ଆମୋଷ 4 : 1 (IRVOR)
ହେ ଶମରୀୟାର ପର୍ବତବାସିନୀ ବାଶନର ଗାଭୀସବୁ, ତୁମ୍ଭେମାନେ ଏହି ବାକ୍ୟ ଶୁଣ, ତୁମ୍ଭେମାନେ ଦରିଦ୍ରଗଣ ପ୍ରତି ଉପଦ୍ରବ କରୁଅଛ, ଦୀନହୀନମାନଙ୍କୁ ଦଳି ପକାଉଅଛ, ତୁମ୍ଭେମାନେ ଆପଣା ଆପଣା କର୍ତ୍ତାକୁ କହୁଅଛ, “ଆଣ, ଆମ୍ଭେମାନେ ପାନ କରିବା।”
ଆମୋଷ 4 : 2 (IRVOR)
ପ୍ରଭୁ ସଦାପ୍ରଭୁ ଆପଣା ପବିତ୍ରତାରେ ଶପଥ କରି କହିଅଛନ୍ତି, “ଦେଖ, ଯେଉଁ ସମୟରେ ଲୋକମାନେ ତୁମ୍ଭମାନଙ୍କୁ ତେଣ୍ଟାରେ ଓ ତୁମ୍ଭମାନଙ୍କର ଅବଶିଷ୍ଟାଂଶକୁ ବନଶୀ କଣ୍ଟାରେ ଟାଣି ନେବେ, ଏପରି ସମୟ ତୁମ୍ଭମାନଙ୍କ ଉପରେ ଆସିବ।
ଆମୋଷ 4 : 3 (IRVOR)
ପୁଣି, ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ସମ୍ମୁଖସ୍ଥ ଭଗ୍ନସ୍ଥାନ ଦେଇ ବାହାରି ଯିବ ଓ ହର୍ମ୍ମୋଣରେ ଆପଣାମାନଙ୍କୁ ନିକ୍ଷେପ କରିବ।” ଏହା ସଦାପ୍ରଭୁ କହନ୍ତି।
ଆମୋଷ 4 : 4 (IRVOR)
“ତୁମ୍ଭେମାନେ ବେଥେଲ୍କୁ ଯାଇ ଅପରାଧ କର; ଗିଲ୍ଗଲ୍କୁ ଯାଇ ଅପରାଧ ବୃଦ୍ଧି କର; ଆଉ, ପ୍ରତି ପ୍ରଭାତରେ ଆପଣା ଆପଣା ବଳି ଓ ପ୍ରତି ତିନି ଦିନରେ ଆପଣା ଆପଣାର ଦଶମାଂଶ ଉତ୍ସର୍ଗ କର;
ଆମୋଷ 4 : 5 (IRVOR)
ପୁଣି, ପ୍ରଶଂସାର୍ଥକ ବଳି ନିମନ୍ତେ ତାଡ଼ି ମିଶ୍ରିତ ଦ୍ରବ୍ୟ ଉତ୍ସର୍ଗ କର ଓ ସ୍ଵେଚ୍ଛାଦତ୍ତ ଉପହାର ବିଷୟ ଘୋଷଣା କରି ପ୍ରକାଶ କର; କାରଣ, ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ଏପରି କରିବାକୁ ଭଲ ପାଅ।” ଏହା ପ୍ରଭୁ ସଦାପ୍ରଭୁ କହନ୍ତି।
ଆମୋଷ 4 : 6 (IRVOR)
ଶିକ୍ଷା ଗ୍ରହଣ କରିବାକୁ ଇସ୍ରାଏଲ ଅସମର୍ଥ “ଆଉ, ଆମ୍ଭେ ତୁମ୍ଭମାନଙ୍କର ସମୁଦାୟ ନଗରରେ ଦନ୍ତ ପଂକ୍ତିର ନିର୍ମଳତା ଓ ତୁମ୍ଭମାନଙ୍କର ସମୁଦାୟ ବାସସ୍ଥାନରେ ଅନ୍ନାଭାବ ତୁମ୍ଭମାନଙ୍କୁ ଦେଇଅଛୁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
ଆମୋଷ 4 : 7 (IRVOR)
“ଆହୁରି, ଶସ୍ୟ ପାଚିବାର ତିନି ମାସ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କଠାରୁ ବୃଷ୍ଟି ନିବାରଣ କରିଅଛୁ; ପୁଣି, ଏକ ନଗରରେ ଜଳ ବର୍ଷାଇ ଅଛୁ ଓ ଅନ୍ୟ ନଗରରେ ଜଳ ବର୍ଷାଇ ନାହୁଁ; ଏକ କ୍ଷେତ୍ରରେ ବୃଷ୍ଟି ହେଲା ଓ ଯେଉଁ କ୍ଷେତ୍ରରେ ବୃଷ୍ଟି ହେଲା ନାହିଁ, ତାହା ଶୁଷ୍କ ହେଲା।
ଆମୋଷ 4 : 8 (IRVOR)
