ଦିତୀୟ ବଂଶାବଳୀ 2 : 1 (IRVOR)
ମନ୍ଦିର ନିର୍ମାଣ ନିମନ୍ତେ ବିଭିନ୍ନ ପ୍ରସ୍ତୁତି ଏଥିଉତ୍ତାରେ ଶଲୋମନ ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଏକ ଗୃହ ଓ ଆପଣା ରାଜ୍ୟ ପାଇଁ ଏକ ଗୃହ ନିର୍ମାଣ କରିବାକୁ ମନସ୍ଥ କଲେ।
ଦିତୀୟ ବଂଶାବଳୀ 2 : 2 (IRVOR)
ପୁଣି ଶଲୋମନ ଭାରବହନାର୍ଥେ ସତୁରି ହଜାର ଲୋକ ଓ ପର୍ବତରେ ଅଶୀ ହଜାର କଟାଳି ଲୋକ ଓ ସେମାନଙ୍କ କାର୍ଯ୍ୟର ତତ୍ତ୍ୱାବଧାରଣ ନିମନ୍ତେ ତିନି ହଜାର ଛଅ ଶହ ଲୋକ ନିଯୁକ୍ତ କଲେ।
ଦିତୀୟ ବଂଶାବଳୀ 2 : 3 (IRVOR)
ଆଉ ଶଲୋମନ ସୋରର ରାଜା ହୂରମ୍‍ ନିକଟକୁ ଲୋକ ପଠାଇ କହିଲେ, “ଆପଣ ମୋ’ ପିତା ଦାଉଦଙ୍କ ପ୍ରତି ଯେପରି ବ୍ୟବହାର କରିଥିଲେ ଓ ତାଙ୍କ ବସତି-ଗୃହର ନିର୍ମାଣ ନିମନ୍ତେ ଏରସ କାଷ୍ଠ ପଠାଇଥିଲେ, ସେହିପରି ମୋ’ ପ୍ରତି ବ୍ୟବହାର କରନ୍ତୁ।
ଦିତୀୟ ବଂଶାବଳୀ 2 : 4 (IRVOR)
ଦେଖନ୍ତୁ, ମୁଁ ସଦାପ୍ରଭୁ ମୋ’ ପରମେଶ୍ୱରଙ୍କ ନାମ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି, ତାହାଙ୍କ ସମ୍ମୁଖରେ ସୁଗନ୍ଧି ଧୂପ ଜ୍ୱଳାଇବା ପାଇଁ ଓ ନିତ୍ୟ ଦର୍ଶନୀୟ ରୁଟି ପାଇଁ, ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ, ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିରୂପିତ ପର୍ବସବୁରେ ହୋମବଳି ନିମନ୍ତେ ତାହା ମୁଁ ପ୍ରତିଷ୍ଠା କରିବି। ଏହା ଇସ୍ରାଏଲ ପ୍ରତି ନିତ୍ୟ ଏକ ବିଧି ଅଟେ।
ଦିତୀୟ ବଂଶାବଳୀ 2 : 5 (IRVOR)
ଆଉ ମୁଁ ଯେଉଁ ଗୃହ ନିର୍ମାଣ କରିବି, ତାହା ବୃହତ୍ ହେବ; କାରଣ ସମସ୍ତ ଦେବତାଠାରୁ ଆମ୍ଭମାନଙ୍କ ପରମେଶ୍ୱର ମହାନ୍ ଅଟନ୍ତି।
ଦିତୀୟ ବଂଶାବଳୀ 2 : 6 (IRVOR)
ମାତ୍ର ତାହାଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ କିଏ ସମର୍ଥ ? ଯେହେତୁ ସ୍ୱର୍ଗ ଓ ସ୍ୱର୍ଗର ସ୍ୱର୍ଗ ହିଁ ତାହାଙ୍କୁ ଧାରଣ କରି ନ ପାରେ; ତେବେ ମୁଁ କିଏ ଯେ, ତାହାଙ୍କ ପାଇଁ ଗୃହ ନିର୍ମାଣ କରିବି ? କେବଳ ତାହାଙ୍କ ସମ୍ମୁଖରେ ଧୂପ ଜ୍ୱଳାଇବା ପାଇଁ ତାହା କରିବି।
ଦିତୀୟ ବଂଶାବଳୀ 2 : 7 (IRVOR)
ଏହେତୁ ମୋ’ ପିତା ଦାଉଦଙ୍କ ଦ୍ୱାରା ନିଯୁକ୍ତ ଯେଉଁ ନିପୁଣ ଲୋକମାନେ ଯିହୁଦାରେ ଓ ଯିରୂଶାଲମରେ ମୋ’ ନିକଟରେ ଅଛନ୍ତି, ସେମାନଙ୍କ ସଙ୍ଗେ ସୁନା, ରୂପା, ପିତ୍ତଳ, ଲୁହା, ଧୂମ୍ର, ସିନ୍ଦୂର ଓ ନୀଳସୂତ୍ରର କର୍ମରେ ଓ ସର୍ବପ୍ରକାର ଖୋଦନ-କର୍ମରେ ନିପୁଣ ଏକ ଲୋକକୁ ମୋ’ ନିକଟକୁ ପଠାଉନ୍ତୁ।
ଦିତୀୟ ବଂଶାବଳୀ 2 : 8 (IRVOR)
ଆହୁରି ଲିବାନୋନରୁ ଏରସ କାଷ୍ଠ ଓ ଦେବଦାରୁ କାଷ୍ଠ ଓ ଚନ୍ଦନ କାଷ୍ଠ ମୋ’ ନିକଟକୁ ପଠାଉନ୍ତୁ; କାରଣ ମୁଁ ଜାଣେ, ଆପଣଙ୍କ ଦାସମାନେ ଲିବାନୋନରେ କାଷ୍ଠ କାଟିବାରେ ନିପୁଣ;
ଦିତୀୟ ବଂଶାବଳୀ 2 : 9 (IRVOR)
ଆଉ ଦେଖନ୍ତୁ, ମୋ’ ଦାସମାନେ ମଧ୍ୟ ପ୍ରଚୁର କାଷ୍ଠ ପ୍ରସ୍ତୁତ କରିବା ପାଇଁ ଆପଣଙ୍କ ଦାସମାନଙ୍କ ସଙ୍ଗେ ରହିବେ; ଯେହେତୁ ମୁଁ ଯେଉଁ ଗୃହ ନିର୍ମାଣ କରିବାକୁ ଉଦ୍ୟତ ଅଛି, ତାହା ଆଶ୍ଚର୍ଯ୍ୟ ଓ ବୃହତ୍ ହେବ।
ଦିତୀୟ ବଂଶାବଳୀ 2 : 10 (IRVOR)
ଆଉ ଦେଖନ୍ତୁ, ମୁଁ ଆପଣଙ୍କ ଦାସ କାଠକଟାଳୀମାନଙ୍କୁ କୋଡ଼ିଏ ହଜାର ମହଣ ମଳା ଗହମ ଓ କୋଡ଼ିଏ ହଜାର ମହଣ ଯବ ଓ କୋଡ଼ିଏ ହଜାର ମହଣ ଦ୍ରାକ୍ଷାରସ ଓ କୋଡ଼ିଏ ହଜାର ମହଣ ତୈଳ ଦେବି।”
ଦିତୀୟ ବଂଶାବଳୀ 2 : 11 (IRVOR)
ତହିଁରେ ସୋରର ରାଜା ହୂରମ୍‍ ଶଲୋମନଙ୍କ ନିକଟକୁ ଏହି ଉତ୍ତର ଲେଖି ପଠାଇଲା, ସଦାପ୍ରଭୁ ଆପଣା ଲୋକମାନଙ୍କୁ ପ୍ରେମ କରନ୍ତି, ଏହେତୁ ସେମାନଙ୍କ ଉପରେ ସେ ତୁମ୍ଭକୁ ରାଜା କରିଅଛନ୍ତି।
ଦିତୀୟ ବଂଶାବଳୀ 2 : 12 (IRVOR)
ହୂରମ୍‍ ଆହୁରି କହିଲା, ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ସଦାପ୍ରଭୁଙ୍କ ନିମନ୍ତେ ଏକ ଗୃହ ଓ ଆପଣା ରାଜ୍ୟ ନିମନ୍ତେ ଏକ ଗୃହ ନିର୍ମାଣ କରିବା ପାଇଁ ଦାଉଦ ରାଜାଙ୍କୁ ବୁଦ୍ଧି ଓ ବିବେଚନାବିଶିଷ୍ଟ ଏକ ଜ୍ଞାନବାନ ପୁତ୍ର ଦେଇଅଛନ୍ତି।
ଦିତୀୟ ବଂଶାବଳୀ 2 : 13 (IRVOR)
ଏବେ ମୁଁ ମୋ’ ପିତା ହୂରମ୍‍ଙ୍କର ଏକ ଜଣ ନିପୁଣ ବୁଦ୍ଧିମାନ ଲୋକ ପଠାଇଲି,
ଦିତୀୟ ବଂଶାବଳୀ 2 : 14 (IRVOR)
ସେ ଦାନ୍‍ ବଂଶୀୟା ଏକ ସ୍ତ୍ରୀର ପୁତ୍ର, ତାହାର ପିତା ସୋରୀୟ ଲୋକ ଥିଲା, ସେ ସୁନା, ରୂପା, ପିତ୍ତଳ, ଲୁହା, ପ୍ରସ୍ତର, କାଷ୍ଠ ଓ ଧୂମ, ନୀଳ, କ୍ଷୌମ ଓ ସିନ୍ଦୂରବର୍ଣ୍ଣ ସୂତ୍ରର କାର୍ଯ୍ୟରେ, ମଧ୍ୟ ସର୍ବପ୍ରକାର ଖୋଦନ କାର୍ଯ୍ୟ ଓ ସର୍ବ ପ୍ରକାର କଳ୍ପନାର କାର୍ଯ୍ୟ କରିବାକୁ ନିପୁଣ; ତାହାକୁ ଆପଣଙ୍କ ନିପୁଣ ଲୋକମାନଙ୍କ ମଧ୍ୟରେ ଓ ଆପଣଙ୍କ ପିତା ମୋ’ ପ୍ରଭୁ ଦାଉଦଙ୍କ ନିପୁଣ ଲୋକମାନଙ୍କ ମଧ୍ୟରେ ସ୍ଥାନ ଦିଆଯାଉ।
ଦିତୀୟ ବଂଶାବଳୀ 2 : 15 (IRVOR)
ଏହେତୁ ମୋ’ ପ୍ରଭୁ ଯେଉଁ ଗହମ ଓ ଯବ, ତୈଳ ଓ ଦ୍ରାକ୍ଷାରସ ବିଷୟ କହିଅଛନ୍ତି, ତାହା ସେ ଆପଣା ଦାସମାନଙ୍କ ନିକଟକୁ ପଠାଇ ଦେଉନ୍ତୁ;
ଦିତୀୟ ବଂଶାବଳୀ 2 : 16 (IRVOR)
ତହିଁରେ ଆପଣଙ୍କ ଯେତେ କାଷ୍ଠ ପ୍ରୟୋଜନ ହେବ, ତାହା ଆମ୍ଭେମାନେ ଲିବାନୋନରୁ କାଟିବୁ; ଆଉ ଆମ୍ଭେମାନେ ଭେଳା ବାନ୍ଧି ସମୁଦ୍ର ପଥରେ ଯାଫୋରେ ଆପଣଙ୍କ ନିକଟରେ ପହଞ୍ଚାଇ ଦେବୁ; ତହୁଁ ଆପଣ ତାହା ଯିରୂଶାଲମକୁ ନେଇ ଯିବେ।
ଦିତୀୟ ବଂଶାବଳୀ 2 : 17 (IRVOR)
ଏଥିଉତ୍ତାରେ ଶଲୋମନ ଆପଣା ପିତା ଦାଉଦଙ୍କର କୃତ ଗଣନା ଉତ୍ତାରେ ଇସ୍ରାଏଲ ଦେଶରେ ପ୍ରବାସକାରୀ ବିଦେଶୀ ସମସ୍ତଙ୍କୁ ଗଣନା କଲେ; ତହିଁରେ ଏକ ଲକ୍ଷ ତେପନ ହଜାର ଛଅ ଶହ ଲୋକ ମିଳିଲେ।
ଦିତୀୟ ବଂଶାବଳୀ 2 : 18 (IRVOR)
ତହୁଁ ସେ ସେମାନଙ୍କ ମଧ୍ୟରୁ ଭାର ବହିବା ପାଇଁ ସତୁରି ହଜାର ଲୋକ ଓ ପର୍ବତରେ ଅଶୀ ହଜାର କଟାଳି ଲୋକ ଓ ଲୋକମାନଙ୍କୁ କାର୍ଯ୍ୟ କରାଇବା ପାଇଁ ତିନି ହଜାର ଛଅ ଶହ କାର୍ଯ୍ୟଶାସକଙ୍କୁ ନିଯୁକ୍ତ କଲେ।

1 2 3 4 5 6 7 8 9 10 11 12 13 14 15 16 17 18