ପ୍ରଥମ ରାଜାବଳୀ 6 : 1 (IRVOR)
{ଶଲୋମନଙ୍କ ମନ୍ଦିର ନିର୍ମାଣ} [PS] ମିସର ଦେଶରୁ ଇସ୍ରାଏଲ ସନ୍ତାନଗଣ ବାହାରି ଆସିଲା ଉତ୍ତାରେ ଚାରି ଶହ ଅଶୀ ବର୍ଷରେ ଓ ଇସ୍ରାଏଲ ଉପରେ ଶଲୋମନଙ୍କର ରାଜତ୍ୱର ଚତୁର୍ଥ ବର୍ଷର ସିବ୍ ନାମକ ଦ୍ୱିତୀୟ ମାସରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବାକୁ ଆରମ୍ଭ କଲେ।
ପ୍ରଥମ ରାଜାବଳୀ 6 : 2 (IRVOR)
ପୁଣି, ଶଲୋମନ ରାଜା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଗୃହ ନିର୍ମାଣ କଲେ, ତହିଁର ଦୈର୍ଘ୍ୟ ଷାଠିଏ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ଓ ଉଚ୍ଚତା ତିରିଶ ହାତ।
ପ୍ରଥମ ରାଜାବଳୀ 6 : 3 (IRVOR)
ଆଉ ଗୃହର ପବିତ୍ର ସ୍ଥାନ ସମ୍ମୁଖସ୍ଥ ବାରଣ୍ଡା, ଗୃହର ପ୍ରସ୍ଥାନୁସାରେ କୋଡ଼ିଏ ହାତ ଦୀର୍ଘ ଓ ଗୃହର ସମ୍ମୁଖରେ ତହିଁର ପ୍ରସ୍ଥ ଦଶ ହାତ ଥିଲା।
ପ୍ରଥମ ରାଜାବଳୀ 6 : 4 (IRVOR)
ପୁଣି, ଗୃହ ନିମନ୍ତେ ସେ ବନ୍ଦ ଜାଲିଝରକା ନିର୍ମାଣ କଲେ।
ପ୍ରଥମ ରାଜାବଳୀ 6 : 5 (IRVOR)
ପୁଣି, ସେ ଗୃହର କାନ୍ଥ ଚାରିଆଡ଼େ, ଅର୍ଥାତ୍, ମନ୍ଦିର ଓ ମହା ପବିତ୍ର ସ୍ଥାନ ର କାନ୍ଥକୁ ଲଗାଇ ଚାରିଆଡ଼େ ମହଲା ବନାଇଲେ ଓ ଚାରିଆଡ଼େ କୋଠରି ନିର୍ମାଣ କଲେ।
ପ୍ରଥମ ରାଜାବଳୀ 6 : 6 (IRVOR)
ତହିଁରେ ତଳ ମହଲା ପାଞ୍ଚ ହାତ ପ୍ରସ୍ଥ, ମଧ୍ୟ ମହଲା ଛଅ ହାତ ପ୍ରସ୍ଥ ଓ ତୃତୀୟ ମହଲା ସାତ ହାତ ପ୍ରସ୍ଥ ଥିଲା। କାରଣ, କଡ଼ିକାଠ ଯେପରି ଗୃହର କାନ୍ଥରେ ବନ୍ଦ ନ ହୁଏ, ଏଥିପାଇଁ ସେ ଚାରିଆଡ଼େ ଗୃହର କାନ୍ଥର ବାହାର ଭାଗରେ ଆଧାର କଲେ।
ପ୍ରଥମ ରାଜାବଳୀ 6 : 7 (IRVOR)
ସେହି ଗୃହ ନିର୍ମିତ ହେବା ସମୟରେ ତାହା ପଥରଖଣିରେ ପ୍ରସ୍ତୁତ ପଥରରେ ଗଢ଼ାଯାଇଥିଲା; ଏଣୁ ସେ ଗୃହ ନିର୍ମିତ ହେବା ସମୟଯାକ ତହିଁ ମଧ୍ୟରେ ହାତୁଡ଼ି କି କଟାଳି, କୌଣସି ଲୌହାସ୍ତ୍ରର ଶବ୍ଦ ଶୁଣା ନ ଗଲା।
ପ୍ରଥମ ରାଜାବଳୀ 6 : 8 (IRVOR)
ମଧ୍ୟମ କୋଠରିମାନର ଦ୍ୱାର ଗୃହର ଦକ୍ଷିଣ ଭାଗରେ ଥିଲା; ପୁଣି, ଲୋକମାନେ ଘୂର୍ଣ୍ଣିତ ସୋପାନ ଦେଇ ମଧ୍ୟମ କୋଠରିକୁ ଓ ମଧ୍ୟମ କୋଠରିରୁ ତୃତୀୟ କୋଠରିକୁ ଚଢ଼ି ଗଲେ।
ପ୍ରଥମ ରାଜାବଳୀ 6 : 9 (IRVOR)
ଏହିରୂପେ ସେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କଲେ, ଏରସ କାଷ୍ଠର କଡ଼ି ଓ ପଟାରେ ଗୃହ ଆଚ୍ଛାଦନ କଲେ।
ପ୍ରଥମ ରାଜାବଳୀ 6 : 10 (IRVOR)
ଆଉ, ସେ ସମୁଦାୟ ଗୃହକୁ ଲଗାଇ ପାଞ୍ଚ ପାଞ୍ଚ ହାତ ଉଚ୍ଚର ମହଲା ବନାଇଲେ ଓ ଏରସ କାଷ୍ଠ ଦ୍ୱାରା ଗୃହ ଉପରେ ସେହିସବୁର ଭାର ରହିଲା।
ପ୍ରଥମ ରାଜାବଳୀ 6 : 11 (IRVOR)
ଏଥିଉତ୍ତାରେ ଶଲୋମନଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା,
ପ୍ରଥମ ରାଜାବଳୀ 6 : 12 (IRVOR)
ତୁମ୍ଭେ ତ ଏହି ଗୃହ ନିର୍ମାଣ କରୁଅଛ, ଯଦି ତୁମ୍ଭେ ଆମ୍ଭର ସମସ୍ତ ବିଧି ଅନୁସାରେ ଚାଲିବ ଓ ଆମ୍ଭର ସକଳ ଶାସନ ରକ୍ଷା କରିବ ଓ ଆମ୍ଭର ଆଜ୍ଞାସବୁ ପାଳନ କରି ତଦନୁସାରେ ଚାଲିବ; ତେବେ ଆମ୍ଭେ ତୁମ୍ଭ ପିତା ଦାଉଦଙ୍କୁ ଯାହା କହିଅଛୁ, ଆମ୍ଭେ ଆପଣାର ସେହି ବାକ୍ୟ ତୁମ୍ଭ ପ୍ରତି ସଫଳ କରିବା।
ପ୍ରଥମ ରାଜାବଳୀ 6 : 13 (IRVOR)
ପୁଣି, ଆମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରେ ବାସ କରିବା ଓ ଆପଣା ଲୋକ ଇସ୍ରାଏଲକୁ ପରିତ୍ୟାଗ କରିବା ନାହିଁ।
ପ୍ରଥମ ରାଜାବଳୀ 6 : 14 (IRVOR)
ଏହିରୂପେ ଶଲୋମନ ଗୃହ ନିର୍ମାଣ କରି ତାହା ସମାପ୍ତ କଲେ।
ପ୍ରଥମ ରାଜାବଳୀ 6 : 15 (IRVOR)
ସେ ଗୃହର ଭିତର କାନ୍ଥସବୁରେ ଏରସ କାଷ୍ଠର ପଟା ଦେଲେ; ଗୃହର ଚଟାଣରୁ କାନ୍ଥର ଛାତ ପର୍ଯ୍ୟନ୍ତ ଭିତରଯାକ ସେ ସେହି କାଷ୍ଠରେ ଆଚ୍ଛାଦନ କଲେ; ପୁଣି, ଦେବଦାରୁ ପଟାରେ ଗୃହର ଚଟାଣ ଆଚ୍ଛାଦନ କଲେ।
ପ୍ରଥମ ରାଜାବଳୀ 6 : 16 (IRVOR)
ପୁଣି, ସେ ଗୃହର ପଶ୍ଚାତ୍ଭାଗ କୋଡ଼ିଏ ହାତ କରି ଚଟାଣରୁ କାନ୍ଥ ପର୍ଯ୍ୟନ୍ତ ଏରସ କାଷ୍ଠର ପଟା ଦେଲେ; ସେ ଭିତରେ ମହା ପବିତ୍ର ସ୍ଥାନ , ଅର୍ଥାତ୍, ମହାପବିତ୍ର-ସ୍ଥାନ ନିମନ୍ତେ ତାହା ପ୍ରସ୍ତୁତ କଲେ।
ପ୍ରଥମ ରାଜାବଳୀ 6 : 17 (IRVOR)
ତହିଁରେ ଗୃହ, ଅର୍ଥାତ୍, ମହା ପବିତ୍ର ସ୍ଥାନ ର ସମ୍ମୁଖସ୍ଥ ମନ୍ଦିର ଚାଳିଶ ହାତ ଦୀର୍ଘ ହେଲା।
ପ୍ରଥମ ରାଜାବଳୀ 6 : 18 (IRVOR)
ପୁଣି, ଗୃହ ଭିତରେ ଏରସ କାଷ୍ଠରେ କଳିକା ଓ ପ୍ରସ୍ପୁଟିତ ପୁଷ୍ପ ଖୋଦିତ କଲେ; ସବୁ ଏରସ କାଷ୍ଠର ଥିଲା; କିଛି ମାତ୍ର ପ୍ରସ୍ତର ଦୃଶ୍ୟ ନୋହିଲା।
ପ୍ରଥମ ରାଜାବଳୀ 6 : 19 (IRVOR)
ପୁଣି, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସ୍ଥାପନାର୍ଥେ ଅନ୍ତଃସ୍ଥ ଗୃହ ମଧ୍ୟରେ ସେ ମହା ପବିତ୍ର ସ୍ଥାନ ପ୍ରସ୍ତୁତ କଲେ।
ପ୍ରଥମ ରାଜାବଳୀ 6 : 20 (IRVOR)
ଆଉ ସେହି ମହା ପବିତ୍ର ସ୍ଥାନ ଭିତର କୋଡ଼ିଏ ହାତ ଦୀର୍ଘ, କୋଡ଼ିଏ ହାତ ପ୍ରସ୍ଥ ଓ କୋଡ଼ିଏ ହାତ ଉଚ୍ଚ ଥିଲା, ଆଉ ସେ ତହିଁରେ ନିର୍ମଳ ସୁବର୍ଣ୍ଣ ମଡ଼ାଇଲେ ଓ ଧୂପବେଦି ଏରସ କାଷ୍ଠରେ ଆଚ୍ଛାଦନ କଲେ।
ପ୍ରଥମ ରାଜାବଳୀ 6 : 21 (IRVOR)
ଏହିରୂପେ ଶଲୋମନ ଗୃହ ଭିତର ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ ଓ ମହା ପବିତ୍ର ସ୍ଥାନ ସମ୍ମୁଖରେ ସୁବର୍ଣ୍ଣ ଜଞ୍ଜିରମାନ ଟଙ୍ଗାଇଲେ ଓ ସେ ତାହା ସୁବର୍ଣ୍ଣରେ ମଡ଼ାଇଲେ।
ପ୍ରଥମ ରାଜାବଳୀ 6 : 22 (IRVOR)
ପୁଣି, ସମୁଦାୟ ଗୃହ ସମାପ୍ତ ହେବା ପର୍ଯ୍ୟନ୍ତ ସମସ୍ତ ଗୃହ ସୁବର୍ଣ୍ଣରେ ମଡ଼ାଇଲେ; ମଧ୍ୟ ମହା ପବିତ୍ର ସ୍ଥାନ ର ଧୂପବେଦି ସମ୍ପୂର୍ଣ୍ଣ ରୂପେ ସୁବର୍ଣ୍ଣରେ ମଡ଼ାଇଲେ।
ପ୍ରଥମ ରାଜାବଳୀ 6 : 23 (IRVOR)
ପୁଣି, ସେ ମହା ପବିତ୍ର ସ୍ଥାନ ମଧ୍ୟରେ ଦଶ ହାତ ଉଚ୍ଚ ଜୀତ କାଷ୍ଠର ଦୁଇ କିରୂବ ନିର୍ମାଣ କଲେ।
ପ୍ରଥମ ରାଜାବଳୀ 6 : 24 (IRVOR)
ଏକ କିରୂବର ଏକ ପକ୍ଷ ପାଞ୍ଚ ହାତ ଓ ଅନ୍ୟ ପକ୍ଷ ହିଁ ପାଞ୍ଚ ହାତ ଥିଲା; ଏକ ପକ୍ଷର ଅଗ୍ରଭାଗରୁ ଅନ୍ୟ ପକ୍ଷର ଅଗ୍ରଭାଗ ପର୍ଯ୍ୟନ୍ତ ଦଶ ହାତ ଥିଲା।
ପ୍ରଥମ ରାଜାବଳୀ 6 : 25 (IRVOR)
ସେରୂପେ ଅନ୍ୟ କିରୂବ ହିଁ ଦଶ ହାତ ଥିଲା; ଦୁଇ କିରୂବଯାକ ଏକ ମାପ ଓ ଏକ ଆକାରର ଥିଲେ।
ପ୍ରଥମ ରାଜାବଳୀ 6 : 26 (IRVOR)
ଏକ କିରୂବର ଉଚ୍ଚତା ଦଶ ହାତ, ଅନ୍ୟ କିରୂବର ମଧ୍ୟ ସେହିପରି ଥିଲା।
ପ୍ରଥମ ରାଜାବଳୀ 6 : 27 (IRVOR)
ପୁଣି, ସେ ସେହି କିରୂବଦ୍ୱୟକୁ ଅନ୍ତରାଗାର ମଧ୍ୟରେ ରଖିଲେ; ଆଉ ସେହି କିରୂବମାନଙ୍କର ପକ୍ଷ ଏପରି ବିସ୍ତୀର୍ଣ୍ଣ ହୋଇଥିଲା ଯେ, ଏକର ପକ୍ଷ ଏକ କାନ୍ଥକୁ ଓ ଅନ୍ୟର ପକ୍ଷ ଅନ୍ୟ କାନ୍ଥକୁ ସ୍ପର୍ଶ କଲା; ପୁଣି, ଗୃହ ମଧ୍ୟରେ ସେମାନଙ୍କ ପକ୍ଷ ପରସ୍ପର ସ୍ପର୍ଶ କଲା।
ପ୍ରଥମ ରାଜାବଳୀ 6 : 28 (IRVOR)
ତହୁଁ ସେ କିରୂବମାନଙ୍କୁ ସୁବର୍ଣ୍ଣରେ ମଡ଼ାଇଲେ।
ପ୍ରଥମ ରାଜାବଳୀ 6 : 29 (IRVOR)
ପୁଣି, ସେ ଗୃହର ସକଳ କାନ୍ଥର ଭିତରେ ବାହାରେ ଚାରିଆଡ଼େ ଖୋଦିତ କିରୂବ ଓ ଖର୍ଜ୍ଜୁରବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଳିଲେ।
ପ୍ରଥମ ରାଜାବଳୀ 6 : 30 (IRVOR)
ଆହୁରି ଗୃହ-ଚଟାଣର ଭିତର ବାହାର ସୁବର୍ଣ୍ଣରେ ମଡ଼ାଇଲେ।
ପ୍ରଥମ ରାଜାବଳୀ 6 : 31 (IRVOR)
ଆଉ, ସେ ମହା ପବିତ୍ର ସ୍ଥାନ ର ପ୍ରବେଶ-ଦ୍ୱାର ଜୀତ କାଷ୍ଠରେ ନିର୍ମାଣ କଲେ, ତହିଁର କପାଳୀ ଓ ବାଜୁବନ୍ଧ କାନ୍ଥର ପଞ୍ଚମାଂଶ ଥିଲା।
ପ୍ରଥମ ରାଜାବଳୀ 6 : 32 (IRVOR)
ଏହିରୂପେ ସେ ଜୀତ କାଷ୍ଠରେ ଦୁଇ କବାଟ କଲେ; ତହିଁ ଉପରେ କିରୂବ ଓ ଖର୍ଜ୍ଜୁରବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନର ଆକୃତି ଖୋଦାଇଲେ ଓ ତାହା ସୁବର୍ଣ୍ଣରେ ମଡ଼ାଇଲେ; ଆଉ କିରୂବ ଓ ଖର୍ଜ୍ଜୁରବୃକ୍ଷମାନ ଉପରେ ସୁବର୍ଣ୍ଣ ମଡ଼ାଇଲେ।
ପ୍ରଥମ ରାଜାବଳୀ 6 : 33 (IRVOR)
ତଦ୍ରୂପ ମନ୍ଦିରର ପ୍ରବେଶ-ଦ୍ୱାର ନିମନ୍ତେ କାନ୍ଥର ଚତୁର୍ଥାଂଶରେ ଜୀତ କାଷ୍ଠର ଚୌକାଠ କଲେ;
ପ୍ରଥମ ରାଜାବଳୀ 6 : 34 (IRVOR)
ଆଉ, ଦେବଦାରୁ କାଷ୍ଠରେ ଦୁଇ କବାଟ କଲେ; ଏକ କବାଟର ଦୁଇ ପଟ ଦୋହରା ଥିଲା, ଅନ୍ୟ କବାଟର ଦୁଇ ପଟ ଦୋହରା ଥିଲା।
ପ୍ରଥମ ରାଜାବଳୀ 6 : 35 (IRVOR)
ପୁଣି, ସେ ତହିଁ ଉପରେ କିରୂବ ଓ ଖର୍ଜ୍ଜୁରବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନ ଖୋଳି ସେହି ଖୋଦିତ କର୍ମର ଆକୃତି ଅନୁସାରେ ସୁବର୍ଣ୍ଣ ମଡ଼ାଇଲେ।
ପ୍ରଥମ ରାଜାବଳୀ 6 : 36 (IRVOR)
ପୁଣି, ସେ ତିନି ଧାଡ଼ି ଖୋଦିତ ପ୍ରସ୍ତରରେ ଓ ଏକ ଧାଡ଼ି ଏରସ କାଷ୍ଠର କଡ଼ିରେ ଭିତର ପ୍ରାଙ୍ଗଣ ନିର୍ମାଣ କଲେ।
ପ୍ରଥମ ରାଜାବଳୀ 6 : 37 (IRVOR)
ଚତୁର୍ଥ ବର୍ଷର ସିବ୍ ମାସରେ ସଦାପ୍ରଭୁଙ୍କ ଗୃହର ଭିତ୍ତିମୂଳ ସ୍ଥାପିତ ହେଲା।
ପ୍ରଥମ ରାଜାବଳୀ 6 : 38 (IRVOR)
ପୁଣି, ଏକାଦଶ ବର୍ଷର ବୂଲ ନାମକ ଅଷ୍ଟମ ମାସରେ ନିରୂପିତ ଆକୃତି ଅନୁସାରେ ସମୁଦାୟ ଅଂଶରେ ଗୃହର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଏରୂପେ ତାହା ନିର୍ମାଣ କରିବାରେ ତାଙ୍କୁ ସାତ ବର୍ଷ ଲାଗିଲା। [PE]
❮
❯