ତହିଁ ସକାଶୁ ଦୁଇ, ତିନି ନଗରସ୍ଥ ଲୋକମାନେ ଜଳ ପାନ କରିବା ନିମନ୍ତେ ବୁଲି ବୁଲି ଅନ୍ୟ ଏକ ନଗରକୁ ଗଲେ, ମାତ୍ର ତୃପ୍ତ ହେଲେ ନାହିଁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
ଆମୋଷ 4 : 9 (IRVOR)
“ଆମ୍ଭେ ଶସ୍ୟର ଶୋଷ ଓ ମ୍ଳାନି ଦ୍ୱାରା ତୁମ୍ଭମାନଙ୍କୁ ଆଘାତ କରିଅଛୁ; ଶୂକ କୀଟ ତୁମ୍ଭମାନଙ୍କର ବହୁସଂଖ୍ୟକ ଉଦ୍ୟାନ, ଦ୍ରାକ୍ଷାକ୍ଷେତ୍ର, ଡିମ୍ବିରି ବୃକ୍ଷ ଓ ଜୀତବୃକ୍ଷ ଗ୍ରାସ କରିଅଛି; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
ଆମୋଷ 4 : 10 (IRVOR)
“ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ମିସର ଦେଶର ମହାମାରୀ ତୁଲ୍ୟ ମହାମାରୀ ପଠାଇଅଛୁ; ତୁମ୍ଭମାନଙ୍କର ଯୁବାଗଣକୁ ଆମ୍ଭେ ଖଡ୍ଗରେ ସଂହାର କରିଅଛୁ ଓ ତୁମ୍ଭମାନଙ୍କର ଅଶ୍ୱଗଣକୁ ନେଇ ଯାଇଅଛୁ; ପୁଣି, ଆମ୍ଭେ ତୁମ୍ଭମାନଙ୍କର ଛାଉଣି ସ୍ଥାନର ଦୁର୍ଗନ୍ଧ ତୁମ୍ଭମାନଙ୍କର ନାସିକା ପର୍ଯ୍ୟନ୍ତ ହିଁ ପ୍ରବେଶ କରାଇଅଛୁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
ଆମୋଷ 4 : 11 (IRVOR)
“ପରମେଶ୍ୱର ସଦୋମ ଓ ହମୋରାକୁ ଯେପରି ଉତ୍ପାଟନ କରିଥିଲେ, ସେପରି ଆମ୍ଭେ ତୁମ୍ଭମାନଙ୍କର କେତେକ (ସ୍ଥାନ) ଉତ୍ପାଟନ କରିଅଛୁ, ଆଉ ତୁମ୍ଭେମାନେ ପୋଡ଼ା ଖୁଣ୍ଟ ପରି ଅଗ୍ନିରୁ କଢ଼ାଗଲ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରି ନାହଁ।” ଏହା ସଦାପ୍ରଭୁ କହନ୍ତି।
ଆମୋଷ 4 : 12 (IRVOR)
“ଏଥିପାଇଁ ହେ ଇସ୍ରାଏଲ, ଆମ୍ଭେ ତୁମ୍ଭ ପ୍ରତି ଏରୂପ କରିବା; ଆଉ, ଆମ୍ଭେ ତୁମ୍ଭ ପ୍ରତି ଏରୂପ କରିବା, ଏଥିସକାଶୁ ହେ ଇସ୍ରାଏଲ, ତୁମ୍ଭେ ଆପଣା ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବାକୁ ପ୍ରସ୍ତୁତ ହୁଅ।
ଆମୋଷ 4 : 13 (IRVOR)
କାରଣ ଦେଖ, ଯେ ପର୍ବତଗଣ ନିର୍ମାଣ କରନ୍ତି, ବାୟୁକୁ ସୃଷ୍ଟି କରନ୍ତି ଓ ମନୁଷ୍ୟ ପ୍ରତି ତାହାର ଚିନ୍ତା ପ୍ରକାଶ କରନ୍ତି, ଯେ ଅରୁଣକୁ ଅନ୍ଧକାରମୟ କରନ୍ତି ଓ ପୃଥିବୀର ଉଚ୍ଚସ୍ଥଳୀସକଳର ଉପରେ ଗମନାଗମନ କରନ୍ତି।” ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ତାହାଙ୍କର ନାମ।
❮
❯
1
2
3
4
5
6
7
8
9
10
11
12
13