ଦିତୀୟ ବିବରଣ 32 : 1 (ORV)
ହେ ଆକାଶମଣ୍ତଳ, କର୍ଣ୍ଣ ଦିଅ, ଆମ୍ଭେ କହିବା; ପୁଣି ପୃଥିବୀ ଆମ୍ଭ ମୁଖର ବାକ୍ୟ ଶ୍ରବଣ କରୁ;
ଦିତୀୟ ବିବରଣ 32 : 2 (ORV)
ମୋହର ଉପଦେଶ ବୃଷ୍ଟି ପରି ବର୍ଷିବ; ମୋହର କଥା ଶିଶିର ପରି କ୍ଷରିବ; ତାହା କୋମଳ ତୃଣ ଉପରେ ମନ୍ଦ ମନ୍ଦ ବୃଷ୍ଟି ତୁଲ୍ୟ ଓ ଶାକ ଉପରେ ଅସରା ବୃଷ୍ଟି ତୁଲ୍ୟ ହେବ ।
ଦିତୀୟ ବିବରଣ 32 : 3 (ORV)
କାରଣ ମୁଁ ସଦାପ୍ରଭୁଙ୍କ ନାମ ପ୍ରଚାର କରିବି; ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ଵରଙ୍କ ପ୍ରତି ମହିମା ଆରୋପ କର ।
ଦିତୀୟ ବିବରଣ 32 : 4 (ORV)
ସେ ତ ଶୈଳ, ତାହାଙ୍କ କର୍ମ ସିଦ୍ଧ; କାରଣ ତାହାଙ୍କର ସକଳ ପଥ ନ୍ୟାୟ; ସେ ବିଶ୍ଵସ୍ତ ଓ ଅଧର୍ମରହିତ ପରମେଶ୍ଵର; ସେ ଧାର୍ମିକ ଓ ସରଳ ଅଟନ୍ତି ।
ଦିତୀୟ ବିବରଣ 32 : 5 (ORV)
ସେମାନେ ତାହାଙ୍କ ଉଦ୍ଦେଶ୍ୟରେ ଭ୍ରଷ୍ଟାଚରଣ କରିଅଛନ୍ତି, ସେମାନେ ତାହାଙ୍କର ସନ୍ତାନ ନୁହନ୍ତି, ମାତ୍ର ସନ୍ତାନମାନଙ୍କର କଳଙ୍କ; ସେମାନେ ବିପଥଗାମୀ ଓ କୁଟିଳ ବଂଶ ।
ଦିତୀୟ ବିବରଣ 32 : 6 (ORV)
ହେ ମୂଢ଼ ଓ ଅଜ୍ଞାନ ଲୋକେ, ତୁମ୍ଭେମାନେ କି ସଦାପ୍ରଭୁଙ୍କୁ ଏପରି ପରିଶୋଧ କରୁଅଛ? ସେ କି ତୁମ୍ଭର କ୍ରୟକାରୀ ପିତା ନୁହନ୍ତି? ସେ ତୁମ୍ଭର ସୃଷ୍ଟି ଓ ସ୍ଥିତିକର୍ତ୍ତା ଅଟନ୍ତି ।
ଦିତୀୟ ବିବରଣ 32 : 7 (ORV)
ପୂର୍ବକାଳର ଦିନସବୁ ସ୍ମରଣ କର, ଗତ ବହୁ ପୁରୁଷର ବର୍ଷ ବିବେଚନା କର; ତୁମ୍ଭ ପିତାଙ୍କୁ ପଚାର, ସେ ତୁମ୍ଭକୁ ଜଣାଇବେ; ତୁମ୍ଭ ପ୍ରାଚୀନମାନଙ୍କୁ ପଚାର, ସେମାନେ ତୁମ୍ଭକୁ କହିବେ ।
ଦିତୀୟ ବିବରଣ 32 : 8 (ORV)
ସର୍ବୋପରିସ୍ଥ ଯେତେବେଳେ ଗୋଷ୍ଠୀୟ ଲୋକମାନଙ୍କୁ ସେମାନଙ୍କ ଅଧିକାର ଦେଲେ; ଯେତେବେଳେ ସେ ମନୁଷ୍ୟ ସନ୍ତାନମାନଙ୍କୁ ପୃଥକ କଲେ, ସେତେବେଳେ ଇସ୍ରାଏଲ-ସନ୍ତାନଗଣର ସଂଖ୍ୟାନୁସାରେ ସେ ଲୋକମାନଙ୍କର ସୀମା ସ୍ଥାପନ କଲେ ।
ଦିତୀୟ ବିବରଣ 32 : 9 (ORV)
କାରଣ ସଦାପ୍ରଭୁଙ୍କ ଅଂଶ ତାହାଙ୍କର ଲୋକ; ଯାକୁବ ତାହାଙ୍କର ଅଧିକାରର ବାଣ୍ଟ ।
ଦିତୀୟ ବିବରଣ 32 : 10 (ORV)
ସେ ତାହାକୁ ପ୍ରାନ୍ତର ଦେଶରେ ଓ ପଶୁବୋବାଳିପୂର୍ଣ୍ଣ ଘୋର ମରୁଭୂମିରେ ପାଇଲେ; ସେ ତାହାକୁ ଚାରିଆଡ଼ୁ ଆବୋରିଲେ, ସେ ତାହା ବିଷୟରେ ମନୋଯୋଗ କଲେ, ସେ ତାହାକୁ ଆପଣା ଚକ୍ଷୁର ପିତୁଳା ପରି ରଖିଲେ ।
ଦିତୀୟ ବିବରଣ 32 : 11 (ORV)
ଯେପରି ଉତ୍କ୍ରୋଶ ପକ୍ଷୀ ଆପଣା ବସାକୁ ଉତ୍ତେଜିତ କରେ, ଛୁଆମାନଙ୍କ ଉପରେ ପକ୍ଷ ଧଡ଼ଧଡ଼ କରେ, (ସେପରି) ସେ ଆପଣା ପକ୍ଷ ବିସ୍ତାର କଲେ, ସେ ସେମାନଙ୍କୁ ତୋଳି ନେଲେ, ସେ ଆପଣା ଡେଣାରେ ସେମାନଙ୍କୁ ବହିଲେ;
ଦିତୀୟ ବିବରଣ 32 : 12 (ORV)
ସଦାପ୍ରଭୁ ଏକାକୀ ତାହାକୁ ଗମନ କରାଇଲେ, ପୁଣି ତାହା ସହିତ କୌଣସି ବିଦେଶୀୟ ଦେବତା ନ ଥିଲା ।
ଦିତୀୟ ବିବରଣ 32 : 13 (ORV)
ସେ ପୃଥିବୀର ଉଚ୍ଚସ୍ଥଳୀ ଉପରେ ତାହାକୁ ବାହନ-ଆରୋହଣ ତୁଲ୍ୟ ଗମନ କରାଇଲେ ଓ ସେ କ୍ଷେତ୍ରଜାତ ଫଳ ଭୋଜନ କଲା; ସେ ତାହାକୁ ପାଷାଣରୁ ମଧୁ ଓ ଚକମକି ପ୍ରସ୍ତରମୟ ଶୈଳରୁ ତୈଳ ପାନ କରାଇଲେ;
ଦିତୀୟ ବିବରଣ 32 : 14 (ORV)
ତୁମ୍ଭେ ଗୋଦଧି ଓ ଛାଗଦୁଗ୍ଧ ସହିତ ମେଷମେଦ ଓ ବାଶନ ଦେଶୀୟ ମେଷ ଓ ଛାଗର ମାଂସ ସହିତ ଉତ୍ତମ ଗହମର ସାର (ଖାଇଲ), ପୁଣି ତୁମ୍ଭେ ଦ୍ରାକ୍ଷାର ରକ୍ତବର୍ଣ୍ଣ ରସ ପାନ କଲ ।
ଦିତୀୟ ବିବରଣ 32 : 15 (ORV)
ମାତ୍ର ଯିଶୁରୁଣ ଚର୍ବିରେ ଫୁଲି ପଦାଘାତ କଲା; ତୁମ୍ଭେ ଚର୍ବିରେ ଫୁଲିଅଛ, ତୁମ୍ଭେ ମୋଟ ହୋଇଅଛ, ତୁମ୍ଭେ ଚିକ୍କଣ ହୋଇଅଛ । ତହୁଁ ସେ ଆପଣା ସୃଷ୍ଟିକର୍ତ୍ତାପରମେଶ୍ଵରଙ୍କୁ ତ୍ୟାଗ କଲାପ, ପୁଣି ଆପଣା ତ୍ରାଣ ରୂପ ଶୈଳଙ୍କୁ ଲଘୁ ଜ୍ଞାନ କଲା ।
ଦିତୀୟ ବିବରଣ 32 : 16 (ORV)
ସେମାନେ ଅନ୍ୟ ଦେବତାମାନଙ୍କ ଦ୍ଵାରା ତାହାଙ୍କର ଅନ୍ତର୍ଜ୍ଵାଳା ଜନ୍ମାଇଲେ, ଘୃଣାଯୋଗ୍ୟ ବସ୍ତୁ ଦ୍ଵାରା ସେମାନେ ତାହାଙ୍କୁ ବିରକ୍ତ କଲେ ।
ଦିତୀୟ ବିବରଣ 32 : 17 (ORV)
ଯେଉଁମାନେ ଭୂତ, ପରମେଶ୍ଵର ନୁହନ୍ତି, ଯେଉଁ ଦେବତାମାନଙ୍କୁ ସେମାନେ ଜାଣିଲେ ନାହିଁ, ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଯେଉଁମାନଙ୍କୁ ଡରିଲେ ନାହିଁ, ଏପରି ସଦ୍ୟ ଉତ୍ପନ୍ନ ନୂତନ ଦେବତାମାନଙ୍କ ଉଦ୍ଦେଶ୍ୟରେ ସେମାନେ ବଳିଦାନ କଲେ ।
ଦିତୀୟ ବିବରଣ 32 : 18 (ORV)
ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତାହାଙ୍କ ବିଷୟରେ ତୁମ୍ଭେ ଅମନୋଯୋଗୀ ଅଟ ଓ ଯେଉଁ ପରମେଶ୍ଵର ତୁମ୍ଭକୁ ଜନ୍ମ ଦେଲେ, ତୁମ୍ଭେ ତାହାଙ୍କୁ ପାସୋରି ଅଛ ।
ଦିତୀୟ ବିବରଣ 32 : 19 (ORV)
ସଦାପ୍ରଭୁ ତାହା ଦେଖିଲେ, ପୁଣି ତାହାଙ୍କର ପୁତ୍ର ଓ କନ୍ୟାମାନେ ତାହାଙ୍କର ବିରକ୍ତି ଜନ୍ମାଇବାରୁ ସେ ସେମାନଙ୍କୁ ଘୃଣା କଲେ ।
ଦିତୀୟ ବିବରଣ 32 : 20 (ORV)
ଆଉ ସେ କହିଲେ, ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇବା, ସେମାନଙ୍କର ଶେଷ ଦଶା କʼଣ ହେବ, ତାହା ଆମ୍ଭେ ଦେଖିବା; କାରଣ ସେମାନେ ନିତା; ବକ୍ରଗାମୀ ବଂଶ, ଏପରି ସନ୍ତାନ, ଯେଉଁମାନଙ୍କଠାରେ କିଛି ବିଶ୍ଵସ୍ତତା ନାହିଁ ।
ଦିତୀୟ ବିବରଣ 32 : 21 (ORV)
ଯେ ପରମେଶ୍ଵର ନୁହନ୍ତି, ତାହା ଦ୍ଵାରା ସେମାନେ ଆମ୍ଭର ଅନ୍ତର୍ଜ୍ଵାଳା ଜନ୍ମାଇଲେ; ସେମାନେ ଅସାର ବସ୍ତୁ ଦ୍ଵାରା ଆମ୍ଭଙ୍କୁ ବିରକ୍ତ କଲେ; ଏଣୁ ଯେଉଁମାନେ ଲୋକରେ ଗଣା ନୁହନ୍ତି, ସେମାନଙ୍କ ଦ୍ଵାରା ଆମ୍ଭେ ସେମାନଙ୍କର ଅନ୍ତର୍ଜ୍ଵାଳା ଜନ୍ମାଇବା; ଆମ୍ଭେ ମୂଢ଼ ଗୋଷ୍ଠୀ ଦ୍ଵାରା ସେମାନଙ୍କୁ ବିରକ୍ତ କରିବା ।
ଦିତୀୟ ବିବରଣ 32 : 22 (ORV)
କାରଣ ଆମ୍ଭ କ୍ରୋଧରେ ଅଗ୍ନି ପ୍ରଜ୍ଵଳିତ ହେଲା, ତାହା ନୀଚତମ ପାତାଳ ପର୍ଯ୍ୟନ୍ତ ଜ୍ଵଳୁଅଛି ଓ ପୃଥିବୀକି ତଦୁତ୍ପନ୍ନ ବସ୍ତୁ ସହିତ ଗ୍ରାସ କରେ, ଆଉ ପର୍ବତମାନର ମୂଳଦୁଆ ଜ୍ଵଳାଏ ।
ଦିତୀୟ ବିବରଣ 32 : 23 (ORV)
ଆମ୍ଭେ ସେମାନଙ୍କ ଉପରେ ଅନେକ ଅମଙ୍ଗଳ ଗଦା କରି ଥୋଇବା, ଆମ୍ଭେ ସେମାନଙ୍କ ଉପରେ ଆପଣା ବାଣସବୁ ବ୍ୟୟ କରିବା ।
ଦିତୀୟ ବିବରଣ 32 : 24 (ORV)
ସେମାନେ କ୍ଷୁଧାରେ କ୍ଷୀଣ ହେବେ, ସେମାନେ ବ୍ୟାଧିର ଜ୍ଵାଳାରେ ଓ ବିଷାକ୍ତ ମହାମାରୀରେ ଗ୍ରାସିତ ହେବେ; ଆମ୍ଭେ ଧୂଳିର ଉରୋଗାମୀର ବିଷ ସହିତ ଜନ୍ତୁଗଣର ଦନ୍ତ ପଠାଇବା ।
ଦିତୀୟ ବିବରଣ 32 : 25 (ORV)
ବାହାରେ ଖଡ଼୍‍ଗ ଶୂନ୍ୟ କରିବ ଓ ଗୃହ ଭିତରେ ତ୍ରାସ; ତାହା ଯୁବା ଓ ଯୁବତୀ ଦୁହିଙ୍କି, ପୁଣି ଦୁଗ୍ଧପୋଷ୍ୟ ଶିଶୁ ସହିତ ପକ୍ଵକେଶ ବୃଦ୍ଧକୁ (ବିନାଶ କରିବ) ।
ଦିତୀୟ ବିବରଣ 32 : 26 (ORV)
ଆମ୍ଭେ କହିଲୁ, ଶତ୍ରୁର ବିରକ୍ତିକି, କେଜାଣି ବିପକ୍ଷମାନେ ବିପରୀତ ବିଚାର କରିବେ, କେଜାଣି ସେମାନେ କହିବେ, ଆମ୍ଭମାନଙ୍କ ହସ୍ତ ଉନ୍ନତ ହୋଇଅଛି, ପୁଣି ସଦାପ୍ରଭୁ ଏସବୁ କରି ନାହାନ୍ତି, ଏକଥା ଯେବେ ଆମ୍ଭେ ଚିନ୍ତା ନ କରନ୍ତୁ;
ଦିତୀୟ ବିବରଣ 32 : 27 (ORV)
ତେବେ ଆମ୍ଭେ ସେମାନଙ୍କୁ ଦୂରରେ ଛିନ୍ନଭିନ୍ନ କରନ୍ତୁ, ଆମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ସେମାନଙ୍କ ସ୍ମରଣ ଲୋପ କରନ୍ତୁ ।
ଦିତୀୟ ବିବରଣ 32 : 28 (ORV)
ଯେହେତୁ ସେମାନେ ଯୁକ୍ତିହୀନ-ଗୋଷ୍ଠୀ, ସେମାନଙ୍କର ବିବେଚନା ନାହିଁ ।
ଦିତୀୟ ବିବରଣ 32 : 29 (ORV)
ଆହା, ସେମାନେ ଯେବେ ଜ୍ଞାନବାନ ହୁଅନ୍ତେ, ସେମାନେ ଏକଥା ବୁଝନ୍ତେ, ସେମାନେ ଯେବେ ଆପଣାମାନଙ୍କ ଶେଷାବସ୍ଥା ବିବେଚନା କରନ୍ତେ ।
ଦିତୀୟ ବିବରଣ 32 : 30 (ORV)
ଯେବେ ସେମାନଙ୍କର ଶୈଳ ସେମାନଙ୍କୁ ବିକ୍ରୟ କରିଦେଇ ନ ଥାʼନ୍ତେ ଓ ଯେବେ ସଦାପ୍ରଭୁ ସେମାନଙ୍କୁ ସମର୍ପଣ କରି ଦେଇ ନ ଥାʼନ୍ତେ, ତେବେ ସହସ୍ର ଜଣଙ୍କୁ ଏକ ଜଣ କିପରି ତଡ଼ି ଦିଅନ୍ତା, ପୁଣି ଦଶ ସହସ୍ର ଜଣଙ୍କୁ ଦୁଇ ଜଣ କିପରି ବିମୁଖ କରନ୍ତେ?
ଦିତୀୟ ବିବରଣ 32 : 31 (ORV)
କାରଣ ସେମାନଙ୍କର ଶୈଳ ଆମ୍ଭମାନଙ୍କ ଶୈଳ ତୁଲ୍ୟ ନୁହେଁ ବୋଲି ଆମ୍ଭମାନଙ୍କ ଶତ୍ରୁମାନେ ଆପେ ବିଚାରକର୍ତ୍ତା ହେଲେହେଁ (ଜାଣନ୍ତି) ।
ଦିତୀୟ ବିବରଣ 32 : 32 (ORV)
କାରଣ ସେମାନଙ୍କ ଦ୍ରାକ୍ଷାଲତା ସଦୋମର ଦ୍ରାକ୍ଷାଲତାରୁ ଓ ହମୋରାର କ୍ଷେତ୍ରରୁ ଜାତ; ସେମାନଙ୍କ ଦ୍ରାକ୍ଷାଫଳ ବିଷମୟ ଦ୍ରାକ୍ଷାଫଳ, ସେମାନଙ୍କ ପେଣ୍ତା ତିକ୍ତ;
ଦିତୀୟ ବିବରଣ 32 : 33 (ORV)
ସେମାନଙ୍କ ଦ୍ରାକ୍ଷାରସ ନାଗସର୍ପର ଗରଳ ଓ କାଳସର୍ପର କ୍ରୂର ବିଷ ।
ଦିତୀୟ ବିବରଣ 32 : 34 (ORV)
ଏହା କି ଆମ୍ଭ ନିକଟରେ ସଞ୍ଚିତ ହୋଇ ନାହିଁ ଓ ଆମ୍ଭ ଭଣ୍ତାରରେ ମୁଦ୍ରାଙ୍କିତ ହୋଇ ରହି ନାହିଁ?
ଦିତୀୟ ବିବରଣ 32 : 35 (ORV)
ସେମାନଙ୍କ ପାଦ ପିଚ୍ଛଳି ପଡ଼ିବା ବେଳେ ସମୁଚିତ ଦଣ୍ତ ଓ ପ୍ରତିଫଳ ଦେବା ଆମ୍ଭର କର୍ମ; କାରଣ ସେମାନଙ୍କ ବିପଦର ଦିନ ସନ୍ନିକଟ ଓ ସେମାନଙ୍କ ପାଇଁ ଯାହା ନିରୂପିତ, ତାହା ଶୀଘ୍ର ଆସୁଅଛି ।
ଦିତୀୟ ବିବରଣ 32 : 36 (ORV)
ଯେହେତୁ ସଦାପ୍ରଭୁ ସେମାନଙ୍କୁ ଶକ୍ତିହୀନ ଓ ସେମାନଙ୍କ ମଧ୍ୟରେ ବଦ୍ଧ କି ମୁକ୍ତ କେହି ଅବଶିଷ୍ଟ ନ ଥିବାର ଦେଖିଲେ, ସେ ଆପଣା ଲୋକମାନଙ୍କର ବିଚାର କରିବେ ଓ ଆପଣା ଦାସମାନଙ୍କ ପ୍ରତି ସଦୟ ହେବେ ।
ଦିତୀୟ ବିବରଣ 32 : 37 (ORV)
ପୁଣି ସେ କହିବେ, ସେମାନଙ୍କ ଦେବତାମାନେ କାହାନ୍ତି? ଯେଉଁ ଶୈଳରେ ସେମାନେ ଶରଣ ନେଲେ, ସେ କାହିଁ?
ଦିତୀୟ ବିବରଣ 32 : 38 (ORV)
ଯେଉଁମାନେ ସେମାନଙ୍କ ବଳିର ମେଦ ଭୋଜନ କଲେ ଓ ପେୟ-ନୈବେଦ୍ୟର ଦ୍ରାକ୍ଷାରସ ପାନ କଲେ, ସେମାନେ କାହାନ୍ତି? ସେମାନେ ଉଠି ତୁମ୍ଭମାନଙ୍କର ଉପକାର କରନ୍ତୁ, ସେମାନେ ତୁମ୍ଭମାନଙ୍କର ଆଶ୍ରୟ ହେଉନ୍ତୁ ।
ଦିତୀୟ ବିବରଣ 32 : 39 (ORV)
ଏବେ ଦେଖ, ଆମ୍ଭେ, ଆମ୍ଭେ ହିଁ ସେ ଅଟୁ; ଆମ୍ଭ ସଙ୍ଗେ ଆଉ କୌଣସି ଦେବତା ନାହିଁ; ଆମ୍ଭେ ବଧ କରୁ ଓ ଆମ୍ଭେ ଜୀବନ ଦାନ କରୁ; ଆମ୍ଭେ କ୍ଷତ କରିଅଛୁ ଓ ଆମ୍ଭେ ସୁସ୍ଥ କରୁ; ପୁଣି ଆମ୍ଭ ହସ୍ତରୁ ଯେ ଉଦ୍ଧାର କରିପାରେ, ଏପରି କେହି ନାହିଁ ।
ଦିତୀୟ ବିବରଣ 32 : 40 (ORV)
କାରଣ ଆମ୍ଭେ ଆକାଶ ଆଡ଼େ ହସ୍ତ ଉଠାଇ କହୁ, ଆମ୍ଭେ ଯେବେ ଅନନ୍ତଜୀବୀ ଅଟୁ,
ଦିତୀୟ ବିବରଣ 32 : 41 (ORV)
ତେବେ ଆମ୍ଭେ ଆପଣା ବଜ୍ର ତୁଲ୍ୟ ଖଡ଼୍‍ଗରେ ଶାଣ ଦେଲେ ଓ ବିଚାର ସାଧନ କରିବା ପାଇଁ ହସ୍ତକ୍ଷେପ କଲେ, ଆମ୍ଭେ ଆପଣା ବିପକ୍ଷଗଣଠାରୁ ପରିଶୋଧ ନେବା, ପୁଣି ଯେଉଁମାନେ ଆମ୍ଭଙ୍କୁ ଘୃଣା କରନ୍ତି, ସେମାନଙ୍କୁ ଆମ୍ଭେ ପ୍ରତିଫଳ ଦେବା ।
ଦିତୀୟ ବିବରଣ 32 : 42 (ORV)
ଆମ୍ଭେ ଆପଣା ବାଣମାନଙ୍କୁ ରକ୍ତରେ, ହତ ଓ ବନ୍ଦୀମାନଙ୍କ ରକ୍ତରେ ମତ୍ତ କରିବା ଓ ଆମ୍ଭ ଖଡ଼୍‍ଗ ଶତ୍ରୁମାନଙ୍କ ରାଜଗଣର ମସ୍ତକରୁ ମାଂସ ଭୋଜନ କରିବ ।
ଦିତୀୟ ବିବରଣ 32 : 43 (ORV)
ହେ ଅନ୍ୟ ଦେଶୀୟ ଲୋକମାନେ, ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କ ସଙ୍ଗରେ ଆନନ୍ଦ କର; କାରଣ ସେ ଆପଣା ଦାସମାନଙ୍କ ରକ୍ତପାତର ପ୍ରତିକାର କରିବେ ଓ ଆପଣା ବିପକ୍ଷଗଣଠାରୁ ପରିଶୋଧ ନେବେ, ପୁଣି ସେ ଆପଣା ଦେଶ ନିମନ୍ତେ, ଆପଣା ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବେ ।
ଦିତୀୟ ବିବରଣ 32 : 44 (ORV)
ଏହିରୂପେ ମୋଶା ଓ ନୂନର ପୁତ୍ର ଯିହୋଶୂୟ ଆସି ଲୋକମାନଙ୍କ କର୍ଣ୍ଣଗୋଚରରେ ଏହି ଗୀତର ସମସ୍ତ କଥା କହିଲେ ।
ଦିତୀୟ ବିବରଣ 32 : 45 (ORV)
ପୁଣି ମୋଶା ସମସ୍ତ ଇସ୍ରାଏଲଙ୍କ ନିକଟରେ ଏହି ସମସ୍ତ କଥା ସମାପ୍ତ କରି ସେମାନଙ୍କୁ କହିଲେ;
ଦିତୀୟ ବିବରଣ 32 : 46 (ORV)
ମୁଁ ଆଜି ତୁମ୍ଭମାନଙ୍କ ନିକଟରେ ସାକ୍ଷ୍ୟ ଦେଇ ଯେସବୁ କଥା କହିଲି, ତୁମ୍ଭେମାନେ ତହିଁରେ ମନ ଦିଅ, କାରଣ ତୁମ୍ଭମାନଙ୍କ ସନ୍ତାନମାନେ ଯେପରି ଏହି ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗ କରିବେ, ଏଥିପାଇଁ ସେମାନଙ୍କୁ ତୁମ୍ଭେମାନେ ତାହା ଆଦେଶ କରିବ ।
ଦିତୀୟ ବିବରଣ 32 : 47 (ORV)
ଯେଣୁ ତାହା ତୁମ୍ଭମାନଙ୍କ ପକ୍ଷରେ ବ୍ୟର୍ଥ କଥା ନୁହେଁ; ମାତ୍ର ତାହା ତୁମ୍ଭମାନଙ୍କର ଜୀବନ ଅଟେ ଓ ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେଠାରେ ଏହି କଥା ଦ୍ଵାରା ତୁମ୍ଭେମାନେ ଆପଣାମାନଙ୍କ ଦିନ ବଢ଼ାଇବ ।
ଦିତୀୟ ବିବରଣ 32 : 48 (ORV)
ଆହୁରି ସଦାପ୍ରଭୁ ସେହିଦିନ ମୋଶାଙ୍କୁ କହିଲେ,
ଦିତୀୟ ବିବରଣ 32 : 49 (ORV)
ତୁମ୍ଭେ ଏହି ଅବାରୀମ୍ ପର୍ବତ, ଅର୍ଥାତ୍, ଯିରୀହୋ ସମ୍ମୁଖସ୍ଥିତ ମୋୟାବ ଦେଶୀୟ ନବୋ ପର୍ବତ ଉପରକୁ ଯାଅ, ପୁଣି ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଅଧିକାରାର୍ଥେ ଯେଉଁ ଦେଶ ଦେଉଅଛୁ, ସେହି କିଣାନ ଦେଶ ଦେଖ ।
ଦିତୀୟ ବିବରଣ 32 : 50 (ORV)
ଆଉ ଯେପରି ତୁମ୍ଭ ଭାଇ ହାରୋଣ ହୋର ପର୍ବତରେ ମରି ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହୋଇଥିଲା, ସେପରି ତୁମ୍ଭେ ଯେଉଁ ପର୍ବତକୁ ଯାଉଅଛ, ସେଠାରେ ମରି ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହୁଅ ।
ଦିତୀୟ ବିବରଣ 32 : 51 (ORV)
ଯେହେତୁ ସୀନ୍ ପ୍ରାନ୍ତରରେ କାଦେଶସ୍ଥ ମିରୀବାଃ ଜଳ ନିକଟରେ ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆମ୍ଭ ବିରୁଦ୍ଧରେ ସତ୍ୟଲଙ୍ଘନ କଲ; ପୁଣି ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆମ୍ଭଙ୍କୁ ପବିତ୍ର ବୋଲି ମାନ୍ୟ କଲ ନାହିଁ ।
ଦିତୀୟ ବିବରଣ 32 : 52 (ORV)
ତଥାପି ତୁମ୍ଭେ ଆପଣା ସମ୍ମୁଖରେ ସେହି ଦେଶ ଦେଖିବ; ମାତ୍ର ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେବା, ସେଠାକୁ ତୁମ୍ଭେ ଯାଇ ପାରିବ ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52

BG:

Opacity:

Color:


Size:


Font: