ଦିତୀୟ ରାଜାବଳୀ 12 : 1 (IRVOR)
ଯେହୂଙ୍କ ରାଜତ୍ଵର ସପ୍ତମ ବର୍ଷରେ ଯୋୟାଶ୍‍ ରାଜତ୍ଵ କରିବାକୁ ଆରମ୍ଭ କରି ଯିରୂଶାଲମରେ ଚାଳିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାର ନାମ ସିବୀୟା, ସେ ବେର୍‍ଶେବା ନିବାସିନୀ ଥିଲେ।
ଦିତୀୟ ରାଜାବଳୀ 12 : 2 (IRVOR)
ଯିହୋୟାଦା ଯାଜକ ଯୋୟାଶ୍‍ଙ୍କୁ ଯେତେ ଦିନ ଶିକ୍ଷା ଦେଲା, ସେତେ ଦିନ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
ଦିତୀୟ ରାଜାବଳୀ 12 : 3 (IRVOR)
ତଥାପି ଉଚ୍ଚସ୍ଥଳୀସକଳ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ।
ଦିତୀୟ ରାଜାବଳୀ 12 : 4 (IRVOR)
ଏଥିଉତ୍ତାରେ ଯୋୟାଶ୍‍ ଯାଜକମାନଙ୍କୁ କହିଲେ, “ପବିତ୍ରୀକୃତ ବସ୍ତୁର ଯେସକଳ ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଅଣାଯାଏ, ଅର୍ଥାତ୍‍, ପ୍ରଚଳିତ ମୁଦ୍ରା, ପ୍ରାଣୀମାନଙ୍କ ନିମନ୍ତେ ପ୍ରତ୍ୟେକ ଲୋକ ଉପରେ ନିରୂପିତ ମୁଦ୍ରା ଓ ଯେସକଳ ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଆଣିବା ପାଇଁ କୌଣସି ମନୁଷ୍ୟର ମନରେ ବାଞ୍ଛା ହୁଏ,
ଦିତୀୟ ରାଜାବଳୀ 12 : 5 (IRVOR)
ତାହାସବୁ ଯାଜକମାନେ ଆପଣା ଆପଣା ପରିଚିତ ଲୋକମାନଙ୍କଠାରୁ ଆପଣାମାନଙ୍କ ପାଇଁ ଗ୍ରହଣ କରନ୍ତୁ; ପୁଣି ସେହି ଗୃହର ଯେକୌଣସି ସ୍ଥାନ ଭଗ୍ନ ଦେଖାଯାଏ, ତାହାସବୁ ସେମାନେ ପୁନଃନିର୍ମାଣ କରନ୍ତୁ।”
ଦିତୀୟ ରାଜାବଳୀ 12 : 6 (IRVOR)
ମାତ୍ର ଯୋୟାଶ୍‍ ରାଜାଙ୍କ ରାଜତ୍ଵର ତେଇଶ ବର୍ଷ ପର୍ଯ୍ୟନ୍ତ ଯାଜକମାନେ ଗୃହର ଭଗ୍ନସ୍ଥାନମାନ ପୁନଃନିର୍ମାଣ କରି ନ ଥିଲେ।
ଦିତୀୟ ରାଜାବଳୀ 12 : 7 (IRVOR)
ତହିଁରେ ଯୋୟାଶ୍‍ ରାଜା ଯିହୋୟାଦା ଯାଜକକୁ ଓ ଅନ୍ୟ ଯାଜକମାନଙ୍କୁ ଡକାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଗୃହର ଭଗ୍ନସ୍ଥାନସବୁ କାହିଁକି ପୁନଃନିର୍ମାଣ କରୁନାହଁ ? ଏହେତୁ ତୁମ୍ଭେମାନେ ଆପଣା ଆପଣା ପରିଚିତ ଲୋକମାନଙ୍କଠାରୁ ଆଉ ମୁଦ୍ରା ନିଅ ନାହିଁ, ମାତ୍ର ଗୃହର ଭଗ୍ନସ୍ଥାନ ନିମନ୍ତେ ତାହା ସମର୍ପଣ କର।”
ଦିତୀୟ ରାଜାବଳୀ 12 : 8 (IRVOR)
ତହିଁରେ ଯାଜକମାନେ ଲୋକମାନଙ୍କଠାରୁ ଆଉ ମୁଦ୍ରା ଗ୍ରହଣ ନ କରିବାକୁ, ଅବା ଗୃହର ଭଗ୍ନସ୍ଥାନସବୁ ପୁନଃନିର୍ମାଣ ନ କରିବାକୁ ସମ୍ମତ ହେଲେ।
ଦିତୀୟ ରାଜାବଳୀ 12 : 9 (IRVOR)
ମାତ୍ର ଯିହୋୟାଦା ଯାଜକ ଏକ ସିନ୍ଦୁକ ନେଇ ତହିଁର ଢାଙ୍କୁଣୀରେ ଏକ ଛିଦ୍ର କରି ଯଜ୍ଞବେଦି ନିକଟରେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ ସ୍ଥାନର ଦକ୍ଷିଣ ପାର୍ଶ୍ୱରେ ରଖିଲା; ପୁଣି ଦ୍ୱାରରକ୍ଷକ ଯାଜକମାନେ ସଦାପ୍ରଭୁଙ୍କ ଗୃହକୁ ଆନୀତ ମୁଦ୍ରାସବୁ ତହିଁ ଭିତରେ ରଖିଲେ।
ଦିତୀୟ ରାଜାବଳୀ 12 : 10 (IRVOR)
ଏଥିଉତ୍ତାରେ ସେମାନେ ସିନ୍ଦୁକରେ ବହୁତ ମୁଦ୍ରା ଥିବାର ଦେଖନ୍ତେ, ରାଜାଙ୍କର ଲେଖକ ଓ ମହାଯାଜକ ଆସି ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ସେହି ସକଳ ମୁଦ୍ରା ଥଳୀରେ ରଖି ଗଣନା କଲେ।
ଦିତୀୟ ରାଜାବଳୀ 12 : 11 (IRVOR)
ପୁଣି ସେମାନେ ସେହି ପରିମିତ ମୁଦ୍ରା ସଦାପ୍ରଭୁଙ୍କ ଗୃହର କର୍ମକାରକ ଅଧ୍ୟକ୍ଷମାନଙ୍କ ହସ୍ତରେ ଦେଲେ; ତହୁଁ ସେମାନେ ସଦାପ୍ରଭୁଙ୍କ ଗୃହର କର୍ମକାରୀ ସୂତ୍ରଧର ଓ ଗାନ୍ଥକ
ଦିତୀୟ ରାଜାବଳୀ 12 : 12 (IRVOR)
ଓ ରାଜମିସ୍ତ୍ରୀ ଓ ପ୍ରସ୍ତର ଖୋଦକମାନଙ୍କୁ, ଆଉ ସଦାପ୍ରଭୁଙ୍କ ଗୃହର ଭଗ୍ନସ୍ଥାନସବୁ ପୁନଃନିର୍ମାଣ କରିବା ନିମନ୍ତେ କାଷ୍ଠ ଓ ଖୋଦିତ ପ୍ରସ୍ତର କିଣିବାକୁ ଓ ଗୃହର ପୁନଃନିର୍ମାଣ କରିବାକୁ ପ୍ରୟୋଜନୀୟ ସର୍ବପ୍ରକାର ବ୍ୟୟ ପାଇଁ ତାହା ଦେଲେ।
ଦିତୀୟ ରାଜାବଳୀ 12 : 13 (IRVOR)
ମାତ୍ର ସଦାପ୍ରଭୁଙ୍କ ଗୃହକୁ ଆନୀତ ସେହି ମୁଦ୍ରା ଦ୍ୱାରା ସଦାପ୍ରଭୁଙ୍କ ଗୃହ ନିମନ୍ତେ ରୌପ୍ୟ ପାତ୍ର, କତୁରୀ, କୁଣ୍ଡ, ତୂରୀ, କୌଣସି ସୁବର୍ଣ୍ଣ ପାତ୍ର, କିଅବା ରୌପ୍ୟ ପାତ୍ର ନିର୍ମିତ ହେଲା ନାହିଁ।
ଦିତୀୟ ରାଜାବଳୀ 12 : 14 (IRVOR)
କାରଣ ସେମାନେ କର୍ମକାରୀମାନଙ୍କୁ ସେହି ମୁଦ୍ରା ଦେଇ ତଦ୍ଦ୍ୱାରା ସଦାପ୍ରଭୁଙ୍କ ଗୃହ ପୁନଃନିର୍ମାଣ କଲେ।
ଦିତୀୟ ରାଜାବଳୀ 12 : 15 (IRVOR)
