ଦିତୀୟ ବିବରଣ 2 : 1 (ORV)
ଅନନ୍ତର ମୋʼ ପ୍ରତି କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆମ୍ଭେମାନେ ଫେରି ସୂଫ ସମୁଦ୍ର ପଥ ଦେଇ ପ୍ରାନ୍ତର ଆଡ଼େ ଯାତ୍ରା କଲୁ; ପୁଣି ସେୟୀର ପର୍ବତ ବୁଲି ଆସିବାକୁ ଆମ୍ଭମାନଙ୍କୁ ଅନେକ ଦିନ ଲାଗିଲା ।
ଦିତୀୟ ବିବରଣ 2 : 2 (ORV)
ତହୁଁ ସଦାପ୍ରଭୁ ମୋତେ କହିଲେ,
ଦିତୀୟ ବିବରଣ 2 : 3 (ORV)
ତୁମ୍ଭେମାନେ ଯଥେଷ୍ଟ କାଳ ଏହି ପର୍ବତ ବୁଲିଅଛ; ଏବେ ଉତ୍ତର ଦିଗକୁ ଫେର ।
ଦିତୀୟ ବିବରଣ 2 : 4 (ORV)
ତୁମ୍ଭେ ଲୋକମାନଙ୍କୁ ଏହି ଆଜ୍ଞା ଦିଅ, ସେୟୀର ନିବାସୀ ତୁମ୍ଭମାନଙ୍କ ଭ୍ରାତୃଗଣର, ଅର୍ଥାତ୍, ଏଷୌ-ସନ୍ତାନଗଣର ସୀମା ଦେଇ ତୁମ୍ଭମାନଙ୍କୁ ଯିବାକୁ ହେବ; ତହିଁରେ ସେମାନେ ତୁମ୍ଭମାନଙ୍କଠାରୁ ଭୀତ ହେବେ; ଏଣୁ ତୁମ୍ଭେମାନେ ଅତି ସାବଧାନ ହୁଅ ।
ଦିତୀୟ ବିବରଣ 2 : 5 (ORV)
ସେମାନଙ୍କ ସହିତ ବିରୋଧ କର ନାହିଁ; କାରଣ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦେଶରୁ କିଛି ଦେବା ନାହିଁ । ଏକ ପାଦ ପରିମିତ ଭୂମି ହିଁ ଦେବା ନାହିଁ; ଯେହେତୁ ଆମ୍ଭେ ଏଷୌକୁ ଅଧିକାରାର୍ଥେ ସେୟୀର ପର୍ବତ ଦେଇଅଛୁ ।
ଦିତୀୟ ବିବରଣ 2 : 6 (ORV)
ତୁମ୍ଭେମାନେ ରୂପା ଦେଇ ସେମାନଙ୍କଠାରୁ ଅନ୍ନ କିଣି ଭୋଜନ କରିବ ଓ ରୂପା ଦେଇ ଜଳ କିଣି ପାନ କରିବ ।
ଦିତୀୟ ବିବରଣ 2 : 7 (ORV)
କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ଵର ତୁମ୍ଭ ହସ୍ତର ସମସ୍ତ କର୍ମରେ ତୁମ୍ଭଙ୍କୁ ଆଶୀର୍ବାଦ କରିଅଛନ୍ତି; ସେ ଏହି ବିସ୍ତୀର୍ଣ୍ଣ ପ୍ରାନ୍ତରରେ ତୁମ୍ଭ ଗମନର ତତ୍ତ୍ଵ ନେଇଅଛନ୍ତି; ଏହି ଚାଳିଶ ବର୍ଷଯାକ ସଦାପ୍ରଭୁ ତୁମ୍ଭର ପରମେଶ୍ଵର ତୁମ୍ଭର ସହବର୍ତ୍ତୀ ହୋଇଅଛନ୍ତି; ତୁମ୍ଭର କିଛି ଅଭାବ ହୋଇ ନାହିଁ ।
ଦିତୀୟ ବିବରଣ 2 : 8 (ORV)
ଏଉତ୍ତାରେ ଆମ୍ଭେମାନେ ସେୟୀର ନିବାସୀ ଆପଣା ଭ୍ରାତୃଗଣ ଏଷୌ-ସନ୍ତାନମାନଙ୍କ ନିକଟ ଦେଇ ଏଲତ୍ ଓ ଇତ୍ସିୟୋନ-ଗେବର ପଦାଭୂମିର ପଥଠାରୁ ଯାତ୍ରା କଲୁ । ତହୁଁ ଆମ୍ଭେମାନେ ଫେରି ମୋୟାବ-ପ୍ରାନ୍ତର ପଥ ଦେଇ ଯାତ୍ରା କଲୁ ।
ଦିତୀୟ ବିବରଣ 2 : 9 (ORV)
ତହିଁରେ ସଦାପ୍ରଭୁ ମୋତେ କହିଲେ, ମୋୟାବକୁ କ୍ଳେଶ ଦିଅ ନାହିଁ, ଅବା ସେମାନଙ୍କ ସହିତ ଯୁଦ୍ଧ ଲଗାଅ ନାହିଁ; କାରଣ ଆମ୍ଭେ ତୁମ୍ଭକୁ ଅଧିକାରାର୍ଥେ ସେମାନଙ୍କ ଦେଶରୁ କିଛି ଦେବା ନାହିଁ; ଯେହେତୁ ଆମ୍ଭେ ଲୋଟର ସନ୍ତାନଗଣକୁ ଆର ନଗର ଅଧିକାରାର୍ଥେ ଦେଇଅଛୁ ।
ଦିତୀୟ ବିବରଣ 2 : 10 (ORV)
(ପୂର୍ବେ ସେହି ସ୍ଥାନରେ ଏମୀୟ ଲୋକମାନେ ବାସ କଲେ, ସେମାନେ ବଳବାନ ଓ ଅନେକ ଓ ଅନାକୀୟମାନଙ୍କ ପରି ଦୀର୍ଘକାୟ ଥିଲେ ।
ଦିତୀୟ ବିବରଣ 2 : 11 (ORV)
ଅନାକୀୟମାନଙ୍କ ତୁଲ୍ୟ ସେମାନେ ହେଁ ରଫାୟୀୟ-ମାନଙ୍କ ମଧ୍ୟରେ ଗଣିତ ଥିଲେ, ମାତ୍ର ମୋୟାବୀୟ ଲୋକମାନେ ସେମାନଙ୍କୁ ଏମୀୟ ବୋଲି କହିଲେ ।
ଦିତୀୟ ବିବରଣ 2 : 12 (ORV)
ପୁଣି ପୂର୍ବେ ହୋରୀୟ ଲୋକମାନେ ସେୟୀରରେ ବାସ କଲେ, ମାତ୍ର ଏଷୌର ସନ୍ତାନଗଣ ସେମାନଙ୍କୁ ଅଧିକାରଚ୍ୟୁତ କଲେ ଓ ଆପଣାମାନଙ୍କ ସମ୍ମୁଖରୁ ସେମାନଙ୍କୁ ବିନଷ୍ଟ କରି ସେମାନଙ୍କ ସ୍ଥାନରେ ବାସ କଲେ; ଯେରୂପେ ଇସ୍ରାଏଲ ସଦାପ୍ରଭୁଙ୍କ ଦତ୍ତ ଆପଣା ଅଧିକାର-ଭୂମିରେ କଲେ) ।
ଦିତୀୟ ବିବରଣ 2 : 13 (ORV)
ଏବେ ତୁମ୍ଭେମାନେ ଉଠ ଓ ସେରଦ୍ ନଦୀ ପାର ହୁଅ । ତହିଁରେ ଆମ୍ଭେମାନେ ସେରଦ୍ ନଦୀ ପାର ହେଲୁ ।
ଦିତୀୟ ବିବରଣ 2 : 14 (ORV)
କାଦେଶ-ବର୍ଣ୍ଣେୟଠାରୁ ସେରଦ୍ ନଦୀ ପାର ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଅଠତିରିଶ ବର୍ଷ ଲାଗିଲା, ସେହି ସମୟକୁ ସଦାପ୍ରଭୁଙ୍କ ଶପଥ ଅନୁସାରେ ଛାଉଣି ମଧ୍ୟରୁ ସେହି ପୁରୁଷର ସମସ୍ତ ଯୋଦ୍ଧା ଉଚ୍ଛିନ୍ନ ହୋଇଥିଲେ ।
ଦିତୀୟ ବିବରଣ 2 : 15 (ORV)
କାରଣ ଛାଉଣି ମଧ୍ୟରୁ ସେମାନଙ୍କୁ ନିଃଶେଷରେ ଲୋପ କରିବା ପାଇଁ ସେମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ ହସ୍ତ ଥିଲା ।
ଦିତୀୟ ବିବରଣ 2 : 16 (ORV)
ଏହିରୂପେ ସେହି ସମସ୍ତ ଯୋଦ୍ଧା ମରି ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେଲା ଉତ୍ତାରେ
ଦିତୀୟ ବିବରଣ 2 : 17 (ORV)
ସଦାପ୍ରଭୁ ମୋତେ କହିଲେ,
ଦିତୀୟ ବିବରଣ 2 : 18 (ORV)
ଆଜି ତୁମ୍ଭକୁ ମୋୟାବର ସୀମା ଆର ଦେଇ ଯିବାକୁ ହେବ;
ଦିତୀୟ ବିବରଣ 2 : 19 (ORV)
(ପୁଣି ତୁମ୍ଭେ ଅମ୍ମୋନ-ସନ୍ତାନଗଣର ସମ୍ମୁଖରେ ଉପସ୍ଥିତ ହେଲେ ସେମାନଙ୍କୁ କ୍ଳେଶ ଦିଅ ନାହିଁ, କି ସେମାନଙ୍କ ସଙ୍ଗେ ବିରୋଧ କର ନାହିଁ, କାରଣ ଆମ୍ଭେ ଅଧିକାରାର୍ଥେ ତୁମ୍ଭକୁ ଅମ୍ମୋନ-ସନ୍ତାନଗଣର ଦେଶରୁ କିଛି ଦେବା ନାହିଁ; ଯେହେତୁ ଆମ୍ଭେ ଲୋଟର ସନ୍ତାନଗଣକୁ ତାହା ଅଧିକାର କରିବା ପାଇଁ ଦେଇଅଛୁ ।
ଦିତୀୟ ବିବରଣ 2 : 20 (ORV)
(ସେହି ଦେଶ ମଧ୍ୟ ରଫାୟୀୟମାନଙ୍କ ଦେଶ ବୋଲି ଗଣିତ; ପୂର୍ବେ ରଫାୟୀୟମାନେ ସେଠାରେ ବାସ କଲେ; ମାତ୍ର ଅମ୍ମୋନୀୟମାନେ ସେମାନଙ୍କୁ ସମ୍ସୁମ୍ମୀୟ ବୋଲି କହିଲେ;
ଦିତୀୟ ବିବରଣ 2 : 21 (ORV)
ସେମାନେ ବଳବାନ ଓ ଅନେକ ଓ ଅନାକୀୟମାନଙ୍କ ପରି ଦୀର୍ଘକାୟ ଲୋକ ଥିଲେ; ମାତ୍ର ସଦାପ୍ରଭୁ ଅମ୍ମୋନୀୟମାନଙ୍କ ସମ୍ମୁଖରୁ ସେମାନଙ୍କୁ ବିନଷ୍ଟ କଲେ; ପୁଣି ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ସେମାନଙ୍କ ସ୍ଥାନରେ ବସତି କଲେ ।
ଦିତୀୟ ବିବରଣ 2 : 22 (ORV)
ସେ ସେୟୀର ନିବାସୀ ଏଷୌ-ସନ୍ତାନଗଣ ନିମନ୍ତେ ସେହି ରୂପ କର୍ମ କରିଥିଲେ, ଅର୍ଥାତ୍, ସେମାନଙ୍କ ସମ୍ମୁଖରୁ ହୋରୀୟମାନଙ୍କୁ ବିନଷ୍ଟ କଲେ, ତହିଁରେ ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ଅଦ୍ୟାପି ସେମାନଙ୍କ ସ୍ଥାନରେ ବାସ କରୁଅଛନ୍ତି ।
ଦିତୀୟ ବିବରଣ 2 : 23 (ORV)
ପୁଣି କପ୍ତୋରରୁ ଆଗତ କପ୍ତୋରୀୟ ଲୋକମାନେ ଘସା ପର୍ଯ୍ୟନ୍ତ ଗ୍ରାମମାନଙ୍କରେ ବାସକାରୀ ଅବ୍ବୀୟମାନଙ୍କୁ ବିନଷ୍ଟ କରି ସେମାନଙ୍କ ସ୍ଥାନରେ ବାସ କଲେ) ।
ଦିତୀୟ ବିବରଣ 2 : 24 (ORV)
ତୁମ୍ଭେମାନେ ଉଠ ଓ ଯାତ୍ରା କରି ଅର୍ଣ୍ଣୋନ୍ ଉପତ୍ୟକା ପାର ହୁଅ; ଦେଖ, ଆମ୍ଭେ ହିଷ୍ବୋନର ରାଜା ଇମୋରୀୟ ସୀହୋନକୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କଲୁ; ତାହା ଅଧିକାର କରିବାକୁ ଆରମ୍ଭ କର ଓ ତାହା ସଙ୍ଗେ ଯୁଦ୍ଧ ଲଗାଅ ।
ଦିତୀୟ ବିବରଣ 2 : 25 (ORV)
ଅଦ୍ୟାବଧି ଆମ୍ଭେ ସମସ୍ତ ଆକାଶମଣ୍ତଳର ଅଧଃସ୍ଥିତ ଲୋକମାନଙ୍କ ମନରେ ତୁମ୍ଭ ବିଷୟକ ଆଶଙ୍କା ଓ ଭୟ ଜନ୍ମାଇବାକୁ ଆରମ୍ଭ କରିବା, ସେମାନେ ତୁମ୍ଭ ବିଷୟର ସମ୍ଵାଦ ଶୁଣିଲେ ତୁମ୍ଭ ସକାଶୁ କମ୍ପିତ ଓ ବ୍ୟଥିତ ହେବେ ।
ଦିତୀୟ ବିବରଣ 2 : 26 (ORV)
ଆଉ ମୁଁ କଦେମୋତ୍ ପ୍ରାନ୍ତରରୁ ହିଷ୍ବୋନର ରାଜା ସୀହୋନ ନିକଟକୁ ଦୂତ ଦ୍ଵାରା ଏହି ଶାନ୍ତିସୂଚକ ବାକ୍ୟ କହି ପଠାଇଲି,
ଦିତୀୟ ବିବରଣ 2 : 27 (ORV)
ତୁମ୍ଭ ଦେଶ ଦେଇ ମୋତେ ଯିବାକୁ ଦିଅ, ମୁଁ ବାଟେ ବାଟେ ଯିବି, ଦକ୍ଷିଣରେ କି ବାମରେ ଫେରିବି ନାହିଁ ।
ଦିତୀୟ ବିବରଣ 2 : 28 (ORV)
ସେୟୀର ନିବାସୀ ଏଷୌ-ସନ୍ତାନଗଣ ଓ ଆର ନିବାସୀ ମୋୟାବୀୟ ଲୋକମାନେ ମୋʼ ପ୍ରତି ଯେରୂପ କଲେ, ତଦ୍ରୂପ ତୁମ୍ଭେ କର;
ଦିତୀୟ ବିବରଣ 2 : 29 (ORV)
ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ଯେଉଁ ଦେଶ ଦେଉଅଛନ୍ତି, ଆମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେପର୍ଯ୍ୟନ୍ତ ସେହି ଦେଶରେ ଉପସ୍ଥିତ ନ ହେଉ, ସେପର୍ଯ୍ୟନ୍ତ ତୁମ୍ଭେ ରୂପା ନେଇ ମୋତେ ଭୋଜନର ଅନ୍ନ ଦିଅ ଓ ରୂପା ନେଇ ପିଇବାର ଜଳ ଦିଅ; ମୁଁ କେବଳ ଆପଣା ପାଦ ଦେଇ ପାର ହୋଇଯିବି ।
ଦିତୀୟ ବିବରଣ 2 : 30 (ORV)
ମାତ୍ର ହିଷ୍ବୋନର ରାଜା ସୀହୋନ ଆପଣା ଦେଶ ମଧ୍ୟଦେଇ ଯିବା ପାଇଁ ଆମ୍ଭମାନଙ୍କୁ ଅନୁମତି ଦେଲା ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ଵର ତୁମ୍ଭ ହସ୍ତରେ ଆଜିର ନ୍ୟାୟ ତାହାକୁ ସମର୍ପଣ କରିବା ପାଇଁ ତାହାର ମନ କଠିନ କଲେ ଓ ତାହାର ହୃଦୟ ଶକ୍ତ କଲେ ।
ଦିତୀୟ ବିବରଣ 2 : 31 (ORV)
ପୁଣି ସଦାପ୍ରଭୁ ମୋତେ କହିଲେ, ଦେଖ, ଆମ୍ଭେ ସୀହୋନକୁ ଓ ତାହାର ଦେଶକୁ ତୁମ୍ଭ ଆଗରେ ସମର୍ପଣ କରିବାକୁ ପ୍ରବୃତ୍ତ ହେଲୁଣି; ତୁମ୍ଭେ ତାହାର ଦେଶ ଅଧିକାର କରିବାକୁ ପ୍ରବୃତ୍ତ ହୁଅ ।
ଦିତୀୟ ବିବରଣ 2 : 32 (ORV)
ସେତେବେଳେ ସୀହୋନ, ସେ ଓ ତାହାର ସମସ୍ତ ପ୍ରଜା ଆମ୍ଭମାନଙ୍କ ବିରୁଦ୍ଧରେ ବାହାରି ଯହସରେ ଯୁଦ୍ଧ କରିବାକୁ ଆସିଲେ ।
ଦିତୀୟ ବିବରଣ 2 : 33 (ORV)
ତେବେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କ ଆଗରେ ତାହାକୁ ସମର୍ପଣ କଲେ; ତହିଁରେ ଆମ୍ଭେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ପ୍ରଜାଙ୍କୁ ବଧ କଲୁ ।
ଦିତୀୟ ବିବରଣ 2 : 34 (ORV)
ଆଉ ସେହି ସମୟରେ ଆମ୍ଭେମାନେ ତାହାର ସମସ୍ତ ନଗର ହସ୍ତଗତ କରି ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି-ନଗର ବର୍ଜିତ ରୂପେ ବିନଷ୍ଟ କଲୁ; ଆମ୍ଭେମାନେ କାହାକୁ ହିଁ ବଞ୍ଚାଇ ରଖିଲୁ ନାହିଁ ।
ଦିତୀୟ ବିବରଣ 2 : 35 (ORV)
କେବଳ ପଶୁଗଣକୁ ଓ ଯେ ଯେ ନଗର ହସ୍ତଗତ କରିଥିଲୁ, ତହିଁର ଲୁଟିତ ଦ୍ରବ୍ୟସବୁକୁ ଆମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଗ୍ରହଣ କଲୁ ।
ଦିତୀୟ ବିବରଣ 2 : 36 (ORV)
ଅର୍ଣ୍ଣୋନ୍-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗରଠାରୁ ଗିଲୀୟଦ ପର୍ଯ୍ୟନ୍ତ ଏକ ନଗର ହିଁ ଆମ୍ଭମାନଙ୍କ ଶକ୍ତିର ଅତିରିକ୍ତ ନ ଥିଲା; ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କ ଆଗରେ ସମଗ୍ର ସମର୍ପଣ କଲେ ।
ଦିତୀୟ ବିବରଣ 2 : 37 (ORV)
କେବଳ ଅମ୍ମୋନ-ସନ୍ତାନମାନଙ୍କ ଦେଶ, ଅର୍ଥାତ୍, ଯବ୍ବୋକ୍ ନଦୀର ପାର୍ଶ୍ଵସ୍ଥ ପ୍ରଦେଶ ଓ ପର୍ବତମୟ ସକଳ ନଗର ପ୍ରଭୃତି ଯେଉଁ ଦେଶ ବିଷୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ନିଷେଧ କରିଥିଲେ; ତହିଁ ନିକଟରେ ତୁମ୍ଭେ ଉପସ୍ଥିତ ହେଲ ନାହିଁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37

BG:

Opacity:

Color:


Size:


Font: