ପ୍ରଥମ ଶାମୁୟେଲ 19 : 1 (IRVOR)
ଦାଉଦ ଶାଉଲଙ୍କ ଦ୍ୱାରା ଉତ୍ପୀଡ଼ିତ ଏଥିଉତ୍ତାରେ ଦାଉଦଙ୍କୁ ବଧ କରିବା ପାଇଁ ଶାଉଲ ଆପଣା ପୁତ୍ର ଯୋନାଥନକୁ ଓ ଆପଣା ଦାସ ସମସ୍ତଙ୍କୁ କହିଲେ।
ପ୍ରଥମ ଶାମୁୟେଲ 19 : 2 (IRVOR)
ମାତ୍ର ଶାଉଲଙ୍କର ପୁତ୍ର ଯୋନାଥନ ଦାଉଦଙ୍କଠାରେ ଅତ୍ୟନ୍ତ ଅନୁରକ୍ତ ଥିଲା। ଏହେତୁ ଯୋନାଥନ ଦାଉଦଙ୍କୁ କହିଲା, ମୋର ପିତା ଶାଉଲ ତୁମ୍ଭକୁ ବଧ କରିବାକୁ ଚାହାନ୍ତି; ଏଥିପାଇଁ ମୁଁ ବିନୟ କରୁଅଛି, ତୁମ୍ଭେ ପ୍ରାତଃକାଳରେ ଆପଣା ବିଷୟରେ ସାବଧାନ ହୋଇ କୌଣସି ଗୁପ୍ତ ସ୍ଥାନରେ ରହି ଆପଣାକୁ ଲୁଚାଅ;
ପ୍ରଥମ ଶାମୁୟେଲ 19 : 3 (IRVOR)
ପୁଣି, ତୁମ୍ଭେ ଯେଉଁ କ୍ଷେତ୍ରରେ ଥିବ, ସେସ୍ଥାନକୁ ମୁଁ ଯାଇ ମୋହର ପିତାଙ୍କ ପାଖରେ ଠିଆ ହୋଇ ତୁମ୍ଭ ବିଷୟରେ ମୋର ପିତାଙ୍କ ସଙ୍ଗେ କଥୋପକଥନ କରିବି; ଯେବେ ମୁଁ କିଛି ଦେଖିବି, ତେବେ ତୁମ୍ଭକୁ ଜଣାଇବି।
ପ୍ରଥମ ଶାମୁୟେଲ 19 : 4 (IRVOR)
ପୁଣି, ଯୋନାଥନ ଆପଣା ପିତା ଶାଉଲଙ୍କୁ ଦାଉଦଙ୍କ ବିଷୟରେ ଭଲ କଥା କହି ତାଙ୍କୁ କହିଲା, ମହାରାଜ, ଆପଣା ଦାସ ଦାଉଦ ବିରୁଦ୍ଧରେ ପାପ ନ କରନ୍ତୁ, ଯେହେତୁ ସେ ଆପଣଙ୍କ ବିରୁଦ୍ଧରେ ପାପ କରି ନାହିଁ; ମାତ୍ର ତାହାର ସମସ୍ତ କର୍ମ ଆପଣଙ୍କ ପକ୍ଷରେ ଅତି ମଙ୍ଗଳଜନକ ହୋଇଅଛି;
ପ୍ରଥମ ଶାମୁୟେଲ 19 : 5 (IRVOR)
କାରଣ ସେ ଆପଣା ପ୍ରାଣ ହସ୍ତରେ ଧରି ସେହି ପଲେଷ୍ଟୀୟକୁ ବଧ କଲା, ତହିଁରେ ସଦାପ୍ରଭୁ ସମୁଦାୟ ଇସ୍ରାଏଲ ନିମନ୍ତେ ମହା ଉଦ୍ଧାର ସାଧନ କଲେ; ଆପଣ ତାହା ଦେଖିଥିଲେ ଓ ଆନନ୍ଦ କରିଥିଲେ; ତେବେ ଆପଣ ବିନା କାରଣରେ ଦାଉଦକୁ ବଧ କରି କାହିଁକି ନିର୍ଦ୍ଦୋଷ ରକ୍ତ ବିରୁଦ୍ଧରେ ପାପ କରିବେ ?
ପ୍ରଥମ ଶାମୁୟେଲ 19 : 6 (IRVOR)
ଏଥିରେ ଶାଉଲ ଯୋନାଥନର ରବ ଶୁଣିଲେ; ପୁଣି, ଶାଉଲ ଶପଥ କରି କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ହତ ହେବେ ନାହିଁ।
ପ୍ରଥମ ଶାମୁୟେଲ 19 : 7 (IRVOR)
ଏଉତ୍ତାରେ ଯୋନାଥନ ଦାଉଦଙ୍କୁ ଡାକିଲା ଓ ଯୋନାଥନ ତାଙ୍କୁ ସେ ସମସ୍ତ କଥା ଜଣାଇଲା। ପୁଣି, ଯୋନାଥନ ଦାଉଦଙ୍କୁ ଶାଉଲଙ୍କ ନିକଟକୁ ଆଣିଲା, ତହିଁରେ ସେ ପୂର୍ବ ପରି ତାଙ୍କ ସମ୍ମୁଖରେ ରହିଲେ।
ପ୍ରଥମ ଶାମୁୟେଲ 19 : 8 (IRVOR)
ଏଥିଉତ୍ତାରେ ପୁନର୍ବାର ଯୁଦ୍ଧ ହେଲା; ତହିଁରେ ଦାଉଦ ବାହାରି ପଲେଷ୍ଟୀୟମାନଙ୍କ ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ମହାସଂହାରରେ ବଧ କଲେ; ତହୁଁ ସେମାନେ ତାଙ୍କ ସମ୍ମୁଖରୁ ପଳାୟନ କଲେ।
ପ୍ରଥମ ଶାମୁୟେଲ 19 : 9 (IRVOR)
ଏଉତ୍ତାରେ ଶାଉଲ ଆପଣା ହାତରେ ବର୍ଚ୍ଛା ଧରି ଗୃହରେ ବସିଥିବା ବେଳେ ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କ ଉପରକୁ ଆସିଲା; ସେସମୟରେ ଦାଉଦ ଆପଣା ହସ୍ତରେ ବାଦ୍ୟ ବଜାଉଥିଲେ,
ପ୍ରଥମ ଶାମୁୟେଲ 19 : 10 (IRVOR)
ଏପରି ସମୟରେ ଶାଉଲ ବର୍ଚ୍ଛାରେ ଦାଉଦଙ୍କୁ କାନ୍ଥରେ ଫୋଡ଼ି ପକାଇବାକୁ ଚାହିଁଲେ; ମାତ୍ର ସେ ଶାଉଲଙ୍କ ସମ୍ମୁଖରୁ ଘୁଞ୍ଚିଯିବାରୁ ବର୍ଚ୍ଛା କାନ୍ଥରେ ଫୋଡ଼ି ହୋଇଗଲା; ପୁଣି, ଦାଉଦ ପଳାଇ ସେହି ରାତ୍ରି ରକ୍ଷା ପାଇଲେ।
ପ୍ରଥମ ଶାମୁୟେଲ 19 : 11 (IRVOR)
ତହୁଁ ଦାଉଦଙ୍କୁ ଜଗି ସକାଳେ ବଧ କରିବା ପାଇଁ ତାଙ୍କର ଗୃହକୁ ଶାଉଲ ଦୂତମାନଙ୍କୁ ପଠାଇଲେ; ଏଥିରେ ଦାଉଦଙ୍କର ଭାର୍ଯ୍ୟା ମୀଖଲ ତାଙ୍କୁ କହିଲା, ତୁମ୍ଭେ ଆଜି ରାତ୍ରି ଆପଣା ପ୍ରାଣରକ୍ଷା ନ କଲେ, କାଲି ହତ ହେବ।
ପ୍ରଥମ ଶାମୁୟେଲ 19 : 12 (IRVOR)
ତେଣୁ ମୀଖଲ ଝରକା ଦେଇ ଦାଉଦଙ୍କୁ ଓହ୍ଲାଇ ଦେଲା; ଏଥିରେ ସେ ଗଲେ ଓ ପଳାଇ ରକ୍ଷା ପାଇଲେ।
ପ୍ରଥମ ଶାମୁୟେଲ 19 : 13 (IRVOR)
ତହୁଁ ମୀଖଲ ମୂର୍ତ୍ତି ନେଇ ଶଯ୍ୟାରେ ଶୁଆଇଲା ଓ ଛାଗଲୋମ ନିର୍ମିତ ରେଜାଇ ତହିଁର ମସ୍ତକରେ ଦେଇ ତାହାକୁ ଚାଦରରେ ଘୋଡ଼ାଇ ରଖିଲା।
ପ୍ରଥମ ଶାମୁୟେଲ 19 : 14 (IRVOR)
ଏଉତ୍ତାରେ ଦାଉଦଙ୍କୁ ଧରି ନେବା ପାଇଁ ଶାଉଲ ଦୂତମାନଙ୍କୁ ପଠାନ୍ତେ, ମୀଖଲ କହିଲା, ସେ ପୀଡ଼ିତ ଅଛନ୍ତି।
ପ୍ରଥମ ଶାମୁୟେଲ 19 : 15 (IRVOR)
ତହିଁରେ ଶାଉଲ ଦାଉଦଙ୍କୁ ଦେଖିବା ପାଇଁ ଦୂତମାନଙ୍କୁ ପଠାଇ କହିଲେ, ତାହାକୁ ଶଯ୍ୟାରେ ମୋ’ ନିକଟକୁ ଆଣ, ମୁଁ ତାହାକୁ ବଧ କରିବି।
ପ୍ରଥମ ଶାମୁୟେଲ 19 : 16 (IRVOR)
ତହୁଁ ଦୂତମାନେ ଭିତରେ ଯାଆନ୍ତେ, ଦେଖ, ଶଯ୍ୟାରେ ମୂର୍ତ୍ତି ଅଛି ଓ ତହିଁର ମସ୍ତକରେ ଛାଗଲୋମ ନିର୍ମିତ ରେଜାଇ ଅଛି।
ପ୍ରଥମ ଶାମୁୟେଲ 19 : 17 (IRVOR)
ଏଣୁ ଶାଉଲ ମୀଖଲକୁ କହିଲେ, ତୁମ୍ଭେ କାହିଁକି ମୋତେ ଏରୂପ ପ୍ରବଞ୍ଚନା କଲ ଓ ମୋ’ ଶତ୍ରୁକୁ ଛାଡ଼ିଦେଲ ଯେ, ସେ ପଳାଇଗଲା ? ତହିଁରେ ମୀଖଲ ଶାଉଲଙ୍କୁ ଉତ୍ତର କଲା, ସେ ମୋତେ କହିଲେ, ମୋତେ ଛାଡ଼ିଦିଅ; ମୁଁ କାହିଁକି ତୁମ୍ଭକୁ ବଧ କରିବି ?
ପ୍ରଥମ ଶାମୁୟେଲ 19 : 18 (IRVOR)
ଏଥି ମଧ୍ୟରେ ଦାଉଦ ପଳାଇ ରକ୍ଷା ପାଇଲେ ଓ ରାମାରେ ଶାମୁୟେଲଙ୍କ ନିକଟକୁ ଯାଇ ଶାଉଲ ତାଙ୍କ ପ୍ରତି ଯାହା କରିଥିଲେ, ତାହା ସବୁ ତାଙ୍କୁ ଜଣାଇଲେ। ତହୁଁ ସେ ଓ ଶାମୁୟେଲ ଯାଇ ନାୟୋତରେ ବାସ କଲେ।
ପ୍ରଥମ ଶାମୁୟେଲ 19 : 19 (IRVOR)
ଏଉତ୍ତାରେ ଶାଉଲଙ୍କୁ ଜଣାଇ ଦିଆଗଲା, ଦେଖ, ଦାଉଦ ରାମାସ୍ଥିତ ନାୟୋତରେ ଅଛନ୍ତି।
ପ୍ରଥମ ଶାମୁୟେଲ 19 : 20 (IRVOR)
ତେଣୁ ଶାଉଲ ଦାଉଦଙ୍କୁ ଧରିବା ପାଇଁ ଦୂତମାନଙ୍କୁ ପଠାଇଲେ; ମାତ୍ର ସେମାନେ ଭବିଷ୍ୟଦ୍‍ବକ୍ତା ଦଳକୁ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବାର ଓ ସେମାନଙ୍କ ଉପରେ ନିଯୁକ୍ତ ଶାମୁୟେଲଙ୍କୁ ଠିଆ ହେବାର ଦେଖନ୍ତେ, ପରମେଶ୍ୱରଙ୍କ ଆତ୍ମା ଶାଉଲଙ୍କର ଦୂତମାନଙ୍କ ଉପରକୁ ଆସିଲେ, ତହିଁରେ ସେମାନେ ମଧ୍ୟ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
ପ୍ରଥମ ଶାମୁୟେଲ 19 : 21 (IRVOR)
ଆଉ ଏହି କଥା ଶାଉଲଙ୍କୁ ଜଣାଇ ଦିଆଯାଆନ୍ତେ, ସେ ଅନ୍ୟ ଦୂତମାନଙ୍କୁ ପଠାଇଲେ, ମାତ୍ର ସେମାନେ ମଧ୍ୟ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ। ଏଉତ୍ତାରେ ଶାଉଲ ପୁନର୍ବାର ତୃତୀୟ ଥର ଦୂତମାନଙ୍କୁ ପଠାଇଲେ ଓ ସେମାନେ ମଧ୍ୟ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
ପ୍ରଥମ ଶାମୁୟେଲ 19 : 22 (IRVOR)
ତେବେ ସେ ନିଜେ ମଧ୍ୟ ରାମାକୁ ଯାଇ ସେଖୁସ୍ଥିତ ବୃହତ କୂପ ନିକଟରେ ଉପସ୍ଥିତ ହେଲେ; ପୁଣି, ସେ ପଚାରି କହିଲେ, ଶାମୁୟେଲ ଓ ଦାଉଦ କେଉଁଠାରେ ଅଛନ୍ତି ? ଏଥିରେ ଜଣେ କହିଲା, ଦେଖ, ସେମାନେ ରାମାସ୍ଥିତ ନାୟୋତରେ ଅଛନ୍ତି।
ପ୍ରଥମ ଶାମୁୟେଲ 19 : 23 (IRVOR)
ତେଣୁ ସେ ରାମାସ୍ଥିତ ନାୟୋତକୁ ଗଲେ; ତହିଁରେ ପରମେଶ୍ୱରଙ୍କ ଆତ୍ମା ତାଙ୍କ ଉପରକୁ ମଧ୍ୟ ଆସନ୍ତେ, ସେ ଯାଉ ଯାଉ ରାମାସ୍ଥିତ ନାୟୋତରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
ପ୍ରଥମ ଶାମୁୟେଲ 19 : 24 (IRVOR)
ପୁଣି, ସେ ମଧ୍ୟ ଆପଣା ବସ୍ତ୍ର କାଢ଼ି ଶାମୁୟେଲଙ୍କ ସମ୍ମୁଖରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ, ଆଉ ସେହି ସାରାଦିନ ଓ ସାରାରାତ୍ରି ପୋଷାକ ନ ପିନ୍ଧି ପଡ଼ି ରହିଲେ। ତେଣୁ ଲୋକେ କହନ୍ତି, ଶାଉଲ ହିଁ କି ଭବିଷ୍ୟଦ୍‍ବକ୍ତାମାନଙ୍କ ମଧ୍ୟରେ ଜଣେ ?

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24