ମାତ୍ର ସେମାନେ କର୍ମକାରୀମାନଙ୍କୁ ଦେବା ପାଇଁ ଯେଉଁମାନଙ୍କ ହସ୍ତରେ ମୁଦ୍ରା ସମର୍ପଣ କଲେ, ସେମାନଙ୍କଠାରୁ ହିସାବ ନେଲେ ନାହିଁ; କାରଣ ସେମାନେ ବିଶ୍ୱସ୍ତ ଭାବରେ କର୍ମ କଲେ।
ଦିତୀୟ ରାଜାବଳୀ 12 : 16 (IRVOR)
ଦୋଷାର୍ଥକ ବଳି ଓ ପାପାର୍ଥକ ବଳିର ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଅଣାଗଲା ନାହିଁ, ତାହା ଯାଜକମାନଙ୍କର ହେଲା।
ଦିତୀୟ ରାଜାବଳୀ 12 : 17 (IRVOR)
ସେସମୟରେ ଅରାମର ରାଜା ହସାୟେଲ ଯାତ୍ରା କରି ଗାଥ୍‍ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲା; ତହିଁ ଉତ୍ତାରେ ହସାୟେଲ ଯିରୂଶାଲମ ଆଡ଼କୁ ଯିବା ପାଇଁ ମୁଖ କଲା।
ଦିତୀୟ ରାଜାବଳୀ 12 : 18 (IRVOR)
ତହିଁରେ ଯିହୁଦାର ରାଜା ଯୋୟାଶ୍‍ ଆପଣା ପୂର୍ବପୁରୁଷ ଯିହୋଶାଫଟ୍‍ ଓ ଯିହୋରାମ୍‍ ଓ ଅହସୀୟ, ଯିହୁଦାର ଏହି ରାଜାମାନଙ୍କ ପ୍ରତିଷ୍ଠିତ ସମସ୍ତ ପବିତ୍ରୀକୃତ ବସ୍ତୁ ଓ ଆପଣାର ପବିତ୍ରୀକୃତ ବସ୍ତୁ ଓ ସଦାପ୍ରଭୁଙ୍କ ଗୃହର ଭଣ୍ଡାରରେ ଓ ରାଜଗୃହସ୍ଥ ଭଣ୍ଡାରରେ ପ୍ରାପ୍ତ ସମସ୍ତ ସ୍ୱର୍ଣ୍ଣ ନେଇ ଅରାମର ରାଜା ହସାୟେଲ ନିକଟକୁ ପଠାଇଲେ; ତହୁଁ ସେ ଯିରୂଶାଲମରୁ ବାହାରି ଗଲା।
ଦିତୀୟ ରାଜାବଳୀ 12 : 19 (IRVOR)
ଏହି ଯୋୟାଶ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କ’ଣ ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ ?
ଦିତୀୟ ରାଜାବଳୀ 12 : 20 (IRVOR)
ଏଥିଉତ୍ତାରେ ତାଙ୍କର ଦାସମାନେ ଉଠି ଚକ୍ରାନ୍ତ କରି ସିଲ୍ଲାକୁ ଯିବା ପଥରେ ମିଲ୍ଲୋ ନାମକ ଗୃହରେ ଯୋୟାଶ୍‍ଙ୍କୁ ବଧ କଲେ।
ଦିତୀୟ ରାଜାବଳୀ 12 : 21 (IRVOR)
ଶିମୀୟତର ପୁତ୍ର ଯୋଷାଖର୍‍ ଓ ଶୋମରର ପୁତ୍ର ଯିହୋଷାବଦ୍‍ ନାମକ ତାଙ୍କର ଏହି ଦାସମାନେ ତାଙ୍କୁ ଆଘାତ କରନ୍ତେ, ସେ ମଲେ; ତହିଁରେ ସେମାନେ ଦାଉଦ ନଗରରେ ଯୋୟାଶ୍‍ଙ୍କୁ ତାଙ୍କର ପିତୃଲୋକଙ୍କ ସହିତ କବର ଦେଲେ; ପୁଣି ତାଙ୍କ ପୁତ୍ର ଅମତ୍‍ସୀୟ ତାଙ୍କ ପଦରେ ରାଜ୍ୟ କଲେ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21