ଯିହୋଶୂୟ 8 : 1 (ORV)
ଅନନ୍ତର ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ଭୟ କର ନାହିଁ, କିଅବା ନିରାଶ ହୁଅ ନାହିଁ; ସମସ୍ତ ସୈନ୍ୟ ସଙ୍ଗେ ନେଇ ଉଠି ଅୟକୁ ଯାତ୍ରା କର; ଦେଖ, ଆମ୍ଭେ ଅୟର ରାଜାକୁ ଓ ତାହାର ଲୋକମାନଙ୍କୁ ଓ ତାହାର ନଗର ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କଲୁ ।
ଯିହୋଶୂୟ 8 : 2 (ORV)
ତୁମ୍ଭେ ଯିରୀହୋ ଓ ତହିଁର ରାଜା ପ୍ରତି ଯେରୂପ କଲ, ଅୟ ଓ ତହିଁର ରାଜା ପ୍ରତି ସେରୂପ କରିବ; କେବଳ ତୁମ୍ଭେମାନେ ତହିଁର ଲୁଟଦ୍ରବ୍ୟ ଓ ପଶୁ ଆପଣାମାନଙ୍କ ନିମନ୍ତେ ନେବ; ତୁମ୍ଭେ ନଗରର ପଶ୍ଚାତ୍ ଆପଣାର ଏକ ଦଳ ସୈନ୍ୟ ଗୋପନ କରି ରଖ ।
ଯିହୋଶୂୟ 8 : 3 (ORV)
ତହୁଁ ଯିହୋଶୂୟ ଓ ସକଳ ସୈନ୍ୟ ଉଠି ଅୟକୁ ଯାତ୍ରା କଲେ; ପୁଣି ଯିହୋଶୂୟ ତିରିଶ ହଜାର ମହାବିକ୍ରମଶାଳୀ ଲୋକ ମନୋନୀତ କରି ରାତ୍ରିରେ ସେମାନଙ୍କୁ ପଠାଇଲେ ।
ଯିହୋଶୂୟ 8 : 4 (ORV)
ପୁଣି ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, ଦେଖ, ତୁମ୍ଭେମାନେ ନଗର ପ୍ରତିକୂଳରେ ନଗରର ପଛଭାଗରେ ଗୋପନରେ ରହିବ; ନଗରଠାରୁ ବହୁ ଦୂରକୁ ଯିବ ନାହିଁ, ମାତ୍ର ସମସ୍ତେ ପ୍ରସ୍ତୁତ ହୋଇଥିବ ।
ଯିହୋଶୂୟ 8 : 5 (ORV)
ତହିଁ ଉତ୍ତାରେ ମୁଁ ଓ ମୋର ସଙ୍ଗୀ ସମସ୍ତ ଲୋକ ନଗର ନିକଟକୁ ଯିବୁ, ତହିଁରେ ଯେତେବେଳେ ସେମାନେ ପୂର୍ବ ପରି ଆମ୍ଭମାନଙ୍କ ବିରୁଦ୍ଧରେ ବାହାର ହୋଇ ଆସିବେ, ସେତେବେଳେ ଆମ୍ଭେମାନେ ସେମାନଙ୍କ ଆଗରୁ ପଳାଇବୁ ।
ଯିହୋଶୂୟ 8 : 6 (ORV)
ତହୁଁ ସେମାନେ ଆମ୍ଭମାନଙ୍କ ପଛେ ପଛେ ଆସିଲେ, ଆମ୍ଭେମାନେ ସେମାନଙ୍କୁ ନଗରରୁ କ୍ରମେ କ୍ରମେ ଦୂରକୁ ଆକର୍ଷଣ କରି ଆଣିବୁ; କାରଣ ସେମାନେ କହିବେ, ଏମାନେ ପୂର୍ବ ପରି ଆମ୍ଭମାନଙ୍କ ଆଗରୁ ପଳାଉ ଅଛନ୍ତି; ଏହିରୂପେ ଆମ୍ଭେମାନେ ସେମାନଙ୍କ ସମ୍ମୁଖରୁ ପଳାଇବୁ;
ଯିହୋଶୂୟ 8 : 7 (ORV)
ତହୁଁ ତୁମ୍ଭେମାନେ ଗୋପନ-ସ୍ଥାନରୁ ଉଠି ନଗର ଅଧିକାର କରିବ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ତାହା ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ ।
ଯିହୋଶୂୟ 8 : 8 (ORV)
ତୁମ୍ଭେମାନେ ନଗର ଆକ୍ରମଣ କଲାକ୍ଷଣେ ନଗରରେ ଅଗ୍ନି ଲଗାଇବ; ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟାନୁସାରେ କର୍ମ କରିବ; ଦେଖ, ଏହା ମୁଁ ତୁମ୍ଭମାନଙ୍କୁ ଆଜ୍ଞା କଲି ।
ଯିହୋଶୂୟ 8 : 9 (ORV)
ଏରୂପେ ଯିହୋଶୂୟ ସେମାନଙ୍କୁ ପ୍ରେରଣ କଲେ; ଆଉ ସେମାନେ ଯାଇ ଅୟର ପଶ୍ଚିମରେ ବୈଥେଲ୍ ଓ ଅୟର ମଧ୍ୟସ୍ଥାନରେ ଗୋପନରେ ରହିଲେ; ମାତ୍ର ଯିହୋଶୂୟ ଲୋକମାନଙ୍କ ମଧ୍ୟରେ ସେ ରାତ୍ର ରହିଲେ ।
ଯିହୋଶୂୟ 8 : 10 (ORV)
ଅନନ୍ତର ଯିହୋଶୂୟ ଅତି ପ୍ରଭାତରେ ଉଠି ଲୋକମାନଙ୍କୁ ଗଣନା କଲେ, ତହିଁ ଉତ୍ତାରେ ସେ ଓ ଇସ୍ରାଏଲର ପ୍ରାଚୀନବର୍ଗ ଲୋକମାନଙ୍କ ଆଗେ ଆଗେ ଅୟକୁ ଯାତ୍ରା କଲେ ।
ଯିହୋଶୂୟ 8 : 11 (ORV)
ପୁଣି ତାଙ୍କର ସଙ୍ଗୀ ସମସ୍ତ ସୈନ୍ୟ ଯାଇ ନିକଟବର୍ତ୍ତୀ ହୋଇ ନଗର ସମ୍ମୁଖରେ ଉପସ୍ଥିତ ହେଲେ ଓ ଅୟର ଉତ୍ତର ଦିଗରେ ଛାଉଣି ସ୍ଥାପନ କଲେ; ସେମାନଙ୍କର ଓ ଅୟର ମଧ୍ୟରେ ଏକ ଉପତ୍ୟକା ଥିଲା ।
ଯିହୋଶୂୟ 8 : 12 (ORV)
ପୁଣି ସେ ନ୍ୟୂନାଧିକ ପାଞ୍ଚ ହଜାର ଲୋକ ନେଇ ନଗରର ପଶ୍ଚିମ ଦିଗରେ ବୈଥେଲ୍ ଓ ଅୟର ମଧ୍ୟସ୍ଥାନରେ ଗୋପନରେ ରଖିଲେ ।
ଯିହୋଶୂୟ 8 : 13 (ORV)
ଏହିରୂପେ ସେମାନେ ନଗରର ଉତ୍ତର ଦିଗସ୍ଥ ସମସ୍ତ ଛାଉଣିକି ଓ ନଗରର ପଶ୍ଚିମ ଦିଗସ୍ଥ ଆପଣାମାନଙ୍କ ଗୁପ୍ତ ଦଳକୁ ରଖିଲେ; ପୁଣି ଯିହୋଶୂୟ ସେହି ରାତ୍ରି ତଳଭୂମି ମଧ୍ୟକୁ ଗମନ କଲେ ।
ଯିହୋଶୂୟ 8 : 14 (ORV)
ସେତେବେଳେ ଅୟର ରାଜା ତାହା ଦେଖନ୍ତେ, ସେ ଓ ତାଙ୍କର ସମସ୍ତ ଲୋକ ପ୍ରଭାତରେ ଶୀଘ୍ର ଉଠିଲେ ଓ ନଗରସ୍ଥ ଲୋକମାନେ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ବାହାରି ନିରୂପିତ ସମୟରେ ପଦାଭୂମି ସମ୍ମୁଖରେ ଉପସ୍ଥିତ ହେଲେ; ମାତ୍ର ତାଙ୍କ ବିରୁଦ୍ଧରେ ଏକ ଦଳ ସୈନ୍ୟ ନଗର ପଛେ ଗୋପନରେ ଅଛନ୍ତି ବୋଲି ସେ ଜାଣି ନ ଥିଲେ ।
ଯିହୋଶୂୟ 8 : 15 (ORV)
ଏଉତ୍ତାରେ ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେମାନଙ୍କ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ହେଲା ପରି ଦେଖାଇ ପ୍ରାନ୍ତର ପଥ ଦେଇ ପଳାୟନ କଲେ ।
ଯିହୋଶୂୟ 8 : 16 (ORV)
ତହିଁରେ ନଗରସ୍ଥିତ ସମସ୍ତ ଲୋକ ସେମାନଙ୍କ ପଛେ ପଛେ ଗୋଡ଼ାଇବା ପାଇଁ ଏକତ୍ର ଡକାଗଲେ; ପୁଣି ସେମାନେ ଯିହୋଶୂୟଙ୍କର ପଛେ ପଛେ ଗୋଡ଼ାଉ ଗୋଡ଼ାଉ ନଗରରୁ ଦୂରକୁ ଆକର୍ଷିତ ହେଲେ ।
ଯିହୋଶୂୟ 8 : 17 (ORV)
ପୁଣି ଇସ୍ରାଏଲର ପଛରେ ଯେ ନ ଗଲା, ଏପରି ଜଣେ ହେଲେ ଅୟ କି ବୈଥେଲରେ ଅବଶିଷ୍ଟ ନ ଥିଲା; ସମସ୍ତେ ନଗର ମୁକ୍ତ କରି ଇସ୍ରାଏଲ ପଛେ ପଛେ ଗୋଡ଼ାଇଲେ ।
ଯିହୋଶୂୟ 8 : 18 (ORV)
ସେତେବେଳେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ତୁମ୍ଭେ ଆପଣା ହସ୍ତସ୍ଥିତ ବର୍ଚ୍ଛା ଅୟ ନଗର ଆଡ଼େ ବିସ୍ତାର କର; କାରଣ ଆମ୍ଭେ ତାହା ତୁମ୍ଭ ହସ୍ତଗତ କରିବା । ତହିଁରେ ଯିହୋଶୂୟ ଆପଣା ହସ୍ତସ୍ଥିତ ବର୍ଚ୍ଛା ନଗର ଆଡ଼େ ବିସ୍ତାର କଲେ ।
ଯିହୋଶୂୟ 8 : 19 (ORV)
ସେ ହସ୍ତ ବିସ୍ତାର କରିବା ମାତ୍ରେ ଗୋପନରେ ଥିବା ସୈନ୍ୟଦଳ ଶୀଘ୍ର ଆପଣା ଆପଣା ସ୍ଥାନରୁ ଉଠି ଦୌଡ଼ିଯାଇ ନଗରରେ ପ୍ରବେଶ କରି ତାହା ହସ୍ତଗତ କଲେ ଓ ଶୀଘ୍ର ନଗରରେ ଅଗ୍ନି ଲଗାଇଲେ ।
ଯିହୋଶୂୟ 8 : 20 (ORV)
ଏ ଉତ୍ତାରେ ଅୟର ଲୋକମାନେ ଆପଣା ପଛକୁ ଅନାଇ ଦେଖିଲେ, ଆଉ ଦେଖ, ନଗରର ଧୂମ ଆକାଶକୁ ଉଠୁଅଛି, ମାତ୍ର ଏଆଡ଼େ କି ସେଆଡ଼େ ପଳାଇବାକୁ ସେମାନଙ୍କର ବଳ ନ ଥିଲା; ଆଉ ଯେଉଁମାନେ ପ୍ରାନ୍ତରକୁ ପଳାଉଥିଲେ, ସେମାନେ ଫେରି ଗୋଡ଼ାଇବା ଲୋକମାନଙ୍କୁ ଆକ୍ରମଣ କଲେ ।
ଯିହୋଶୂୟ 8 : 21 (ORV)
ପୁଣି ଗୋପନରେ ଥିବା ସୈନ୍ୟଦଳ ନଗର ହସ୍ତଗତ କରିଅଛନ୍ତି ଓ ନଗରର ଧୂମ ଉଠୁଅଛି, ଏହା ଦେଖି ଯିହୋଶୂୟ ଓ ସମସ୍ତ ଇସ୍ରାଏଲ ଫେରି ଅୟର ଲୋକମାନଙ୍କୁ ବଧ କଲେ ।
ଯିହୋଶୂୟ 8 : 22 (ORV)
ଆଉ ଅନ୍ୟ ଦଳ ନଗରରୁ ବାହାରି ସେମାନଙ୍କ ବିରୁଦ୍ଧରେ ଆସିଲେନ୍ତଏହିରୂପେ ସେମାନେ ଏପାଖେ କେତେକ ଓ ସେପାଖେ କେତେକ ହୋଇ ଇସ୍ରାଏଲ ମଧ୍ୟରେ ପଡ଼ିଲେ; ତେଣୁ ଇସ୍ରାଏଲ ସେମାନଙ୍କୁ ଏପରି ସଂହାର କଲେ ଯେ, ସେମାନଙ୍କ ମଧ୍ୟରୁ କେହି ଅବଶିଷ୍ଟ ରହିଲା ନାହିଁ, କି କେହି ପଳାଇ ପାରିଲା ନାହିଁ ।
ଯିହୋଶୂୟ 8 : 23 (ORV)
ମାତ୍ର ସେମାନେ ଅୟର ରାଜାଙ୍କୁ ଜୀବିତ ଧରି ଯିହୋଶୂୟଙ୍କ ନିକଟକୁ ଆଣିଲେ ।
ଯିହୋଶୂୟ 8 : 24 (ORV)
ଏହିରୂପେ ଯେଉଁ ପ୍ରାନ୍ତରରେ ଅୟ ନିବାସୀ ଲୋକମାନେ ସେମାନଙ୍କ ପଛେ ପଛେ ଗୋଡ଼ାଉଥିଲେ, ସେହି କ୍ଷେତ୍ରରେ ଇସ୍ରାଏଲ ସେମାନଙ୍କୁ ବଧ କରି ସାରିଲା ଉତ୍ତାରେ ଓ ସେମାନେ ନିଃଶେଷିତ ହେବାଯାଏ ଖଡ଼୍‍ଗମୁଖରେ ପଡ଼ିଲା ଉତ୍ତାରେ ସମଗ୍ର ଇସ୍ରାଏଲ ଫେରି ଆସି ଖଡ଼୍‍ଗମୁଖରେ ଅୟକୁ ସଂହାର କଲେ ।
ଯିହୋଶୂୟ 8 : 25 (ORV)
ପୁଣି ସେହି ଦିନ ଅୟ ନିବାସୀ ସମସ୍ତ ଲୋକ ସ୍ତ୍ରୀ ପୁରୁଷ ସର୍ବସୁଦ୍ଧା ବାର ହଜାର ଲୋକ ହତ ହେଲେ ।
ଯିହୋଶୂୟ 8 : 26 (ORV)
କାରଣ ଅୟ ନିବାସୀ ସମସ୍ତଙ୍କୁ ବର୍ଜିତ ରୂପେ ବିନାଶ କରିବା ଯାଏ ଯିହୋଶୂୟ ଆପଣାର ଯେଉଁ ହସ୍ତ ବର୍ଚ୍ଛା ଧରି ବିସ୍ତାର କରିଥିଲେ, ତାହା ସେ ସଙ୍କୁଚିତ କଲେ ନାହିଁ ।
ଯିହୋଶୂୟ 8 : 27 (ORV)
ଯିହୋଶୂୟଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲୀୟ ଲୋକମାନେ କେବଳ ସେହି ନଗରର ପଶୁ ଓ ଲୁଟଦ୍ରବ୍ୟସବୁ ଆପଣାମାନଙ୍କ ନିମନ୍ତେ ଗ୍ରହଣ କଲେ ।
ଯିହୋଶୂୟ 8 : 28 (ORV)
ପୁଣି ଯିହୋଶୂୟ ଅୟ ନଗରକୁ ଅଗ୍ନିରେ ଦଗ୍ଧ କରି ଅନନ୍ତକାଳୀନ ଢିପି ଓ ଆଜିଯାଏ ଏକ ଶୂନ୍ୟସ୍ଥାନ କଲେ ।
ଯିହୋଶୂୟ 8 : 29 (ORV)
ଏଉତ୍ତାରେ ସେ ଅୟର ରାଜାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ବୃକ୍ଷରେ ଟଙ୍ଗାଇ ରଖିଲେ, ମାତ୍ର ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କର ଶବ ବୃକ୍ଷରୁ ତଳକୁ ଆଣି ନଗରଦ୍ଵାର-ପ୍ରବେଶ ସ୍ଥାନରେ ପକାଇ; ତହିଁ ଉପରେ ପ୍ରସ୍ତରର ଏକ ବଡ଼ ଢିପି କଲେ; ତାହା ଆଜିଯାଏ ଅଛି ।
ଯିହୋଶୂୟ 8 : 30 (ORV)
ଏଉତ୍ତାରେ ଯିହୋଶୂୟ ଏବଲ ପର୍ବତରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ ।
ଯିହୋଶୂୟ 8 : 31 (ORV)
ସଦାପ୍ରଭୁଙ୍କ ସେବକ ମୋଶା ଇସ୍ରାଏଲ-ସନ୍ତାନଗଣକୁ ଯେରୂପ ଆଜ୍ଞା ଦେଇଥିଲେ, ସେରୂପ ମୋଶାଙ୍କର ବ୍ୟବସ୍ଥାଗ୍ରନ୍ଥର ଲେଖାନୁସାରେ, ଯହିଁ ଉପରେ କୌଣସି ମନୁଷ୍ୟ ଲୁହା ଉଞ୍ଚାଇ ନାହିଁ, ଏପରି ଅଚଞ୍ଛା ପଥରର ଏକ ଯଜ୍ଞବେଦି ସେ ନିର୍ମାଣ କଲେ; ତହିଁ ଉପରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ ।
ଯିହୋଶୂୟ 8 : 32 (ORV)
ପୁଣି ସେ ସେହି ପ୍ରସ୍ତର ଉପରେ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ମୋଶାଙ୍କ ଦ୍ଵାରା ଲିଖିତ ବ୍ୟବସ୍ଥାଗ୍ରନ୍ଥର ଅଂଶ ଉତ୍ତାରି ଲେଖିଲେ ।
ଯିହୋଶୂୟ 8 : 33 (ORV)
ଏ ଉତ୍ତାରେ ସମୁଦାୟ ଇସ୍ରାଏଲ ଓ ସେମାନଙ୍କ ପ୍ରାଚୀନବର୍ଗ ଓ ଅଧ୍ୟକ୍ଷଗଣ ଓ ସେମାନଙ୍କ ବିଚାରକର୍ତ୍ତୃଗଣ, ଯେପରି ବିଦେଶୀ, ସେପରି ଗୃହଜାତ, ଅଧେ ଗରିଷୀମ ପର୍ବତ ଆଗରେ ଓ ଅଧେ ଏବଲ ପର୍ବତ ଆଗରେ, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହୀ ଲେବୀୟ ଯାଜକମାନଙ୍କ ସମ୍ମୁଖରେ ସିନ୍ଦୁକର ଏପାଖେ ଓ ସେପାଖେ ଠିଆ ହେଲେ; କାରଣ ପ୍ରଥମେ ଇସ୍ରାଏଲୀୟ ଲୋକମାନଙ୍କୁ ଆଶୀର୍ବାଦ କରିବା ପାଇଁ ସଦାପ୍ରଭୁଙ୍କ ସେବକ ମୋଶା ସେମାନଙ୍କୁ ଆଦେଶ ଦେଇଥିଲେ ।
ଯିହୋଶୂୟ 8 : 34 (ORV)
ତହୁଁ ବ୍ୟବସ୍ଥା-ଗ୍ରନ୍ଥର ସମସ୍ତ ଲେଖାନୁସାରେ ସେ ଆଶୀର୍ବାଦ ଓ ଅଭିଶାପ ବିଷୟକ ବ୍ୟବସ୍ଥାର ସମସ୍ତ କଥା ପାଠ କଲେ ।
ଯିହୋଶୂୟ 8 : 35 (ORV)
ଯିହୋଶୂୟ ଇସ୍ରାଏଲୀୟ ସମସ୍ତ ସମାଜର ଓ ସ୍ତ୍ରୀଗଣର ଓ ବାଳକଗଣର ଓ ସେମାନଙ୍କ ମଧ୍ୟରେ ପରିଚିତ ବିଦେଶୀମାନଙ୍କ ସମ୍ମୁଖରେ ଯାହା ପାଠ କଲେ ନାହିଁ, ମୋଶାଙ୍କର ସମସ୍ତ ଆଦେଶ ମଧ୍ୟରେ ଏପରି ଗୋଟିଏ କଥା ନ ଥିଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35

BG:

Opacity:

Color:


Size:


Font: