ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ; “ଏହା ହେବ ନାହିଁ,” ଏହା ସଦାପ୍ରଭୁ କହନ୍ତି।
ଆମୋଷ 7 : 4 (IRVOR)
ଦ୍ୱିତୀୟ ଦର୍ଶନ - ଅଗ୍ନି ଉତ୍ପାତ ପ୍ରଭୁ ସଦାପ୍ରଭୁ ମୋତେ ଏହିରୂପେ ଦେଖାଇଲେ; ଆଉ ଦେଖ, ପ୍ରଭୁ ସଦାପ୍ରଭୁ ଅଗ୍ନି ଦ୍ୱାରା ବିବାଦ କରିବା ପାଇଁ ଆହ୍ୱାନ କଲେ; ତହିଁରେ ତାହା ମହାସାଗରକୁ ଗ୍ରାସ କଲା, ଆଉ ଭୂମିକୁ ଗ୍ରାସ କରିଥା’ନ୍ତା।
ଆମୋଷ 7 : 5 (IRVOR)
ଏପରି ସମୟରେ ମୁଁ କହିଲି, “ହେ ପ୍ରଭୁ, ସଦାପ୍ରଭୁ, ବିନୟ କରେ, କ୍ଷାନ୍ତ ହୁଅ; ଯାକୁବ କିପରି ଠିଆ ହେବ ? କାରଣ ସେ ସାନ।”
ଆମୋଷ 7 : 6 (IRVOR)
ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ; “ତାହା ମଧ୍ୟ ହେବ ନାହିଁ,” ପ୍ରଭୁ ସଦାପ୍ରଭୁ ଏହା କହନ୍ତି।
ଆମୋଷ 7 : 7 (IRVOR)
ତୃତୀୟ ଦର୍ଶନ - ଓଳମ ସେ ମୋତେ ଏରୂପ ଦେଖାଇଲେ; ଆଉ ଦେଖ, ପ୍ରଭୁ ଆପଣା ହସ୍ତରେ ଓଳମ ଘେନି ଓଳମ ଦ୍ୱାରା ନିର୍ମିତ ଏକ କାନ୍ଥ ନିକଟରେ ଠିଆ ହେଲେ।
ଆମୋଷ 7 : 8 (IRVOR)
ପୁଣି, ସଦାପ୍ରଭୁ ମୋତେ ପଚାରିଲେ, “ହେ ଆମୋଷ, ତୁମ୍ଭେ କଅଣ ଦେଖୁଅଛ ?” ତହିଁରେ ମୁଁ କହିଲି, “ଗୋଟିଏ ଓଳମ।” ତେବେ ପ୍ରଭୁ କହିଲେ, “ଦେଖ, ଆମ୍ଭେ ଆପଣା ଲୋକ ଇସ୍ରାଏଲ ମଧ୍ୟରେ ଓଳମ ପକାଇବା; ଆମ୍ଭେ ପୁନର୍ବାର ଆଉ ସେମାନଙ୍କୁ ଛାଡ଼ି ଯିବା ନାହିଁ;
ଆମୋଷ 7 : 9 (IRVOR)
ପୁଣି, ଇସ୍ହାକର ଉଚ୍ଚସ୍ଥଳୀସକଳ ଧ୍ୱଂସିତ ହେବ ଓ ଇସ୍ରାଏଲର ଧର୍ମଧାମସକଳ ବିନଷ୍ଟ ହେବ; ଆଉ ଆମ୍ଭେ ଖଡ୍ଗ ଘେନି ଯାରବୀୟାମର ବଂଶ ବିରୁଦ୍ଧରେ ଉଠିବା।”
ଆମୋଷ 7 : 10 (IRVOR)
ଆମୋଷଙ୍କ ଦୋଷାରୋପ ଯେତେବେଳେ ବେଥେଲ୍ର ଯାଜକ ଅମତ୍ସୀୟ ଇସ୍ରାଏଲର ରାଜା ଯାରବୀୟାମଙ୍କ ନିକଟକୁ ଏହି କଥା କହି ପଠାଇଲା, “ଇସ୍ରାଏଲ ବଂଶ ମଧ୍ୟରେ ଆମୋଷ ଆପଣଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଅଛନ୍ତି; ଦେଶ ତାଙ୍କର ବାକ୍ୟସବୁ ସହି ପାରୁ ନାହିଁ।”
ଆମୋଷ 7 : 11 (IRVOR)
କାରଣ ଆମୋଷ ଏରୂପ କହୁଅଛନ୍ତି, “ଯାରବୀୟାମ ଖଡ୍ଗରେ ହତ ହେବ ଓ ଇସ୍ରାଏଲ ନିଶ୍ଚୟ ଆପଣା ନିଜ ଦେଶରୁ ନିର୍ବାସିତ ହେବ।”
ଆମୋଷ 7 : 12 (IRVOR)
ଆହୁରି, ଅମତ୍ସୀୟ ଆମୋଷଙ୍କୁ କହିଲା, “ହେ ଦର୍ଶକ, ତୁମ୍ଭେ ଯାଅ, ଯିହୁଦା ଦେଶକୁ ପଳାଅ, ସେଠାରେ ଭୋଜନ କର ଓ ସେଠାରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର;
ଆମୋଷ 7 : 13 (IRVOR)
ମାତ୍ର ବେଥେଲ୍ରେ ପୁନର୍ବାର ଆଉ ଭବିଷ୍ୟଦ୍ବାକ୍ୟ ପ୍ରଚାର କର ନାହିଁ; କାରଣ ତାହା ରାଜାଙ୍କର ପବିତ୍ର ସ୍ଥାନ ଓ ତାହା ରାଜକୀୟ ଗୃହ ଅଟେ।”
ଆମୋଷ 7 : 14 (IRVOR)
ତହିଁରେ ଆମୋଷ ଉତ୍ତର କରି ଅମତ୍ସୀୟକୁ କହିଲେ, “ମୁଁ ଭବିଷ୍ୟଦ୍ବକ୍ତା ନ ଥିଲି, କିଅବା କୌଣସି ଭବିଷ୍ୟଦ୍ବକ୍ତାଙ୍କ ପୁତ୍ର ନ ଥିଲି; ମାତ୍ର ମୁଁ ଗୋପାଳକ ଓ ଡିମ୍ବିରି ବୃକ୍ଷର କୃଷକ ଥିଲି;
ଆମୋଷ 7 : 15 (IRVOR)
ପୁଣି, ସଦାପ୍ରଭୁ ପଲର ପଶ୍ଚାଦ୍ଗମନରୁ ମୋତେ ନେଲେ ଓ ସଦାପ୍ରଭୁ ମୋତେ କହିଲେ, ଯାଅ, ଆମ୍ଭର ଇସ୍ରାଏଲ ଲୋକ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର।”
ଆମୋଷ 7 : 16 (IRVOR)
ଏଥିପାଇଁ ଏବେ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ୟ ଶୁଣ; ତୁମ୍ଭେ କହୁଅଛ, ‘ଇସ୍ରାଏଲ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର ନାହିଁ ଓ ଇସ୍ହାକ ବଂଶ ବିରୁଦ୍ଧରେ ତୁମ୍ଭର ବାକ୍ୟ ବର୍ଷାଅ ନାହିଁ।’
ଆମୋଷ 7 : 17 (IRVOR)
ଏଥିପାଇଁ ସଦାପ୍ରଭୁ ଏହି କଥା କହନ୍ତି; “ତୁମ୍ଭର ଭାର୍ଯ୍ୟା ନଗର ମଧ୍ୟରେ ବେଶ୍ୟା ହେବ ଓ ତୁମ୍ଭର ପୁତ୍ର କନ୍ୟାଗଣ ଖଡ୍ଗରେ ପତିତ ହେବେ, ଆଉ ତୁମ୍ଭର ଭୂମି ପରିମାପକ ଦଉଡ଼ି ଦ୍ୱାରା ବିଭାଗ କରାଯିବ; ପୁଣି, ତୁମ୍ଭେ ନିଜେ ଅଶୁଚି ଦେଶରେ ମରିବ, ଆଉ ଇସ୍ରାଏଲ ନିଶ୍ଚୟ ଆପଣା ଦେଶରୁ ନିର୍ବାସିତ ହେବ।”
❮
❯
1
2
3
4
5
6
7
8
9
10
11
12
13
14
15
16
17