ଦିତୀୟ ରାଜାବଳୀ 20 : 1 (IRVOR)
ହିଜକୀୟଙ୍କ ଅସୁସ୍ଥତା ଓ ଆରୋଗ୍ୟତା ସେହି ସମୟରେ ହିଜକୀୟଙ୍କର ସାଂଘାତିକ ପୀଡ଼ା ହୋଇଥିଲା। ତହିଁରେ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍ବକ୍ତା ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ଆପଣା ଗୃହ ବିଷୟ ସଜାଡ଼; କାରଣ ତୁମ୍ଭେ ମରିବ, ବଞ୍ଚିବ ନାହିଁ।’ ”
ଦିତୀୟ ରାଜାବଳୀ 20 : 2 (IRVOR)
ଏଥିରେ ସେ କାନ୍ଥ ଆଡ଼େ ମୁଖ ଫେରାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ,
ଦିତୀୟ ରାଜାବଳୀ 20 : 3 (IRVOR)
“ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ମୁଁ କିପରି ସତ୍ୟତାରେ ଓ ସିଦ୍ଧ ଅନ୍ତଃକରଣରେ ତୁମ୍ଭ ସମ୍ମୁଖରେ ଗମନାଗମନ କରିଅଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ଏହା ଏବେ ସ୍ମରଣ କର।” ଆଉ ହିଜକୀୟ ଅତିଶୟ ରୋଦନ କଲେ।
ଦିତୀୟ ରାଜାବଳୀ 20 : 4 (IRVOR)
ଏଥିଉତ୍ତାରେ ଯିଶାଇୟ ନଗରର ମଧ୍ୟଭାଗକୁ ବାହାରି ଯିବା ପୂର୍ବେ ତାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା,
ଦିତୀୟ ରାଜାବଳୀ 20 : 5 (IRVOR)
ଯଥା, “ଫେରି ଯାଅ ଓ ଆମ୍ଭ ଲୋକମାନଙ୍କ ଅଧିପତି ହିଜକୀୟକୁ କୁହ, ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ, ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ; ଦେଖ, ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ; ତୁମ୍ଭେ ତୃତୀୟ ଦିନରେ ସଦାପ୍ରଭୁଙ୍କ ଗୃହକୁ ଯିବ।
ଦିତୀୟ ରାଜାବଳୀ 20 : 6 (IRVOR)
ଆଉ ଆମ୍ଭେ ତୁମ୍ଭର ଆୟୁ ପନ୍ଦର ବର୍ଷ ବୃଦ୍ଧି କରିବା; ପୁଣି ଆମ୍ଭେ ତୁମ୍ଭକୁ ଓ ଏହି ନଗରକୁ ଅଶୂରୀୟ ରାଜାର ହସ୍ତରୁ ରକ୍ଷା କରିବା; ଆଉ ଆମ୍ଭେ ଆପଣା ସକାଶୁ ଓ ଆମ୍ଭ ଦାସ ଦାଉଦ ସକାଶୁ ଏହି ନଗରର ସପକ୍ଷ ହେବା।’ ”
ଦିତୀୟ ରାଜାବଳୀ 20 : 7 (IRVOR)
ତହୁଁ ଯିଶାଇୟ କହିଲେ, “ଏକ ଡିମ୍ବିରି ଚକ୍ତି ଆଣ।” ତହିଁରେ ସେମାନେ ତାହା ଆଣି ବଥ ଉପରେ ଥୋଇଲେ, ଆଉ ସେ ସୁସ୍ଥ ହେଲେ।
ଦିତୀୟ ରାଜାବଳୀ 20 : 8 (IRVOR)
ପୁଣି ହିଜକୀୟ ଯିଶାଇୟଙ୍କୁ କହିଲେ, “ସଦାପ୍ରଭୁ ଯେ ମୋତେ ସୁସ୍ଥ କରିବେ ଓ ମୁଁ ଯେ ତୃତୀୟ ଦିନରେ ସଦାପ୍ରଭୁଙ୍କ ଗୃହକୁ ଯିବି, ଏଥିର କି ଚିହ୍ନ ହେବ।”
ଦିତୀୟ ରାଜାବଳୀ 20 : 9 (IRVOR)
ତହିଁରେ ଯିଶାଇୟ କହିଲେ, “ସଦାପ୍ରଭୁ ଆପଣା ଉକ୍ତ ବାକ୍ୟ ଯେ ସଫଳ କରିବେ, ତୁମ୍ଭ ପ୍ରତି ସଦାପ୍ରଭୁଙ୍କଠାରୁ ଏହି ଚିହ୍ନ ହେବ; ଛାୟା କି ଆଗକୁ ଦଶ ପାହୁଣ୍ଡ ଯିବ, ଅବା ପଛକୁ ଦଶ ପାହୁଣ୍ଡ ଯିବ।”
ଦିତୀୟ ରାଜାବଳୀ 20 : 10 (IRVOR)
ତହିଁରେ ହିଜକୀୟ ଉତ୍ତର କଲେ, “ଛାୟା ଆଗକୁ ଦଶ ପାହୁଣ୍ଡ ଯିବାର କ୍ଷୁଦ୍ର ବିଷୟ; ନା; ମାତ୍ର ଛାୟା ପଛକୁ ଦଶ ପାହୁଣ୍ଡ ଫେରିଯାଉ।”
ଦିତୀୟ ରାଜାବଳୀ 20 : 11 (IRVOR)
ତହୁଁ ଯିଶାଇୟ ଭବିଷ୍ୟଦ୍ବକ୍ତା ସଦାପ୍ରଭୁଙ୍କ ନିକଟରେ ଡାକି ପ୍ରାର୍ଥନା କଲେ। ଏଥିରେ ଆହସ୍ଙ୍କର ସୂର୍ଯ୍ୟଘଟିକାରେ ଛାୟା ଯେଉଁ ଦଶ ପାହୁଣ୍ଡ ଆଗକୁ ଯାଇଥିଲା, ସେତିକି ସେ ପଛକୁ ଫେରାଇ ଆଣିଲେ।
ଦିତୀୟ ରାଜାବଳୀ 20 : 12 (IRVOR)
ବାବିଲର ଦୂତଙ୍କ ଆଗମନ ସେହି ସମୟରେ ବଲ୍ଦନ୍ର ପୁତ୍ର ବରୋଦକ୍ ବଲଦନ୍ ନାମକ ବାବିଲର ରାଜା ହିଜକୀୟଙ୍କ ନିକଟକୁ ପତ୍ରମାନ ଓ ଦର୍ଶନୀ ପଠାଇଲା; କାରଣ ସେ ହିଜକୀୟଙ୍କ ପୀଡ଼ିତ ହେବାର କଥା ଶୁଣିଥିଲା।
ଦିତୀୟ ରାଜାବଳୀ 20 : 13 (IRVOR)
ତହିଁରେ ହିଜକୀୟ ସେମାନଙ୍କ କଥା ଶୁଣିଲେ ଓ ଆପଣା ବହୁମୂଲ୍ୟ ପଦାର୍ଥର ସମୁଦାୟ ଗୃହ, ରୂପା ଓ ସୁନା ଓ ସୁଗନ୍ଧି ଦ୍ରବ୍ୟ ଓ ବହୁମୂଲ୍ୟ ତୈଳ ଓ ଅସ୍ତ୍ରାଗାର ଓ ଆପଣା ଭଣ୍ଡାରସ୍ଥିତ ସମସ୍ତ ଦ୍ରବ୍ୟ ସେମାନଙ୍କୁ ଦେଖାଇଲେ। ହିଜକୀୟ ଯାହା ସେମାନଙ୍କୁ ନ ଦେଖାଇଲେ, ଏପରି କୌଣସି ଦ୍ରବ୍ୟ ତାଙ୍କ ଗୃହରେ କି ତାଙ୍କର ସମୁଦାୟ ରାଜ୍ୟରେ ନ ଥିଲା।
ଦିତୀୟ ରାଜାବଳୀ 20 : 14 (IRVOR)
ସେତେବେଳେ ଯିଶାଇୟ ଭବିଷ୍ୟଦ୍ବକ୍ତା ହିଜକୀୟ ରାଜାଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ଏହି ଲୋକମାନେ କଅଣ କହିଲେ ? ସେମାନେ କେଉଁଠାରୁ ତୁମ୍ଭ ନିକଟକୁ ଆସିଲେ ?” ତହିଁରେ ହିଜକୀୟ କହିଲେ, “ସେମାନେ ଦୂର ଦେଶ ବାବିଲରୁ ଆସିଅଛନ୍ତି।”
ଦିତୀୟ ରାଜାବଳୀ 20 : 15 (IRVOR)
ଏଥିରେ ଯିଶାଇୟ ପଚାରିଲେ, “ସେମାନେ ତୁମ୍ଭ ଗୃହରେ କି କି ବିଷୟ ଦେଖିଅଛନ୍ତି ?” ତହୁଁ ହିଜକୀୟ ଉତ୍ତର କଲେ, “ମୋ’ ଗୃହରେ ଯାହା ଯାହା ଅଛି, ସବୁ ସେମାନେ ଦେଖିଅଛନ୍ତି; ଯାହା ମୁଁ ସେମାନଙ୍କୁ ନ ଦେଖାଇଲି, ଏପରି କୌଣସି ପଦାର୍ଥ ମୋ’ ଭଣ୍ଡାର ସମୂହରେ ନାହିଁ।”
ଦିତୀୟ ରାଜାବଳୀ 20 : 16 (IRVOR)
ଏଥିରେ ଯିଶାଇୟ ହିଜକୀୟଙ୍କୁ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ଶୁଣ:
ଦିତୀୟ ରାଜାବଳୀ 20 : 17 (IRVOR)
‘ଦେଖ, ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ସଞ୍ଚିତ ସମସ୍ତ ଦ୍ରବ୍ୟ ବାବିଲକୁ ନିଆଯିବାର ସମୟ ଆସୁଅଛି।’ ସଦାପ୍ରଭୁ କହନ୍ତି, ‘କିଛି ଛଡ଼ା ଯିବ ନାହିଁ।
ଦିତୀୟ ରାଜାବଳୀ 20 : 18 (IRVOR)
ତୁମ୍ଭ ପୁତ୍ରମାନଙ୍କ ମଧ୍ୟରେ ଯେଉଁମାନେ ତୁମ୍ଭ ଔରସରେ ଜାତ ଓ ତୁମ୍ଭଠାରୁ ଉତ୍ପନ୍ନ ହେବେ, ସେମାନଙ୍କୁ ସେମାନେ ନେଇଯିବେ ଓ ସେମାନେ ବାବିଲ ରାଜାର ଅଟ୍ଟାଳିକାରେ ନପୁଂସକ ହୋଇ ରହିବେ।’ ”
ଦିତୀୟ ରାଜାବଳୀ 20 : 19 (IRVOR)
ସେତେବେଳେ ହିଜକୀୟ ଯିଶାଇୟଙ୍କୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ କହିଅଛ, ତାହା ଉତ୍ତମ।” ସେ ଆହୁରି କହିଲେ, “ଯେବେ ଆମ୍ଭ ସମୟରେ ଶାନ୍ତି ଓ ସତ୍ୟତା ବିରାଜିତ ହୁଏ, ତେବେ ତାହା କ’ଣ (ଉତ୍ତମ) ନୁହେଁ ?”
ଦିତୀୟ ରାଜାବଳୀ 20 : 20 (IRVOR)
ଏହି ହିଜକୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ଓ ସେ କିପରି ପୁଷ୍କରିଣୀ ଓ ନାଳ ପ୍ରସ୍ତୁତ କରି ନଗର ମଧ୍ୟକୁ ଜଳ ଆଣିଲେ, ଏହାସବୁ କ’ଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ ?
ଦିତୀୟ ରାଜାବଳୀ 20 : 21 (IRVOR)
ଏଥିଉତ୍ତାରେ ହିଜକୀୟ ମୃତ୍ୟୁବରଣ କଲେ; ଆଉ ତାଙ୍କର ପୁତ୍ର ମନଃଶି ତାଙ୍କର ପଦରେ ରାଜ୍ୟ କଲେ।
❮
❯
1
2
3
4
5
6
7
8
9
10
11
12
13
14
15
16
17
18
19
20
21