ଯିହୋଶୂୟ 9 : 1 (ORV)
ଅନନ୍ତର ଯର୍ଦ୍ଦନ ଏପାରସ୍ଥ ସମୁଦାୟ ରାଜଗଣ, ଅର୍ଥାତ୍, ପର୍ବତ ଓ ତଳଭୂମି ନିବାସୀ ଓ ଲିବାନୋନ୍ ସମ୍ମୁଖସ୍ଥ ମହାସମୁଦ୍ରର ସମସ୍ତ ତୀର ନିବାସୀ ହିତ୍ତୀୟ ଓ ଇମୋରୀୟ ଓ କିଣାନୀୟ ଓ ପିରିଷୀୟ ଓ ହିବ୍ବୀୟ ଓ ଯିବୁଷୀୟ ରାଜଗଣୟ ଏହି କଥା ଶୁଣିଲେ;
ଯିହୋଶୂୟ 9 : 2 (ORV)
ତହିଁରେ ସେମାନେ ଏକ ମନରେ ଯିହୋଶୂୟ ଓ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଏକତ୍ର ହେଲେ ।
ଯିହୋଶୂୟ 9 : 3 (ORV)
ମାତ୍ର ଯିରୀହୋ ପ୍ରତି ଓ ଅୟ ପ୍ରତି ଯିହୋଶୂୟ ଯେ ଯେ କର୍ମ କରିଥିଲେ, ତାହା ଯେତେବେଳେ ଗିବିୟୋନ ନିବାସୀମାନେ ଶୁଣିଲେ,
ଯିହୋଶୂୟ 9 : 4 (ORV)
ସେତେବେଳେ ସେମାନେ ମଧ୍ୟ ସତର୍କ ହୋଇ କର୍ମ କଲେ, ସେମାନେ ଯାଇ ରାଜଦୂତ ବେଶ ଧରି ଆପଣା ଆପଣା ଗର୍ଦ୍ଦଭ ଉପରେ ପୁରୁଣା ଅଖା, ପୁଣି ପୁରୁଣା ଓ ଚିରା ଓ ଗଣ୍ଠିପଡ଼ା ଦ୍ରାକ୍ଷାରସ କୁମ୍ପା ନଦିଲେ;
ଯିହୋଶୂୟ 9 : 5 (ORV)
ଆଉ ସେମାନଙ୍କ ପାଦରେ ପୁରୁଣା ଓ ତାଳିପଡ଼ା ଜୋତା, ପୁଣି ଦେହରେ ପୁରୁଣା ଲୁଗା ଦେଲେ; ପୁଣି ସେମାନଙ୍କ ପାଥେୟ ରୋଟୀ ଶୁଖିଲା ଓ ଗମରା ହୋଇ ଯାଇଥିଲା ।
ଯିହୋଶୂୟ 9 : 6 (ORV)
ଏହିରୂପେ ସେମାନେ ଗିଲ୍ଗଲ୍ସ୍ଥିତ ଛାଉଣିକି ଯିହୋଶୂୟଙ୍କ ନିକଟକୁ ଯାଇ ତାଙ୍କୁ ଓ ଇସ୍ରାଏଲୀୟ ଲୋକମାନଙ୍କୁ କହିଲେ, ଆମ୍ଭେମାନେ ଦୂର ଦେଶରୁ ଆସିଲୁ, ଏଣୁ ତୁମ୍ଭେମାନେ ଏବେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କର ।
ଯିହୋଶୂୟ 9 : 7 (ORV)
ତହିଁରେ ଇସ୍ରାଏଲୀୟ ଲୋକମାନେ ସେହି ହିବ୍ବୀୟ-ମାନଙ୍କୁ ଉତ୍ତର କଲେ, କେଜାଣି ତୁମ୍ଭେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ; ଆମ୍ଭେମାନେ କିପରି ତୁମ୍ଭମାନଙ୍କ ସହିତ ନିୟମ କରି ପାରିବୁ?
ଯିହୋଶୂୟ 9 : 8 (ORV)
ତହୁଁ ସେମାନେ ଯିହୋଶୂୟଙ୍କୁ କହିଲେ, ଆମ୍ଭେମାନେ ଆପଣଙ୍କର ଦାସ । ତେବେ ଯିହୋଶୂୟ ସେମାନଙ୍କୁ କହିଲେ, ତୁମ୍ଭେମାନେ କିଏ? ପୁଣି କେଉଁଠାରୁ ଆସିଅଛ?
ଯିହୋଶୂୟ 9 : 9 (ORV)
ସେମାନେ ତାଙ୍କୁ କହିଲେ, ସଦାପ୍ରଭୁ ଆପଣଙ୍କ ପରମେଶ୍ଵରଙ୍କ ନାମ ସକାଶୁ ଆପଣଙ୍କ ଦାସମାନେ ଅତି ଦୂର ଦେଶରୁ ଆସିଅଛନ୍ତି; କାରଣ ତାହାଙ୍କର କୀର୍ତ୍ତି ଓ ସେ ମିସରରେ ଯେସମସ୍ତ କର୍ମ କରିଅଛନ୍ତି,
ଯିହୋଶୂୟ 9 : 10 (ORV)
ପୁଣି ସେ ଯର୍ଦ୍ଦନ ସେପାରିସ୍ଥ ହିଷ୍ବୋନ୍-ରାଜା ସୀହୋନ ଓ ଅଷ୍ଟାରୋତ୍ ନିବାସୀ ବାଶନ-ରାଜା ଓଗ୍, ଇମୋରୀୟମାନଙ୍କ ଏହି ଦୁଇ ରାଜା ପ୍ରତି ଯେ ଯେ କର୍ମ କରିଅଛନ୍ତି, ତାହାସବୁ ଆମ୍ଭେମାନେ ଶୁଣିଅଛୁ ।
ଯିହୋଶୂୟ 9 : 11 (ORV)
ଏହେତୁ ଆମ୍ଭମାନଙ୍କ ପ୍ରାଚୀନବର୍ଗ ଓ ଦେଶ ନିବାସୀ ସମସ୍ତେ ଆମ୍ଭମାନଙ୍କୁ କହିଲେ, ତୁମ୍ଭେମାନେ ହସ୍ତରେ ପାଥେୟ ଦ୍ରବ୍ୟ ନେଇ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଯାଇ ସେମାନଙ୍କୁ ଏହି କଥା କୁହ, ଆମ୍ଭେମାନେ ଆପଣମାନଙ୍କ ଦାସ; ଏଣୁ ଆପଣମାନେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କରନ୍ତୁ ।
ଯିହୋଶୂୟ 9 : 12 (ORV)
ଆମ୍ଭେମାନେ ଆପଣମାନଙ୍କ ନିକଟକୁ ଆସିବା ନିମନ୍ତେ ଯାତ୍ରା କରିବା ଦିନ ଗୃହରୁ ତତଲା ରୋଟୀ ଆଣିଥିଲୁ; ମାତ୍ର ଏବେ ଦେଖନ୍ତୁ, ତାହା ଶୁଖିଲା ଓ ଗମରା ହୋଇଯାଇଅଛି ।
ଯିହୋଶୂୟ 9 : 13 (ORV)
ପୁଣି ଏହି ଯେସବୁ ଦ୍ରାକ୍ଷାରସ-କୁମ୍ପା ଭର୍ତ୍ତି କରି ଆଣିଥିଲୁ, ତାହା ନୂଆ ଥିଲା, ମାତ୍ର ଦେଖନ୍ତୁ, ସବୁ ଆସି ଚିରି ଗଲାଣି; ଆଉ ଆମ୍ଭମାନଙ୍କ ଏହି ଲୁଗା ଓ ଜୋତା ଅତି ଦୂର ଯାତ୍ରା ସକାଶୁ ପୁରୁଣା ହୋଇଗଲାଣି ।
ଯିହୋଶୂୟ 9 : 14 (ORV)
ତହିଁରେ (ଇସ୍ରାଏଲ) ଲୋକମାନେ ସେମାନଙ୍କ ପାଥେୟ ଦ୍ରବ୍ୟ ଗ୍ରହଣ କଲେ, ଆଉ ସଦାପ୍ରଭୁଙ୍କ ମୁଖରୁ ପରାମର୍ଶ ଲୋଡ଼ିଲେ ନାହିଁ ।
ଯିହୋଶୂୟ 9 : 15 (ORV)
ପୁଣି ଯିହୋଶୂୟ ସେମାନଙ୍କ ସହିତ ସନ୍ଧି କଲେ ଓ ସେମାନଙ୍କୁ ଜୀବିତ ରଖିବାକୁ ନିୟମ କଲେ, ଆଉ ମଣ୍ତଳୀର ଅଧିପତିମାନେ ସେମାନଙ୍କ ନିକଟରେ ଶପଥ କଲେ ।
ଯିହୋଶୂୟ 9 : 16 (ORV)
ଏହିରୂପେ ସେମାନଙ୍କ ସହିତ ନିୟମ ସ୍ଥିର କରିବାର ତିନି ଦିନ ଗତ ହୁଅନ୍ତେ, ସେମାନେ ଶୁଣିଲେ ଯେ, ଏମାନେ ଆମ୍ଭମାନଙ୍କ ନିକଟସ୍ଥ ଲୋକ ଓ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛନ୍ତି ।
ଯିହୋଶୂୟ 9 : 17 (ORV)
ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରି ତୃତୀୟ ଦିବସରେ ସେମାନଙ୍କ ନଗରମାନଙ୍କରେ ଉପସ୍ଥିତ ହେଲେ । ଗିବିୟୋନ୍ ଓ କଫୀରା ଓ ବେରୋତ୍ ଓ କିରୀୟତ୍ ଯିଆରିମ୍ ସେମାନଙ୍କ ନଗର ଥିଲା ।
ଯିହୋଶୂୟ 9 : 18 (ORV)
ମାତ୍ର ମଣ୍ତଳୀର ଅଧିପତିଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ନାମରେ ସେମାନଙ୍କ ସହିତ ଶପଥ କରିଥିବାରୁ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କୁ ଆଘାତ କଲେ ନାହିଁ, ଏହେତୁ ସମସ୍ତ ମଣ୍ତଳୀ ଅଧିପତିମାନଙ୍କ ବିରୁଦ୍ଧରେ ବଚସା କରିବାକୁ ଲାଗିଲେ ।
ଯିହୋଶୂୟ 9 : 19 (ORV)
ତହିଁରେ ଅଧିପତିଗଣ ସମସ୍ତ ମଣ୍ତଳୀକି କହିଲେ, ଆମ୍ଭେମାନେ ସେମାନଙ୍କ ସହିତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ନାମରେ ଶପଥ କରିଅଛୁ, ଏହେତୁ ଏବେ ସେମାନଙ୍କୁ ସ୍ପର୍ଶ କରି ନ ପାରୁ ।
ଯିହୋଶୂୟ 9 : 20 (ORV)
ଆମ୍ଭେମାନେ ସେମାନଙ୍କ ପ୍ରତି ଏହା କରିବା, ସେମାନଙ୍କୁ ଜୀବନରେ ରଖିବା; ନୋହିଲେ ସେମାନଙ୍କ ସହିତ ଯେଉଁ ଶପଥ କରିଅଛୁ, ସେହି ଶପଥ ସକାଶୁ ଆମ୍ଭମାନଙ୍କ ପ୍ରତି କ୍ରୋଧ ଉପସ୍ଥିତ ହେବ ।
ଯିହୋଶୂୟ 9 : 21 (ORV)
ଏନିମନ୍ତେ ଅଧିପତିମାନେ ସେମାନଙ୍କୁ କହିଲେ, ଏମାନେ ଜୀବିତ ଥାଉନ୍ତୁ; ମାତ୍ର ଅଧିପତିଗଣର ବାକ୍ୟାନୁସାରେ ସେମାନେ ସମସ୍ତ ମଣ୍ତଳୀର କାଠକଟାଳୀ ଓ ଜଳକଢ଼ାଳୀ ହେବେ ।
ଯିହୋଶୂୟ 9 : 22 (ORV)
ଏଉତ୍ତାରେ ଯିହୋଶୂୟ ସେମାନଙ୍କୁ ଡକାଇ କହିଲେ, ‘ଆମ୍ଭେମାନେ ତୁମ୍ଭମାନଙ୍କଠାରୁ ଅତି ଦୂରସ୍ଥ ଲୋକʼ ଏହା କହି କିହେତୁ ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରବଞ୍ଚନା କଲ? ତୁମ୍ଭେମାନେ ତ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛ ।
ଯିହୋଶୂୟ 9 : 23 (ORV)
ଏନିମନ୍ତେ ଏବେ ତୁମ୍ଭେମାନେ ଶାପଗ୍ରସ୍ତ ହେଲ; ଆମ୍ଭ ପରମେଶ୍ଵରଙ୍କ ଗୃହର କାଠକଟାଳୀ ଓ ଜଳକଢ଼ାଳୀ ହେବା ପାଇଁ ତୁମ୍ଭମାନଙ୍କ ମଧ୍ୟରୁ ବନ୍ଧାଦାସର ଅଭାବ ହେବ ନାହିଁ ।
ଯିହୋଶୂୟ 9 : 24 (ORV)
ଏଥିରେ ସେମାନେ ଯିହୋଶୂୟଙ୍କୁ ଉତ୍ତର କରି କହିଲେ, ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦେବାକୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ଏହି ଦେଶ ନିବାସୀ ସମସ୍ତ ଲୋକଙ୍କୁ ବିନାଶ କରିବାକୁ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଆପଣା ସେବକ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତାହା ନିଶ୍ଚିତ ରୂପେ ତୁମ୍ଭ ଦାସମାନଙ୍କୁ କୁହାଯାଇଅଛି; ଏହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ସମ୍ମୁଖରେ ଆପଣା ଆପଣା ପ୍ରାଣ ବିଷୟରେ ଅତିଶୟ ଭୀତ ହୋଇ ଏହି କାର୍ଯ୍ୟ କରିଅଛୁ ।
ଯିହୋଶୂୟ 9 : 25 (ORV)
ଏବେ ଦେଖନ୍ତୁ, ଆମ୍ଭେମାନେ ଆପଣଙ୍କ ହସ୍ତରେ ଅଛୁ, ଆମ୍ଭମାନଙ୍କ ପ୍ରତି ଯାହା କରିବା ଆପଣଙ୍କ ଦୃଷ୍ଟିରେ ଉତ୍ତମ ଓ ନ୍ୟାୟ, ତାହା କରନ୍ତୁ ।
ଯିହୋଶୂୟ 9 : 26 (ORV)
ତହିଁରେ ସେ ସେମାନଙ୍କ ପ୍ରତି ତାହା ହିଁ କରି ଇସ୍ରାଏଲ-ସନ୍ତାନଗଣ ହସ୍ତରୁ ରକ୍ଷା କଲେ, ଏଣୁ ସେମାନେ ସେମାନଙ୍କୁ ବଧ କଲେ ନାହିଁ ।
ଯିହୋଶୂୟ 9 : 27 (ORV)
ଆଉ ଯିହୋଶୂୟ ସେମାନଙ୍କୁ ସେହି ଦିନରୁ ଆଜିଯାଏ, ସଦାପ୍ରଭୁଙ୍କ ମନୋନୀତ ସ୍ଥାନରେ ମଣ୍ତଳୀର ଓ ସଦାପ୍ରଭୁଙ୍କ ଯଜ୍ଞବେଦିର କାଠକଟାଳୀ ଓ ଜଳକଢ଼ାଳୀ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27

BG:

Opacity:

Color:


Size:


Font: