ଲେବୀୟ ପୁସ୍ତକ 10 : 1 (ORV)
ଅନନ୍ତର ହାରୋଣଙ୍କର ପୁତ୍ର ନାଦବ ଓ ଅବୀହୁ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଇ ତହିଁ ଉପରେ ଧୂପ ରଖିଲେ; ପୁଣି ସଦାପ୍ରଭୁ ଯାହା ଆଜ୍ଞା କରି ନ ଥିଲେ, ଏପରି ଇତର ଅଗ୍ନି ତାହାଙ୍କ ଛାମୁରେ ଉତ୍ସର୍ଗ କଲେ ।
ଲେବୀୟ ପୁସ୍ତକ 10 : 2 (ORV)
ତହିଁରେ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କୁ ଗ୍ରାସ କଲା ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ ।
ଲେବୀୟ ପୁସ୍ତକ 10 : 3 (ORV)
ତହୁଁ ମୋଶା ହାରୋଣଙ୍କୁ କହିଲେ, ସଦାପ୍ରଭୁ ଏହି କଥା କହିଲେ, ଯେଉଁମାନେ ଆମ୍ଭ ନିକଟକୁ ଆସନ୍ତି, ସେମାନଙ୍କ ମଧ୍ୟରେ ଆମ୍ଭେ ପବିତ୍ର ରୂପେ ମାନ୍ୟ ହେବା ଓ ସମସ୍ତ ଲୋକଙ୍କ ଅଗ୍ରତେ ଆମ୍ଭେ ଗୌରବାନ୍ଵିତ ହେବା । ତହିଁରେ ହାରୋଣ ମୌନ ହେଲେ ।
ଲେବୀୟ ପୁସ୍ତକ 10 : 4 (ORV)
ଅନନ୍ତର ମୋଶା ହାରୋଣଙ୍କର ଖୁଡ଼ୁତା ଊଷୀୟେଲର ପୁତ୍ର ମୀଖାୟେଲକୁ ଓ ଇଲୀଷାଫନକୁ ଡାକି କହିଲେ, ନିକଟକୁ ଆସି ଆପଣା ଭାଇମାନଙ୍କୁ ପବିତ୍ର ସ୍ଥାନର ସମ୍ମୁଖରୁ ଛାଉଣିର ବାହାରକୁ ନେଇ ଯାଅ;
ଲେବୀୟ ପୁସ୍ତକ 10 : 5 (ORV)
ତହିଁରେ ସେମାନେ ମୋଶାଙ୍କର ବାକ୍ୟାନୁସାରେ ନିକଟକୁ ଯାଇ ସେମାନଙ୍କୁ ଜାମା ସମେତ ଛାଉଣିର ବାହାରକୁ ନେଇଗଲେ ।
ଲେବୀୟ ପୁସ୍ତକ 10 : 6 (ORV)
ପୁଣି, ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ର ଇଲୀୟାସର ଓ ଈଥାମରକୁ କହିଲେ, ତୁମ୍ଭେମାନେ ଯେପରି ନ ମର ଓ ସମସ୍ତ ମଣ୍ତଳୀ ପ୍ରତି ସେ ଯେପରି କ୍ରୋଧ ନ କରନ୍ତି, ଏଥିପାଇଁ ତୁମ୍ଭମାନଙ୍କ ମସ୍ତକର କେଶ ମୁକୁଳା ନ ହେଉ, କିଅବା ଆପଣା ଆପଣା ବସ୍ତ୍ର ଚିର ନାହିଁ; ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ଵଳିତ କରିଅଛନ୍ତି, ତହିଁ ସକାଶୁ ତୁମ୍ଭମାନଙ୍କର ଭ୍ରାତୃବର୍ଗ ସମୁଦାୟ ଇସ୍ରାଏଲ ବଂଶ ରୋଦନ କରନ୍ତୁ ।
ଲେବୀୟ ପୁସ୍ତକ 10 : 7 (ORV)
ଆଉ ତୁମ୍ଭେମାନେ ସମାଗମ-ତମ୍ଵୁଦ୍ଵାରରୁ ବାହାରକୁ ଯିବ ନାହିଁ, ଗଲେ ମରିବ । କାରଣ ତୁମ୍ଭମାନଙ୍କ ଦେହରେ ସଦାପ୍ରଭୁଙ୍କର ଅଭିଷେକ-ତୈଳ ଅଛି । ତହିଁରେ ସେମାନେ ମୋଶାଙ୍କର ବାକ୍ୟାନୁସାରେ ସେହିପରି କଲେ ।
ଲେବୀୟ ପୁସ୍ତକ 10 : 8 (ORV)
ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ,
ଲେବୀୟ ପୁସ୍ତକ 10 : 9 (ORV)
ତୁମ୍ଭମାନଙ୍କର ମୃତ୍ୟୁ ଯେପରି ନ ହୁଏ, ଏଥିପାଇଁ ଯେଉଁ ସମୟରେ ତୁମ୍ଭେମାନେ ସମାଗମ-ତମ୍ଵୁରେ ପ୍ରବେଶ କରିବ, ସେ ସମୟରେ ତୁମ୍ଭେ କି ତୁମ୍ଭ ସଙ୍ଗୀ ତୁମ୍ଭର ପୁତ୍ରଗଣ ଦ୍ରାକ୍ଷାରସ ଓ ମଦ୍ୟ ପାନ କରିବ ନାହିଁ; ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ;
ଲେବୀୟ ପୁସ୍ତକ 10 : 10 (ORV)
ତହିଁରେ ତୁମ୍ଭେମାନେ ପବିତ୍ର ଓ ସାମାନ୍ୟ, ପୁଣି ଶୁଚି ଓ ଅଶୁଚି ମଧ୍ୟରେ ଭିନ୍ନତା ଜାଣିପାରିବ;
ଲେବୀୟ ପୁସ୍ତକ 10 : 11 (ORV)
ପୁଣି ସଦାପ୍ରଭୁ ମୋଶାଙ୍କ ଦ୍ଵାରା ଇସ୍ରାଏଲ-ସନ୍ତାନଗଣକୁ ଯେସକଳ ବିଧି ଦେଇଅଛନ୍ତି, ତାହା ସେମାନଙ୍କୁ ଶିକ୍ଷା ଦେଇ ପାରିବ ।
ଲେବୀୟ ପୁସ୍ତକ 10 : 12 (ORV)
ଅନନ୍ତର ମୋଶା ହାରୋଣଙ୍କୁ ଓ ତାଙ୍କର ଅବଶିଷ୍ଟ ପୁତ୍ର ଇଲୀୟାସର ଓ ଈଥାମରଙ୍କୁ କହିଲେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାରର ଅବଶିଷ୍ଟ ଯେଉଁ ଭକ୍ଷ୍ୟ-ନୈବେଦ୍ୟ, ତାହା ତୁମ୍ଭେମାନେ ନେଇ ବେଦି ନିକଟରେ ବିନା ତାଡ଼ିରେ ଭୋଜନ କର, ଯେହେତୁ ତାହା ମହାପବିତ୍ର;
ଲେବୀୟ ପୁସ୍ତକ 10 : 13 (ORV)
ଏଣୁ ତୁମ୍ଭେମାନେ କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କର; କାରଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ମଧ୍ୟରୁ ତାହା ହିଁ ତୁମ୍ଭର ଓ ତୁମ୍ଭ ପୁତ୍ରଗଣଙ୍କର ପ୍ରାପ୍ତବ୍ୟ ଅଂଶ; ଯେହେତୁ ଆମ୍ଭେ ଏହି ଆଜ୍ଞା ପାଇଅଛୁ ।
ଲେବୀୟ ପୁସ୍ତକ 10 : 14 (ORV)
ପୁଣି ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ଓ ତୁମ୍ଭ କନ୍ୟାଗଣ ଦୋଳନୀୟ ବକ୍ଷ ଓ ଉତ୍ତୋଳନୀୟ ଚଟୁଆ କୌଣସି ଶୁଚି ସ୍ଥାନରେ ଭୋଜନ କରିବ, ଯେହେତୁ ଇସ୍ରାଏଲ-ସନ୍ତାନଗଣର ମଙ୍ଗଳାର୍ଥକ ବଳି ମଧ୍ୟରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ତବ୍ୟ ଅଂଶୁ ।
ଲେବୀୟ ପୁସ୍ତକ 10 : 15 (ORV)
ସେମାନେ ମେଦମୟ ଅଗ୍ନିକୃତ ଉପହାର ସହିତ ଉତ୍ତୋଳନୀୟ ଚଟୁଆ ଓ ଦୋଳନୀୟ ବକ୍ଷ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବା ନିମନ୍ତେ ଆଣିବେ; ପୁଣି ତାହା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତୁମ୍ଭର ଓ ତୁମ୍ଭ ସନ୍ତାନଗଣଙ୍କର ଅନନ୍ତକାଳୀନ ଅଧିକାର ହେବ ।
ଲେବୀୟ ପୁସ୍ତକ 10 : 16 (ORV)
ଆଉ, ମୋଶା ପାପାର୍ଥକ ଛାଗର ବହୁତ ଅନ୍ଵେଷଣ କଲେ, ମାତ୍ର ଦେଖ, ତାହା ଦଗ୍ଧ ହୋଇଥିଲା; ଏଣୁ ସେ ହାରୋଣଙ୍କର ଅବଶିଷ୍ଟ ଦୁଇ ପୁତ୍ର ଇଲୀୟାସର ଓ ଈଥାମରଙ୍କ ପ୍ରତି କ୍ରୋଧ କରି କହିଲେ,
ଲେବୀୟ ପୁସ୍ତକ 10 : 17 (ORV)
ତୁମ୍ଭେମାନେ କିହେତୁ ପବିତ୍ର ସ୍ଥାନରେ ସେହି ପାପାର୍ଥକ ବଳି ଭୋଜନ କଲ ନାହିଁ? ତାହା ତ ମହାପବିତ୍ର, ପୁଣି ମଣ୍ତଳୀର ଅପରାଧ ବହି ସଦାପ୍ରଭୁଙ୍କ ଛାମୁରେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସେ ତାହା ତୁମ୍ଭମାନଙ୍କୁ ଦେଇଅଛନ୍ତି ।
ଲେବୀୟ ପୁସ୍ତକ 10 : 18 (ORV)
ଦେଖ, ପବିତ୍ର ସ୍ଥାନ ଭିତରକୁ ତାହାର ରକ୍ତ ଅଣାଗଲା ନାହିଁ; ଯେପରି ଆମ୍ଭେ ଆଜ୍ଞା ଦେଇଥିଲୁ, ସେପରି ତୁମ୍ଭେମାନେ ପବିତ୍ର ସ୍ଥାନରେ ତାହା ତ ଭୋଜନ କରିଥାʼନ୍ତ ।
ଲେବୀୟ ପୁସ୍ତକ 10 : 19 (ORV)
ତେବେ ହାରୋଣ ମୋଶାଙ୍କୁ କହିଲେ, ଦେଖ, ସେମାନେ ଆଜି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କର ପାପାର୍ଥକ ବଳି ଓ ଆପଣାମାନଙ୍କର ହୋମାର୍ଥକ ବଳି ଉତ୍ସର୍ଗ କଲେ, ତଥାପି ମୋʼ ପ୍ରତି ଏପରି ଘଟିଲା; ଯେବେ ମୁଁ ଆଜି ପାପାର୍ଥକ ବଳି ଭୋଜନ କରିଥାʼନ୍ତି, ତେବେ ତାହା କି ସଦାପ୍ରଭୁଙ୍କ ଦୃଷ୍ଟିରେ ଭଲ ହୋଇଥାʼନ୍ତା?
ଲେବୀୟ ପୁସ୍ତକ 10 : 20 (ORV)
ତହୁଁ ମୋଶା ତାହା ଶୁଣନ୍ତେ, ତାହା ତାଙ୍କ ଦୃଷ୍ଟିରେ ଭଲ ଦେଖାଗଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20

BG:

Opacity:

Color:


Size:


Font: