ଦିତୀୟ ବିବରଣ 7 : 1 (ORV)
ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେହି ଦେଶରେ ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ପ୍ରବେଶ କରାଇବେ ଓ ତୁମ୍ଭ ସାକ୍ଷାତରୁ ନାନା ଗୋଷ୍ଠୀୟ ଲୋକମାନଙ୍କୁ, ହିତ୍ତୀୟ ଓ ଗିର୍ଗାଶୀୟ ଓ ଇମୋରୀୟ ଓ କିଣାନୀୟ ଓ ପରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ, ତୁମ୍ଭଠାରୁ ମହାନ ଓ ବଳବାନ ଏହି ସାତ ଗୋଷ୍ଠୀଙ୍କୁ ଦୂର କରିବେ;
ଦିତୀୟ ବିବରଣ 7 : 2 (ORV)
ପୁଣି ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭ ସମ୍ମୁଖରେ ସେମାନଙ୍କୁ ସମର୍ପଣ କରିବେ ଓ ତୁମ୍ଭେ ସେମାନଙ୍କୁ ପରାସ୍ତ କରିବ; ସେତେବେଳେ ତୁମ୍ଭେ ସେମାନଙ୍କୁ ବର୍ଜିତ ରୂପେ ବିନାଶ କରିବ; ତୁମ୍ଭେ ସେମାନଙ୍କ ସହିତ କୌଣସି ନିୟମ କରିବ ନାହିଁ, କିଅବା ସେମାନଙ୍କ ପ୍ରତି ଦୟା ପ୍ରକାଶ କରିବ ନାହିଁ ।
ଦିତୀୟ ବିବରଣ 7 : 3 (ORV)
ଅଥବା ତୁମ୍ଭେ ସେମାନଙ୍କ ସହିତ ବିବାହ-ସମ୍ଵନ୍ଧ କରିବ ନାହିଁ; ତୁମ୍ଭେ ତାହାର ପୁତ୍ରକୁ ଆପଣା କନ୍ୟା ଦେବ ନାହିଁ, ଅବା ଆପଣା ପୁତ୍ର ନିମନ୍ତେ ତାହାର କନ୍ୟା ଗ୍ରହଣ କରିବ ନାହିଁ ।
ଦିତୀୟ ବିବରଣ 7 : 4 (ORV)
କାରଣ ସେ ତୁମ୍ଭ ପୁତ୍ରକୁ ଆମ୍ଭ ଅନୁସରଣରୁ ଫେରାଇବ, ତହିଁରେ ସେମାନେ ଅନ୍ୟ ଦେବଗଣର ସେବା କରି ପାରିବେ; ତାହାହେଲେ, ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ଵଳିତ ହେବ ଓ ସେ ତୁମ୍ଭକୁ ଶୀଘ୍ର ବିନାଶ କରିବେ ।
ଦିତୀୟ ବିବରଣ 7 : 5 (ORV)
ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପ ବ୍ୟବହାର କରିବ; ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦିସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସକଳ ହାଣି ପକାଇବ, ପୁଣି ସେମାନଙ୍କ ଖୋଦିତ ପ୍ରତିମାସକଳ ଅଗ୍ନିରେ ଦଗ୍ଧ କରିବ ।
ଦିତୀୟ ବିବରଣ 7 : 6 (ORV)
କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ପବିତ୍ର ଲୋକ ଅଟ; ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ମନୋନୀତ କରିଅଛନ୍ତି ।
ଦିତୀୟ ବିବରଣ 7 : 7 (ORV)
ତୁମ୍ଭେମାନେ ଅନ୍ୟ ଲୋକଙ୍କ ଅପେକ୍ଷା ଅଧିକସଂଖ୍ୟକ ଥିଲ ବୋଲି ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ସ୍ନେହ ରଖିଲେ ନାହିଁ କି ତୁମ୍ଭମାନଙ୍କୁ ମନୋନୀତ କଲେ ନାହିଁ, କାରଣ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଅଳ୍ପସଂଖ୍ୟକ ଥିଲ ।
ଦିତୀୟ ବିବରଣ 7 : 8 (ORV)
ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ସ୍ନେହ କରିବାରୁ ଓ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ସେ ଯେଉଁ ଶପଥ କରିଥିଲେ, ତାହା ପ୍ରତିପାଳନ କରିବାକୁ ଇଚ୍ଛୁକ ହେବାରୁ ସଦାପ୍ରଭୁ ବଳବାନ ହସ୍ତ ଦ୍ଵାରା ତୁମ୍ଭମାନଙ୍କୁ ବାହାର କରି ଆଣିଅଛନ୍ତି ଓ ଦାସ୍ୟଗୃହରୁ, ମିସରର ରାଜା ଫାରୋର ହସ୍ତରୁ ତୁମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି ।
ଦିତୀୟ ବିବରଣ 7 : 9 (ORV)
ଏହେତୁ ଜାଣ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ଵର, କେବଳ ସେ ପରମେଶ୍ଵର; ସେ ବିଶ୍ଵସନୀୟ ପରମେଶ୍ଵର; ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ସେ ସହସ୍ର ପୁରୁଷ ପର୍ଯ୍ୟନ୍ତ ନିୟମ ଓ ଦୟା ରକ୍ଷା କରନ୍ତି।
ଦିତୀୟ ବିବରଣ 7 : 10 (ORV)
ପୁଣି ଯେଉଁମାନେ ତାହାଙ୍କୁ ଘୃଣା କରନ୍ତି, ସେମାନଙ୍କୁ ସଂହାର କରିବା ନିମନ୍ତେ ସେ ସେମାନଙ୍କ ସମ୍ମୁଖରେ ପରିଶୋଧ କରନ୍ତି; ଯେ ତାହାଙ୍କୁ ଘୃଣା କରେ, ସେ ତାହା ପ୍ରତି ବିଳମ୍ଵ କରିବେ ନାହିଁ, ସେ ତାହାର ସମ୍ମୁଖରେ ପରିଶୋଧ କରିବେ ।
ଦିତୀୟ ବିବରଣ 7 : 11 (ORV)
ଏ ନିମନ୍ତେ ମୁଁ ଆଜି ତୁମ୍ଭକୁ ଯେ ଯେ ଆଜ୍ଞା ଓ ବିଧି ଓ ଶାସନ ଆଜ୍ଞା ଦେଉଅଛି, ତାହା ମାନ୍ୟ କରି ପାଳନ କର ।
ଦିତୀୟ ବିବରଣ 7 : 12 (ORV)
ତୁମ୍ଭେମାନେ ଏହି ସକଳ ଶାସନ ଶୁଣି ଓ ମାନି ଓ ପାଳନ କରିବାରୁ ଏପରି ହେବ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ ଓ ଦୟା ବିଷୟରେ ଶପଥ କରିଅଛନ୍ତି, ସେ ତାହା ତୁମ୍ଭ ପକ୍ଷରେ ରକ୍ଷା କରିବେ ।
ଦିତୀୟ ବିବରଣ 7 : 13 (ORV)
ପୁଣି ସେ ତୁମ୍ଭକୁ ସ୍ନେହ କରିବେ ଓ ତୁମ୍ଭକୁ ଆଶୀର୍ବାଦ କରିବେ ଓ ତୁମ୍ଭକୁ ବଦ୍ଧିଷ୍ଣୁ କରିବେ; ମଧ୍ୟ ସେ ତୁମ୍ଭକୁ ଯେଉଁ ଦେଶ ଦେବା ପାଇଁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶରେ ସେ ତୁମ୍ଭ ଗର୍ଭଫଳ ଓ ତୁମ୍ଭ ଭୂମିଫଳ ଓ ତୁମ୍ଭ ଶସ୍ୟ ଓ ତୁମ୍ଭ ଦ୍ରାକ୍ଷାରସ ଓ ତୁମ୍ଭ ତୈଳ ଓ ତୁମ୍ଭ ଗୋରୁମାନଙ୍କ ବତ୍ସ ଓ ତୁମ୍ଭ ପଲର ଶାବକ, ଏହି ସମସ୍ତଙ୍କୁ ଆଶୀର୍ବାଦ କରିବେ ।
ଦିତୀୟ ବିବରଣ 7 : 14 (ORV)
ତୁମ୍ଭେ ସମସ୍ତ ଲୋକଙ୍କ ଅପେକ୍ଷା ଅଧିକ ଆଶୀର୍ବାଦ ପାଇବ; ତୁମ୍ଭମାନଙ୍କ ମଧ୍ୟରେ ପୁରୁଷ କି ସ୍ତ୍ରୀ କିଅବା ତୁମ୍ଭମାନଙ୍କ ପଶୁଗଣ ମଧ୍ୟରେ କେହି ନିଃସନ୍ତାନ ହେବେ ନାହିଁ ।
ଦିତୀୟ ବିବରଣ 7 : 15 (ORV)
ପୁଣି ସଦାପ୍ରଭୁ ତୁମ୍ଭଠାରୁ ସମସ୍ତ ରୋଗ ଦୂର କରିବେ; ଆଉ ତୁମ୍ଭେ ମିସ୍ରୀୟ ଯେସବୁ ମନ୍ଦ-ବ୍ୟାଧି ଜ୍ଞାତ ଅଟ, ତାହା ସେ ତୁମ୍ଭ ଉପରେ ବର୍ତ୍ତାଇବେ ନାହିଁ, ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେସମସ୍ତଙ୍କ ଉପରେ ତାହା ବର୍ତ୍ତାଇବେ ।
ଦିତୀୟ ବିବରଣ 7 : 16 (ORV)
ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭ ହସ୍ତରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସେମାନଙ୍କୁ ଗ୍ରାସ କରିବ; ତୁମ୍ଭର ଚକ୍ଷୁ ସେମାନଙ୍କୁ ଦୟା କରିବ ନାହିଁ; କିଅବା ତୁମ୍ଭେ ସେମାନଙ୍କ ଦେବଗଣକୁ ସେବା କରିବ ନାହିଁ, କାରଣ ତାହା ତୁମ୍ଭର ଫାନ୍ଦ ସ୍ଵରୂପ ।
ଦିତୀୟ ବିବରଣ 7 : 17 (ORV)
ଯେବେ ତୁମ୍ଭେ ଆପଣା ମନେ ମନେ କହିବ, ଏହି ଗୋଷ୍ଠୀୟ ଲୋକମାନେ ଆମ୍ଭଠାରୁ ଅଧିକ; ଆମ୍ଭେ କିପରି ସେମାନଙ୍କୁ ଅଧିକାରଚ୍ୟୁତ କରି ପାରିବା? ତଥାପି ତୁମ୍ଭେ ସେମାନଙ୍କଠାରୁ ଭୀତ ହେବ ନାହିଁ ।
ଦିତୀୟ ବିବରଣ 7 : 18 (ORV)
ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଫାରୋ ଓ ସମସ୍ତ ମିସର ପ୍ରତି ଯେ ଯେ କର୍ମ କରିଅଛନ୍ତି;
ଦିତୀୟ ବିବରଣ 7 : 19 (ORV)
ତୁମ୍ଭେ ନିଜ ଆଖିରେ ଯେଉଁ ମହା ମହା ପରଖ ଦେଖିଅଛ ଓ ଯେଉଁ ଯେଉଁ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ଓ ପରାକ୍ରା; ହସ୍ତ ଓ ବିସ୍ତାରିତ ବାହୁ ଦ୍ଵାରା ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ବାହାର କରି ଆଣିଅଛନ୍ତି, ତାହାସବୁ ଉତ୍ତମ ରୂପେ ସ୍ମରଣ କରିବ । ତୁମ୍ଭେ ଯେଉଁମାନଙ୍କୁ ଭୟ କରୁଅଛ, ସେସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତଦ୍ରୂପ କରିବେ ।
ଦିତୀୟ ବିବରଣ 7 : 20 (ORV)
ଆହୁରି ଯେଉଁମାନେ ଅବଶିଷ୍ଟ ରହିବେ ଓ ଆପଣାମାନଙ୍କୁ ଲୁଚାଇ ରଖିବେ, ସେମାନେ ତୁମ୍ଭ ସମ୍ମୁଖରୁ ବିନଷ୍ଟ ନୋହିବା ଯାଏ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ସେମାନଙ୍କ ମଧ୍ୟକୁ ବିରୁଡ଼ି ପଠାଇବେ ।
ଦିତୀୟ ବିବରଣ 7 : 21 (ORV)
ତୁମ୍ଭେ ସେମାନଙ୍କଠାରୁ ତ୍ରାସଯୁକ୍ତ ହେବ ନାହିଁ, କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭର ମଧ୍ୟବର୍ତ୍ତୀ, ସେ ମହାନ ଓ ଭୟଙ୍କର ପରମେଶ୍ଵର ।
ଦିତୀୟ ବିବରଣ 7 : 22 (ORV)
ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭ ସମ୍ମୁଖରୁ ସେହି ଗୋଷ୍ଠୀୟ ଲୋକମାନଙ୍କୁ ଅଳ୍ପ ଅଳ୍ପ କରି କାଢ଼ି ଦେବେ; ତୁମ୍ଭେ ସେମାନଙ୍କୁ ଏକାବେଳେ ବିନାଶ କରିବ ନାହିଁ, କଲେ ବନପଶୁମାନେ ତୁମ୍ଭ ପ୍ରତିକୂଳରେ ବଢ଼ି ଉଠିବେ ।
ଦିତୀୟ ବିବରଣ 7 : 23 (ORV)
ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭ ଆଗରେ ସେମାନଙ୍କୁ ସମର୍ପଣ କରିବେ ଓ ସେମାନେ ବିନଷ୍ଟ ନୋହିବା ଯାଏ ସେମାନଙ୍କୁ ମହାବ୍ୟାକୁଳତାରେ ବ୍ୟାକୁଳ କରିବେ ।
ଦିତୀୟ ବିବରଣ 7 : 24 (ORV)
ଆଉ ସେ ସେମାନଙ୍କ ରାଜଗଣକୁ ତୁମ୍ଭ ହସ୍ତରେ ସମର୍ପଣ କରିବେ, ତହିଁରେ ତୁମ୍ଭେ ଆକାଶମଣ୍ତଳର ତଳୁ ସେମାନଙ୍କ ନାମ ଲୋପ କରିବ; ତୁମ୍ଭେ ସେମାନଙ୍କୁ ବିନାଶ କରିବା ଯାଏ କେହି ତୁମ୍ଭ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହେବ ନାହିଁ ।
ଦିତୀୟ ବିବରଣ 7 : 25 (ORV)
ତୁମ୍ଭେମାନେ ସେମାନଙ୍କ ଦେବଗଣର ଖୋଦିତ ପ୍ରତିମାସକଳ ଅଗ୍ନିରେ ଦଗ୍ଧ କରିବ; ତୁମ୍ଭେ ଯେପରି ଫାନ୍ଦରେ ନ ପଡ଼ିବ, ଏଥିପାଇଁ ସେସବୁରେ ଥିବା ରୂପା କି ସୁନା ପ୍ରତି ଲୋଭ କରିବ ନାହିଁ, କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ, କାରଣ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କର ଘୃଣିତ ବସ୍ତୁ;
ଦିତୀୟ ବିବରଣ 7 : 26 (ORV)
ପୁଣି ତୁମ୍ଭେ ସେହି ଘୃଣିତ ବସ୍ତୁ ଆପଣା ଗୃହକୁ ଆଣିବ ନାହିଁ, ଆଣିଲେ ତାହା ତୁଲ୍ୟ ବର୍ଜିତ ହେବ; ତୁମ୍ଭେ ତାହା ଅତିଶୟ ଘୃଣା କରିବ ଓ ଅତିଶୟ ତୁଚ୍ଛଜ୍ଞାନ କରିବ; ଯେହେତୁ ତାହା ବର୍ଜନୀୟ ବସ୍ତୁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26

BG:

Opacity:

Color:


Size:


Font: