ମୀଖା 6 : 1 (ORV)
ସଦାପ୍ରଭୁ ଯାହା କହନ୍ତି, ତାହା ତୁମ୍ଭେମାନେ ଏବେ ଶୁଣ; ତୁମ୍ଭେ ଉଠ, ପର୍ବତଗଣର ସମ୍ମୁଖରେ ବିବାଦ କର ଓ ଉପପର୍ବତଗଣ ତୁମ୍ଭର ରବ ଶୁଣନ୍ତୁ ।
ମୀଖା 6 : 2 (ORV)
ହେ ପର୍ବତଗଣ, ହେ ପୃଥିବୀର ଅଟଳ ଭିତ୍ତିମୂଳ-ସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବିବାଦବାକ୍ୟ ଶୁଣ; କାରଣ ଆପଣା ଲୋକମାନଙ୍କ ସହିତ ସଦାପ୍ରଭୁଙ୍କର ବିବାଦ ଅଛି ଓ ସେ ଇସ୍ରାଏଲ ସହିତ ବାଦାନୁବାଦ କରିବେ ।
ମୀଖା 6 : 3 (ORV)
ହେ ଆମ୍ଭର ଲୋକ, ତୁମ୍ଭ ପ୍ରତି ଆମ୍ଭେ କʼଣ କରିଅଛୁ? ଓ କାହିଁରେ ଆମ୍ଭେ ତୁମ୍ଭକୁ କ୍ଳା; କରିଅଛୁ? ଆମ୍ଭ ପ୍ରତିକୂଳରେ ସାକ୍ଷ୍ୟ ଦିଅ ।
ମୀଖା 6 : 4 (ORV)
ଆମ୍ଭେ ତ ମିସର ଦେଶରୁ ତୁମ୍ଭକୁ ବାହାର କରି ଆଣିଲୁ ଓ ଦାସଗୃହରୁ ତୁମ୍ଭକୁ ମୁକ୍ତ କଲୁ; ଆଉ, ତୁମ୍ଭର ଅଗ୍ରସର ହେବା ପାଇଁ ମୋଶା, ହାରୋଣ ଓ ମରୀୟମକୁ ପଠାଇଲୁ ।
ମୀଖା 6 : 5 (ORV)
ହେ ଆମ୍ଭର ଲୋକେ, ମୋୟାବର ରାଜା ବାଲାକ୍ କି ମନ୍ତ୍ରଣା କରିଥିଲା ଓ ବୀୟୋରର ପୁତ୍ର ବିଲୀୟମ୍ ତାହାକୁ କି ଉତ୍ତର ଦେଇଥିଲା, ତାହା ଏବେ ସ୍ମରଣ କର; ଶିଟୀମଠାରୁ ଗିଲ୍ଗଲ୍ ପର୍ଯ୍ୟନ୍ତ ସ୍ମରଣ କର, ତହିଁରେ ତୁମ୍ଭେମାନେ ସଦାପ୍ରଭୁଙ୍କର ନ୍ୟାୟ କର୍ମସକଳ ଜ୍ଞାତ ହୋଇ ପାରିବ ।
ମୀଖା 6 : 6 (ORV)
ଆମ୍ଭେ କଅଣ ଘେନି ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବା ଓ ଊର୍ଦ୍ଧ୍ଵସ୍ଥ ପରମେଶ୍ଵରଙ୍କ ସମ୍ମୁଖରେ ପ୍ରଣାମ କରିବା? ଆମ୍ଭେ କି ହୋମବଳି ରୂପେ ଏକ ବର୍ଷୀୟ ଗୋବତ୍ସମାନ ନେଇ ତାହାଙ୍କ ସମ୍ମୁଖକୁ ଆସିବା?
ମୀଖା 6 : 7 (ORV)
ସହସ୍ର ସହସ୍ର ମେଷରେ ଅବା ଅୟୁତ ଅୟୁତ ତୈଳର ନଦୀରେ ସଦାପ୍ରଭୁ କି ପ୍ରସନ୍ନ ହେବେ? ଆମ୍ଭେ ଆପଣା ଆଜ୍ଞାଲଙ୍ଘନ ସକାଶେ କି ଆପଣା ପ୍ରଥମଜାତକୁ, ଆମ୍ଭ ପ୍ରାଣର ପାପ ସକାଶେ କି ଆପଣା ଶରୀରର ଫଳ ଦାନ କରିବା?
ମୀଖା 6 : 8 (ORV)
ହେ ମନୁଷ୍ୟ, ଯାହା ଉତ୍ତମ, ତାହା ସେ ତୁମ୍ଭକୁ ଜଣାଇଅଛନ୍ତି; ନ୍ୟାୟାଚରଣ, ଦୟା ଭଲ ପାଇବା ଓ ନମ୍ର ଭାବରେ ତୁମ୍ଭ ପରମେଶ୍ଵରଙ୍କ ସହିତ ଗମନାଗମନ କରିବାର, ଏହାଛଡ଼ା ସଦାପ୍ରଭୁ ତୁମ୍ଭଠାରୁ ଆଉ କଅଣ ଚାହାନ୍ତି?
ମୀଖା 6 : 9 (ORV)
ସଦାପ୍ରଭୁଙ୍କ ରବ ନଗର ପ୍ରତି ଘୋଷଣା କରୁଅଛି ଓ ଜ୍ଞାନବାନ ମନୁଷ୍ୟ ତୁମ୍ଭର ନାମ ଦେଖିବ । ତୁମ୍ଭେମାନେ ଦଣ୍ତ ଓ ତନ୍ନିରୂପଣକାରୀଙ୍କୁ ମାନ ।
ମୀଖା 6 : 10 (ORV)
ଦୁଷ୍ଟର ଗୃହରେ କି ଏବେ ହେଁ ଦୁଷ୍ଟତାର ଭଣ୍ତାର ଓ ଘୃଣାଯୋଗ୍ୟ ସାନ ଐଫା ଅଛି?
ମୀଖା 6 : 11 (ORV)
ଆମ୍ଭେ କି ଦୁଷ୍ଟତାର ନିକ୍ତିରେ ଓ ଛଳନାରୂପ ବଟଖରାର ଥଳୀରେ ନିର୍ଦ୍ଦୋଷ ହେବା?
ମୀଖା 6 : 12 (ORV)
ସେସ୍ଥାନର ଧନୀ ଲୋକମାନେ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଅଛନ୍ତି ଓ ତହିଁର ନିବାସୀଗଣ ମିଥ୍ୟା କହିଅଛନ୍ତି, ପୁଣି ସେମାନଙ୍କ ମୁଖ ମଧ୍ୟରେ ସେମାନଙ୍କ ଜିହ୍ଵା ପ୍ରବଞ୍ଚକ ।
ମୀଖା 6 : 13 (ORV)
ଏଥିପାଇଁ ଆମ୍ଭେ ମଧ୍ୟ ବେଦନାଯୁକ୍ତ କ୍ଷତରେ ତୁମ୍ଭକୁ ପ୍ରହାର କରିଅଛୁ; ଆମ୍ଭେ ତୁମ୍ଭର ସମସ୍ତ ପାପ ସକାଶୁ ତୁମ୍ଭକୁ ଉଚ୍ଛିନ୍ନ କରିଅଛୁ ।
ମୀଖା 6 : 14 (ORV)
ତୁମ୍ଭେ ଭୋଜନ କରିବ, ମାତ୍ର ତୃପ୍ତ ନୋହିବ ଓ ତୁମ୍ଭ ମଧ୍ୟରେ ତୁମ୍ଭର କ୍ଷୀଣତା ରହିବ; ତୁମ୍ଭେ ସ୍ଥାନାନ୍ତର କରିବ, ମାତ୍ର ନିରାପଦରେ ବହି ନେଇ ପାରିବ ନାହିଁ ଓ ଯାହା ତୁମ୍ଭେ ବହି ନେବ, ତାହା ଆମ୍ଭେ ଖଡ଼୍‍ଗକୁ ଦେବା ।
ମୀଖା 6 : 15 (ORV)
ତୁମ୍ଭେ ବୁଣିବ, ମାତ୍ର କାଟିବ ନାହିଁ; ତୁମ୍ଭେ ଜୀତ ଫଳ ପେଷିବ, ମାତ୍ର ଆପଣା ଦେହରେ ତୈଳ ମର୍ଦ୍ଦନ କରିବ ନାହିଁ; ଦ୍ରାକ୍ଷାଫଳ ପେଷିବ, ମାତ୍ର ଦ୍ରାକ୍ଷାରସ ପାନ କରିବ ନାହିଁ ।
ମୀଖା 6 : 16 (ORV)
କାରଣ ଅମ୍ରିର ବିଧି ଓ ଆହାବ-ବଂଶର କ୍ରିୟାସକଳ ପାଳନ କରା ଯାଉଅଛି ଓ ତୁମ୍ଭେମାନେ ସେମାନଙ୍କ ପରାମର୍ଶରେ ଚାଲୁଅଛ; ତହିଁ ସକାଶୁ ଆମ୍ଭେ ତୁମ୍ଭକୁ ଉତ୍ସନ୍ନ (ସ୍ଥାନ) କରିବା ଓ ତହିଁର ନିବାସୀମାନଙ୍କୁ ଶୀସ୍ ଶଦ୍ଦର ବିଷୟ କରିବା; ଆଉ ତୁମ୍ଭେମାନେ ଆମ୍ଭ ଲୋକମାନଙ୍କର ଅପମାନର ଭାର ବହିବ ।

1 2 3 4 5 6 7 8 9 10 11 12 13 14 15 16

BG:

Opacity:

Color:


Size:


Font: