ଯିହୋଶୂୟ 11 : 1 (ORV)
ଅନନ୍ତର ହାତ୍ସୋରର ରାଜା ଯାବୀନ୍ ସେହି ବିଷୟ ଶୁଣନ୍ତେ, ସେ ମାଦୋନର ରାଜା ଯୋବବ୍ ଓ ଶିମ୍ରୋଣର ରାଜା ଓ ଅକ୍ଷଫର ରାଜା ନିକଟକୁ,
ଯିହୋଶୂୟ 11 : 2 (ORV)
ପୁଣି ଉତ୍ତର ଦେଶୀୟ ପର୍ବତରେ ଓ କିନ୍ନେରତର ଦକ୍ଷିଣସ୍ଥ ପଦାଭୂମିରେ ଓ ତଳଭୂମିରେ ଓ ପଶ୍ଚିମସ୍ଥ ଦୋର ନାମକ ଉପପର୍ବତରେ ଥିବା ରାଜଗଣ ନିକଟକୁ,
ଯିହୋଶୂୟ 11 : 3 (ORV)
ଅର୍ଥାତ୍, ପୂର୍ବ ଓ ପଶ୍ଚିମ ଦେଶୀୟ କିଣାନୀୟମାନଙ୍କ ଓ ଇମୋରୀୟ-ମାନଙ୍କ ଓ ହିତ୍ତୀୟମାନଙ୍କ ଓ ପିରିଷୀୟ-ମାନଙ୍କ ଓ ପର୍ବତସ୍ଥ ଯିବୂଷୀୟମାନଙ୍କ ଓ ହର୍ମୋଣର ଅଧଃସ୍ଥିତ ମିସ୍ପି ଦେଶୀୟ ହିବ୍ବୀୟମାନଙ୍କ ନିକଟକୁ ଲୋକ ପଠାଇଲେ ।
ଯିହୋଶୂୟ 11 : 4 (ORV)
ତହିଁରେ ସେମାନେ ଆପଣା ଆପଣା ସୈନ୍ୟ ସହିତ ଅପାର ଲୋକ ସମୁଦ୍ର ତୀରସ୍ଥ ବାଲୁକା ତୁଲ୍ୟ ଲୋକାରଣ୍ୟ ହୋଇ ଅନେକ ଅନେକ ଅଶ୍ଵ ଓ ରଥ ସଙ୍ଗେ ନେଇ ବାହାର ହେଲେ ।
ଯିହୋଶୂୟ 11 : 5 (ORV)
ପୁଣି ଏ ସମସ୍ତ ରାଜା ଏକତ୍ର ମିଳିଲେ ଓ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ଆସି ମେରୋମ୍ ନାମକ ଜଳାଶୟ ନିକଟରେ ଏକତ୍ର ଛାଉଣି ସ୍ଥାପନ କଲେ ।
ଯିହୋଶୂୟ 11 : 6 (ORV)
ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ସେମାନଙ୍କ ସମ୍ମୁଖରେ ଭୀତ ନ ହୁଅ; କାରଣ କାଲି ଏହି ସମୟରେ ଆମ୍ଭେ ସେସମସ୍ତଙ୍କୁ ଇସ୍ରାଏଲ ସମ୍ମୁଖରେ ହତ କରି ସମର୍ପଣ କରିବା; ତୁମ୍ଭେ ସେମାନଙ୍କ ଅଶ୍ଵଗଣର ପାଦଶିରା କାଟିବ ଓ ସେମାନଙ୍କ ରଥସବୁ ଅଗ୍ନିରେ ଦଗ୍ଧ କରିବ ।
ଯିହୋଶୂୟ 11 : 7 (ORV)
ପୁଣି ଯିହୋଶୂୟ ଓ ସମସ୍ତ ଯୋଦ୍ଧା ମେରୋମ୍ ଜଳାଶୟ ନିକଟରେ ଅକସ୍ମାତ୍ ସେମାନଙ୍କ ବିରୁଦ୍ଧରେ ଆସି ସେମାନଙ୍କୁ ଆକ୍ରମଣ କଲେ ।
ଯିହୋଶୂୟ 11 : 8 (ORV)
ତହିଁରେ ସଦାପ୍ରଭୁ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ ଆଘାତ କଲେ ଓ ମହାସୀଦୋନ୍ ଓ ମିଷ୍ରଫୋତ୍-ମୟିମ୍ ପର୍ଯ୍ୟନ୍ତ, ଆଉ ପୂର୍ବ ଦିଗରେ ମିସ୍ପିର ସମସ୍ଥଳୀ ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼ାଇ ନେଲେ, ପୁଣି ସେମାନଙ୍କର କେହି ଅବଶିଷ୍ଟ ନ ରହିବାଯାଏ ସେମାନଙ୍କୁ ସଂହାର କଲେ ।
ଯିହୋଶୂୟ 11 : 9 (ORV)
ଆଉ ଯିହୋଶୂୟ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ; ସେ ସେମାନଙ୍କ ଅଶ୍ଵଗଣର ପାଦଶିରା କାଟି ପକାଇଲେ ଓ ସେମାନଙ୍କ ରଥସବୁ ଅଗ୍ନିରେ ଦଗ୍ଧ କଲେ ।
ଯିହୋଶୂୟ 11 : 10 (ORV)
ସେହି ସମୟରେ ଯିହୋଶୂୟ ଫେରି ଆସି ହାତ୍ସୋର ହସ୍ତଗତ କଲେ ଓ ତହିଁର ରାଜାକୁ ଖଡ଼୍‍ଗରେ ଆଘାତ କଲେ; ପୂର୍ବକାଳରେ ହାତ୍ସୋର ସେହି ସବୁ ରାଜ୍ୟର ମସ୍ତକ ଥିଲା ।
ଯିହୋଶୂୟ 11 : 11 (ORV)
ଆଉ ଲୋକମାନେ ତହିଁର ନିବାସୀ ସମସ୍ତ ପ୍ରାଣୀଙ୍କୁ ଖଡ଼୍‍ଗଧାରରେ ଆଘାତ କରି ବର୍ଜିତ ରୂପେ ବିନାଶ କଲେ; ନିଃଶ୍ଵାସପ୍ରଶ୍ଵାସଧାରୀ କେହି ଅବଶିଷ୍ଟ ରହିଲା ନାହିଁ ଓ ସେ ହାତ୍ସୋରକୁ ଅଗ୍ନିରେ ଦଗ୍ଧ କଲେ ।
ଯିହୋଶୂୟ 11 : 12 (ORV)
ପୁଣି ଯିହୋଶୂୟ ସେହି ରାଜଗଣର ସମସ୍ତ ନଗର ଓ ସେସବୁର ରାଜାମାନଙ୍କୁ ହସ୍ତଗତ କଲେ ଓ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଆଜ୍ଞାନୁସାରେ ଖଡ଼୍‍ଗଧାରରେ ସେମାନଙ୍କୁ ଆଘାତ କରି ବର୍ଜିତ ରୂପେ ବିନାଶ କଲେ ।
ଯିହୋଶୂୟ 11 : 13 (ORV)
ମାତ୍ର ଆପଣା ଆପଣା ଟିକର ଉପରେ ସ୍ଥାପିତ ନଗରମାନ ମଧ୍ୟରୁ କେବଳ ହାତ୍ସୋର ବିନୁ ଆଉ କୌଣସି ନଗର ଇସ୍ରାଏଲ ଦଗ୍ଧ କଲେ ନାହିଁ; ତାହା ଯିହୋଶୂୟ ଦଗ୍ଧ କଲେ ।
ଯିହୋଶୂୟ 11 : 14 (ORV)
ଆଉ ଇସ୍ରାଏଲ-ସନ୍ତାନଗଣ ସେସବୁ ନଗରର ଦ୍ରବ୍ୟାଦି ଓ ପଶୁଗଣକୁ ଆପଣାମାନଙ୍କ ନିମନ୍ତେ ଲୁଟ କରି ନେଲେ; ମାତ୍ର ନିଃଶେଷ ରୂପେ ବଧ କରିବା ଯାଏ ସେମାନେ ଖଡ଼୍‍ଗଧାରରେ ପ୍ରତ୍ୟେକ ମନୁଷ୍ୟକୁ ଆଘାତ କଲେ, ପୁଣି ସେମାନେ ନିଃଶ୍ଵାସପ୍ରଶ୍ଵାସଧାରୀ କାହାକୁ ଅବଶିଷ୍ଟ ରଖିଲେ ନାହିଁ ।
ଯିହୋଶୂୟ 11 : 15 (ORV)
ସଦାପ୍ରଭୁ ଆପଣା ସେବକ ମୋଶାଙ୍କୁ ଯେରୂପ ଆଜ୍ଞା ଦେଇଥିଲେ, ସେରୂପ ମୋଶା ଯିହୋଶୂୟଙ୍କୁ ଆଜ୍ଞା ଦେଲେ; ଆଉ ଯିହୋଶୂୟ ତଦନୁସାରେ କର୍ମ କଲେ; ସଦାପ୍ରଭୁ ମୋଶାଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ, ସେସବୁ ମଧ୍ୟରୁ କୌଣସି କଥା ସେ ଅନ୍ୟଥା କଲେ ନାହିଁ ।
ଯିହୋଶୂୟ 11 : 16 (ORV)
ଏହିରୂପେ ଯିହୋଶୂୟ ସେହିସବୁ ପ୍ରଦେଶ ଓ ସେଠାର ପର୍ବତମୟ ଦେଶ ଓ ସମସ୍ତ ଦକ୍ଷିଣାଞ୍ଚଳ ଓ ଗୋଶନର ସମସ୍ତ ପ୍ରଦେଶ ଓ ତଳଭୂମି ଓ ପଦାଭୂମି ଓ ଇସ୍ରାଏଲର ପର୍ବତମୟ ଦେଶ ଓ ତହିଁର ତଳଭୂମି;
ଯିହୋଶୂୟ 11 : 17 (ORV)
ସେୟୀରଗାମୀ ହାଲକ୍ ପର୍ବତଠାରୁ ହର୍ମୋଣ ପର୍ବତର ନୀଚସ୍ଥ ଲିବାନୋନ୍ ସମସ୍ଥଳୀରେ ଥିବା ବାଲ୍ଗାଦ୍ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲେ; ପୁଣି ସେମାନଙ୍କର ସମସ୍ତ ରାଜାଙ୍କୁ ଧରି ଆଘାତପୂର୍ବକ ବଧ କଲେ ।
ଯିହୋଶୂୟ 11 : 18 (ORV)
ଯିହୋଶୂୟ ସେହି ରାଜାମାନଙ୍କ ସଙ୍ଗେ ଅନେକ ଦିନ ଯୁଦ୍ଧ କଲେ ।
ଯିହୋଶୂୟ 11 : 19 (ORV)
ଗିବିୟୋନ୍ ନିବାସୀ ହିବ୍ବୀୟ ଲୋକମାନଙ୍କ ଛଡ଼ା ଆଉ କୌଣସି ନଗରୀୟ ଲୋକମାନେ ଇସ୍ରାଏଲ-ସନ୍ତାନଗଣ ସଙ୍ଗରେ ସନ୍ଧି କଲେ ନାହିଁ; ସେମାନେ ଯୁଦ୍ଧ କରି ଅନ୍ୟ ସମସ୍ତ ହସ୍ତଗତ କଲେ ।
ଯିହୋଶୂୟ 11 : 20 (ORV)
କାରଣ ସେମାନେ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଆସି ଯେପରି ବର୍ଜିତ ରୂପେ ବିନଷ୍ଟ ହୋଇ ଦୟା ନ ପାଇବେ, ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଉଚ୍ଛିନ୍ନ ହେବେ, ଏନିମନ୍ତେ ସେମାନଙ୍କ ହୃଦୟ କଠିନ କରିବାକୁ ସଦାପ୍ରଭୁଙ୍କର ମାନସ ଥିଲା ।
ଯିହୋଶୂୟ 11 : 21 (ORV)
ଆଉ ସେହି ସମୟରେ ଯିହୋଶୂୟ ଆସି ପର୍ବତମୟ ଦେଶରୁ, ହିବ୍ରୋଣରୁ, ଦବୀରରୁ, ଅନାବରୁ ଓ ଯିହୁଦାର ସମସ୍ତ ପର୍ବତମୟ ଦେଶରୁ ଓ ଇସ୍ରାଏଲର ସମସ୍ତ ପର୍ବତମୟ ଦେଶରୁ ଅନାକୀୟମାନଙ୍କୁ ଉଚ୍ଛିନ୍ନ କଲେ; ଯିହୋଶୂୟ ସେମାନଙ୍କ ନଗର ସମେତ ସେମାନଙ୍କୁ ବର୍ଜିତ ରୂପେ ବିନାଶ କଲେ ।
ଯିହୋଶୂୟ 11 : 22 (ORV)
ଇସ୍ରାଏଲ-ସନ୍ତାନଗଣର ଦେଶରେ ଅନାକୀୟ-ମାନଙ୍କର କେହି ଅବଶିଷ୍ଟ ରହିଲେ ନାହିଁ, କେବଳ ଘସାରେ, ଗାଥ୍ ଓ ଅସ୍ଦୋଦରେ କେହି କେହି ରହିଲେ ।
ଯିହୋଶୂୟ 11 : 23 (ORV)
ଏହିରୂପେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଯିହୋଶୂୟ ସେସମସ୍ତ ଦେଶ ହସ୍ତଗତ କଲେ ଓ ଯିହୋଶୂୟ ପ୍ରତ୍ୟେକ ବଂଶର ବିଭାଗାନୁସାରେ ଅଧିକାର କରିବାକୁ ଇସ୍ରାଏଲଙ୍କୁ ତାହା ଦେଲେ । ତହୁଁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23

BG:

Opacity:

Color:


Size:


Font: