ଦିତୀୟ ବିବରଣ 22 : 1 (ORV)
ତୁମ୍ଭେ ଆପଣା ଭାଇର ବଳଦ କି ମେଷ ବଣା ହେବାର ଦେଖିଲେ, ସେମାନଙ୍କ ବିଷୟରେ ଅମନୋଯୋଗୀ ହେବ ନାହିଁ; ତୁମ୍ଭେ ସେମାନଙ୍କୁ ଆପଣା ଭାଇ କତିକି ନିଶ୍ଚୟ ଫେରାଇ ଆଣିବ ।
ଦିତୀୟ ବିବରଣ 22 : 2 (ORV)
ପୁଣି ଯେବେ ତୁମ୍ଭର ସେହି ଭାଇ ତୁମ୍ଭର ନିକଟବର୍ତ୍ତୀ ନ ଥାଏ, କିମ୍ଵା ତୁମ୍ଭେ ଯେବେ ତାହାକୁ ନ ଚିହ୍ନ, ତେବେ ତୁମ୍ଭେ ଆପଣା ଗୃହକୁ ସେହି ପଶୁ ଆଣିବ, ତୁମ୍ଭର ସେହି ଭାଇ ତାହାକୁ ଅନ୍ଵେଷଣ କରିବା ପର୍ଯ୍ୟନ୍ତ ତାହା ତୁମ୍ଭ ପାଖରେ ରହିବ, ତହିଁ ଉତ୍ତାରୁ ତୁମ୍ଭେ ତାହାକୁ ତାହା ଫେରାଇ ଦେବ ।
ଦିତୀୟ ବିବରଣ 22 : 3 (ORV)
ତୁମ୍ଭେ ତାହାର ଗଧ ପ୍ରତି ସେରୂପ କରିବ ଓ ତୁମ୍ଭେ ତାହାର ବସ୍ତ୍ର ପ୍ରତି ସେରୂପ କରିବ; ପୁଣି ତୁମ୍ଭ ଭାଇ ଯେ କୌଣସି ବସ୍ତୁ ହଜାଇଥାଏ, ତାହାର ସେହି ହଜିଲା ବସ୍ତୁ ତୁମ୍ଭେ ପାଇଲେ, ତହିଁ ବିଷୟରେ ସେରୂପ କରିବ; ତହିଁରେ ଅମନୋଯୋଗ କରିବା ତୁମ୍ଭର ଅକର୍ତ୍ତବ୍ୟ ।
ଦିତୀୟ ବିବରଣ 22 : 4 (ORV)
ତୁମ୍ଭେ ଆପଣା ଭାଇର ଗଧ କି ବଳଦ ବାଟରେ ପଡ଼ିଯିବାର ଦେଖିଲେ, ତହିଁ ପ୍ରତି ଅମନୋଯୋଗୀ ହେବ ନାହିଁ; ତୁମ୍ଭେ ସେମାନଙ୍କୁ ପୁନର୍ବାର ଉଠାଇବା ପାଇଁ ଅବଶ୍ୟ ତାହାର ଉପକାର କରିବ ।
ଦିତୀୟ ବିବରଣ 22 : 5 (ORV)
ଯାହା ପୁରୁଷର, ତାହା ସ୍ତ୍ରୀ ପିନ୍ଧିବ ନାହିଁ, କିଅବା ସ୍ତ୍ରୀର ପୋଷାକ ପୁରୁଷ ପିନ୍ଧିବ ନାହିଁ; କାରଣ ଯେ କେହି ତାହା କରେ, ସେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କର ଘୃଣାଯୋଗ୍ୟ ଅଟେ ।
ଦିତୀୟ ବିବରଣ 22 : 6 (ORV)
ଯେବେ ପଥପାର୍ଶ୍ଵସ୍ଥ କୌଣସି ବୃକ୍ଷରେ କିଅବା ଭୂମିରେ ତୁମ୍ଭ ସମ୍ମୁଖରେ କୌଣସି ପକ୍ଷୀର ବସାରେ ଛୁଆ କି ଡିମ୍ଵ ଥାଏ, ଆଉ ସେହି ଛୁଆ କି ଡିମ୍ଵ ଉପରେ ପକ୍ଷିଣୀ ବସିଥାଏ, ତେବେ ତୁମ୍ଭେ ଛୁଆ ସଙ୍ଗରେ ପକ୍ଷିଣୀକି ଧରିବ ନାହିଁ ।
ଦିତୀୟ ବିବରଣ 22 : 7 (ORV)
ତୁମ୍ଭେ କୌଣସିମତେ ପକ୍ଷିଣୀକି ଛାଡ଼ି ଦେବ, ମାତ୍ର ତୁମ୍ଭେ ଆପଣା ନିମନ୍ତେ ଛୁଆମାନଙ୍କୁ ନେଇ ପାର, ତହିଁରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେ ଆପଣା ଦିନ ବଢ଼ାଇ ପାରିବ ।
ଦିତୀୟ ବିବରଣ 22 : 8 (ORV)
ତୁମ୍ଭେ ନୂତନ ଗୃହ ନିର୍ମାଣ କଲେ, ତହିଁର ଛାତରେ ଛେଦାବାଡ଼ ପ୍ରସ୍ତୁତ କରିବ, ଯେପରି ତହିଁ ଉପରୁ କୌଣସି ମନୁଷ୍ୟ ପଡ଼ିଗଲେ, ତୁମ୍ଭେ ଆପଣା ଗୃହ ଉପରେ ରକ୍ତପାତର ଅପରାଧ ବର୍ତ୍ତାଇବ ନାହିଁ ।
ଦିତୀୟ ବିବରଣ 22 : 9 (ORV)
ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରେ ମିଶ୍ରିତ ବୀଜ ବୁଣିବ ନାହିଁ; ତାହା କଲେ ତୁମ୍ଭ ବୁଣା ବୀଜ ଓ ଦ୍ରାକ୍ଷାକ୍ଷେତ୍ରର ସମୁଦାୟ ଫଳ ତଣ୍ତ ରୂପେ ନିଆଯିବ ।
ଦିତୀୟ ବିବରଣ 22 : 10 (ORV)
ତୁମ୍ଭେ ବଳଦ ଓ ଗଧ ଏକତ୍ର ଯୋଚି ଚାଷ କରିବ ନାହିଁ ।
ଦିତୀୟ ବିବରଣ 22 : 11 (ORV)
ତୁମ୍ଭେ ଲୋମ ଓ ମସିନା କୌଣସି ମିଶ୍ରିତ ସୂତ୍ରନିର୍ମିତ ବସ୍ତ୍ର ପିନ୍ଧିବ ନାହିଁ ।
ଦିତୀୟ ବିବରଣ 22 : 12 (ORV)
ତୁମ୍ଭେ ଆପଣା ଶରୀରର ଉତ୍ତରୀୟ ବସ୍ତ୍ରର ଚାରି ଅଞ୍ଚଳରେ ଝୁମ୍ପା ବନାଇବ ।
ଦିତୀୟ ବିବରଣ 22 : 13 (ORV)
କୌଣସି ପୁରୁଷ କୌଣସି ସ୍ତ୍ରୀକି ବିବାହ କରି ତାହାର ସହବାସ କଲା ଉତ୍ତାରେ ଯେବେ ତାହାକୁ ଘୃଣା କରେ
ଦିତୀୟ ବିବରଣ 22 : 14 (ORV)
ଓ ତାହା ବିରୁଦ୍ଧରେ ମନ୍ଦ କଥା ଆରୋପ କରେ ଓ ତାହାର ଦୁର୍ନାମ କରି କହେ କି, ଆମ୍ଭେ ଏହି ସ୍ତ୍ରୀକି ବିବାହ କଲୁ, ମାତ୍ର ସହବାସ କାଳରେ ଏହାର କୌମାର୍ଯ୍ୟର ଲକ୍ଷଣ ପାଇଲୁ ନାହିଁ;
ଦିତୀୟ ବିବରଣ 22 : 15 (ORV)
ତେବେ ସେହି କନ୍ୟାର ପିତାମାତା ତାହାର କୌମାର୍ଯ୍ୟର ଚିହ୍ନ ନେଇ ନଗର ଦ୍ଵାରରେ ନଗରସ୍ଥ ପ୍ରାଚୀନମାନଙ୍କ ନିକଟକୁ ଆଣିବେ ।
ଦିତୀୟ ବିବରଣ 22 : 16 (ORV)
ତହୁଁ ସେହି କନ୍ୟାର ପିତା ପ୍ରାଚୀନବର୍ଗଙ୍କୁ କହିବ, ଆମ୍ଭେ ଏହି ଲୋକ ସଙ୍ଗରେ ଆମ୍ଭ କନ୍ୟାକୁ ବିବାହ ଦେଲୁ;
ଦିତୀୟ ବିବରଣ 22 : 17 (ORV)
ମାତ୍ର ସେ ତାହାକୁ ଘୃଣା କରେ; ଆଉ ଦେଖ, ସେ ତାହା ବିରୁଦ୍ଧରେ ମନ୍ଦ କଥା ଆରୋପ କରି କହେ କି, ଆମ୍ଭେ ତୁମ୍ଭ କନ୍ୟାର କୌମାର୍ଯ୍ୟ ଲକ୍ଷଣ ପାଇଲୁ ନାହିଁ; ମାତ୍ର ଆମ୍ଭ କନ୍ୟାର କୌମାର୍ଯ୍ୟ ଚିହ୍ନ ଏହି; ତହୁଁ ସେମାନେ ନଗରସ୍ଥ ପ୍ରାଚୀନମାନଙ୍କ ସାକ୍ଷାତରେ ସେହି ଲୁଗା ମେଲାଇ ଦେବେ ।
ଦିତୀୟ ବିବରଣ 22 : 18 (ORV)
ଏଉତ୍ତାରୁ ନଗରର ପ୍ରାଚୀନମାନେ ସେହି ପୁରୁଷକୁ ଧରି ଶାସ୍ତି ଦେବେ ।
ଦିତୀୟ ବିବରଣ 22 : 19 (ORV)
ପୁଣି ସେମାନେ ତାହାକୁ ଶହେ ଶେକଲ ରୂପା ଦଣ୍ତ କରି କନ୍ୟାର ପିତାକୁ ଦେବେ, କାରଣ ସେ ଇସ୍ରାଏଲୀୟା ଏକ କନ୍ୟା ଉପରେ ଦୁର୍ନାମ ଆଣିଅଛି; ତହିଁରେ ସେ ତାହାର ଭାର୍ଯ୍ୟା ହେବ, ସେ ତାହାକୁ ଯାବଜ୍ଜୀବନ ତ୍ୟାଗ କରି ପାରିବ ନାହିଁ ।
ଦିତୀୟ ବିବରଣ 22 : 20 (ORV)
ମାତ୍ର କଥା ଯେବେ ସତ୍ୟ ହୁଏ ଯେ, କନ୍ୟାର କୌମାର୍ଯ୍ୟ ଚିହ୍ନ ଦେଖା ନ ଯାଏ;
ଦିତୀୟ ବିବରଣ 22 : 21 (ORV)
ତେବେ ସେମାନେ ସେହି କନ୍ୟାକୁ ବାହାର କରି ପିତୃଗୃହର ଦ୍ଵାର ନିକଟକୁ ଆଣିବେ, ଆଉ ନଗରସ୍ଥ ଲୋକମାନେ ପ୍ରସ୍ତରାଘାତ କରି ତାହାକୁ ବଧ କରିବେ; କାରଣ ପିତୃଗୃହରେ ବ୍ୟଭିଚାର କରିବାରୁ ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ ।
ଦିତୀୟ ବିବରଣ 22 : 22 (ORV)
ଯେବେ କୌଣସି ପୁରୁଷ ବିବାହିତା ସ୍ତ୍ରୀ ସହିତ ଶୟନ କାଳରେ ଧରା ପଡ଼େ, ତେବେ ସେହି ସ୍ତ୍ରୀ ସହିତ ଶୟନକାରୀ ପୁରୁଷ ଓ ସେହି ସ୍ତ୍ରୀ, ଦୁହେଁ ହତ ହେବେ । ଏହିରୂପେ ତୁମ୍ଭେ ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିବ ।
ଦିତୀୟ ବିବରଣ 22 : 23 (ORV)
ଯେବେ କୌଣସି କନ୍ୟା କୌଣସି ପୁରୁଷ ପ୍ରତି ବାଗ୍ଦତ୍ତା ଥାଏ ଓ କୌଣସି ପୁରୁଷ ତାହାକୁ ନଗର ମଧ୍ୟରେ ପାଇ ତାହା ସହିତ ଶୟନ କରେ;
ଦିତୀୟ ବିବରଣ 22 : 24 (ORV)
ତେବେ ତୁମ୍ଭେମାନେ ସେହି ଦୁଇ ଜଣଙ୍କୁ ବାହାର କରି ନଗରଦ୍ଵାର ନିକଟକୁ ଆଣି ପ୍ରସ୍ତରାଘାତ କରି ବଧ କରିବ; କାରଣ ସେହି କନ୍ୟା ନଗର ମଧ୍ୟରେ ଥାଇ ହିଁ ଡାକ ପକାଇଲା ନାହିଁ; ପୁଣି ସେହି ପୁରୁଷ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କଲା; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ ।
ଦିତୀୟ ବିବରଣ 22 : 25 (ORV)
ମାତ୍ର ଯେବେ କୌଣସି ପୁରୁଷ ବାଗ୍ଦତ୍ତା କନ୍ୟାକୁ କ୍ଷେତ୍ରରେ ପାଇ ବଳାତ୍କାରରେ ତାହା ସହିତ ଶୟନ କରେ, ତେବେ ତାହା ସହିତ ଶୟନକାରୀ ସେହି ପୁରୁଷ କେବଳ ହତ ହେବ;
ଦିତୀୟ ବିବରଣ 22 : 26 (ORV)
ମାତ୍ର ସେହି କନ୍ୟା ପ୍ରତି ତୁମ୍ଭେ କିଛି କରିବ ନାହିଁ; ସେହି କନ୍ୟାଠାରେ ପ୍ରାଣଦଣ୍ତଯୋଗ୍ୟ ପାପ ନାହିଁ; କାରଣ କୌଣସି ମନୁଷ୍ୟ ଯେପରି ଆପଣା ପ୍ରତିବାସୀର ପ୍ରତିକୂଳରେ ଉଠି ତାହାକୁ ବଧ କରେ, ଏକଥା ସେହିପରି ।
ଦିତୀୟ ବିବରଣ 22 : 27 (ORV)
ଯେହେତୁ ସେ ପୁରୁଷ କ୍ଷେତ୍ରରେ ତାହାକୁ ପାଇଲା; ସେହି ବାଗ୍ଦତ୍ତା କନ୍ୟା ଡାକ ପକାଇଲା, ତଥାପି ତାହାକୁ ରକ୍ଷା କରିବାକୁ କେହି ନ ଥଲା ।
ଦିତୀୟ ବିବରଣ 22 : 28 (ORV)
ଯେବେ କୌଣସି ପୁରୁଷ ଅବାଗ୍ଦତ୍ତା କୁମାରୀ କନ୍ୟାକୁ ପାଇ ତାହାକୁ ଧରି ତାହା ସଙ୍ଗେ ଶୟନ କରେ ଓ ସେମାନେ ଧରା ପଡ଼ନ୍ତି,
ଦିତୀୟ ବିବରଣ 22 : 29 (ORV)
ତେବେ ତାହା ସହିତ ଶୟନକାରୀ ସେହି ପୁରୁଷ କନ୍ୟାର ପିତାକୁ ପଚାଶ ଶେକଲ ରୂପା ଦେବ ଓ ସେ ତାହାକୁ ଭ୍ରଷ୍ଟ କରିବାରୁ ସେ ତାହାର ଭାର୍ଯ୍ୟା ହେବ; ସେହି ପୁରୁଷ ତାହାକୁ ଯାବଜ୍ଜୀବନ ତ୍ୟାଗ କରି ପାରିବ ନାହିଁ ।
ଦିତୀୟ ବିବରଣ 22 : 30 (ORV)
କୌଣସି ପୁରୁଷ ଆପଣା ପିତୃଭାର୍ଯ୍ୟାକୁ ଗ୍ରହଣ କରିବ ନାହିଁ ଓ ଆପଣା ପିତାର ଅଞ୍ଚଳ ଅନାବୃତ କରିବ ନାହିଁ ।
❮
❯